Unknown

 

 

 

 

 

 

 

 

 

 

 

ଜାପାନ ଜାତକ

ଶ୍ରୀ ରାଧାନାଥ ରଥ

 

କିରାଣିର କିନ୍ନରବାଣୀ

 

ମୋର ନିଜ ଜନ୍ମଭୂମିକୁ ଛାଡ଼ିଦେଲେ, ପୃଥିବୀର ଆଉ ଦୁଇଟି ଦେଶ ପ୍ରତି ମୋର ବହୁ କାଳରୁ ଆଗ୍ରହ ଓ ସମ୍ମାନ ରହି ଆସିଛି । ଗୋଟିଏ ଇଂଲଣ୍ଡ ଆରଟି ଜାପାନ । ପ୍ରଥମ ଦେଶଟି ଦେଖି ଆସିଛି । ଦ୍ୱିତୀୟଟି ଏ ପର୍ଯ୍ୟନ୍ତ ଦେଖିପାରିନି । କିନ୍ତୁ ନ ଦେଖିବାର ଅସନ୍ତୋଷ ମୁଁ ବରାବର ମାରିବାକୁ ଚେଷ୍ଟା କରି ଆସିଛି ଜାପାନ ବିଷୟରେ ବହି ଓ ଲେଖା ପଢ଼ିବାରେ । ମୋ ହାତ ପାଖକୁ ଏହି ସୌନ୍ଦର୍ଯ୍ୟପ୍ରିୟ ଓ ସୌନ୍ଦର୍ଯ୍ୟର ପୂଜାରୀ ଜାତି ବିଷୟରେ ଯେ କୌଣସି ବହି ବା ସାମୟିକ ରଚନା ଆସିଛି, ତାହା ଏ ପର୍ଯ୍ୟନ୍ତ ଅତି ଆଗ୍ରହର ସହିତ ପଢ଼ି ଆସିଛି । ଜାପାନୀ ଶିକ୍ଷାପ୍ରଣାଳୀ ଦେଖି ଆସିବାରେ ମୋର ସୁବିଧା କରେଇଦେବା ପାଇଁ, ସମ୍ବଲପୁର କଲେଜରେ ଥିଲାବେଳେ ଓଡ଼ିଶା ସରକାରଙ୍କୁ ଲେଖାଲେଖି ମଧ୍ୟ ଥରେ କରିଥିଲି । କିନ୍ତୁ ଆମେ ତ ମନ୍ତ୍ରୀଙ୍କର ଶାଳକର–ମାମୁଁର ଭାଉଜର–ପିଇସୀର–କନ୍ୟାର ସ୍ୱାମୀ ନୋହୁଁ, ସେହି ସ୍ୱଳ୍ପ–ବ୍ୟୟ ଅନୁରୋଧକୁ କିଏ ଶୁଣିବ-? ସେ ପ୍ରସଙ୍ଗରେ ମୁଁ ମଧ୍ୟ ଏୟା ଯୁକ୍ତି ଦେଖାଇ ଥିଲି ଯେ, ଭାରତ ବା ଓଡ଼ିଶାର ଇଂଲଣ୍ଡ ବା ଆମେରିକା ସହିତ ସାମାଜିକ ସମତା ନାହିଁ । ସେ ସବୁ ହେଲେ ଧନୀର ଦେଶ । ଆମେ ଏକ ଗରିବ ଜାତି ତେଣୁ ସେ ସବୁ ଦେଶକୁ ତରୁଣମାନଙ୍କୁ ଟ୍ରେନିଂ ପାଇଁ କାହିଁକି ମାଳ ମାଳ ପଠାଉଛ ? ସେଠାରେ ଜ୍ଞାନ ଏଠାରେ କାମରେ ଲାଗି ପାରୁନାହିଁ । ଆମକୁ ସେହି ଜାତିକୁ ଆଦର୍ଶ କରି ଧରିବାକୁ ହେବ, ଯିଏ ଦରିଦ୍ର ଥାଇ ମଧ୍ୟ ଅଗ୍ରଗାମୀ ଓ ଅଗ୍ରଗଣ୍ୟ । ସମଗ୍ର ପୃଥିବୀରେ ଏପରି ଜାତି ଦୁଇଟି–ସୁଇଟ୍‌ଜର୍‌ ଲାଣ୍ଡର ସୁବାସ୍‌ ଓ ଜାପାନୀ । ଆଡ଼ଲ୍‌ଟ ସୋସାଲ୍‌ ଏଜୁକେଶନ୍‌ ଅଫିସର ଥିଲାବେଳେ, ତେଣୁ ଏଇ ଦୁଇ ଦେଶ ଉପରେ ଦୁଇ ଖଣ୍ଡ ଉତ୍କୃଷ୍ଟ ପୁସ୍ତକ ଇଂରାଜୀରୁ ଅନୁବାଦ କରାଇ ପ୍ରକାଶ କରାଇ ନେଇଥିଲି । କିନ୍ତୁ ସୁଇସ୍‌ମାନଙ୍କ ଅପେକ୍ଷା ଜାପାନୀମାନେ ଆମର ନିକଟତର । ସେମାନେ ଏସିଆବାସୀ । ତାଙ୍କ ଧର୍ମ ଓ ଆମ ଧର୍ମ ପ୍ରାୟ ଏକ । ତାଙ୍କ ସାମାଜିକ ଏସିଆବାସୀ । ତାଙ୍କ ଧର୍ମ ଓ ଆମ ଧର୍ମ ପ୍ରାୟ ଏକ । ତାଙ୍କ ସାମାଜିକ ସଙ୍ଗଠନ ଓ ଆମ ସାମାଜିକ ସଙ୍ଗଠନ ପ୍ରାୟ ଏକ । ଆମେ ଜାପାନର ଆଦର୍ଶରେ ନିଜକୁ ଗଢ଼ିବା ଯେତେ ସହଜ ହେବ, ଆମେରିକାର ଆଦର୍ଶରେ ତାହା ହୋଇ ପାରିବନି ।

 

କିନ୍ତୁ କିଏ ସେ କଥା ଶୁଣୁଛି ?

 

ସେ ଯାହାହେଉ, ଜାପାନ ବିଷୟରେ ବହୁ କିତାପ ଓ ଲେଖା ପଢ଼ିଲା ପରେ, ଶ୍ରୀ ରାଧାନାଥ ରଥ ନାମକ ସାହିତ୍ୟ ଜଗତରେ ସମ୍ପୂର୍ଣ୍ଣ ଅପରିଚିତ ଏକ ଅଜ୍ଞାତ କିରାଣିଙ୍କର ଜାପାନ–ଅଭିଜ୍ଞତା ପଢ଼ି ମୁଁ ମୁଗ୍ଧ ଓ ବିସ୍ମିତ ହୋଇଛି । ରଥେ ଦ୍ୱିତୀୟ ମହାଯୁଦ୍ଧରେ ଭାରତୀୟ ସୈନ୍ୟବାହିନୀ ସହ କିରାଣିରୂପେ ଜାପାନ ଯାଇଥିଲେ । ସେ ସେଠି ଦେଢ଼ବର୍ଷ ଭିତରେ ଯାହା ଦେଖିଲେ, ତାହାହିଁ ଲେଖି ଯାଇଛନ୍ତି । ସେ ଲେଖାରେ ଲେଖକ ବୋଲାଇବାର ଦାମ୍ଭିକତା ନାହିଁ । ପାଣ୍ଡିତ୍ୟର ଅଭିମାନ ନାହିଁ । ଶୈଳୀର ମର୍ଯ୍ୟାଦା–ବୋଧ ନାହିଁ । କିନ୍ତୁ ଭ୍ରମଣ କାହାଣୀରେ ଯାହା ଥିଲେ ତାହା ସାହିତ୍ୟ ହୁଏ, ତାହା ସେଥିରେ ବିକଚ ଭାବରେ ବିକଶିତ ହୋଇ ଉଠିଛି । ତାହା ହେଉଛି ଜାପାନର ଆତ୍ମା । ଇତିମଧ୍ୟରେ ଏକାଧିକ ଓଡ଼ିଆ ଅଧ୍ୟାପକ ଲିଖିତ ଭ୍ରମଣ କାହାଣୀ ସବୁ ପଢ଼ିଛି । ଯୋଗାଡ଼ଦ୍ୱାରା ସ୍ତୁତି ଓ ପୁରସ୍କାର ମଧ୍ୟ ଲାଭ ହୋଇଛି । କାରଣ ଆଜିର ଯୁଗ ସେହିପରି-। କିନ୍ତୁ ସେ ସବୁ ପ୍ରାଣହୀନ ପ୍ରଚୁର ବାଗାଡ଼ମ୍ବର ମାତ୍ର ପରି ବୋଧ ହୋଇଛି ମତେ । ସେଥିପାଇଁ କାହାକୁ ପ୍ରାଣଭରି ପ୍ରଶଂସା ଜଣାଇ ପାରିନାହିଁ । ତେଣୁ ସାମାନ୍ୟ ଏ ଓଡ଼ିଆ କିରାଣିର କେବଳ କବିସୁଲଭ ଦୁର୍ଲଭ ଦରଦୀ ଚିତ୍ତ କେଉଁଠି ପାଇଲା, ଯାହାଦ୍ୱାରା କି ଗୋଟାଏ ଦୂର ଦେଶର ବେଭାଷୀ ଓ ବେଗଠନ ଜାତିକୁ ଏତେ ଗଭୀର ସହାନୁଭବ ସହିତ ବୁଝି ପାରିଲା ? ରାଧାନାଥଙ୍କ ଏ କାହାଣୀ ପଢ଼ି ମୁଁ ସତରେ ବାରମ୍ବାର ବିସ୍ମିତ ହୋଇଛି; ଆଶାନ୍ୱିତ ମଧ୍ୟ ହୋଇଛି । ଓଡ଼ିଶାରେ କେତେକ ଓଡ଼ିଆ ଅଧ୍ୟାପକଙ୍କ କାଣ୍ଡକାରଖାନା ଓ କୃତୀର ବିଚାର କରି ମୋ ଭାଷାରେ ଭବିଷ୍ୟତ୍ ନେଇ ମୁଁ ବେଳେ ବେଳେ ଭୀଷଣ ନିରାଶ ହୋଇ ଉଠିଥିଲି । ଯେଉଁଠି ଗୋଟିଏ ବିରାଟ ଜାତିର ସାହିତ୍ୟ ଏପରି ଲୋକଙ୍କ ହାତରେ, ତା’ର ଭବିଷ୍ୟତ୍ ନ ଥାଇପାରେ । ଆଜି ରାଜନୀତି କ୍ଷେତ୍ରରେ ମଧ୍ୟ ସେହିପରି ନୈରାଶ୍ୟଭାବ ଦେଖାଦେଇଛି । ଅଯୋଗ୍ୟ ସଂଖ୍ୟାରେ ଯେତେ ବେଶି ହୁଅନ୍ତୁ ବା ଯେତେ ପାଟିତୁଣ୍ଡ କରି ପାରନ୍ତୁ, ସେମାନେ ଗୋଟାଏ ଜାତିକୁ ଉଠାଇବା ଆଶା, କେବଳ ସେହିପରି ଅଯୋଗ୍ୟ ବା ଅଯୋଗ୍ୟଠାରୁ ଆଶା କରୁଥିବା ଚାଟୁକାରହିଁ ଆଶା କରିପାରେ ।

 

କିନ୍ତୁ କିରାଣି ରାଧାନାଥ ରଥଙ୍କ ଏ ଜାପାନ ଯାତ୍ରା ପଢ଼ି ମୁଁ ଆଜି ମୋ ଭାଷାର ଭବିଷ୍ୟତ୍ ନେଇ ପ୍ରଚୁର ଆଶାନ୍ୱିତ । ଯେଉଁ ଦେଶରେ ସାମାନ୍ୟ କିରାଣିଠାରେ ଏ ପ୍ରକାର ଦୃଷ୍ଟିଶକ୍ତି, ବିଚାରବୋଧ, ସମବେଦନା, ମାନବିକତାବୋଧ, ସୌନ୍ଦର୍ଯ୍ୟବୋଧ ସହିତ ଏପରି ସହଜ ସାବଲୀଳ ପ୍ରକାଶ–ଶକ୍ତି ଦେଖାଦେଇପାରେ, ସେ ଜାତିର ଭବିଷ୍ୟତ୍ ଓ ଭାଷାର ଭବିଷ୍ୟତ୍ ନିଶ୍ଚୟ ଆଲୋକମୟ ।

 

ଆମେ ଭୁଲିଯାଉ ଯେ, ପ୍ରକୃଷ୍ଟ ଲିଖନଶୈଳୀ ତାହା, ଯାହା ସହଜ ଓ ସ୍ୱାଭାବିକ । ରଥେ ପଣ୍ଡିତ ଲୋକ ନୁହନ୍ତି । କିରାଣିର ସଙ୍କୋଚ ଭାବରେ ସେ ଜର୍ଜରିତ । ସେ କେବଳ ଆତ୍ମନୁଭୂତିକୁ ନିଜର ଦୈନନ୍ଦିନ କହିବା କଥାରେ କହି ଚାଲିଛନ୍ତି ଏବଂ ବହିଟି ଠିକ୍‌ ସେହି କାରଣରୁହିଁ ହୋଇଉଠିଛି ମୂଲ୍ୟବାନ୍ ଓ ଉପଭୋଗ୍ୟ ।

 

ଏହି ବହି ଶୀଘ୍ର ପ୍ରକାଶିତ ହେବା ଉଚିତ କେବଳ ନୁହେଁ, ଏହା ଓଡ଼ିଶାର ପ୍ରତ୍ୟେକ ବିଦ୍ୟାପୀଠରେ ଅନ୍ତତଃ ସପ୍ଲିମେଣ୍ଟାରୀ ରିଡ଼ର ଭାବରେ ରହିବାର କଥା । ଦେଶର କୁମାର ଓ କୁମାରୀଗଣ ନବଭାରତ ଗଢ଼ିବାପାଇଁ ଓ ନିଜ ନିଜକୁ ଯୋଗ୍ୟ, ଆଦର୍ଶ ନାଗରିକ–ନାଗରିକା କରି ତିଆରିବା ପାଇଁ ଏ ବହିରୁ ଜ୍ୱଳନ୍ତ ଆଦର୍ଶ ଓ ଜ୍ୱଳନ୍ତ ପ୍ରେରଣା ପାଇବେ । ଏ ବହି ପଢ଼ିଲେ ଏ ଦେଶର ଶିକ୍ଷକ ଓ ଛାତ୍ରଛାତ୍ରୀ ନିଜେ ନିଜେ–ଇ ଜାଣି ପାରିବେ, କାହିଁକି ଆମର ପଞ୍ଚବାର୍ଷିକ ଯୋଜନା ସବୁ ବିଫଳ ହେଉଛି, କାହିଁକି ଆମେ ଦରିଦ୍ର ଓ ହେୟ, କେଉଁଠି ଆମର ଚରିତ୍ରରେ ଦୋଷ ରହି ଯାଉଛି, ଯାହା ଯୋଗୁଁ ଆମେ ସେ ଭୋଗ, ସେ ସମ୍ମାନ, ସେ ସନ୍ତୋଷ ପାଇ ପାରୁନାହୁଁ, ଯାହା ପାଉଛି ଆମର ଜାପାନୀ ଭାଇ ।

 

କେହି ଏ କଥା ଶୁଣିବେ କି ?

 

ଏ ପୁସ୍ତକର ଲେଖକ ରଥେ ବା କ’ଣ କେବଳ ଏଇ ଖଣ୍ଡିଏ ପୁସ୍ତକ ଲେଖି, ଚୁପ୍‌ ରହିବେ ? ତା’ର ଶକ୍ତି ଅଛି । ତେଣୁ ଆଶାପୋଷଣ କରିବା ସ୍ୱାଭାବିକ । ଇତି ।

 

କଟକ

ଶୁଭାନୁଧ୍ୟାୟୀ

ତା ୨୭ । ୭ । ୧୯୭୩

ମାୟାଧର ମାନସିଂହ

Image

 

ପ୍ରକାଶକଙ୍କଠାରୁ ପଦେ

 

ପୁସ୍ତକର ଲେଖକ ଜଣେ ଯୁଦ୍ଧଫେରନ୍ତା । ଅନୁଭୂତିପୂର୍ଣ୍ଣ ଲେଖାଗୁଡ଼ିକ କେତେକାଂଶରେ ପୁରୁଣା ହୋଇ ଯାଇଥିଲେ ମଧ୍ୟ ବିଷୟବସ୍ତୁକୁ କେତେକ କ୍ଷେତ୍ରରେ ସମୟୋପଯୋଗୀ କରାଯାଇଛି । ଏହା କେବଳ ଗୋଟିଏ ଭ୍ରମଣ-ବୃତ୍ତାନ୍ତ ବୋଲି ପ୍ରକାଶ କରିବାକୁ ମନୋଯୋଗୀ ହେଲୁ ।

 

ବିଷୟର ଉପାଦେୟତା ସମ୍ବନ୍ଧରେ ଲବ୍‌ଧପ୍ରତିଷ୍ଠ ସାହିତ୍ୟକ ଡ. ମାୟାଧର ମାନସିଂହ ଯଥେଷ୍ଟ ଆଲୋକପାତ କରିଛନ୍ତି । ତେଣୁ ସେ ବିଷୟରେ ଅଧିକ ଲେଖିବା ନିଷ୍ପ୍ରୟୋଜନ ।

 

ସୁଧୀ ପାଠକ-ପାଠିକା ବହିଟିର ବର୍ଣ୍ଣିତ ବିଷୟ ମଧ୍ୟରୁ ଜାପାନଜାତି ନିକଟରୁ ସୁଗୁଣଗୁଡ଼ିକ ଶିକ୍ଷା କରି ପାରିଲେ ପ୍ରକାଶ କରିବାର ଶ୍ରମ ସାର୍ଥକ ମଣିବୁ ।

 

ସହଦେବ ପ୍ରଧାନ

Image

 

ଉପକ୍ରମ

 

ଏସିଆ ମହାଦେଶର ପୂର୍ବକୁ ପ୍ରଶାନ୍ତ ମହାସାଗର ବକ୍ଷରେ ମଲାଜହ୍ନ ସଦୃଶ ଯେଉଁ ଖଣ୍ଡବିଖଣ୍ଡିତ ଦ୍ୱୀପପୁଞ୍ଜ ଦେଖାଯାଏ, ତାହାରି ନାମ ଜାପାନ । ଏହା ଜାପାନ ସାଗରଦ୍ୱାରା ଏସିଆ ମହାଦେଶରୁ ବିଚ୍ଛିନ୍ନ । ଉତ୍ତରରୁ ଦକ୍ଷିଣକୁ ଯଥାକ୍ରମେ ହୋକାଇଜୋ, ହଂସୁ, ଶିକୋକୁ ଓ କ୍ୟୁସୁ–ଏହିପରି ଚାରିଗୋଟି ପ୍ରଧାନ ଭୂଖଣ୍ଡ ଓ ଛୋଟ ବଡ଼ ଅସଂଖ୍ୟ ଦ୍ୱୀପପୁଞ୍ଜ ନେଇ ଏହା ଗଠିତ ।

 

ଏହାର ଉତ୍ତର ପୂର୍ବ ଦିଗରୁ ଦକ୍ଷିଣ ପଶ୍ଚିମ ଦିଗ ପର୍ଯ୍ୟନ୍ତ ପ୍ରାୟ ୧୨୨୦ ମାଇଲ ଲମ୍ବ ଓ ପୂର୍ବରୁ ପଶ୍ଚିମକୁ ସର୍ବାଧିକ ଓସାର ପ୍ରାୟ ୨୦୦ ମାଇଲ ହେବ । ଏହି ଭୂଖଣ୍ଡରେ ପ୍ରାୟ ୮ କୋଟି ଲୋକ ବାସ କରନ୍ତି ଓ କ୍ଷେତ୍ରଫଳ ୨୬୫୦୦ ବର୍ଗମାଇଲ । ପ୍ରଶାନ୍ତ ମହାସାଗର ପଟେ ୧୦,୫୦୦ ମାଇଲ ଓ ଜାପାନ ସାଗର ପଟେ ୨୯୦୦ ମାଇଲ ବିସ୍ତୀର୍ଣ୍ଣ ଉପକୂଳ ଅଞ୍ଚଳରେ ଅସଂଖ୍ୟ ପ୍ରାକୃତିକ ପୋତାଶ୍ରୟ ଓ ସୁନ୍ଦର ସୁନ୍ଦର ବନ୍ଦର ନେଇ ଜାପାନ ଆଜି ସମୃଦ୍ଧିଶାଳୀ ହୋଇ ଉଠୁଛି । ତା’ର ଏକମାତ୍ର କାରଣ ହେଲା ଭୌଗୋଳିକ ପରିସ୍ଥିତି ଓ ଜଳବାୟୁ । ବିଶାଳ ସମତଳ ଭୂଖଣ୍ଡ ନେଇ ଯେଉଁ ଆମେରିକା ଆଜି ଗର୍ବ ଅନୁଭବ କରେ, ତାହା ସେହି ଭୌଗୋଳିକ ପରିସ୍ଥିତି ନେଇ ତୁଳନା କରି ବସିଲେ ଜାପାନଠାରୁ ନଇଁଯାଏ ।

 

ଜାପାନ ଏକ ପାର୍ବତ୍ୟ ଅଞ୍ଚଳ । ସବୁଠାରୁ ବଡ଼ ଓ ସର୍ବଜନ–ବିଦିତ ପର୍ବର ଫୁଜିୟାମା । (ଜାପାନରେ ଫୁଜିସାନ) ନାଁରେ ପରିଚିତ । ଏହା ମାତ୍ର ୧୨,୩୯୫ ଫୁଟ ଉଚ୍ଚ । ଏହା ଟୋକିଓର ଦକ୍ଷିଣ–ପଶ୍ଚିମକୁ ୭୦ ମାଇଲ ଦୂରରେ ଅବସ୍ଥିତ । ପୃଥିବୀର ଅନ୍ୟ କୌଣସି ପାହାଡ଼ର ଏତେ ଫଟୋ ଉଠା କିମ୍ବା ପ୍ରଚାର ହୋଇଥିବାର କୁତ୍ରାପି ଦେଖାଯାଏ ନାହିଁ, ଯେତେ ହୁଏ ସେଇ ସୌନ୍ଦର୍ଯ୍ୟର ଆଧାର ଓ ପ୍ରସ୍ରବଣ–ପରିୟୋଭିତ ସୁନ୍ଦର–ଭୟଙ୍କର ଫୁଜି ପାହାଡ଼ର । ପୃଥିବୀର ଗଭୀରତମ ସ୍ଥାନ ମଧ୍ୟ ଜାପାନରେ । ଟୋକିଓର ୫୫୦ ମାଇଲ ଦକ୍ଷିଣକୁ ସମୁଦ୍ର ଗର୍ଭ; ସମୁଦ୍ର ପତନଠାରୁ ପ୍ରାୟ ୭ ମାଇଲ ତଳକୁ ଥିବାର ଅନୁମିତ ହୁଏ ।

 

ଜାପାନକୁ କେହି କେହି ‘ସୂର୍ଯ୍ୟୋଦୟର ଦେଶ’ (Land of Rising sun) ବା ସୌନ୍ଦର୍ଯ୍ୟର ଦେଶ ବୋଲି ମଧ୍ୟ ଆଖ୍ୟା ଦେଇଥାନ୍ତି । ବସ୍ତୁତଃ ଦ୍ୱିତୀୟ ମହାଯୁଦ୍ଧ ବୋମା ବର୍ଷଣର ଅନତି ପୂର୍ବରୁ ଜାପାନ ଏକ ସୌନ୍ଦର୍ଯ୍ୟର ଭଣ୍ଡାର ଥିଲା ଏବଂ ଏବେ ମଧ୍ୟ କେତେକାଂଶରେ ଅଛି । ଜାପାନକୁ ଜଳପଥ ଓ ଆକାଶ ପଥରେ ଯାତାୟାତର ସୁବିଧା ଅଛି । ଆଜିକାଲି ତ ନିୟମିତଭାବେ ଉଡ଼ାଜାହାଜ ଓ ଜାହାଜ ଚାଲିଲାଣି । କିନ୍ତୁ ଜଳଯାତ୍ରା ଯେ ନିଶ୍ଚୟ ସମୟ–ସାପେକ୍ଷ ଓ ଅଧିକ ଅନୁଭୂତି–ସମ୍ପନ୍ନ, ଏଥିରେ ସନ୍ଦେହ ନାହିଁ । ଯଦି ଜରୁରି କାମ ଅଛି; ଚଞ୍ଚଳ ପହଞ୍ଚିବାକୁ ହେବ, ତାହାହେଲେ ଅଧିକ ଭଡ଼ା ଦେଇ ଉଡ଼ାଜାହାଜର ଆଶ୍ରୟ ନିଅ ।

 

ଜାପାନ କ’ଣ ! ଯେ କୌଣସି ସଭ୍ୟ ଶିକ୍ଷିତ ଦେଶର ହାବଭାବ । ସ୍ୱଚକ୍ଷୁରେ ନ ଦେଖିଲେ ତାହା ଖାଲି ପୁରାଣ ବର୍ଣ୍ଣନା ପରି ପତ୍ରପତ୍ରିକାରୁ ପଢ଼ି ଉପଲବ୍‌ଧି କରିହୁଏ ନାହିଁ । ବିଗତ କେତେ ବର୍ଷର ସ୍ୱାଧୀନତା ଫଳରେ ଜାପାନ ଯେଉଁ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଛି, ତାହା ଥରେ ସେ ଦେଶରେ ପାଦ ପକାଇଲେ ସହଜରେ ଅନୁମିତ ହୁଏ ।

 

ଯାହାହେଉ, ଜାପାନରେ ଦୀର୍ଘ ଦୁଇବର୍ଷର ଅନୁଭୂତିଗୁଡ଼ିକ ଯଥା ତଥା ଲେଖି ପକାଇଥିଲି । ଇତିମଧ୍ୟରେ କେତେଥର ମନରେ ଆସିଛି ସେଗୁଡ଼ିକ ଏକତ୍ର କରି ବହି ଖଣ୍ଡିଏ ପ୍ରକାଶ କରି ପକାଇବାକୁ; କିନ୍ତୁ ତାହା ସମ୍ଭବପର ହୋଇପାରି ନଥିଲା ବିଭିନ୍ନ କାରଣରୁ । ଏବେ ସେଇ ପ୍ରରଣା ବଳରେ ଆଉ ଥରେ ଲେଖାଗୁଡ଼ିକ ପଢ଼ିଲେ ଏତେଦିନ ଧରି ଚୁପ୍ ରହିବା ବଡ଼ ନିର୍ବୋଧତା ମନେହୁଏ ଓ ଲଜ୍ଜିତ ହେବାକୁ ପଡ଼େ । ଆଜିର ଦୁନିଆରେ ଆଜି କଥା କାଲିକି ପୁରୁଣା-। ପ୍ରତିଦିନ ନୂଆ ନୂଆ ଘଟନାମାନ ଘଟୁଛି । ଦୁନିଆର କେଉଁ ପ୍ରାନ୍ତରେ ଟିକେ କ’ଣ ଘଟିଲେ ତାହା ବିଜ୍ଞାନ ବଳରେ ସଙ୍ଗେ ସଙ୍ଗେ ଚାରିଆଡ଼େ ପ୍ରଚାର ହୋଇଯାଇଛି ।

 

ଦୈନନ୍ଦିନ ପରିବର୍ତ୍ତନରେ ସୁଦୂର ଜାପାନ ମଧ୍ୟ ଅଳ୍ପ କେତେ ବର୍ଷ ହେଲା ସ୍ୱାଧୀନତା ଲାଭ କରି ସେଇ ପୁରାତନ ସୁଖ-ସମୃଦ୍ଧିକୁ ଫେରି ଆସି ସାରିଲାଣି । କେତେ ଯେ ଭାରତୀୟ ଇତିମଧ୍ୟରେ ସୁଦୂର ଜାପାନ ସରକାରୀ ଓ ବେସରକାରୀ ଭାବରେ ପରିଦର୍ଶନ କରି ସେମାନଙ୍କର ମତବ୍ୟକ୍ତ କରି ସାରିଲେଣି, ତା’ର ସଂଖ୍ୟା ନାହିଁ । ୧୯୫୮ ମସିହାରେ ଆମ୍ଭମାନଙ୍କର ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କର ଜାପାନ ଭ୍ରମଣ ସମାପ୍ତ କରି ଯେଉଁ ମତବ୍ୟକ୍ତ କରିଛନ୍ତି, ତାହା ଅନୁଧ୍ୟାନର ବିଷୟ । ଦଳ ଦଳ ଜାପାନୀ ବିଶେଷଜ୍ଞଗଣ ଆମ ଦେଶକୁ ଆସି ନାନା ବିଷୟରେ ଗବେଷଣା କରି ଫେରି ଯାଉଛନ୍ତି । ଆମ ଦେଶକୁ ଆସି ନାନା ବିଷୟରେ ଗବେଷଣା କରି ଫେରି ଯାଉଛନ୍ତି । ଭାରତରୁ ତଥା ଓଡ଼ିଶାରୁ ଲୁହାପଥର ରତ୍ପାନି ଓ କ୍ଷୁଦ୍ରଶିଳ୍ପର ଯନ୍ତ୍ରମାନ ଆମଦାନି ହେବାଦ୍ୱାରା ଏହି ଦୂର ଦେଶ ଯେ ଆମ ଦେଶର ଖୁବ୍‌ ନିକଟେଇ ଆସୁଛି, ଏହା ନିଃସନ୍ଦେହ । ଗତ ୪-୧୨-୫୮ ପ୍ରଥମାଷ୍ଟମୀ ଦିନ ପାରାଦ୍ୱୀପ ବନ୍ଦରଠାରେ ଲୁହାପଥର ନେଇ ଜାପାନ ଯାଉଥିବା ‘‘ୟାମାସିତାମାରି’’ ଜାହାଜକୁ ଯେଉଁ ସରକାରୀ ବିଦାୟ ସମ୍ବର୍ଦ୍ଧନା ଦିଆଗଲା, ତାହା ଓଡ଼ିଶାର ଇତିହାସରେ ଚିରଦିନ ଲାଗି ସ୍ୱର୍ଣ୍ଣାକ୍ଷରରେ ଜାଜ୍ୱଲ୍ୟମାନ ରହିବ । ଏହାଦ୍ୱାରା ପ୍ରାଚୀନ ଉତ୍କଳ ଦୂର ବିଦେଶରେ ବାଣିଜ୍ୟ ବ୍ୟବସାୟ କରି ତା’ର ଚିର ଈପ୍ସିତ ପ୍ରାଚୀନ ବିଭବ ଯେ ଅଚିରେ ଫେରି ପାଇବ, ଏହା ଆଖିକି ଜଳଜଳ ହୋଇ ଦେଖାଯାଉଛି । ରାଷ୍ଟ୍ରପତି ଜାପାନରୁ ଫେରି ଭାରତ ସରକାରଙ୍କ ତରଫରୁ ଘୋଷଣା କରି ଦେଇଛନ୍ତି ଯେ ଜାପାନ ଦ୍ୱିତୀୟ ମହାସମରର କ୍ଷତିପୂରଣ ବାବଦ ଭାରତ ପ୍ରତି ତା’ର ସମସ୍ତ ଦେୟ ଅକୁଣ୍ଠିତ ଚିତ୍ତରେ ଛାଡ଼ିଦେବ । ଜାପାନ ମଧ୍ୟ ତା’ର ନାନା ଅଭାବ ଓ ଆର୍ଥିକ ଅନାଟନ ସତ୍ତ୍ୱେ ଭାରତ ସରକାରଙ୍କ ପଞ୍ଚବାର୍ଷିକ ଯୋଜନାମାନ ଫଳବତୀ କରାଇବା ଲାଗି ଅଜସ୍ର ଅର୍ଥ ଋଣସ୍ୱରୂପ ଦେବାକୁ ପ୍ରତିଶ୍ରୁତି ଦେଇସାରିଛି । ଏତାଦୃଶ ଭାବ ବିନିମୟ ଓ ଉଦାରତା ଜାପାନଦ୍ୱାରା ଭାରତର ବିନ୍ଧୁତା ଓ ସୌହାର୍ଦର ଡୋରି ଯେ ଦୃଢ଼ରୁ ଦୃଢ଼ତର ହେଉଛି, ଏଥିରେ ତିଳେମାତ୍ରେ ସନ୍ଦେହ ନାହିଁ ।

 

ଏ ପ୍ରକାର ପରିସ୍ଥିତିରେ ଯେ କୌଣସି ଜାପାନ ଦର୍ଶକ ତା’ର ଅଭିମତ ଓ ଅନୁଭୂତି ଦେଶବାସୀଙ୍କ ଆଗେ ବାଢ଼ିବା ଯଥାର୍ଥ । ସେ ଦୃଷ୍ଟିରୁ ପୁରୁଣା ହୋଇଥିଲେ ମଧ୍ୟ ପାଠକଗଣ ଯଦି ଏ ଲେଖାରୁ ଜାପାନ ସମ୍ବନ୍ଧରେ କିଛି ଧାରଣା କରି ନିଜ ନିଜର ଜୀବନଧାରାକୁ ସେ ଦିଗରେ ପ୍ରବର୍ତ୍ତାଇ ପାରନ୍ତି, ତେବେ ଶ୍ରମ ସାର୍ଥକ ମନେ କରିବି ।

 

ବାଟ କଥା

 

ମନର ମୂଳେ ଜଗତ । ୧୯୫୦ ସାଲ । ଦ୍ୱିତୀୟ ମହାସମର ଅବସାନ ହୋଇ ଆସିଥାଏ । ମୁଁ ସେତେବେଳକୁ ମିଲିଟାରୀରେ ୬ ମାସର କିରାଣି ଟ୍ରେନିଂ ପାଇ ଅନ୍ୟତ୍ର ବଦଳି ଲାଗି ଚାହିଁ ବସିଥାଏ । ଜବଲପୁର ପାଖ କାଟ୍‌ଣୀ ଟ୍ରାନ୍‌ଜିଟ୍‌ କ୍ୟାମ୍ପରେ ହଠାତ ଦିନେ କମ୍ପାନୀ ହାବିଲଦାର ମେଜର ଆସି କହିଲେ, ଯେଉଁମାନେ ଜାପାନ ଯିବାଲାଗି ଆଗଭର, ସେମାନେ ନାମ ଲେଖାଅ । କ୍ୟାମ୍ପରେ କାମ କିଛି ନଥାଏ । କେବଳ ଖାଇପିଇ ବସିବା ଓ ପି. ଟି. ପରେଡ଼୍ କରିବାରେ ତିକ୍ତତା ଆସି ଯାଇଥାଏ । ଆଗ ଅନ୍ୟ ୭ ଜଣଙ୍କ ସଙ୍ଗେ ନାଁଟା ଲେଖି ପକାଇଲି । ତା’ପରେ ଆସିଲା ନାନା ଚିନ୍ତା । ଜାପାନ ତ ଛଅମାସ ହେଲା ଆତ୍ମସମର୍ପଣ କରି ସାରିଲାଣି । ଆଉ ସୈନ୍ୟର କ’ଣ ଦରକାର ? ସେତେବେଳେ ସିଙ୍ଗାପୁର ଗଣ୍ଡଗୋଳବି କିଛି କିଛି ଲାଗିଥାଏ । କିଏ କହିଲା– ଭାରତୀୟ ଦେଖିଲେ ସେମାନେ ଖାଲି ହାଣି ପକାଉଛନ୍ତି ଇତ୍ୟାଦି ଇତ୍ୟାଦି । କିନ୍ତୁ ବୁଝିବାରେ ଜଣାଗଲା ଯେ ଆମର କୌଣସି ଗାଁରେ ଦଙ୍ଗାହାଙ୍ଗାମା ହେଲେ ଯେପରି କେତେକ ପୋଲିସ କିଛିଦିନ ପାଇଁ ମୁତୟନ ରହନ୍ତି, ସେହିପରି ଜାପାନ ଆତ୍ମସମର୍ପଣ କଲେ କ’ଣ ହେବ, ତା’ର ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ମିତ୍ରଶକ୍ତିର ସବୁ ଦେଶର ସୈନ୍ୟ ସେଠାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁତୟନ ରହିବେ । ଦୂରଦେଶ, ଜଳଯାତ୍ରା ଓ ପ୍ରାଣଭୟ ଆଦି ଭାବି ମନ ଯେତିକି ଭୟାକୁଳ ହେଲା, ସେହି ସ୍ୱପ୍ନର ଦେଖିବା ଲାଗି ମନ ସେତିକି ବ୍ୟାକୁଳ ହେଲା ।

 

ପିଲାଦିନେ ତଳ ଶ୍ରେଣୀ ପାଠ୍ୟପୁସ୍ତକରେ ଜାପାନ କଥା ପଢ଼ିଥିଲି । କେଜାଣି କାହିଁକି ସେଇଦିନୁ ଜାପାନ ଲାଗି ମନ ଖୁବ୍‌ ଆକୃଷ୍ଟ ହୋଇଥିଲା । ଟିକିଏ ଦେଖିବାକୁ କିପରି ସୁଯୋଗ ମିଳନ୍ତା ! ଯାହା କି କଳ୍ପାନାତୀତ । କିନ୍ତୁ ୧୯୪୭ ମସିହା ମାର୍ଚ୍ଚ ମାସ ୫ ତାରିଖ ଦିନ ଜୀବନର ସେଇ ଚରିପୋଷିତ ଆଶା ପୂରଣ ହୁଏ–ଜାପାନ ଦେଖା । ଯୁଦ୍ଧ ସମୟରେ ଜାପାନ ଯାଇଥିବା କଥା ଶୁଣିଲାମାତ୍ରେ କିଏ କେମିତି ଏକ ସ୍ୱରରେ ପଚାରି ବସନ୍ତି, କ’ଣ ଯୁଦ୍ଧବନ୍ଦୀ ହୋଇ ଯାଇଥିଲ-? ନାଁ ତାହାବି ନୁହେଁ । ୧୯୪୫ ମସିହା ଅଗଷ୍ଟ ମାସରେ ଜାପାନ ଆତ୍ମସମର୍ପଣ କଲାପରେ ମଢ଼କୁ ଶାଗୁଣା ବେଢ଼ିଲା ପରି ମିତ୍ରଶକ୍ତିମାନେ ଜାପାନକୁ ଶାସନ କରିବା ଲାଗି ଏକଜୁଟ ହୋଇ ପଡ଼ିଥିଲେ । ଏତେ ଆଡ଼େ ବିଛେଇ ହେବା ଲାଗି ବ୍ରିଟିଶ ସୈନ୍ୟ ସ୍ୱଳ୍ପ ଥିବାରୁ ସେମାନଙ୍କ ସଙ୍ଗେ କେତେକ ଭାରତୀୟ ସୈନ୍ୟ ମଧ୍ୟ ସେଇ ଜାପାନ ଶାସକାର୍ଯ୍ୟ ତୁଲାଇବା ଲାଗି ଯାଇଥିଲେ । ଏହି ବ୍ରିଟିଶ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଭାରତୀୟ ମିଳିତ ସେନାରୁ B.C.O.F (ବ୍ରିଟିଶ କମନ୍‌ ଓୟେଲ୍‌ଥ ଅକୁପେସନ ଫୋର୍ସ) ଆଖ୍ୟା ଦିଆଯାଇଥିଲା । ମୁଁ ସେଥିରେ ଥିଲି ସାମାନ୍ୟ କିରାଣି ସୈନ୍ୟ ମାତ୍ର । ଭାରତ ଅନ୍ୟ କୌଣସି ବିଦେଶୀ ଆକ୍ରମଣ ବା ଶାସନର ପକ୍ଷପାତୀ ନଥିଲେହେଁ ସେତେବେଳେ ପରାଧୀନ ଭାରତର ସ୍ୱାଧୀନ ମତ ଥିଲା କେଉଁଠି ? ତା’ ନ ହୋଇଥିଲେ ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେଲା ପରେ ଖାଲି ଜାପାନରୁ କାହିଁକି, ବିଦେଶର ଯେ କୌଣସି କୋଣରୁ ଭାରତୀୟ ସୈନ୍ୟଗଣ ଏତେ ଶୀଘ୍ର ଅପସୃତ ହୋଇ ନ ଥାନ୍ତେ-। ଯାହାହେଉ, ଏହି ଜାପାନପାଇଁ ନିର୍ଦ୍ଦିଷ୍ଟ ଥିବା ମିଳିତ ବ୍ରିଟିଶ ଓ ଭାରତୀୟ ସୈନ୍ୟ ବମ୍ବେ ନିକଟସ୍ଥ ନାସିକ୍‌ରେ ଏକତ୍ରିତ ହୋଇଥାନ୍ତି ଓ ତିନି ଦଳରେ ଜାପାନ ଯାଇଥିଲେ । ଆମେ ଆଗରୁ ଗୋଟିଏ ଦଳ ମାସକ ପୂର୍ବରୁ ଚାଲି ଯାଇଥିଲେ । ମୋର ପାଳି ଏହି ଦ୍ୱିତୀୟ ଦଳରେ ପଡ଼ିଥିଲା । ପ୍ରାୟ ଏକ ମାସ କାଳ ନାସିକ୍‌ କ୍ୟାମ୍ପରେ କଟାଇବା ପରେ ଜାପାନ ଯିବା ପାଳି ପଡ଼ିଲା । ଆମ ଦଳରେ କେବଳ ଜଣେ ମାତ୍ର ଓଡ଼ିଆ ଛଡ଼ା ଆଉ କାହାକୁ ପାଇ ନ ଥିଲି ।

 

ସ୍ପେଶାଲ ଟ୍ରେନ ଦେଓଲାଲି ଷ୍ଟେସନରୁ ବମ୍ବେର ଆଲେକ୍‌ଜାଣ୍ଡ୍ରିଆ ଡକ୍‌ ଭିତରକୁ ଆମ୍ଭମାନଙ୍କୁ ବୋହି ନେଇ ଛାଡ଼ିଦେଲା । ପ୍ରାୟ ସନ୍ଧ୍ୟା ୭ଟାରେ ଆମ୍ଭେମାନେ ‘ଅଡ଼ୁନା’ ନାମକ ଏକ ବିରାଟ ଜାହାଜରେ ପାଦ ଦେଲୁ । ମୋର ଜାହାଜ ଦେଖିବା ଓ ଚଢ଼ିବା ଏଇ ପ୍ରଥମ । ରାତିରେ ଜାହାଜରେ ବାଟ ଖୋଜି ବୁଲି ଦେଖିବା ସେତେ ସହଜ ନଥିଲା । ତେଣୁ ବିଶ୍ରାମ କଲି । ପରଦିନ ସକାଳେ ଜାହାଜ ବିଷୟରେ ଊଣା ଅଧିକେ କିଛି ଜାଣିବାର ବାସନାକୁ ଆଉ ଚପାଇ ରଖି ପାରିଲି ନାହିଁ । ଆଲେକଜାଣ୍ଡ୍ରିଆ ଡକ୍‌ ଭିତରେ ଛୋଟ ବଡ଼ କେତେ ଜାହାଜ ଲଙ୍ଗର ପକାଇଥାଏ । ଆମ ଜାହାଜ ସେ ସବୁ ତୁଳନାରେ ଖୁବ୍‌ ବଡ଼ ଥିଲା । ଲମ୍ବ ପ୍ରାୟ ୨୦୦ଫୁଟ, ଓସାର ୫୦ ଫୁଟ । ଠିକ୍‌ ଗୋଟିଏ ବଡ଼ ଡଙ୍ଗା । ଜାହାଜର ଆଗ ଅଂଶକୁ ଆଫ୍‌ଟ୍‌ (Aft) ଓ ପଛ ଅଂଶକୁ ବାରିଅର (Barrier) କହନ୍ତି । ମଝି ଅଂଶକୁ ସେଣ୍ଟର (Centre) କହନ୍ତି, ଯାହା କି ସବୁଠାରୁ ଭଲ ଓ ନିରାପଦ ଜାଗା । ଜାହାଜ ଯେତେ ଦୋହଲିଲେହେଁ ସେଠାରେ କିଛି ଜଣାପଡ଼େ ନାହିଁ । ଏହି କେନ୍ଦ୍ର ଅଂଶର ଉପରେ ଦୁଇ ମହଲା ଓ ତଳେ ତିନି ମହଲା ଥାଏ । ଆଗ ଓ ପଛରେ କିନ୍ତୁ ତଳ ମହଲଟିମାନ ଥିଲା । ପଦ ଓ ଶ୍ରେଣୀ ଅନୁଯାୟୀ ଆମ୍ଭମାନଙ୍କୁ ରହିବା ଜାଗା ମିଳିଥାଏ । ଜାହାଜର ମଝି ଓ ତଳ ମହଲାରେ ଅନେକ ଯନ୍ତ୍ରପାତି ଓ କୋଇଲା ଲଦା ହୋଇଥାଏ, ଯାହାକୁ ଦେଖିଲେ ଏକ କୋଇଲା ଖଣିର ଅଂଶପରି ଜଣା ପଡ଼ୁଥିଲା । ଜାହାଜରେ ଦୁଇଟା କ୍ୟାଣ୍ଟିନ୍‌, ଗାଧୋଇବା ଘର, ପାଇଖାନା ଓ ଆଲୁଅ ପଙ୍ଖାର ସୁବ୍ୟବସ୍ଥାମାନ ଥିଲା । ଶୁଣିଲି, ଯୁଦ୍ଧ କାଳରେ ଏହା ଏକ ସୈନ୍ୟବୁହା ଜାହାଜ ଥିଲା । ଆମେ ପ୍ରାୟ ଦୁଇ ହଜାର ସୈନ୍ୟ ସେଥିରେ ଜାପାନ ଲାଗି ଯାଉଥିଲୁ-

 

ପ୍ରଥମେ ଦିନେ ଦୁଇଦିନ ସାମାନ୍ୟ ଅସୁବିଧା ହେଲା ସତ; କିନ୍ତୁ ପରେ ସେ ସବୁ ଆପେ ଆପେ ଠିକ୍‌ ହୋଇଗଲା । ଥରେ ଜାହାଜରେ ପଶିଲେ ବାହାରକୁ ବାହାରିବା କାଠିକର ପାଠ । ବାଟରେ Sea sickness ଅର୍ଥାତ୍‌ ମୁଣ୍ଡ ବୁଲେଇ ହୋଇ ବାନ୍ତି ହେବା ଆଦି ଅସୁଖ ହେବା ଜାଣି ଡକ୍ଟର ପ୍ଲାଟ୍‌ଫର୍ମ ଉପରୁ କିଛି ଆଚାର ଓ ଫଳ କିଣି ରଖିଲି । କେହି ଜଣେ ହକରା ଗୋଟିଏ ଦୌଡ଼ି ଓ ଡବା ସାହାଯ୍ୟରେ ଜାହାଜ ଉପରକୁ ବେଶ୍‌ କାରବାର ଚଳାଇଥାଏ । ଜାହାଜ ତେଲ, କୋଇଲା ଓ ପାଣି ଆଦି ନେଇ ପ୍ରସ୍ତୁତ ହେଉଥାଏ ପରଦିନ ସକାଳେ ଛାଡ଼ିବ ବୋଲି ।

 

ସକାଳ ହେଲା । ଆଜି ୭ ତାରିଖ ଗୁରୁବାର । ‘ଅର୍ଡୁନା’ ଆମ୍ଭମାନଙ୍କୁ ବୋହି ଜାପାନ ଅଭିମୁଖେ ଚାଲିଲା । ବାହାରୁ ନ ଦେଖିଲେ ଭିତରେ ଥାଇ ଜାହାଜ ଚାଲୁଛିକି ଠିଆ ହୋଇଛି, ଜାଣି ହୁଏନାହିଁ । ରାଇଫଲମାନ ଜମା କରୁଥିବାବେଳେ ଜାହାଜ ଚାଲିଲାଣି ଶୁଣି ତରତରରେ ଉପରକୁ ଯାଇ ଦେଖେ ତ ଦୁଇଟି ଛୋଟ ଲଞ୍ଚ ଆମର ଅର୍ଡ଼ୁନାକୁ ଡକ୍‌ ଭିତରୁ ସମୁଦ୍ରକୁ ବାଟ କଢ଼ାଉଛନ୍ତି । କୂଳର ପାର୍ଶ୍ୱସ୍ଥ ଦର୍ଶକବୃନ୍ଦ ଓ ନିକଟସ୍ଥ ଜାହାଜଗୁଡ଼ିକରୁ ଲୋକମାନଙ୍କର ବିଦାୟଧ୍ୱନି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କର ‘ହିପ୍‌ ହିପ୍‌ ହୁର୍‌ରେ’ ସେଇ ଛୋଟ ଛୋଟ ଲହରୀମାନଙ୍କ ସାଥିରେ ମିଶି ଯାଉଥିଲା-। ଅନେକ ଦୂର ପର୍ଯ୍ୟନ୍ତ ଦର୍ଶକବୃନ୍ଦ ରୁମାଲମାନ ହଲାଇ ଆମର ଶୁଭ ମନାସୁ ଥାଆନ୍ତି-। ନିଜ ଜନ୍ମଭୂମି ଛାଡ଼ିଯିବାର ଦୁଃଖ ସଙ୍ଗେ ସଙ୍ଗେ ଏକ ସୁଦୂର ଦେଶ ଦେଖା ଆନନ୍ଦ ମଧ୍ୟ କମ୍‌ ନଥିଲା । ପ୍ରାୟ ଦିନ ୧୨ଟା ବେଳକୁ ଜାହାଜ ଡକ୍‌ ଛାଡ଼ି ସମୁଦ୍ର ଭିତରେ ପଶିଲା ଓ ଲଞ୍ଚ ଦୁଇଟି ଜାହାଜକୁ ଛାଡ଼ି ଚାଲିଗଲେ । ଆରବ ସାଗର ବକ୍ଷରେ ବମ୍ବେ ସହର ଓ ଗେଟଓୟେ ଅଫ୍‌ ଇଣ୍ଡିଆ ଅନେକ ଦୂର ପର୍ଯ୍ୟନ୍ତ ଦେଖାଯାଉଥାଏ । କ୍ରମେ କ୍ରମେ ବମ୍ବେ ସହରର ସମସ୍ତ ଅଂଶ ଲୁଚିଗଲା । ଚାରିପଟେ ଆଉ କିଛି ଦିଶୁ ନ ଥାଏ । ଉପରେ ନୀଳ ଆକାଶ, ତଳେ ଗଭୀର ଜଳରାଶି । ତା’ ମଝିରେ ଚାଲିଥାଏ ଆମର ଅର୍ଡ଼ୁନା ।

 

ଜାହାଜଟି ଖୁବ୍‌ ଜୋର୍ ଘଣ୍ଟାକୁ ୧୫ ମାଇଲ ଗତିରେ ଚାଲିଥାଏ ଓ ଶେଷ ପର୍ଯ୍ୟନ୍ତ ସେହି ଗତି ରହିବ ବୋଲି ଶୁଣିଲି । କ୍ରମେ କ୍ରମେ ସମୁଦ୍ରରେ ଗୋଳିଆ ପାଣି ଗାଢ଼ ନୀଳବର୍ଣ୍ଣରେ ପରିଣତ ହେଲା । ବମ୍ବେ ଛାଡ଼ିବାର ୪।୫ ଘଣ୍ଟା ହେଲାଣି; କିନ୍ତୁ ଆମ ଦେଶର ଚିଲ ଆଦି ପକ୍ଷୀଗୁଡ଼ିକ ଜାହାଜ ଉପରେ ଉଡ଼ି ଚାଲିଥାନ୍ତି–ବୋଧହୁଏ ଖାଇବା ଜିନିଷ ଆଶାରେ । ଯେ ଯାହା ଟିକେ ପାଣିକି ପକାଇଦେଲେ ଝପ୍‌ କରି ସେମାନେ ଧରି ନେଉଥାନ୍ତି । ମନେହେଲା, ସେମାନେ ଆମକୁ ଯେପରି ଛାଡ଼ିବାକୁ ଅମଙ୍ଗ । ମନେ ମନେ କହିଲି, ଯାଅ ପକ୍ଷୀଗଣ ଫେରିଯାଅ । କାହିଁକି ପଥଶ୍ରାନ୍ତ ହୋଇ ଆମ ପଛେ ଦଉଡ଼ୁଛ ? ତୁମେ ତ ଆମ ପରି ପରାଧୀନ ନୁହ ଯେ ଜାପାନ ପର୍ଯ୍ୟନ୍ତ ଆମ ସଙ୍ଗେ ଯିବ ! ଯାଅ ଫେରି । ଆମ ଆସିବା ବାଟକୁ ଅନାଇ ଥିବ । ସନ୍ଧ୍ୟା ୬ଟା ବାଜି ଯାଇଥିଲା । ଚିଲିକା ହ୍ରଦରେ ଓ ବଙ୍ଗୋପସାଗରରେ ସୂର୍ଯ୍ୟାସ୍ତ ଅନେକବାର ଦେଖିଥିଲି; କିନ୍ତୁ ସେ ଦିନର ସୂର୍ଯ୍ୟାସ୍ତ ସମ୍ପୂର୍ଣ୍ଣ ପୃଥକ୍ ଲାଗିଲା । କେବଳ କବିତାଟିଏ ଲେଖିବାକୁ ଯାହା ବାକି ରହିଗଲା ।

 

ସକାଳୁ ଉଠି ଦେଖିଲି ସମୁଦ୍ର ଆଉ ଜାହାଜ । ସେ ପକ୍ଷୀଗୁଡ଼ିକର ନାମ ଗନ୍ଧ ଆଉ ନାହିଁ-। କେଉଁ ଆଡ଼େ ଗଲେ । କେତେ ରାତିରେ ଯାଇ ବସାରେ ପହଞ୍ଚିଥିବେ । ପ୍ରତିଦିନ ସକାଳେ ଡେକ୍‌ ସଜା ( Deck Discipline) ହେଲା ବଡ଼ ଜିନିଷ । ଦଶଟା ପର୍ଯ୍ୟନ୍ତ ଜାହାଜର ସମସ୍ତ ଅଂଶ ପାଣିରେ ଧୁଆଯାଇ ସଫା ହୁଏ ଓ ଆମ୍ଭମାନଙ୍କୁ ବାହାରେ ଏକତ୍ର କରି ଲାଇଫ୍‌ ଜାକେଟ୍‌ (Life Jacket)ର ଉପକାରିତା ବିଷୟରେ ଚର୍ଚ୍ଚା ହୁଏ । କୌଣସି ଦୁର୍ଘଟନା ବଶତଃ ଜାହାଜତୁ ଖସିପଡ଼ିଲେ ଏହି ଜାକେଟ୍‌ହିଁ ଜୀବନ ଧାରଣର ଏକମାତ୍ର ଉପାୟ । ଏହା ଦୁଇଟି ତକିଆ ପରି, ବେକରେ ଗଳେଇ ବାନ୍ଧିବାକୁ ପଡ଼େ । ତାହା କେବଳ ଦିନକ ଲାଗି ଜଣକୁ ପାଣିରେ ଭସାଇ ରଖିପାରେ । ତେଣୁ ଏହାକୁ ସବୁବେଳେ ପାଖେ ପାଖେ ରଖିବାକୁ ହୁକୁମ ଥାଏ । ଏତିକିବେଳେ ଆଉ କୌଣସି ଦରକାରୀ ଆଦେଶ ଥିଲେ ତାହା ମଧ୍ୟ ମାଇକ୍ରୋଫୋନ୍ ଜରିଆରେ ଶୁଣାଇ ଦିଆଯାଏ । ତାହାଛଡ଼ା ଅନ୍ୟ ସମୟମାନଙ୍କରେ ରେକର୍ଡ଼ ଗୀତମାନ ଚାଲିଥାଏ ।

 

ପୂର୍ବ ଦିଗରେ ପଶ୍ଚିମଘାଟ ପର୍ବତ ଶ୍ରେଣୀ ଦିଶୁଥାଏ–କୂଳଠୁ ଅନ୍ତତଃ ୧୫ ମାଇଲ ଦୂରରେ । ଜାହାଜ ସେହି ପର୍ବତ କଡ଼େ କଡ଼େ ଚାଲିଥାଏ । ମାଛ ଉଡ଼ନ୍ତି, ଏକଥା ମୋର ବିଶ୍ୱାସ ନଥିଲା । ଏଇଠି ଉଡ଼ନ୍ତା ମାଛମାନ (Flying Fish) ଦେଖିବାକୁ ପାଇଲି । ଅବଶ୍ୟ ବେଶି ଦୂର ନୁହେଁ, ୨୦।୨୫ ହାତ ହେବ ।

 

ଜାହାଜରେ ପିଇବା ପାଣିର ବଡ଼ କଟକଣା । ଦିନକୁ ତିନିଥର କରି ମିଳେ । ସେତିକିବେଳେ ଯଦି ନ ଗାଧେଇ ପାଣି ନ ରଖିଛ, ତେବେ ବଡ଼ ହଇରାଣ । ସନ୍ଧ୍ୟା ବେଳର ସମୁଦ୍ର ସମୀରଣ ଯେପରି ଆରାମ ଦାୟକ, ସେହିପରି ସ୍ୱାସ୍ଥ୍ୟକାରକ । ନିଦବି ବେଶ୍‌ ହୁଏ । ଜାହାଜ ପଶ୍ଚିମଘାଟ କୂଳେ କୂଳେ କୋଚିନ ହାଇବର ଓ ମାଲବାର ଉପକୂଳ ଅତିକ୍ରମ କରି ଭାରତର ଶେଷ ଅଂଶ କେପ୍‌ କାମୋରିନ୍‌ ( କୁମାରିକା ଅନ୍ତରୀପ) ଛାଡ଼ି କଲମ୍ବୋ ଅଭିମୁଖେ ଚାଲିଲା । ଦୂରରୁ କୁମାରିକା ଅନ୍ତରୀପର ଅତ୍ୟୁଚ୍ଚ ପାହାଡ଼ ଛଡ଼ା ଆଉ କିଛି ଦିଶୁ ନଥିଲା ।

 

୧୦ ତାରିଖ ରବିବାର ଭୋର ଚାରିଟାରେ ଜାହାଜ କଲମ୍ବୋ ବନ୍ଦରର ଅଦୂରରେ ଘଣ୍ଟାକପାଇଁ ରହିଲା । ଦୂରରୁ ଲାଇଟ୍‌ ସିଗ୍‌ନାଲ୍‌ ସାହାଯ୍ୟରେ କ’ଣ କଥାବାର୍ତ୍ତା ଚାଲିଥାଏ । ସିଗ୍‌ନାଲ୍‌ ଦେବାର କିଛି ସମୟ ପରେ ଜାହାଜ କଲମ୍ବୋର ପଶ୍ଚିମ ଉପକୂଳ ଦେଇ ସିଙ୍ଗାପୁର ଅଭିମୁଖରେ ଚାଲିଲା । ଆରବସାଗର ଛାଡ଼ି ଭାରତ ମହାସାଗର ପଡ଼ିବାକୁ ପାଣି ଭୀଷଣ କଳା ଦିଶୁଥାଏ । ଜାହାଜର ପଡ଼ିବା ଉଠିବା ଯୋଗୁଁ ମୁଣ୍ଡ ସାମାନ୍ୟ ବୁଲେଇ ଦେଲା ଓ ସାମାନ୍ୟ ବାନ୍ତି ମଧ୍ୟ ହେଲା । ସମୁଦ୍ର ଯାତ୍ରା ଜନିତ ଅସୁସ୍ଥତା ମୋର ଏଇ ପ୍ରଥମ । ଆଚାର ଆଦି ଖଟା ଏତିକିବେଳିଆ ଟିକେ ଖାଇଲେ ଭଲ ଲାଗେ । ଅବସର ସମୟରେ ଜାହାଜର ଲାଇବ୍ରେରୀରୁ ବହି ଆଣି ପଢ଼େ ଓ କେତେବେଳେ କିମିତି ଲେଖାଲେଖି କରୁଥାଏ । ଜାହାଜର ନାନା ସ୍ଥାନରେ ଡାକବାଜିଯନ୍ତ୍ରମାନ ଖଞ୍ଜାଯାଇଥାଏ, ଯାହା ଜରିଆରେ ରେକର୍ଡ଼ ଗୀତମାନ ଶୁଣିବାକୁ ମିଳେ । କୌଣସି ଜରୁରି ଆଦେଶ ଥିଲେ ତାହା ମଧ୍ୟ ସେଇ ସମୟରେ ଜାରି କରେଇ ଦିଆଯାଏ ।

 

୧୨ ତାରିଖ ମଙ୍ଗଲବାର ଦିନ ସାମାନ୍ୟ ବୃଷ୍ଟି ହେଲା । ସମୁଦ୍ର ବକ୍ଷରେ ଜାହାଜରେ ବୃଷ୍ଟି ଏକ ସମସ୍ୟା । ରୋଷେଇ-ବାସ ଓ ଚଳାଚଳରେ ହଇରାଣ । ଅଧିକାଂଶ ସମୟରେ ଖେଳ–କସରତ୍‌ ଓ ସିନେମାର ବ୍ୟବସ୍ଥା ଥାଏ । ଦଳ ଦଳ ହୋଇ ଦେଖିବାକୁ ଯିବାକୁ ହୁଏ । ତାହା ନ ହେଲେ ଏତେ ଜାଗା ଆସିବ କୁଆଡ଼ୁ ? ତେବେ ତାସ, ପଶାପାଲି ମଧ୍ୟ ସବୁବେଳେ ପଡ଼ିଥାଏ ।

 

୧୪ ତାରିଖ ଗୁରୁବାର ଦିନ ୪ଟା ପରେ ସୁମାତ୍ରାର କେତେକାଂଶ ଦେଖାଦେଲା । ରାତି ୮ଟା ବେଳକୁ ମାଳୟର କେତେକାଂଶ ଓ ସିଙ୍ଗାପୁରର କେତେକ ଆଲୁଅ ଦୂରରୁ ଦେଖାଗଲା-। ପରଦିନ ସକାଳେ ଅସଂଖ୍ୟ ନୌକା, ଜାହାଜ ଓ ଛୋଟ ଛୋଟ ପାହାଡ଼ ପାର ହୋଇ ‘ଅର୍ଡ଼ୁନା’ ସିଙ୍ଗାପୁର ବନ୍ଦରଠାରୁ ଏକ ମାଇଲ ଲଙ୍ଗର କଲା । ଦୂରରୁ ସିଙ୍ଗାପୁର ବନ୍ଦରର ଦୃଶ୍ୟ ବଡ଼ ଚମତ୍କାର ଦେଖାଯାଉଥାଏ । ରାତିରେ ପାଣି ଉପରେ ଗୋଟିଏ ସହର ବସିଲା ପରି ପ୍ରତୀୟମାନ ହେଉଥାଏ ଓ ତାହା ଦୀପାବଳି ଅମାବାସ୍ୟା ରାତ୍ରିର ସ୍ମୃତି ଆଣିଦେଲା । ପରଦିନ ଅନ୍ୟ ଏକ ରାସ୍ତାରେ ଯାଇ ଜାହାଜଟି କୂଳରେ ଲାଗିଲା । ଏଠାରେ ଜାହାଜ ୨।୩ ଦିନ ରହି ତା’ର ଜାପାନ ପର୍ଯ୍ୟନ୍ତ ଆବଶ୍ୟକୀୟ କୋଇଲା, ପାଣି ଓ ତେଲ ଆଦି ସଂଗ୍ରହ କଲା । ସଙ୍ଗେ ସଙ୍ଗେ ଅନେକ ଚୀନାଲୋକେ ଓ ଜାପାନୀ ଆସି ନିଜ ନିଜ କାମରେ ଲାଗି ପଡ଼ିଲେ । ଅନୁରୋଧକ୍ରମେ ଆମକୁ ସିଙ୍ଗାପୁର ସହର ବୁଲି ଦେଖିବାକୁ ଅନୁମତି ମିଳିଲା । ଏତେଦିନ ପରେ ଜାହାଜରୁ ଓହ୍ଲାଇ ଟିକେ ଭୂଇଁରେ ଗୋଡ଼ ଖେଳେଇ ଆସିବା-ଏଇ ଆଶାରେ ସମସ୍ତଙ୍କ ମନରେ ଆନନ୍ଦ ।

 

ଦିନ ଏଗାରଟାବେଳେ ଜଣେ ଜଣେ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଦଳ ଦଳ ହୋଇ ସହର ବୁଲି ବାହାରିଲୁ । କିଣାକିଣିର ବିଶେଷ କିଛି ସୁବିଧା ଘଟିଲା ନାହିଁ । କାରଣ, ପ୍ରଥମତଃ ଏଠାକାର ଭାଷା ବୁଝିବା କଷ୍ଟ । ଦ୍ୱିତୀୟରେ, ଏଠାରେ ଯେଉଁ ମୁଦ୍ରାର କାରବାର ଥିଲା, ତାହା ଆମ ପାଖରେ ନଥିଲା । ରାସ୍ତା କଡ଼ରେ ଅନେକ ରେସ୍ତୋରାଁ, ହୋଟେଲ, ମନୋହରି ଦୋକାନ ଓ ସୁନ୍ଦର ସୁନ୍ଦର ଫଳଫୁଲର ଦୋକାନମାନ ଦେଖି ଆପ୍ୟାୟିତ ହେଲୁ । ସହରଟି ଛୋଟ ହେଲେ ମଧ୍ୟ ଖୁବ୍‌ ସୁନ୍ଦର ଓ ସଫାସୁତୁରା । ଚାରିଆଡ଼େ ବୁଲିଚାଲି ଦେଖିସାରି ଶେଷରେ ଆମ୍ଭେମାନେ ଏକ Soldiers' free canteen ରେ ହାଲିଆ ମାରିଲୁ ଓ ଚା’ ବିସ୍କୁଟ ଆଦି ଖାଇଲୁ । ସେଠାରେ ମଧ୍ୟ ସୁନ୍ଦର ବଗିଚାଟିଏ ଥିଲା, ଯେଉଁଠି ଟିକେ ବସିଲେ ବୁଲିବା କଷ୍ଟ ମୁହୂର୍ତ୍ତକେ ଦୂର ହେଲା । ଏଠାର ଟ୍ରାମଗୁଡ଼ିକର ଏହି ବିଶେଷତ୍ୱ ଦେଖିଲି ଯେ ତଳେ ଲୁହାର ପୋଇ ନାହିଁ, ଅଥଚ ଉପର ବିଜୁଳି ସାହାଯ୍ୟରେ ଚାଲିଛି । ବସ୍‌ଗୁଡ଼ିକ ସେତେ ଉନ୍ନତ ଧରଣର ନୁହେଁ । ଅଧିବାସୀ ମାଳୟାଳୀ ହେଲେହେଁ ଚାଇନିଜ୍‌ ଖୁବ୍‌ ବେଶି । କୁଲିଶ୍ରେଣୀୟ ଅନେକ ଜାପାନୀ ମଧ୍ୟ ଏଠାରେ କାମ କରି ପେଟ ପୋଷନ୍ତି । ଲୋକଗୁଡ଼ିକ ଦେଖିବାକୁ ବଡ଼ ସରଳ ଓ ସଫାସୁତୁରା । ବିଶେଷତଃ ପିଲାମାନଙ୍କର ଚେହେରା, ଚାଲିଚଳନ ଓ ସାହସ ପ୍ରଶଂସା କରିବାର କଥା । ଆମ୍ଭେମାନେ ଦଳ ଦଳ ହୋଇ ରାସ୍ତାରେ ଗଲାବେଳେ ସେମାନଙ୍କ ଆନନ୍ଦ ଦେଖୁଁ । ଯୁବକ ଯୁବତୀମାନେ ପାଶ୍ଚାତ୍ୟ ଧରଣର ବେଶଭୂଷା ପିନ୍ଧି ସ୍କୁଲ କଲେଜକୁ ଯାଉଥିବାର ଦେଖିଲୁ । ବୋମା ମାଡ଼ରେ ବିଧ୍ୱସ୍ତ ହୋଇ ପଡ଼ିଥିବା ଅନେକ କୋଠାବାଡ଼ିରେ ପୁନର୍ଗଠନ ଚାଲିଥାଏ । ସନ୍ଧ୍ୟାବେଳକୁ କ୍ରମେ କ୍ରମେ ସମସ୍ତେ ଆମର ଆଶ୍ରୟସ୍ଥଳ ଅର୍ଡ଼ୁନାକୁ ଫେରିଲୁ । ଜାହାଜର ପାଣି କୋଇଲା ଭରଣୀ କାମ ଆଉ ଦିନକର ଥାଏ । ଦୁଇଟା ନାଆ ଦିନଟାଯାକ ଖାଇବା ପାଣି ଭରିବାରେ ଲାଗି ଥାଆନ୍ତି । ଜାପାନର ଦୂରତା ଏଠାରୁ ଆଉ ଦଶ ଦିନର ବାଟ । ଯଥେଷ୍ଟ ପରିମାଣରେ ପାଣି କୋଇଲା ନ ରଖିଲେ ବାଟରେ ହଇରାଣ ହେବୁ ସିନା ! ଯାହାହେଉ, ସନ୍ଧ୍ୟାବେଳକୁ ବୋଝେଇ କାମ ଶେଷ ହେଲା । ୧୮ ତାରିଖ ଦିନ ସକାଳେ ଜାହାଜ ସିଙ୍ଗାପୁର ଛାଡ଼ିଲା । ସେହି ଅଡ଼ା ଖଣ୍ଡିକରେ କେତେ ଯେ ଛୋଟବଡ଼ ଜାହାଜ ଦରବୁଡ଼ା ହୋଇ ଭାସୁଥିଲା, ତା’ର କିଛି ସୀମା ନାହିଁ । ଅନେକ ଜାଗାରେ ଜାହାଜମାନଙ୍କର ଭଗ୍ନାବଶେଷମାନେ ଏକାଠି ଗଦା କରାଯାଇଛି, ଯାହାକି ଗୋଟିଏ ଗୋଟିଏ ଛୋଟ ଛୋଟ ଲୁହାର ପାହାଡ଼ ପରି ଦେଖା ଯାଉଥିଲା । ଏହି ପାଖାପାଖି କେଉଁ ଜାଗାରେ ଯେ ବିରାଟ ‘‘ପ୍ରିନ୍‌ସ ଅବ୍‌ଓ୍ୱେଲସ’’ ଜାହାଜ ବୁଡ଼ି ରହିଥିବ, ତାହା ଦେଖିବାକୁ ବାକି ରହିଲା । କ୍ରମେ କ୍ରମେ ସେ ଭଙ୍ଗାରୁଜା ଜାହାଜ ସମୁଦ୍ର, ପାହାଡ଼ ଓ ସିଙ୍ଗାପୁରର ସମସ୍ତ ଅଂଶ ଲୁଚିଗଲା ଓ ପୂର୍ବ ପରି ଚାରିଆଡ଼େ ଜଳ ଓ ଉପରେ ନୀଳ ଆକାଶ କେବଳ ଦେଖାଗଲା । ସିଙ୍ଗାପୁରଠାରୁ ଅଳ୍ପ କିଛି ଦୂରରେ ଖୁବ୍‌ ବଡ଼ ବଡ଼ ମାଛର ମନ୍ଦାମାନ ଦେଖି ଆଶ୍ଚର୍ଯ୍ୟ ହେଲି । ରାତି ୮ଟାବେଳେ ପୂର୍ବପଟେ ଏକ ଭୀଷଣ ମେଘ ଉଠାଇ କେଉଁଆଡ଼େ କ୍ଷଣକ ପରେ ଉଭେଇଗଲା । ବର୍ଷା ହୋଇଥିଲେ ଅବସ୍ଥା ବାରଣ୍ଡା ଦିକଡ଼ା ହୋଇଥାନ୍ତା । ଜାହାଜ ଝଡ଼ ତୋଫାନ ନ ମାନି ଦିନ ରାତି ଢେଉ ସହ ତାଳ ଦେଇ ତା’ର ଗତି ପଥରେ ଚାଲିଥାଏ; କିନ୍ତୁ ଆମକୁ ଖାଲି ବସି ବସି ବଡ଼ ଚିଡ଼ି ମାଡ଼ୁଥାଏ । ଖାଲି ଦିନ ଗଣିବାରେ ଲାଗିଥାଉଁ । କେବେ ଜାପାନରେ ପହଞ୍ଚିବୁ, ଖାଲି ଏଇ ଚିନ୍ତା । ଜାହାଜର ପାଖକରେ ଯଦି ଘଣ୍ଟାଏ ବସି ଦେଖେ, ଆର ପାଖରେ ଆଉ ଘଣ୍ଟାଏ ବସି ଦେଖେ । ଏଇ ହେଲା ପ୍ରଧାନ କାମ-

 

ଆଜି ୨୧ ତାରିଖ ଗୁରୁବାର । ଜାହାଜ ଉପକୂଳ ବାଟ ଛାଡ଼ି ଦକ୍ଷିଣ ଚୀନସାଗରରେ ପ୍ରବେଶ କଲା । ସମୁଦ୍ର ବେଳକୁ ବେଳ ବେଶି ଉନ୍ମତ୍ତ ହେବାର ଜଣାପଡ଼ିଲା । ଭିତର ଡେକ୍‌କୁ ଆସିଲାମାତ୍ରେ ମୁଣ୍ଡ ବୁଲେଇ ଦେବାକୁ ଲାଗିଲା । ତେଣୁ ଯେ ଯେଝା କତରା ଖଣ୍ଡ ଜାକି ଧାଇଁଛନ୍ତି ସେଇ ମଝି ଅଂଶକୁ । ସେ ଖଣ୍ଡକରେ ଫେର୍ ଏତେ ଭିଡ଼ ଯେ ସୋରିଷଟିଏ ପକେଇବାକୁବି ଜାଗା ନାହିଁ । ଯାକିଯୁକି ହୋଇ ବସିଥାଉଁ । ଦିନ ୧୨ଟା ବେଳକୁ ଜାହାଜ ଖୁବ୍‌ ଜୋର୍‌ରେ ଦୋହଲିବାକୁ ଲାଗିଲା ସବୁବେଳେ ଦୋଳିରେ ବସିଲା ପରି ଲାଗୁଥାଏ । ତଳ ଢେଉକୁ ଚାହିଁଲେ ଆଖି ଖୋସି ହୋଇଯାଉଥାଏ । କେଉଁଠି ଏକ ଢେଉର ପାହାଡ଼ ହୋଇଯାଏ ତ ତା’ର ତଳେ ପୋଖରୀ ପରି ଜାଗା ଖାଲି ହୋଇଯାଉଥାଏ । ବାନ୍ତିରେ ଜାହାଜର ପ୍ରତ୍ୟେକ ଅଂଶ ବୁଡ଼ି ଯାଇଥିଲା । ଜଣେ ବାନ୍ତି କରୁଛି ଦେଖିଲେ ଅନ୍ୟ ଜଣକୁବି ବାନ୍ତି ମାଡ଼େ । ଜାହାଜରେ ଡାକ୍ତରଖାନା ଥିଲେହେଁ ଏହାକୁ ରୋଗ ବୋଲି ଧରାଯାଏ ନାହିଁ । ସାଧାରଣତଃ ଜଳଯାତ୍ରାରେ ଅଧିକାଂଶ ଏ ପ୍ରକାର ସମୁଦ୍ର ଅସୁସ୍ଥତାରେ (Sea sickness ) ପଡ଼ିଥାନ୍ତି । ପେଟ ଖାଲି ରଖିଲେ ବେଶି ଅସୁସ୍ଥତା ବୋଧହୁଏ । ତେଣୁ ପେଟ ସର୍ବଦା ଶୁଖିଲା ଜିନିଷରେ ପୂରା ରଖିବା ଦରକାର । ଆମ୍ଭମାନଙ୍କର ଏଡ଼େ ଅସୁବିଧା ହେଉଥିଲେହେଁ ଜାହାଜରେ ଥିବା କର୍ମଚାରୀ ଓ ଖଲାସିମାନଙ୍କର ଟିକିଏ ହେଲେ ଅସୁବିଧା ହେଉ ନ ଥାଏ, ଯେହେତୁ ସେମାନଙ୍କର ଏଇଟା ଦେହସୁହା ହୋଇଗଲାଣି । ଜାହାଜ ଟଳମଳରେବି ଏମାନେ ବିନା ଭରାରେ ବଙ୍କେଇ ଠିଆ ହୋଇ ପାରୁଥିଲେ ।

 

ଯାହାହେଉ, ଦୁଇଦିନ ପରେ ଅବସ୍ଥା ଟିକିଏ ବଦଳିଲା । ସମୁଦ୍ର ଶାନ୍ତ ପଡ଼ିଲା ଓ ଜାହାଜ ପୂର୍ବପରି ଚାଲିଲା । ଜାହାଜକୁ ଥରେ ଭଲ ଭାବରେ ସଫା କରାଗଲା । ମନରେ ଟିକିଏ ଶାନ୍ତି ଆସିଲା । ତା’ପରେ ପଡ଼ିଲା ପ୍ରଶାନ୍ତ ମହାସାଗର । ବାସ୍ତବିକ ଏହା ଏକ ଶାନ୍ତିର ମହାସାଗର-। ଏଡ଼େ ଏଡ଼େ ଢେଉମାନ କୁଆଡ଼େ ଗଲା ? ଯେଉଁଆଡ଼େ ଚାହିଁଲେ ଗଡ଼ିଆ ପାଣି ପରି ଥିର ପାଣି-। ଏତେ ଦିନ ପରେ ଦୂରରେ ଦୁଇଟି ପାହାଡ଼ ଦେଖି ମନରେ ଆହୁରି ଆନନ୍ଦ ଓ ଉତ୍କଣ୍ଠା ଆସିଲା । ପ୍ରକୃତରେ ଜଳଯାତ୍ରୀ ଜୀବନରେ ଏହି ପାହାଡ଼ହିଁ ସାନ୍ତ୍ୱନା । ତା’ର ଅଦୃଶ୍ୟରେ ମନ ଅସ୍ଥିର ହୋଇଉଠେ । କିନ୍ତୁ ଏହା ଭିତରେ ଦିନେ ରାତିରେ ପୁଣି ହଠାତ ଏକ ଭୀଷଣ ଝଡ଼ ତୋଫାନ ବର୍ଷା ସହ ଆସି କିଛି ସମୟପାଇଁ ଆମ୍ଭମାନଙ୍କୁ ଥରହର କରି ପକାଇଲା । ଜାହାଜ ଫେର୍ ପଡ଼ିଲା ଉଠିଲା । ସକାଳୁ ମେଘ ଛାଡ଼ିଗଲା ସତ; କିନ୍ତୁ ଯେଉଁ ଥଣ୍ଡା ପବନ ବହିଲା, ମନେହେଲା ଯେପରି ଉତ୍ତରମେରୁରେ ଥଣ୍ଡା ପବନଯାକ ଏକାଠି ହୋଇ ଜାପାନ ଦେଶ ଦେଇ ଆମ୍ଭମାନଙ୍କୁ ଡରେଇବାକୁ ଆସିଛନ୍ତି । ଦେହମୁଣ୍ଡ ଖାଲି ଥରିବାକୁ ଲାଗିଲା । ସଙ୍ଗେ ସଙ୍ଗେ ଗରମ ପୋଷକମାନ ପିନ୍ଧିବାକୁ ଆଦେଶ ହେଲା, କିନ୍ତୁ ତାହା କି ମାନେ ? ବର୍ତ୍ତମାନ ଯାହାହେଉ, ଜାପାନର ଦୂର ପର୍ବତଶ୍ରେଣୀମାନ ଦେଖାଗଲା । କାଲି ଜାହାଜ ଜାପାନରେ ପହଞ୍ଚିବ–ଏହି ଆନନ୍ଦର ଉଦ୍‌ବେଗ ମନକୁ ବଡ଼ ଚଞ୍ଚଳ କରି ରଖିଲା; କିନ୍ତୁ କେତେବେଳେ ପହଞ୍ଚିବ କିଏ ଜାଣେ-?

 

ରାତି କଟିଲା । ସକାଳୁ ଉଠି ଦେଖିଲା ବେଳକୁ ଜାହାଜ ଏକ କେନାଲ ଭଳିଆ ଜାଗାରେ ଚାଲିଛି । ଦୁଇପଟେ ଭୀଷଣ କଳା କଳା ପାହାଡ଼ମାନ । ବଡ଼ ରୁକ୍ଷ ଦେଖାଯାଉଥାନ୍ତି ସେସବୁ । ଶୀତ ସହି ପାରିଲା ଭଳି କେତେକ ଗଛ ମୂକ ସାକ୍ଷୀ ପରି ଠିଆ ହୋଇଥାନ୍ତି । ଅନେକ ବଗ ମଧ୍ୟ ଉଡ଼ୁଥିବାର ଦେଖିଲୁ । କ୍ରମେ କ୍ରମେ ଅନେକ ଛୋଟ ଛୋଟ ନାଆ ଓ ଷ୍ଟିମବୋଟମାନ ଦେଖାଗଲା । ସେଥିରେ ଥିବା ଜାପାନୀମାନେ କେହି ହାତ ହଲାଇ, କେହି ବା ରୁମାଲ ହଲାଇ ସ୍ୱାଗତ ସମ୍ଭାଷଣ କରୁଥାନ୍ତି । ଭାଷାରୁ କ’ଣ ବା କିଏ ବୁଝିବ ? ଦିନ ଦୁଇଟା ପରେ ପାହାଡ଼ ଉପରେ ଚାଷଭୂମିମାନ ଦେଖାଗଲା । ଏଇଟା ମୋ ଆଖିରେ ନୂଆ କଥା । ଆମ ଆଡ଼େ ଶହ ଶହ ଏକର ଚାଷଜମି ପଡ଼ିଆ ପଡ଼ିଥିବା ସ୍ଥଳେ ଏଠାରେ ହଜାର ହଜାର ଫୁଟ ଉଚ୍ଚ ପାହାଡ଼ମାନଙ୍କ ଉପରେ ଚାଷଜମି କରି ଫସଲ ଆଦାୟ କରିବା କମ୍‌ କଥା ନୁହେଁ । ତାହା ପୁଣି ବଳଦ କିମ୍ବା ଯନ୍ତ୍ର ସାହାଯ୍ୟରେ ନୁହେଁ; ନିଜ ନିଜ ହାତରେ ।

 

ସେହି ପାହାଡ଼ଗୁଡ଼ିକର କଟିଦେଶରେ ଛୋଟ ଛୋଟ ଜାପାନୀ ଗାଁମାନ ଅବସ୍ଥିତ । ପ୍ରତ୍ୟେକ ଗାଁରେ କିଛିନା କିଛି କଳଖାରଖାନା ଥିଲା ପରି ଅନୁମିତ ହେଉଥାଏ । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ନୌକାର ସାହାଯ୍ୟ ନେବାକୁ ପଡ଼େ । ପୁରୁଷ, ସ୍ତ୍ରୀ, ବାଳକ ବାଳିକା କି ଆନନ୍ଦରେ ନୌକାମାନ ବାହୁଥାନ୍ତି । ତା’ ସଙ୍ଗେ ସଙ୍ଗେ ମାଛଧରା ମଧ୍ୟ ଚାଲିଥାଏ । ମାଛଧରା ଏଠାର ଏକ ପ୍ରଧାନ ପେଷା ଓ ମାଛଭାତ ପ୍ରଧାନ ଖାଦ୍ୟ ବୋଲି ଯାହା ପଢ଼ିଥିଲି ବା ଶୁଣିଥିଲି, ତାହା ଏଠାରେ ସ୍ୱଚକ୍ଷୁରେ ଦେଖିଲି । ଏହି ସବୁ ଦୃଶ୍ୟ ଦେଖି ଜାପାନୀମାନେ ଯେ କେଡ଼େ ପରିଶ୍ରମୀ ଓ କର୍ମକୁଶଳୀ, ତାହା ବୁଝିବାକୁ ବାକି ରହିଲା ନାହିଁ । ଗାଁ ପରିମଳ ଧୋବା ତୁଠରୁ । ଜାହାଜ ସର୍ପିଳ ଛନ୍ଦରେ ବହୁ ପଥ ବଙ୍କେଇ ବଙ୍କେଇ ଆସିଲାଣି । ଦିନ ଚାରିଟା ବେଳକୁ ଅନତିଦୂରରେ ଏକ ବଡ଼ ବନ୍ଦର ଦୃଷ୍ଟି ଗୋଚର ହେଲା ଓ ଆମର ଜାହାଜ ସେଇ ବନ୍ଦର ଅଭିମୁଖରେ ଧୀରମନ୍ଥର ଗତିରେ ଆଗେଇ ଚାଲିଲା । ସେଇଟା ଯେ କୂରେ ବନ୍ଦର ଏହା ବୁଝିବାକୁ ବେଶି ସମୟ ଲାଗିଲା ନାହିଁ । ଏହିପରି ୨୦ ଦିନର ସମୁଦ୍ର ଯାତ୍ରା ପରେ ପ୍ରାୟ ୮୦୦୦ ମାଇଲ ଅତିକ୍ରମ କରି ଅର୍ଡ଼ୁନା ଆମ୍ଭମାନଙ୍କୁ ବୋହି ନେଇ କୂରେ ବନ୍ଦର କୂଳରେ ଲାଗିଲା । ଯାଅ, ଅର୍ଡ଼ୁନା ଫେରିଯାଅ ! ଫେରାଇ ନେବାପାଳି କାହାର ପଡ଼ୁଛି, ଦେଖାଯିବ !

 

କିନ୍ତୁ ଫେରିବା ବେଶି ଡେରି ହେଲା ନାହିଁ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖର ଶୁଭମୁହୂର୍ତ୍ତରେ ଭାରତ ସ୍ୱାଧୀନ ହେଲା । ଭାରତର ନୂଆ ସରକାର ଭାରତ ବାହାରେ ନିଜର ସୈନ୍ୟ ମୁତୟନ କରି ରଖିବା ପସନ୍ଦ କଲେ ନାହିଁ, ଯେହେତୁ ନିଜର ଦେଶରକ୍ଷା ଜରୁରି ହୋଇ ପଡ଼ିଥିଲା । ତେଣୁ ମାତ୍ର ୨୦ ମାସ କାଳ ରହଣି ପରେ ଫେର୍ ସ୍ୱଦେଶକୁ ବାହୁଡ଼ିବାର ପାଳି ଆସିଲା । ୧୯୪୭ ନଭେମ୍ବର ୨୦ ତାରିଖ ଦିନ ଏକ ସୈନ୍ୟବୁହା ଜାହାଜରେ ଆମ୍ଭେମାନେ ସେହି ଅଭୁଲା ଜାପାନର ପାଣି ପବନ ଛାଡ଼ି ଭାରତ ଅଭିମୁଖେ ଫେରିଲୁ । କିନ୍ତୁ ବିସ୍ମୟର କଥା ଏହି ଯେ, ଆଜି ଘରକୁ ଫେରୁଛୁ ବୋଲି କୌଣସି ଭାରତୀୟ ସୈନିକ ମନରେ ଆହ୍ଲାଦ–ଉନ୍ମାଦନା ନାହିଁ । ଏଇ କେତେଟା ଦିନ ଭିତରେ ଜାପାନ ଯେପରି ପ୍ରତ୍ୟେକର ଜନ୍ମଭୂମିରେ ପରିଣତ ହୋଇ ଯାଇଥିଲା । ତେବେ ମିଲିଟାରୀ ନିୟମ ଶୃଙ୍ଖଳାକୁ କିଏ ଅମାନ୍ୟ କରିବ ? ଯିବାକୁ ହେବ । ସ୍ୱଦେଶକୁ ଫେରିବାକୁହିଁ ହେବ । ଏଥର ଜଳଯାତ୍ରା ଯେପରି କିଛି ଆକର୍ଷଣୀୟ ନଥିଲା । ମାତ୍ର ଷୋଳ ଦିନର ଯାତ୍ରା ପରେ ଆମ୍ଭେମାନେ ମାନ୍ଦ୍ରାଜ ବନ୍ଦରରେ ଓହ୍ଲାଇଲୁ । ସେଠାରେ କ୍ୟାମ୍ପରେ ୨।୪ ଦିନ ରହିବା ପରେ ଦଳ ଦଳ ହୋଇ ଜବଲପୁର ଯିବାକୁ ହେଲା ।

 

କୂରେ କ୍ୟାମ୍ପ

 

ଯୁଦ୍ଧକାଳୀନ ଜାପାନରେ କୂରେ ଏକ ସୁବୃହତ୍‌ ବନ୍ଦର ଓ ପୋତାଶ୍ରୟ ଥିଲା । ଏହା ହିଂଶୁ ଦ୍ୱୀପର ଦକ୍ଷିଣ–ପଶ୍ଚିମ କୋଣରେ ଜାହାଜରୁ ବନ୍ଦରର ଧ୍ୱଂସାବଶେଷମାନ ମାଇଲ ମାଇଲ ଧରି ଦିଶୁଥାଏ । ବୋମା ମାଡ଼ରେ ବନ୍ଦରଟି ଏକ ପ୍ରକାର ଭସ୍ମୀଭୂତ ହୋଇ ଯାଇଥିଲା, ତାହା ଦେଖିଲେ ବଡ଼ ଦୁଃଖ ଲାଗୁଥିଲା । ସିଙ୍ଗାପୁରର ଦୁର୍ଦ୍ଦଶା ଦେଖି ଦିନେ ଜାପାନ ପ୍ରତି କ୍ଷୋଭ ଜାତି ହୋଇଥିଲା । କିନ୍ତୁ ସେ ଦିନ କୂରେର ଅବସ୍ଥା ଦେଖି ସାରା ମାନବ ଜାତି ପ୍ରତି କ୍ଷୋଭଜାତ ହୋଇଥିଲା । ଯେଉଁ ବିଜ୍ଞାନ ବଳରେ ମାନବ ସମାଜ ଏତେ ଉନ୍ନତ ବୋଲି ଗର୍ବ ଅନୁଭବ କରେ; ତା’ର ପରିଣାମ କ’ଣ ଏଇ ଅମାନୁଷିକ ଧ୍ୱଂସ ?

 

ଏକ କୂରେ ବନ୍ଦରର ଅନତିଦୂରରେ ପଡ଼ିଥାଏ ଆମ କ୍ୟାମ୍ପ । ଠିକ୍‌ ସମୁଦ୍ରକୂଳରେ ଡିପୋ (Bod) ମଧ୍ୟ ଥିଲା । ଜାହାଜରୁ ଓହ୍ଲାଇ ଆମ୍ଭେମାନେ ଏକ ଜାପାନୀ ସିନେମା ଘରେ ଆଶ୍ରୟ ନେଲୁ । ଆମ ଆଗରୁ ମଧ୍ୟ ଦଳେ ଭାରତୀୟ ସୈନ୍ୟ ଆସି ସେଠାରେ ଆଶ୍ରୟ ନେଇ ସାରିଥିଲେ । ପହଞ୍ଚିବା ମାତ୍ରକେ ଏକା ନିଃଶ୍ୱାସରେ ଆମେ ସବୁ କଥା ସେମାନଙ୍କଠାରୁ ବୁଝି ବସିଲୁ-। ପାଖଆଖରେ ଯେତେଗୁଡ଼ିଏ ଜାପାନ ଲୋକ କାମ କରୁଥିଲେ, ସେମାନେ ଆମକୁ ଦେଖି ଖୁବ୍‌ ଖୁସିଥିଲା ପରି ଜଣା ପଡ଼ୁଥିଲା । ସେମାନଙ୍କର ହସରେ କୌଣସି କୁଟିଳତାର ଚିହ୍ନ ନଥିଲା । ବିଶେଷ କିଛି ଅସୁବିଧା ହେବ ନାହିଁ ଜାଣି ଆମ୍ଭେମାନେ ଟିକିଏ ଆଶ୍ୱସ୍ତ ହେଲୁ ।

 

ପରଦିନ ସକାଳେ ଥରେ ଏ ଅଞ୍ଚଳ ବୁଲି ଦେଖିବାର ବାସନା ବଡ଼ ପ୍ରବଳ ହୋଇ ଉଠିଲା । କେତେଜଣ ପୁରୁଣା ବନ୍ଧୁଙ୍କୁ ସଙ୍ଗରେ ଧରି ଟିକିଏ ବୁଲି ବାହାରିଲି । ସିନେମାଘର ଉପରୁ ସମୁଦ୍ର ଦୃଶ୍ୟ ବଡ଼ ଚିତ୍ତାକର୍ଷକ ଥିଲା । ତା’ର ଏକ ମାଇଲ ଦୂରରେ କୂରେ ସହର । ଠିକ୍‌ ସମୁଦ୍ରକୂଳରେ ଜାହାଜ ତିଆରି କାରଖାନାମାନ କେତେଦୂର ଯାକେ ଯେ ଲାଗିଛି, ଦେଖିଲେ ଆଖି ପାଉନାହିଁ । ସେଇ କାରଖାନାମାନଙ୍କୁ ଲାଗି ପାହାଡ଼ମାନଙ୍କ ଭିଡ଼ରେ ମାଇଲ ମାଇଲ ଧରି ସୁଡ଼ଙ୍ଗମାନ କଟାଯାଇଛି । ଯାହା ଭିତରେ କାରଖାନା ତିଆରି ଜିନିଷ ନିରାପଦରେ ରହୁଥିଲା ଓ ଦରକାର ପଡ଼ିଲେ ଶତ୍ରୁର ଅଗୋଚରରେ ହଠାତ ବାହାର କରି ଜାହାଜରେ ଲଦି ଯୁଦ୍ଧକ୍ଷେତ୍ରକୁ ବା ବାଣିଜ୍ୟାର୍ଥେ ବିଦେଶକୁ ପଠାଯାଉଥିଲା । ଭିତରେ ଚଳପ୍ରଚଳ ପାଇଁ ଆଲୁଅ ଓ ପଙ୍ଖାର ସୁବ୍ୟବସ୍ଥାମାନ ଥିଲା । ଏଥିରୁ ଜାପାନୀମାନଙ୍କର ଚତୁରତା ଓ କର୍ମକୁଶଳତାକୁ ପ୍ରଶଂସା ନ କରି ରହି ହେଲା ନାହିଁ । କିନ୍ତୁ ବାହାରେ ଯେଉଁଆଡ଼େ ଚାହିଁଲେ ଖାଲି ଭଙ୍ଗାରୁଜା କୋଠା ଛାଞ୍ଚମାନ ଓ ରାସ୍ତା କଡ଼ରେ କୁଢ଼ କୁଢ଼ ଲୁହାଗଦାମାନ ପଡ଼ି ରହିଛି ।

 

ଗୋଟିଏ ସୁଡ଼ଙ୍ଗ ଭିତରେ ପଶି ଚାଲି ଚାଲି କ୍ଳାନ୍ତ ହୋଇ ଶେଷକୁ ଅନେକ ଦୂରରେ ବାହାରକୁ ବାହାରି ବଡ଼ ଆଶ୍ଚର୍ଯ୍ୟ ହେଲୁ ଯେ ତା’ ଭିତରେ ଦର୍ଶନୀୟ ପଦାର୍ଥ କିଛି ହେଲେ ନଥିଲା-। କେବଳ ଭଙ୍ଗାରୁଜା ଆସବାବ ପତ୍ରମାନ । ଜାପାନର ଆତ୍ମସମର୍ପଣ ପରେ ଆମେରିକାବାସୀଙ୍କ ଦୃଷ୍ଟିରୁ ଜାପାନର କୌଣସି ଅଂଶ ଯେ ଛାଡ଼ ପାଇନାହିଁ ବୋଲି ଯାହା ଶୁଣିଥିଲୁ, ତାହା ସେ ସୁଡ଼ଙ୍ଗ ଭିତରେ ପ୍ରତ୍ୟେକ୍ଷ ବୁଝିପାରିଲୁ । ଯେଉଁଠାରେ ଯାହା ମୂଲ୍ୟବାନ୍ ପଦାର୍ଥର ସନ୍ଧାନ ମିଳିଛି; ତାହା ସେଇଠାରେ ନଷ୍ଟ କରି ଦିଆଯାଇଛି କିମ୍ବା ଆମେରିକା ଜାହାଜରେ ଲଦି ପଠାଇ ଦିଆଯାଇଛି ।

 

ଜାପାନକୁ ଶାସନ କରିବା ଲାଗି ଏହାକୁ ଦୁଇଟି ବିଭାଗରେ ବିଭକ୍ତ କରି ଦିଆଯାଇଥିଲା । କ୍ୟୋତୋ ଠାରୁ ଉତ୍ତରକୁ ଆମେରିକାନ୍‌ ଜୋନ ଓ ଦକ୍ଷିଣକୁ ବ୍ରିଟିଶ ଜୋନ । ଗୋଟିଏ ପାଖରୁ ଅନ୍ୟ ପାଖକୁ ଯିବାକୁ ଦେଲେ ଭିସା ବା ପ୍ରବେଶପତ୍ରର ଆବଶ୍ୟକ ହେଉଥିଲା । ଆମେ ଏହି ବ୍ରିଟିଶ୍‌ ଜୋନ୍‌ରେ ଥିଲୁ, ଯାହାର ମଧ୍ୟସ୍ଥଳ ଥିଲା କୂରେ । ଏହି କୂରେ ଏପରି ଏକ ଶିଳ୍ପପ୍ରଧାନ୍ୟ ଅଞ୍ଚଳ ଥିଲା ଯେ ଯୁଦ୍ଧବେଳେ ଓ ତତ୍‌ପୂର୍ବରୁ ତାହା ସାଧାରଣଙ୍କ ଲାଗି ନିଷିଦ୍ଧ ଅଞ୍ଚଳ ଥିଲା ଏପରି କି ତତ୍‍କାଳୀନ ସରକାରଙ୍କ ଆଦେଶରେ ଏଇବାଟେ ରେଳ ଗଲାବେଳେ ସାଧାରଣଙ୍କ ଦୃଷ୍ଟିରୋଧ କରିବା ଲାଗି ରେଳର ଝରକାମାନ ମଧ୍ୟ ବନ୍ଦ କରି ଦିଆଯାଉଥିଲା । ଏତାଦୃଶ ଏକ ବିରାଟ ବନ୍ଦର ଅଜସ୍ର ବମ୍ବରଦ୍ୱାରା ଏକାଧିକ୍ରମେ ୭୫ ଘଣ୍ଟା କାଳ ବୋମା ପକାଇ ଭସ୍ମୀଭୂତ କରି ଦିଆଯାଇଥିଲା । ଜାଗା ଜାଗା ହୋଇ ବ୍ରିଟିଶ ଗାର୍ଡ଼ମାନେ ଜଗିଥାନ୍ତି ଓ ଜାପାନୀମାନଙ୍କୁ ଚେକ୍‌ କରି ଛାଡ଼ୁଥାନ୍ତି । ସମଗ୍ର ଡାକ୍‌ୟାର୍ଡ଼ରେ ପୂର୍ବର ଜୀବନ୍ତ କାରଖାନାର ଚହଳ ନାହିଁ । କେବଳ ନିସ୍ତବ୍ଧତାର ରାଜତ୍ୱ । ସାମରିକ ସରକାରଙ୍କ ନିର୍ଦ୍ଦେଶରେ ହାରିମା ନାମକ ଏକ କମ୍ପାନୀ କେବଳ ପୁନରୁଦ୍ଧାର ଓ ରାସ୍ତା ସଫାଇ କାର୍ଯ୍ୟରେ ଲାଗିଥାଏ । ଏଇ କୂରେ କ୍ୟାମ୍ପରେ ଆମକୁ ଦୀର୍ଘ ଏକ ବରଷ ଆଠ ମାସ କାଳ ବିତାଇ ସ୍ୱଦେଶକୁ ଫେରିବାକୁ ହୋଇଥିଲା । କିନ୍ତୁ କୂରେ ଚିରଦିନ ପାଇଁ ଏ ମାନସପଟରେ ଲାଖି ରହିଲା ।

 

ଏଇଠାରେ ଆମର ଯାତ୍ରାର ଉଦ୍ଦେଶ୍ୟ ଓ ସେଠାରେ କି ପ୍ରକାର ଜୀବନଯାପନ କରିବାକୁ ପଡ଼ୁଥିଲା, ସେ ସମ୍ବନ୍ଧରେ ଦି’ ଚାରିକଥା ନ କହିଲେ କଥାଟା ଅସମ୍ପୂର୍ଣ୍ଣ ରହିଲା ପରି ମନେହେବ । ଆତ୍ମସମର୍ପଣ ପରେ ଜାପାନ ମିଲିଟାରୀ ଶାସନରେ ରହିଲା ଯାହା କି ଯେ କୌଣସି ପରାଜିତ ଜାତି ପକ୍ଷରେ ଘଟିଥାଏ । ତା’ର ସୈନ୍ୟ ନାହିଁ କି ଶାସନ ନାହିଁ । ମୋଟ ଉପରେ ତା’ର କଥା ପଦେ କହିବାର ଅଧିକାର ନାହିଁ । ବିଶ୍ୱତ୍ରାସ ଜାପାନ ଜାତି ବର୍ତ୍ତମାନ ଏକ ପଙ୍ଗୁ, ନିସ୍ପନ୍ଦ ଓ ନିର୍ବେଦ ଜନ୍ତୁତା । ବିଦେଶୀ ଶାସକର ଅଙ୍ଗୁଳି ନିର୍ଦ୍ଦେଶରେ ତାକୁ ଚଳିବାକୁ ହେବ । ବିଜିତ ଲୋକର ଜୀବନର ମୂଲ୍ୟ ବା ଆସିବ କୁଆଡ଼ୁ ? କେତେ ଯେ ନିରୀହ ଜାପାନୀ ଜୀବନ ଏଇ ଅବସରରେ ବିଦେଶୀ ଶାସକମାନଙ୍କ ଗୁଳି ଓ ଲକ୍ଷ ପରୀକ୍ଷାର ସାମଗ୍ରୀ ହୋଇଥିଲା, ତା’ର ଇୟତ୍ତା ନାହିଁ । ସାମାନ୍ୟ ଚୋରି ବା କଟୁବାକ୍ୟ ଉଚ୍ଚାରଣ ଅପରାଧରେ ତା’ର ରକ୍ଷା ନାହିଁ । ଅକୁପେସନ୍‌ ଟ୍ରୁପ୍‌ସର ଗୁଳିହିଁ ତା’ର ବିଚାରକ । ପଦ ପଦକେ ଜାପାନୀକୁ ଅବିଶ୍ୱାସ କରିବାକୁ ହେବ । କାରଣ, କେତେବେଳେ କ’ଣ କରିଦେବେ ! ତାଙ୍କୁ ହାତରେ ମାରିବା ସଙ୍ଗେ ସଙ୍ଗେ ଭାତରେ ମଧ୍ୟ ମାରିବାକୁ ହେବ । ଚାରିଆଡ଼େ କଣ୍ଟ୍ରୋଲ ସାଙ୍ଗକୁ କଳାବଜାର ପରି ଅନ୍ୟାନ୍ୟ ଅସହ୍ୟ ବାତାବରଣମାନଙ୍କର ସୃଷ୍ଟି । ସାମାନ୍ୟ ଚାରମିନାର ଶ୍ରେଣୀର ସିଗାରେଟ୍‌ ପ୍ୟାକେଟ୍‌ର ଦାମ୍ ଦୁଇ ଟଙ୍କା, ଅନ୍ୟ କଥା କ’ଣ କହିବା ! ମୋଟ ଉପରେ ଆମ୍ଭେମାନେ ଗତ ୨୦୦ ବର୍ଷ ଧରି ବ୍ରିଟିଶ ଶାସନରେ ଯେତେ ଅତ୍ୟାଚାରିତ ହୋଇ ନ ଥିଲେ, ଜାପାନୀମାନେ ସେଇ ସାମାନ୍ୟ କେତେଟା ଦିନରେ ସବୁ ଭୋଗ କଲେ । ସେମାନଙ୍କର ଆଦର୍ଶବାଦକୁ ଭାଙ୍ଗି ଚୂରମାର କରି ଦିଆଗଲା । ଶୃଙ୍ଖଳା ନାମରେ ନାନା ବିଶୃଙ୍ଖଳା ଭର୍ତ୍ତିକରି ଦିଆଗଲା । ଘରେ ଘରେ ଆମେରିକାନ୍‌ମାନେ ପଶି ଲୁଟତରାଜ ଓ ଅତ୍ୟାଚାରୀ ଆରମ୍ଭ କରିଦେଲେ । ଏଥିରେ କେଉଁ ଜାତି କେତେଦିନ ତା’ର ନୀତିଗତ (Morale) ଆଦର୍ଶକୁ ଧରି ରଖିପାରିବ ? ଗୋଟିଏ ସାମାନ୍ୟ ହିସାବରୁ ଅବସ୍ଥା ବୁଝିବାକୁ ବାକି ରହିବ ନାହିଁ । ଯେଉଁ ମେହରୋଗ ଜାପାନୀମାନଙ୍କ ମଧ୍ୟରେ ଯୁଦ୍ଧ ପୂର୍ବରୁ ଶତକଡ଼ା ୬ଭାଗ ଥିଲା, ତାହା ଅକୁପେସନର ଦୁଇବର୍ଷ ପରେ ୧୯୪୭ ମସିହା ବେଳକୁ ହିସାବ କିତାବରେ ଉଠିଲା ଶତକଡ଼ା ୬୦କୁ । ପାରିପାର୍ଶ୍ୱିକ ଅବସ୍ଥା ସେମାନଙ୍କୁ ସେଇ ପ୍ରକାର କରି ପକାଇଲା । ମନୁଷ୍ୟ ଚିରକାଳ ପାରିପାର୍ଶ୍ୱିକର ଦାସ । ପାଠକମାନଙ୍କ ମନରେ ଏଠାରେ ପ୍ରଶ୍ନ ଉଠିବ ଯେ, ଯେଉଁ ଜାପାନୀ ଜାତି ଏଡ଼େ ଦୁର୍ଦ୍ଧର୍ଷ ଓ ପରାକ୍ରମୀ ଥିଲା, ସେ ଏପରି ସହିଷ୍ଣୁ ହେଲା କିପରି ? ସେଇ ପ୍ରଶ୍ନର ଉତ୍ତରରେ ରହିଛି ଆମର ସେ ଜାତିଠାରୁ କ’ଣ ଶିଖିବାର କଥା ଓ ସେ କାହିଁକି ହେବେ ଆମର ନମସ୍ୟ । ଯେତେବେଳେ ହିରୋସୀମା ବକ୍ଷରେ ଆଣବିକ ବୋମା ବିସ୍ଫୋରିତ ହୋଇ ପୁଣି ନାଗସାକିରେ ତା’ର ଦ୍ୱିତୀୟ ପରୀକ୍ଷା ହେଲା, ସେତେବେଳେ ସମ୍ରାଟ ହିରୋହିତୋଙ୍କର ଆଦେଶ ହେଲା–‘ଆତ୍ମସମର୍ପଣ କରିଦିଅ । ତରବାରି ରଖିଦେଇ ପରାଜୟ ଅକୁଣ୍ଠିତ ଚିତ୍ତରେ ସ୍ୱୀକାର କରିନିଅ । ତା’ ନ ହେଲେ ଏଇ ହିରୋସୀମା, ନାଗାସାକି ପଛେପଛେ ଟୋକିଓ, କ୍ୟୋତୋ, ଓଷାକା ଆଦି ମହାନଗରୀମାନ ଚିରକାଳ ଲାଗି ଭସ୍ମସାତ୍‌ ହୋଇଯିବ । ଜାପାନ ସଭ୍ୟତା ସବୁଦିନ ପାଇଁ ପୃଥିବୀପୃଷ୍ଟରୁ ଲୋପ ପାଇଯିବ ।’’ ଦେଶ ଓ ରାଜ୍ୟର ପରମ ଭକ୍ତ ଜାପାନୀ ଜାତି ସମ୍ରାଟଙ୍କ ସେଇ ବାକ୍ୟକୁ ବେଦବାକ୍ୟ ମନେକରି ସମସ୍ତ ବାଧାବିଘ୍ନ, ବିପଦ-ଆପଦକୁ ଅକାତରରେ ନିମନ୍ତ୍ରଣ କରି ଶତ୍ରୁର ଚରଣତଳେ ମୁଣ୍ଡ ପାତିଦେଲେ । ତା’ ନ ହୋଇଥିଲେ ଆଜିର ଜାପାନ ଆଉ ଜାପାନ ହୋଇ ରହି ନଥାନ୍ତା । ତାହା ଚନ୍ଦ୍ରଲୋକ ପରି ଆଉ ଜନମାନବ ଶୂନ୍ୟ ରାଜ୍ୟରେ ପରିଣତ ହୋଇ ଥାଆନ୍ତା ।

 

ଜାପାନର ଯୁଦ୍ଧକାଳୀନ ଶାସକଗୋଷ୍ଠୀରେ ଆମେରିକା, ବ୍ରିଟିଶ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଆଦି ବିଦେଶୀ ସୈନ୍ୟଙ୍କ ସଙ୍ଗେ ପ୍ରାୟ ଦଶ ହଜାର ଭାରତୀୟ ସୈନ୍ୟ ମିଶିଥିଲେ । କିନ୍ତୁ ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ପରେ ତା’ର ପ୍ରତ୍ୟେକ ସୈନ୍ୟକୁ ଖାଲି ଜାପାନରୁ କାହିଁକି, ବିଦେଶର ଯେ କୌଣସି ଜାଗାରୁ ଅପସାରଣ କରି ଆଣିଥିଲା । ଏଇ ସୈନ୍ୟମାନେ ଭିନ୍ନ ଭିନ୍ନ ଜାଗାରେ କ୍ୟାମ୍ପମାନ ପକାଇ ଭିନ୍ନ ଭିନ୍ନ କାର୍ଯ୍ୟରେ ନିଯୁକ୍ତ ଥିଲେ । ଆମେରିକାନ୍‌ ଜୋନ୍‌ରେ କୌଣସି ଭାରତୀୟ ସୈନ୍ୟ ରହୁ ନ ଥିଲେ । ମୋର କ୍ୟାମ୍ପ ଥିଲା କୂରେ ଓ କିଛିଦିନ ପରେ କାଇତାଇଚି ଏକ ବେସ୍‌ ଅର୍ଡ଼ିନାନ୍‌ସ ଡିପୋ (BOD)ରେ, ଯେଉଁଠାରୁ କି ଆମ ସୈନ୍ୟମାନଙ୍କ ବ୍ୟବହାର ନିମନ୍ତେ ଛୁଞ୍ଚିଠାରୁ ମୋଟର ଗାଡ଼ି ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିଲା । ମୋର କାମ ଥିଲା ସାମାନ୍ୟ କିରାଣିଗିରି ମାତ୍ର । ଢିଙ୍କି ସ୍ୱର୍ଗକୁ ଗଲେବି ଧାନ କୁଟେ । କିରାଣି ପୃଥିବୀର ଯେଉଁ କଣରେ କାମ କରୁ ନାଁ କାହିଁକି; ସେ କିରାଣିହିଁ କିରାଣି । କଥା ଅଛି ଯେ, ଅଫିସ କପିରେ ମାଛଟିଏ ମରି ଚାପି ହୋଇ ଯାଇଥିଲେ ଫେଆର କପିରେ ମାଛିଟିଏ ଧରି ଆଣି ଠିକ୍‌ ସେଇ ଜାଗାରେ ଟିପେଇ ଦେବା ହେଉଛି ଆଦର୍ଶ କିରାଣିର କାମ । ତେବେ ଯାଇ ହେବ ତାହା ଟ୍ରୁକପି । ତେଣୁ ମୋ ନିଜ କାମ କଥା ଆଉ କ’ଣ ବା କହିବି ?

 

ତେବେ ମିଲିଟାରୀ ପରି ନୀରସ କଠୋର ଜୀବନକୁ ଯେ ଜାପାନରେ ସରସ ସୁନ୍ଦର କରାଯାଇ ପାରିଥିଲା, ଏଥିରେ ସନ୍ଦେହ ନାହିଁ । ସେଠାରେ ଗୋରା–କଳାର ପ୍ରଭେଦ ନଥିଲା । ବିଦେଶରେ ସମସ୍ତେ ବିଦେଶୀ । ଦୈନିକ ପିଟି, ପରେଡ଼ ଓ ଅଫିସ କାମ ସଙ୍ଗେ ସଙ୍ଗେ ଖେଳ-କୌତୁକ, ଆମୋଦପ୍ରମୋଦ, ସିନେମା, ନାଚ ଓ ଖାଦ୍ୟପେୟର କୌଣସିଥିରେ ଅଭାବ ନଥିଲା । ଖର୍ଚ୍ଚ ଦେବ ଜାପାନ ସରକାର । ଦାତାର ଘିଅ ସରିବ–ବ୍ରାହ୍ମଣ ସ୍ୱାହା ସ୍ୱାହା କରିବାକୁ କାହିଁକି ଡରିବ-? ତେଣୁ ଜୀବନକୁ ଯେତେ ପ୍ରକାରେ ଉପଭୋଗ କରାଯାଇପାରେ, ସେ ସବୁର ସୁବନ୍ଦୋବସ୍ତମାନ ଥିଲା । ଜାପାନୀମାନେ କାଳେ ଖାଦ୍ୟପେୟରେ କେତେବେଳେ ଅସଦାଚରଣ କରିବେ, ସେଥିଲାଗି ପଇସାକର ଲୁଣ ମଧ୍ୟ ଆମପାଇଁ ଜାପାନରୁ କିଣାଯାଉ ନଥିଲା । ସେ ସବୁ ଆସୁଥିଲା ଜାହାଜରେ ବୋଝେଇ ହୋଇ ସୁଦୂର ଅଷ୍ଟ୍ରେଲିଆରୁ ନଚେତ ଭାରତରୁ । ଅଷ୍ଟ୍ରେଲିଆ ସେଠାରୁ ୮ ଦିନର ବାଟ । ଡବା ଦୁଧ, ଡବା ଛେନା, ଦୁଧ ଗୁଣ୍ଡ, ଅଣ୍ଡା ଗୁଣ୍ଡ; ଶୁଖିଲା କୋବି, ମାଂସ ଓ ଟମାଟୋ ଶସ୍ ଆଦି କେତେ ଖାଇବ ଖାଅ । ତାଜାର ନାମ ଗନ୍ଧ ନାହିଁ । ସବୁ ଶୁଖିଲା, ନାହିଁ ତ ଡବା କି ଶିଶିରେ ପ୍ୟାକ୍ କରା । ଶେଷ ଆଡ଼ିକି ଦଳେ ମେଣ୍ଢା ଜାହାଜରେ ଲଦାହୋଇ ଆସିଲେ । ସେ ମାଂସ ବଡ଼ ଚମତ୍କାର ।

 

ସନ୍ଧ୍ୟାହେଲା ତ ଖାଇପିଇ ସାରି ସିନେମା ଦେଖିଯାଅ ନଚେତ କାଣ୍ଟିନ୍‌ କି ଆମୋଦପ୍ରମୋଦ କେନ୍ଦ୍ରରେ ବସି ସମୟ କଟାଅ; କିନ୍ତୁ ଜାପାନୀ ଦୁଆର ମାଡ଼ ନାହିଁ । ସେମାନଙ୍କବ ସଙ୍ଗେ ମିଶ ନାହିଁ । ସେମାନଙ୍କ ଠାରେ କେବଳ ପ୍ରଭୁ–ଭୃତ୍ୟର ଭାବ ରଖ । ଫ୍ରାଟରନାଇଜେସନ୍‌ (ଭ୍ରାତୃଭାବ) ବିରୁଦ୍ଧରେ କଡ଼ା କଡ଼ା ନିୟମ ଜାଗା ରହିଥାଏ । ଦ୍ୱିତୀୟରେ ଜାପାନୀ ରମଣୀ ରମଣୀ ନୁହେଁ ! ସେ ନାଗୁଣୀ । ଥରେ ଦଂଶିଲେ ସେ ଦାନ୍ତ ଆଉ ବାହାରିବାର ନୁହେଁ ! ଜାଗା ଜାଗା ମିଲିଟାରୀ ପୋଲିସଙ୍କ କଡ଼ା ପହରା । ଆଖି ପଡ଼ିଲେ ଆସି ଟିପିଲେ ନାଁ ନମ୍ବର । ଆଉ ରକ୍ଷା ନାହିଁ । ସକାଳକୁ ପେଶି ଓ ତା’ପରେ ଦଣ୍ଡ ଇତ୍ୟାଦି ।

 

ତେବେ କ’ଣ ଏ ଜାତିଟାକୁ ନ ଚିହ୍ନି, ନ ବୁଝି କେବଳ ହୁକୁମର ଆଦେଶରେ ଚୁପ୍‌ହୋଇ ପଳାଇ ଯିବାକୁ ହେବ ? ନାଁ, ତାହା ହୋଇ ନ ପାରେ । ଶତ ବାଧା ବିଘ୍ନ ତା’ର ଶିକ୍ଷା, ସଭ୍ୟତା, ସୌହାର୍ଦର ଦୈନନ୍ଦିନ ପ୍ରଣାଳୀକୁ ବୁଝିବାକୁ ହେବ । ଘରେ ଲୁଚି ଛପି ତା’ର କର୍ମକୁଶଳତାକୁ ଲକ୍ଷ୍ୟ କରିବାକୁ ହେବ । ତାନ କୁଟୀରଶିଳ୍ପ, ଚାଷବାସ ଓ ଯନ୍ତ୍ରଶିଳ୍ପକୁ ତନ୍ନ ତନ୍ନ କରି ଦେଖିବାକୁ ହେବ । ଜାପାନୀ ରମଣୀ ଯଦି ସର୍ପିଣୀ, ତେବେ ତା’ ବିଷ ତାଠି ଥାଉ । ଦଂଶନ ନପାଇଲେ ହେଲା । କେବଳ ଦର୍ଶନରେହିଁ ତା’ର ମସୃଣ ଶରୀର, ଚକା ମୁହଁ, ଚେପ୍‌ଟା ନାକ, ଜୁଳୁଜୁଳୁ ଆଖି, କୁଞ୍ଚିତ କେଶ, ସ୍ଲାଟ ଓ ବ୍ଲାଉଜର ଆବରଣ ଆଦି ଉପଭୋଗ କରାଯାଉ । ସେ ଯେ ଅଦ୍ୱିତୀୟ ଗୃହକର୍ତ୍ତ୍ରୀ, ଏହା ଧ୍ରୁବ ସତ୍ୟ । ସେ ସକାଳୁ ଉଠି ରାନ୍ଧିବାଢ଼ି ନିଜେ ଖାଇ ସ୍ୱାମୀ ଓ ପିଲାଙ୍କୁ ଖୁଆଇ ଲଞ୍ଚ ଡବାଟିଏ ଧରି ପିଲାକୁ କାନ୍ଧରେ ପକାଇ ଯାଏଁ । ଅଠର ଥର ମିଳାଉଥିବା ରିଷ୍ଟଓ୍ୟାଚକୁ ଚାହିଁ ଚାହିଁ ଠିକ୍ ସମୟରେ କାର୍ଯ୍ୟସ୍ଥଳରେ ଯାଇ ପହଞ୍ଚେ । ଛୋଟ ପିଲାକୁ କ୍ରେଶ (ଶିଶୁନିବାସ)ରେ ଛାଡ଼ିଦେଇ ୮ଟାରୁ ୪ଟା ଯାକେ କାମ କରେ ଓ ସନ୍ଧ୍ୟାବେଳକୁ ପିଲାକୁ ଧରି କାମରୁ ଫେରେ । ରାନ୍ଧିବାଢ଼ି ଖାଇପିଇ ନିଜ ନିଜ ଫୁରୋ ବା ଗାଧୁଆ ଘରେ ନଗ୍ନ ଗାଧୁଆଟାଏ ଗାଧୋଇ ଆରାମରେ ରାତ୍ରିଟି ଯାପନ କରେ । ସେଇ ରାତ୍ରିସ୍ନାନର ଫଳ ସ୍ୱରୂପ ସକାଳୁ ଉଠି ତାଜା ଶରୀରରେ ଫେର୍ ଦିନକର କାମରେ ଲାଗି–ପଡ଼େ । ଆମ ଓଡ଼ିଆଣୀ ହେଲେ କହିବେ, ‘‘ଏଁ, ରାନ୍ଧିବାଢ଼ି ପିଲାଟାକୁ ତ ଆତେଇଛି–ଆଉ କ’ଣ କରିଥାନ୍ତି ମ !’’ ଧନ୍ୟରେ ଏ ଦେଶ ! ପ୍ରତ୍ୟେକ ଉତ୍ସାହୀ ଓଡ଼ିଆ ଭାଇକୁ ମୋର ଅନୁରୋଧ, ସେମାନେ ଥରେହେଲେ ଯାଇ ସେ ଦେଶ ଦେଖିଆସନ୍ତୁ । ଖାଲି ବହିରୁ ପଢ଼ିଲେ ହେବ ନାହିଁ । ସେ ଦେଶରୁ ଦେଖି ଶିଖି ତେବେ ଯାଇ ନୂଆ ଢାଞ୍ଚାରେ ଏ ଦେଶକୁ ଗଢ଼ି ହେବ । ନାହିଁ ତ ଶହ ଶହ ବର୍ଷ ସେଇ ଧରମା–କୋଣାରକ ବ୍ୟାପାର ପରି ଯୋଜନା ପରେ ଯୋଜନା ଚାଲିଥିବ । ଏଣେ ଆମେ ୬ଜଣ ଲୋକ ଏକାବେଳକେ ୬ଟା ହାତ ବଢ଼େଇ ରେଳ ଟିକଟ କିଣୁଥିବା !

 

ଏଇ ଗନ୍ତାଘରର ସମ୍ପଦ ସଂଗ୍ରହ ଖାଲି ମୋରି କେବଳ ଲକ୍ଷ୍ୟଥିଲା ତା’ ନୁହେଁ । ପ୍ରତ୍ୟେକ ଭାରତୀୟ ସୈନ୍ୟ ସେ ଦିଗରେ ଅନୁସନ୍ଧିତ୍ସୁ ଥିଲେ । କାରଣ ସେମାନେ ଜାଣିଥିଲେ, ଜାପାନ ଆଜି ପରାଜିତ ଶାସିତ ହେଲେହେଁ ଭାରତୀୟ ଚକ୍ଷୁରେ ଜାପାନାହିଁ ଜାପାନ । ଦୁହେଁ ଏକ ପ୍ରାଚ୍ୟ ପରିବାରରେ ଦୁଇ ଭାଇ । ଆମର ପରାଧୀନତାହିଁ ଥିଲା ମଝିରେ ଏକ ପ୍ରାଚୀର । ଏତେ ଦିନ ରହଣି ଭିତରେ କେବେହେଲେ କୌଣସିଠାରେ କୌଣସି ଭାରତୀୟ କୌଣସି ଜାପାନୀ ପ୍ରତି ଖରାପ ବ୍ୟବହାର ଦେଖାଇଥିବାର କିମ୍ବା ପାଇଥିବାର ଶୁଣିବାକୁ ପାଇ ନଥିଲି । ଯେ କୌଣସି ଜାପାନୀ ସଙ୍ଗେ ଆଳାପ ପରିଚୟ କର, କି ଆନନ୍ଦ ସେଥିରେ ଆବିଳତାର ଲେଶମାତ୍ର ନଥିଲା । ଆଦର–ସମ୍ଭାଷଣରେ ଦେଶଟା ଯେପରି ଶେଷ ସୀମାକୁ ଯାଇଛି । ଯେ କୌଣସି ଜାପାନୀକୁ ଭେଟିଲେ ମନେ ହେବ ଯେପରି ବହୁଦିନର ପୁରାତନ ବନ୍ଧୁଟିଏ ଜୁଟି ଯାଇଛି ପରା ! ତେବେ କ’ଣ, ଏସବୁ ଶାସନ ଶୃଙ୍ଖଳାର ଡରରେ ? ନାଁ, ଏଇ ସଦ୍‌ଗୁଣ ସବୁ ଜାପାନୀର ଅସ୍ଥି–ମଜ୍ଜାଗତ ଓ ସୁଶିକ୍ଷିତର ପରିଚାୟକ । ଶୃଙ୍ଖଳତାର ଫଳ ମାତ୍ର ହୋଇଥିଲେ ଅନ୍ୟାନ୍ୟ ବିଦେଶୀ ସୈନ୍ୟମାନେ ଏତେ ଆପଣାର କାହିଁକି ନ ହୋଇ ପାରିଲେ ? କେବଳ ଜାପାନୀ ହେଲେ କାହିଁକି ? ବିଦାୟ ବେଳରେ ଯେତେ ଗୋଟି ଜାହାଜ ଭାରତୀୟ ସୈନ୍ୟ ଧରି ଭାରତ ଅଭିମୁଖରେ ଛାଡ଼ିଛି,–ତା’ ପଛରେ ସେ ସବୁ ଛାଡ଼ି ଆସିଛନ୍ତି । ଏକ ଏକ ହୃଦୟସ୍ପର୍ଶୀ, ବୁକୁଫଟା କରୁଣଚିତ୍ର । ସୈନ୍ୟ ତୋମାଦାଚି (ବନ୍ଧୁ)ଗଣ ଜାହାଜ ଚଢ଼ିଲେ କିନ୍ତୁ ସେମାନଙ୍କ ବାଳକ ବାଳିକା ବନ୍ଧୁଗଣ ମାଘମାସର ଶୀତ କାକରରେ ସେଇ ଖୋଲା ଡକୟାର୍ଡରେ ଜାହାଜର ବିଦାୟ ବେଳକୁ ଦିନ ଦିନ ରାତି ରାତି ଚାହିଁ ବସିଛନ୍ତି । ଫୁଲ ଫଳର ଉପହାରରେ ଜାହାଜ ଭରା । ଜାପାନୀ ପିଲା କାନ୍ଦେ ନାହିଁ ବୋଲି କୁହାଯାଏ, କିନ୍ତୁ ଏଇଠି ବନ୍ଧୁ ବିଚ୍ଛେଦରେ ସରଳପ୍ରାଣ ଜାପାନୀ ପ୍ରୌଢ଼ ବୁକୁ ଫଟାଇ କାନ୍ଦିବାର ଦେଖିଲୁ । ସାଗର ଜଳରେ ଲୋତକର ବାରି ମିଶିଗଲା । ନିଷ୍ଠୁର ସୈନିକ ପ୍ରାଣ ମଧ୍ୟ ତରଳି ଯାଇଛି । କର୍ତ୍ତବ୍ୟର ମାୟାରେ ସେ ଆଜି ନିସ୍ତବ୍ଧ, ନିସ୍ପନ୍ଦ । ବନ୍ଧୁକ, ପୋଷାକ (ପିଠୁ) ଥୋଇ ଦେଇ ମୁଣ୍ଡରେ ହାତ ଦେଇ ସେ ମଧ୍ୟ ଚିନ୍ତାମଗ୍ନ । ହାୟରେ ପ୍ରାଚ୍ୟର ମାୟା ! ଅନେକଙ୍କୁ କହିବାବି ଶୁଣିଛି ଯେ ଅନ୍ୟ କୌଣସି ବିଦେଶଗାମୀ ଜାହାଜ ଏତାଦୃଶ୍ୟ କେବେହେଲେ ଦେଖିନାହିଁ କି ଦେଖିବ ନାହିଁ । ତତ୍‌କାଳୀନ ଆମେରିକାନ୍‌ କମାଣ୍ଡର ଜେନେରାଲ ମାକ୍‌ ଆର୍ଥରଙ୍କ ଫ୍ରାଟରନାଇଜେସନ ନିର୍ଦ୍ଦେଶମାନ ଭାରତୀୟ ଓ ଜାପାନୀମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଥିଲା କହିଲେ ଚଳେ ।

 

ଭାରତ ଚିରକାଳ ସ୍ନେହମମତାରେ ରାଜ୍ୟ ଜୟ କରି ଆସିଛି । ତା’ର ଚକ୍ଷୁରେ ତରବାରିର ଜୟ ଜୟ ନୁହେଁ । ସେହି ନୀତିହିଁ ଦିନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ପରାଧୀନ ଥାଇ ମଧ୍ୟ ଭାରତୀୟ ସୈନିକର ଜାପାନର-ହୃଦୟ-ବିଜୟ ପ୍ରଶଂସନୀୟ ନୁହେଁ କି ?

 

ହିରୋସୀମାର ବିଭୀଷିକା

 

ଦ୍ୱିତୀୟ ମହାସମରର ଅବସାନ ଓ ଜାପାନର ଆତ୍ମସମର୍ପଣ ପଛରେ ଯେଉଁ ପରମାଣୁ ବୋମା ଓ ହିରୋସୀମା ନିବିଡ଼ଭାବେ ଜଡ଼ିତ, ସେହି ହିରୋସୀମାକୁ ଥରେ ନ ଦେଖି ଫେରିବା ଯେ କୌଣସି ଜାପାନ-ଯାତ୍ରୀ ପକ୍ଷରେ ନିରର୍ଥକ । ଯୁଦ୍ଧ ପୂର୍ବରୁ ହିରୋସୀମା ଜାପାନ ମହାନଗରୀମାନଙ୍କ ଭିତରେ ଏକତମ ଥିଲା । ସେହି ବିଧ୍ୱସ୍ତ ହିରୋସୀମା ଦେଖିବା ଲାଗି ଜାପାନରେ ପାଦଦେବାମାତ୍ରେ ଚିତ୍ତ ବ୍ୟାକୁଳ ହୋଇ ଉଠିଲା । ଦିନେ ରବିବାର ଦେଖି ଆମେ ଦଳେ ସେଠାକୁ ପିକ୍‌ନିକ୍‌ରେ ବାହାରି ପଡ଼ିଲୁ । ଏହା ଆମର କ୍ୟାମ୍ପ କୂରେଠାରୁ ବେଶି ଦୂରରେ ନଥିଲା । ୩୦ । ୪୦ ମାଇଲ ହେବ । ରେଳ ସଂଯୋଗ ଅଛି ।

 

ସେଠାରେ ପହଞ୍ଚି ଯାହା ଦେଖିଲୁ, ସେଥିରେ ହୃଦୟ ବିଦାରିତ ହେବା କଥା । ଏକ ସମୟର ବିରାଟ ସହର ବର୍ତ୍ତମାନ ଜନମାନବହୀନ ଶ୍ମଶାନ ସଦୃଶ । ସହରର ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ପରିଷ୍କାର ଦେଖାଯାଉଥାଏ । କେବଳ ମଝିରେ ମଝିରେ କୁଢ଼ କୁଢ଼ ଭଙ୍ଗାରୁଜା ଗଦାମାନ ଓ କେତେକ ବଡ଼ ବଡ଼ କୋଠାମାନଙ୍କର ଲୁହାଛାଞ୍ଚ ମୂକ ସାକ୍ଷୀରୂପେ ଠିଆ ହୋଇଥାଏ-। ପରମାଣୁ ବୋମା ପଡ଼ିବାର ଦଶମାସ ସେତେବେଳକୁ ପୂରି ନ ଥାଏ; କିନ୍ତୁ ସେ ପ୍ରାଣପାତକାରୀ ଧକାକୁ ଏକାବେଳକେ ପାସୋରି ପକାଇ କର୍ମଠ ଜାପାନୀ ଉଇହୁଙ୍କା ଉଠାଇଲା ପରି ସେହି ପୁରାତନ ସହର ଉପରେ ନୂତନ ହିରୋସୀମା ଗଢ଼ିବାରେ ଲାଗିଥାନ୍ତି । ସେମାନଙ୍କ କାର୍ଯ୍ୟକଳାପରୁ ଜଣାପଡ଼ୁଥାଏ ଯେପରି ସେମାନେ ଦୁନିଆକୁ ଦେଖେଇ ଦେବାକୁ ଚାହାନ୍ତି ଯେ ପଛକଥା ଭାବି କୌଣସି ଲାଭନାହିଁ ।

 

ଏହି ଧ୍ୱସ୍ତବିଧ୍ୱସ୍ତ ହୀରୋସୀମା ପଛରେ ଯେଉଁ ଭୟାବହ କାହାଣୀ ବା ଇତିହାସ ଅଛି; ତାହା ଖୋଜି ବାହାର କରିବାକୁ ମନ ଉଚ୍ଛନ୍ନ ହେଲା । ସେସବୁ ଅଳପ ବହୁତେ ଅନେକ ଜାପାନୀଙ୍କଠାରୁ ଶୁଣିଥିଲି କିନ୍ତୁ ଶେଷରେ ଜଣେ ସ୍ୱଚକ୍ଷୁଦର୍ଶୀ ଓ ଭୁକ୍ତଭୋଗୀ ବନ୍ଧୁ ପାଇଲି । ସେ ଟୋକିଓର କାଥଲିକ ବିଶ୍ୱବିଦ୍ୟାଳୟର ଜଣେ ଜଣାଶୁଣା ଦାର୍ଶନିକ ଅଧ୍ୟାପକ । ସେ ନିଜ ଆଖିରେ ଦେଖିଥିବା କଥା ତଳେ ଲେଖିଲି ।

 

ସନ ୧୯୪୫ ମସିହା ଅଗଷ୍ଟ ୬ ତାରିଖ । ସକାଳ ବଡ଼ ପରିଷ୍କାର । ଅଶୁଭ ସଙ୍କେତର ଟିକିଏ ହେଲେ ସୂଚନା ନଥିଲା । ଜାପାନ ବକ୍ଷରେ ଉଡ଼ାଜାହାଜରୁ ବୋମାବୃଷ୍ଟି ବା ଯେ କୌଣସି ଯୁଦ୍ଧର ଆତଙ୍କ ନୂଆ ନ ହେଲେହେଁ ଖାଲି ହିରୋସୀମାବାସୀ କାହିଁକି, ସମଗ୍ର ଜାପାନବାସୀ କେହି ହେଲେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ ଆଜି ଏହି ଦିନ ଜାପାନ ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ଏବଂ ଏତେ ବଡ଼ ଭୟାବହ ଦୁର୍ଘଟନା ଘଟିବ ।

 

ସକାଳ ଠିକ୍‌ ୭ଟାବେଳେ Air raid alarm ବାଜିଲା । ସଙ୍ଗେ ସଙ୍ଗେ ଯେ ଯାହାର ଦାୟିତ୍ୱରେ ଲାଗି ପଡ଼ିଲେ । ୮ଟାବେଳେ ସବୁସଫା ( All clear) ବୋଲି ଘଣ୍ଟିଦ୍ୱାରା ଜଣାଇ ଦିଆଗଲା । ବନ୍ଧୁଟି ମୋର ସହରର ଏକ କୋଣରେ ଗୋଟିଏ ଛୋଟ କୋଠରିରେ ବସି ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ କିଛି ଶିକ୍ଷା ଦେଉଥିଲେ । କୋଠରିଟି ସହରର କେନ୍ଦ୍ରଭାଗରୁ ୪ ମାଇଲ ଦୂରରେ । କୋଠରି ଭିତରେ ବସି ଝରକା ଦେଇ ଦେଖିଲେ ପାହାଡ଼ ପାଦଦେଶର ଉପତ୍ୟକାର ପ୍ରାକୃତିକ ଦୃଶ୍ୟରାଜି ସହର ଶେଷ ପର୍ଯ୍ୟନ୍ତ ବଡ଼ ସୁନ୍ଦର ଓ ମନୋମୁଗ୍‌ଧକର ଦେଖାଯାଉଥାଏ ।

 

ବନ୍ଧୁଟି ସେହି ସୌନ୍ଦର୍ଯ୍ୟ ଉପଭୋଗ କରୁଥାନ୍ତି । ଠିକ୍‌ ୮ଟା ୧୪ ମିନିଟରେ ସମୁଦାୟ ଉପତ୍ୟାକାଟି ଏକ ପ୍ରକାର ଜିକ୍‌ ଜିକ୍‌ ଆଲୋକରେ ଆଲୋକିତ ହୋଇଛି । ଏହାକୁ ଜାପାନୀ ଭାଷାରେ ପିଲ୍‌କା ବୋଲି କହନ୍ତି । ସେହି ପିଲ୍‌କା ଅନେକ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ସଙ୍ଗେ ସଙ୍ଗେ ଏକ ଗରମ ଢେଉର ସ୍ରୋତ ଅନୁଭୂତ ହେଲା । କିଛି ଦୁର୍ଘଟନା ଆଶଙ୍କା କରି ସେ ବାହାରକୁ ଆସିବାକୁ ବାହାରି ପଡ଼ିଲେ । କବାଟ ପାଖରେ ପହଞ୍ଚିଛନ୍ତି କି ନାହିଁ, ଏକ ଅଶ୍ରୁତପୂର୍ବ ଭୟଙ୍କର ଶବ୍ଦ ଶୁଣିଲେ । ସେଥିରେ ତାଙ୍କ କାନ ତାବଦା ହୋଇଗଲା । ତା’ପରେ ଭୂମିକମ୍ପ ପରି ସମଗ୍ର ସହରଟି ଥରିବାକୁ ଲାଗିଲା । ସଙ୍ଗେ ସଙ୍ଗେ କୋଠରିର କାଚ ଝରକା ସମୂହ ଏକାସାଙ୍ଗରେ ଭିତରକୁ ଭାଙ୍ଗି ପଡ଼ିଲା । ମନେ ହେଲା, ସତେ ଯେପରି ଗୋଟିଏ ବୋମା ଠିକ୍‌ ଘରର ଛାତ ଉପରେ ଫୁଟିଲା । ଝରକାର କାଚଗୁଡ଼ିକ ଛିଟିକି ତାଙ୍କ ଶରୀରର ନାନା ସ୍ଥାନରେ ପଶି ଯାଇଥିଲା । ହାତ ମୁଣ୍ଡ ପ୍ରତ୍ୟେକ ଜାଗାରୁ କାଚର ଆଘାତରେ ରକ୍ତଧାର ବୋହୁଥାଏ । ଏତିକିବେଳେ ଘରର ଝରକା କବାଟ ସବୁ ମଧ୍ୟ ଭିତରକୁ ଖସି ଆସି ପତନୋନ୍ମୁଖୀ ଅବସ୍ଥାରେ ଥାଇ ଭୀତି ସଞ୍ଚାର କରିବାକୁ ଲାଗିଲା । କୌଣସିମତେ ସେ ଗୋଟିଏ କବାଟକୁ ଗୋଇଠା ଓ ବିଧାରେ ଭାଙ୍ଗି ଜୀବନ ବିକଳରେ ବାହାରକୁ ବାହାରି ଆସିଲେ କୋଠରିରେ ଥିବା ଅନ୍ୟାନ୍ୟ ବନ୍ଧୁମାନଙ୍କର ସେଇ ରକ୍ତାକ୍ତ ଦଶା । ସେମାନଙ୍କର ଜୀବନର ଆଶା ଖୁବ୍‌ କମ୍ ଥିଲା ।

 

ଉପତ୍ୟକାରେ ଅଗ୍ନିକାଣ୍ଡ–ଉପତ୍ୟକାର ନିମ୍ନାଂଶର ଅଳ୍ପ ଦୂରରେ ଅନେକ କୃଷକ ଘରେ ନିଆଁ ଲାଗି ଯାଇଥିଲା । ଉପତ୍ୟକାର ବିପରୀତ ପାର୍ଶ୍ୱସ୍ଥ ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ସୃଷ୍ଟି ହୋଇ ଯାଇଥିଲା । କ୍ରମେ କ୍ରମେ ସହରର ଚତୁର୍ଦ୍ଦିଗରେ ଏକ ପ୍ରଳୟ ଅଗ୍ନିକାଣ୍ଡ ଦେଖାଗଲା । ଯେଉଁଆଡ଼େ ଚାହିଁଲେ ଖାଲି ନିଆଁ ଓ ଧୂଆଁ । ମୁହୂର୍ତ୍ତକ ପରେ ପ୍ରାଣରକ୍ଷା ଲାଗି ଲୋକେ ଦଳ ଦଳ ହୋଇ ଉପତ୍ୟକା ଉପରକୁ ଦୌଡ଼ିଲେ । ବେଳକୁବେଳ ଲୋକଙ୍କ ସୁଅ ବଢ଼ିଲା ସିନା, କମିଲା ନାହିଁ-। ସମସ୍ତଙ୍କର ମୁଖ ବିଷାଦ ମଳିନକାତର । କେହି ରକ୍ତାକ୍ତ ଶରୀର ନେଇ ଧାଇଁଛି ତ କାହାର ଶରୀର ଫୋଟକାପୂର୍ଣ୍ଣ । ମୋର ବନ୍ଧୁ ଏକ ମିସନାରୀ ଅନୁଷ୍ଠାନ ତରଫରୁ ଅନେକ ଦୁଃସ୍ଥ ପ୍ରପୀଡ଼ିତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ଯଥାସାଧ୍ୟ ସାହାଯ୍ୟ କରିଥିଲେ; କିନ୍ତୁ ଯାହା ଔଷଧ ବା ବ୍ୟାଣ୍ଡେଜ ପଟିଥିଲା, ତାହା କ୍ଷଣକ ମଧ୍ୟରେ ଶେଷ ହୋଇ ଯାଇଥିଲା ।

 

ଚଲାବୁଲା କରୁଥିବା ଲୋକଙ୍କ ଭିତରେ ଅବଶ୍ୟ ଅନେକ ନିଖୁଣ ଲୋକ ଥିଲେ, କିନ୍ତୁ ବିପତ୍ତିର ମାତ୍ରା ଏତେ ଅଧିକ ଥିଲା ଯେ ସମସ୍ତେ ବ୍ୟାକୁଳ ଏବଂ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ । ପ୍ରତ୍ୟେକେ ପ୍ରତ୍ୟେକକୁ ଠେଲି ପେଲି ଚାଲିଯିବାରେ ଲାଗିଛନ୍ତି । କିନ୍ତୁ ସଙ୍ଗଠନମୂଳକ ସାହାଯ୍ୟ କରିବା କାହାରି ହେଲେ ଧାରଣାକୁ ଆସୁ ନଥିଲା । ବିଶେଷତଃ ଏହି ପ୍ରକାର ସମୟରେ କୌଣସି ଦୁର୍ଘଟନା ଘଟିଲେ ସେହି ବିପଦର ସମ୍ମୁଖୀନ ହେବାଲାଗି ଯେଉଁ ସାହସ ଓ ଧୈର୍ଯ୍ୟ ଦରକାର, ତାହା ଜାପାନୀମାନଙ୍କ ମଧ୍ୟରେ ଖୁବ୍‌ କମ୍ ଥିଲା । ଏ ପ୍ରକାର ଘୋର ଦୈବ-ବିପତ୍ତିବେଳେ ଶୃଙ୍ଖଳା ଆସିବ ବା କୁଆଡ଼ୁ ?

 

ସହରରେ ଧ୍ୱଂସ–ସହରର ଯେତେ ଭିତରକୁ ଗଲୁ ଧ୍ୱଂସର ତେତେ ଅଧିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଲା । ସହରର ଦୁଇ ପାର୍ଶ୍ୱସ୍ଥ କୋଠାବାଡ଼ି ସବୁ ଭାଙ୍ଗି ଚୂରମାର ହୋଇ ଯାଇଥିଲା । ଅଧିକାଂଶ ଘର କାଠରେ ତିଆରି । ତେଣୁ ପୋଡ଼ି ପାଉଁଶରେ ପରିଣତ ହୋଇ ଯାଇଥିଲା । ପ୍ରଥମେ ପ୍ରଥମେ ଧୂଆଁରେ କିଛି ଦେଖାଯାଉ ନଥିଲା । ଦିଗ ଠିକ୍‌ ରଖି କେତେକ ନଈକୂଳ ଆଡ଼େ ଧାଇଁଥାନ୍ତି । ବନ୍ଧୁଟି ଉତ୍ତାପ ଓ ଧୂଆଁର ଆଘାତରେ ଦୁଇଥର ନଈ ଭିତରକୁ ଟାଣି ହୋଇ ପଶିଗଲେ କିନ୍ତୁ ଭାଗ୍ୟବଶତଃ ଉଦ୍ଧାର ପାଇଲେ । ବାଟଯାକ ସମ୍ପୂର୍ଣ୍ଣ ଓ ଅର୍ଦ୍ଧଦଗ୍‌ଧ ଲୋକରେ ପୂର୍ଣ୍ଣ । କୌଣସି ସୁନ୍ଦରୀ ରମଣୀର ମୁଣ୍ଡବାଳ ପୋଡ଼ି ଯାଇଛି ତ କୌଣସି ସୁନ୍ଦର ଯୁବକ ବିକୃତାଙ୍ଗ ହୋଇ ପଡ଼ିଛି । ଅନେକେ ଏ ସଂସାରରୁ ଚିରଦିନ ଲାଗି ବିଦାୟ ନେଇ ମୃତାବସ୍ଥାରେ ପଡ଼ିଥିଲେ । ଅନେକେ ନିଆଁରେ ପଡ଼ି କୀଟ ପତଙ୍ଗ ପରି ଛଟପଟ ହେଉଥାନ୍ତି । ମିସେସା ପୋଲ ଉପରେ ଅନେକ ସୈନିକ ଏକ ସଙ୍ଗେ ଆସୁଥିଲେ । ସେମାନେ ମଧ୍ୟ ସମସ୍ତେ ଏ ପୋଡ଼ା ଆଘାତରେ ପଡ଼ିଥିଲେ । ପୋଲ ତଳେ ଅନେକ ଘୋଡ଼ା ନିଆଁ ଭୟରେ ପାଣିରେ ବୁଡ଼ିକରି ଥାନ୍ତି । ତଥାପି ସେମାନଙ୍କର କାନ୍ଧ ବାଳଗୁଡ଼ିକ ଜଳୁଥାଏ ଓ ପିଠିଯାକ ଫୋଟକା ଦିଶୁଥାଏ ।

 

ଆସାନୋ ପାର୍କରେ ଅନେକ ଲୋକ ରୁଣ୍ଡ ହୋଇଥିବାର ଦେଖାଗଲା । ପାର୍କରେ ଥିବା କଞ୍ଚା ଶୁଖିଲା ଗଛମାନ ମଧ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲା । ଗଛବୃକ୍ଷ ଭାଙ୍ଗିପଡ଼ି ରାସ୍ତାଘାଟ ସବୁ ବନ୍ଦହୋଇ ଯାଇଥିଲା । ଏକ ରାସ୍ତାରୁ ଅନ୍ୟରାସ୍ତାକୁ ଯିବା ବଡ଼ ଦୁରୂହ ବ୍ୟାପାର ଥିଲା । ଅନେକଙ୍କର କାନ ଫାଟି ରକ୍ତ ବୋହୁଥାଏ ବଡ଼ ଭୀଷଣଭାବେ । ସନ୍ଧ୍ୟା ପୂର୍ବରୁ ଦୂରସ୍ଥ ଅଗ୍ନିକାଣ୍ଡ ନିକଟରୁ ନିକଟତର ହୋଇଆସିଲା ଓ ପଲକ ମଧ୍ୟରେ ସବୁ ପୋଡ଼ି, ଜାଳି ପାଉଁଶରେ ପରିଣତ କରିଦେଲା । ବନ୍ଧୁଙ୍କ ମିଶନ୍‌ର ସମ୍ପାଦକ ଫୁକାଇସାନ୍‌ ଏ ଅବସ୍ଥା ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିଲେ ସ ଘର ଭିତରୁ ବାହାରକୁ ଆସିବାକୁ କୌଣସିମତେ ରାଜି ହେଲେ ନାହିଁ । ସେ କହିବାକୁ ଲାଗିଲେ–ଏଥର ଜାପାନର ପତନ ଅନିବାର୍ଯ୍ୟ । ସେ ଜନ୍ମଭୂମିର ଏ ଦୁର୍ଦ୍ଦଶା ଦେଖି ଆଉ ବଞ୍ଚିବାକୁ ଚାହାଁନ୍ତି ନାହିଁ । ବହୁ କଷ୍ଟରେ ତାଙ୍କୁ ଘର ଭିତରୁ ବାହାରକୁ ଅଣାଗଲା; କିନ୍ତୁ ସଙ୍ଗେ ସଙ୍ଗେ ଯିବା ବାଟ ବନ୍ଦ ହୋଇଗଲା ଏବଂ ସେଇଦିନଠାରୁ ଆଉ ଫୁକାଇସାନ୍‌ ନାଁ କେହି ଶୁଣିବାକୁ ପାଇ ନାହାନ୍ତି ।

 

ବିପତ୍ତି ମଧ୍ୟରେ ସାହାଯ୍ୟ :–ଏଡ଼େ ବଡ଼ ଦୁର୍ଘଟନା ମଧ୍ୟରେ ମିସନାରୀମାନଙ୍କର ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ପାଣି ପରି ଥିଲା ଆଘାତ ପ୍ରାପ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ମଧ୍ୟ ଏକ ସମାସ୍ୟାପୂର୍ଣ୍ଣ ବ୍ୟାପାର ହୋଇ ପଡ଼ିଥିଲା । ଅଖାରେ ତିଆରି ଷ୍ଟ୍ରେଚର ସାହାଯ୍ୟରେ ସେମାନଙ୍କୁ ବୋହିବାକୁ ପଡ଼ିଥିଲା ଓ ସେମାନଙ୍କୁ ଏଥିରେ ବହୁ କଷ୍ଟ ସହ୍ୟ କରିବାକୁ ଓ ଅଧିକ ପରିମାଣରେ ରକ୍ତ ଦେବାକୁ ପଡ଼ିଥିଲା । ଠିକ୍‌ ଏଇ ଜଟିଳ ପରିସ୍ଥିତିରେ ସ୍ୱର୍ଗର ଦେବ ସଦୃଶ ଜଣେ ଜାପାନୀ ପ୍ରୋଟେଷ୍ଟାଣ୍ଟ ପୁରୋହିତ ଗୋଟିଏ ନୌକା ନେଇଆସି ରୋଗୀମାନଙ୍କୁ ଦୂରସ୍ଥ ଏକ ନିରାପଦ ଜାଗାକୁ ଅପସାରଣ କରିବାକୁ ମତ ଦେଇଥିଲେ । ତାଙ୍କ କଥାନୁସାରେ ତାହାହିଁ କରାଯାଇଥିଲା । ଉକ୍ତ ବାଲୁକା ଭୂଖଣ୍ଡରେ ମଧ୍ୟ ସାହାଯ୍ୟପ୍ରାର୍ଥୀ ଆହତ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ନଥିଲା । ସେହି ସମୟରେ ନଦୀ ମଧ୍ୟରେ ଅସ୍ୱାଭାବିକଭାବେ ଉତ୍ତାଳ ତରଙ୍ଗମାନ ମଧ୍ୟ ଉଠୁଥିଲା ଏବଂ ସେଇ ଢେଉରେ ଜୀବନ ହରାଇବାର ଆଶଙ୍କା ସମସ୍ତଙ୍କର ଥିଲା ।

 

କିନ୍ତୁ ମିସନାରୀ ଦଳ ହଠାତ ଏକ ବିପଦର ସମ୍ମୁଖୀନ ହେଲେ । ଦଳେ ଜାପାନୀ ସେମାନଙ୍କୁ ଭେଟିଲେ । ଜାପାନୀମାନଙ୍କ ମିସନାରୀ ଦଳଙ୍କୁ ବିଦେଶୀ ଭାଷାରେ କଥାବାର୍ତ୍ତା କରୁଥିବାର ଦେଖି ସେମାନଙ୍କୁ ଆମେରିକାନ୍‌ ପାରାଚୁଟ୍ ଭାବି ଖଡ଼୍‌ଗ ଉତ୍ତୋଳନ କରି ଖଣ୍ଡ ବିଖଣ୍ଡ କରି ହାଣି ପକାଇବାର ଧମକ ଦେଲେ । ସେ ସମୟରେ ସହର ମଧ୍ୟରେ ପାରାଚୁଟମାନଙ୍କ ସମ୍ବନ୍ଧରେ ଖୁବ୍‌ ଗୁଜବ ଉଠୁଥିଲା । ପରେ ସେମାନେ ‘‘ଜର୍ମାନ ଅଧିବାସୀ ମିସନାରୀ ଦଳ’’ ବୋଲି ବୁଝାଇ ଦେବାରେ ସେମାନେ ବୁଝି ଯାଇଥିଲେ । ଧ୍ୱଂସ ପ୍ରାପ୍ତ ଜିନିଷ ସଙ୍ଗେ ସଙ୍ଗେ ଅନେକ ମୃତଦେହ ପୋଡ଼ି ହୋଇଯାଇ ଏପରି ଏକ ତୀବ୍ର ଗନ୍ଧ ସୃଷ୍ଟି କରୁଥିଲା ଯେ ସେହି ଗନ୍ଧ ନାକରେ ବାଜିଲା ମାତ୍ରକେ ମୁଣ୍ଡ ବୁଲାଇ ହୋଇ ବାନ୍ତି ଆରମ୍ଭ ହେଉଥିଲା । ଏହିପରି ମିସନାରୀ ଦଳରୁ ଅଧିକାଂଶ ଅସୁସ୍ଥ ହୋଇ ପଡ଼ିବାରୁ କାର୍ଯ୍ୟର ଗତି ଅତି ଶିଥିଳ ହୋଇ ପଡ଼ିଥିଲା ।

 

ବିରାଟ ଭସ୍ମ ପ୍ରାନ୍ତର–ଅଗଷ୍ଟ ୭ ତାରିଖ ଦିନ ସକାଳ ବଡ଼ ପରିଷ୍କାର । ସେହି ଉଜ୍ଜ୍ୱଳ ସୂର୍ଯ୍ୟାଲୋକ ଗତ ରାତ୍ରର ଅନ୍ଧକାରରେ ବୁଡ଼ିଥିବା ସେହି ଭୟାବହ ଦୃଶ୍ୟଗୁଡ଼ିକୁ ବେଶ୍ ସ୍ପଷ୍ଟଭାବେ ପ୍ରକଟିତ କରି ଦେଉଥିଲା । କେଡ଼େ ସୁନ୍ଦର ସହର, ଯାହାକି ୨୪ ଘଣ୍ଟାତଳେ ବିଲକୁଲ ନିଖୁଣ ଥିଲା ତାହା ବର୍ତ୍ତମାନ ଧ୍ୱଂସସ୍ତୂପ । ଯେଉଁ ଆଡ଼େ ଦେଖ, ଯେତେଦୂର ଦୃଷ୍ଟି ଯାଇପାରେ, କେବଳ ଦେଖାଯିବ ଏକ ବିରାଟ ଭସ୍ମ ପ୍ରାନ୍ତର । ନଦୀର ଦୁଇକୂଳ କେବଳ ମୃତାହତ ଲୋକରେ ଭରା । ଯେପରି ମନେହୁଏ, ପଥର ବଦଳରେ ଖାଲି ମଲା ମଣିଷରେ ଏକବନ୍ଧ ବାନ୍ଧି ଦିଆଯାଇଛି । ନଦୀର ଢେଉରେ ମଧ୍ୟ ଅନେକ ଶବ ଭାସୁଥାଏ । ଉଲଗ୍ନ, ମୃତପ୍ରାୟ ଲୋକଙ୍କ ସଂଖ୍ୟା ଖୁବ୍‌ ବେଶି-। ଅନେକ ଆହତ ମନୁଷ୍ୟର ପ୍ରାଣ ସୁକୁ ସୁକୁ ହେଉଥାଏ । ନିଆଁରେ ପୋଡ଼ି ଯାଇଥିବା ଟ୍ରାମ ଏବଂ ମଟର ଗାଡ଼ି ତଳେ ଅନେକ ଘୁଷୁରି ଘୁଷୁରି ଯାଇ ପଡ଼ିଥାନ୍ତି । ଏହିପରି ସମଗ୍ର ହିରୋସୀମା ଏକ ଶ୍ମଶାନରେ ପରିଣତ ହୋଇ–ପଡ଼ିଥିଲା ।

 

ଏତେ ଅସୁବିଧା ସତ୍ତ୍ୱେ ମିସନାରୀ ଦଳ କେତେକ ରୋଗୀ ଓ ଆହତ ଲୋକଙ୍କୁ ସେମାନଙ୍କ ଯତ୍ନରେ ରଖି ସେବା ଶୁଶ୍ରୂଷା କରୁଥିଲା । ସେମାନଙ୍କ ଘା-ଘାଉଡ଼ ପ୍ରତିଦିନ ଧୋଇ ଔଷଧ ଦେଉଥିଲେ । କିନ୍ତୁ କ୍ରମେ କ୍ରମେ ରୋଗୀ ସବୁ ଅଜୀର୍ଣ୍ଣ ରୋଗରେ ପୀଡ଼ିତ ହେବାକୁ ଲାଗିଲେ । ସେତେବେଳେ ମିସନାରୀର ସେବାକାର୍ଯ୍ୟ ସାଧାରଣ ଲୋକଦୃଷ୍ଟିରେ ଖ୍ରୀଷ୍ଟଧର୍ମ ପ୍ରତି ଏକ ମହାଦାନ ସ୍ୱରୂପ ଦେଖା ଦେଇଥିଲା । ବିଗତ କେତେବର୍ଷ ଧରି ଏପରି କାମ କେବେହେଲେ ହୋଇ ନଥିଲା ।

 

ଦିନକ ପରେ ଦାହୋତ୍ସବ ଆରମ୍ଭ ହେବାକୁ ଲାଗିଲା । କି ସକାଳ, କି ସନ୍ଧ୍ୟା ସବୁବେଳେ ସମର୍ଥ ଲୋକମାନେ ନିଜ ନିଜର ଆତ୍ମୀୟ ଲୋକମାନଙ୍କୁ ନେଇ ଉପତ୍ୟାକାରେ ଶବଦାହ କରିବାକୁ ଆରମ୍ଭ କଲେ । ଯେଉଁମାନେ ଆତ୍ମୀୟହରା ହୋଇ ବିଦାୟ ନେଇଥିଲେ ସେମାନଙ୍କର ଖବର ରଖେ କିଏ ? ରାତ୍ରିରେ ସମଗ୍ର ଉପତ୍ୟକାଟି ଚିତାଗ୍ନିରେ ଆଲୋକିତ ଦିଶୁଥାଏ, ଯେପରି ଏଇ ଆଲୁଅଟା କେବଳ ବାକି ରହିଯାଇଥିଲା । ଏହିପରି କେତେଦିନ, କେତେ ରାତି ଧରି ଯେ ଅନ୍ତ୍ୟେଷ୍ଟିକ୍ରିୟା ଚାଲିଲା ତା’ର ହିସାବ କିଏ ରଖୁଛି ?

 

କେତେ ମଲେ–ଏଟମ୍‌ବୋମା ଫୁଟିବା ଫଳରେ ସମସ୍ତ ସହରଟି ଏକାବେଳକେ ଧ୍ୱଂସ ହୋଇଗଲା । ପ୍ରାୟ ୪ ମାଇଲ ବ୍ୟାସାର୍ଦ୍ଧରେ ଯେତେ ଘରବଡ଼ିସବୁ ଥିଲା ସବୁ ଫୁଙ୍କି ଦେଲା ପରି କେଉଁଆଡ଼େ ଉଡ଼ିଗଲା । ଯେଉଁମାନେ ଘର ଭିତରେ ଥିଲେ, ସେମାନେ ସେହିଠାରେହିଁ ସମାଧି ନେଲେ । ଯେଉଁମାନେ ବାହାରେ ଥିଲେ, ସେମାନେ ଉତ୍ତାପର ଢେଉରେ ପୋଡ଼ି ଜଳି ମଲେ । ନିଆଁର ଲେଳିହାନ ଜିହ୍ୱା କ୍ଷଣକ ମଧ୍ୟରେ ମାଡ଼ିଗଲା । ଭୂଇଁ ଉପରୁ ଯେଉଁ ଉତ୍ତାପ ଉଠିଲା, ତା’ ଫଳରେ ଏକ ଭୀଷଣ ଘୂର୍ଣ୍ଣିବାୟୁ ସୃଷ୍ଟି ହେଲା ଏବଂ ହନୁମାନ ଲାଙ୍ଗୁଡ଼ରେ ନିଆଁ ଲଗାଇ ସାରା ଲଙ୍କା ଧ୍ୱଂସ କଲାପରି ସେହି ଘୂର୍ଣ୍ଣିବାୟୁ କ୍ଷଣକ ମଧ୍ୟରେ ଅଗ୍ନିକାଣ୍ଡକୁ ସାରା ସହର ମଧ୍ୟରେ ବିଛାଇ ଦେଲା ।

 

ଯେତେବେଳେ ଏଡ଼େ ବଡ଼ ବିଭ୍ରାଟ ଘଟିଲା–ସେତେବେଳେ ସମସ୍ତେ ପଚାରିବେ–କେତେ ମଲେ ? ଏଥିପୂର୍ବରୁ ହିରୋସୀମାର ଲୋକସଂଖ୍ୟା ଥିଲା ୪,୨୦୦୦୦ । ସରକାରୀ କାଗଜପତ୍ରରୁ ଜଣାଯାଏ ଯେ ସନ ୧୯୪୬ ସେପ୍‌ଟମ୍ବର ପହିଲା ପର୍ଯ୍ୟନ୍ତ ପ୍ରାୟ ୭୦ ହଜାର ଲୋକ ମରିଥିଲେ ।

 

ଏହି ଭୀଷଣ ବୋମା ମାଡ଼ରେ ହିରୋସୀମାର ପ୍ରାୟ ୨ ଲକ୍ଷ ଲୋକଙ୍କର ଜୀବନାବସାନ ହୋଇଥିଲା । ସେଥିମଧ୍ୟରୁ ମାତ୍ର ୭୮,୧୫୦ଟି ମୃତଦେହକୁ ଚିହ୍ନଟ କରାଯାଇ ପାରିଥିଲା । ବହୁ ସହସ୍ର ଲୋକଙ୍କର କୌଣସି ପତ୍ତା ମିଳି ନଥିଲା ।

 

ଏହି ବୋମାମାଡ଼ ପରେ ସହରରେ ମାତ୍ର ୧୭୬୯୮୭ ଜଣ ଲୋକ ଜୀବିତ ଥିଲେ । ଏମାନଙ୍କ ମଧ୍ୟରୁ ଆଜି ମଧ୍ୟ ୯୬ ହଜାର ଲୋକ ଜୀବିତ ।

 

ଆହତ ସଂଖ୍ୟା ପ୍ରାୟ ୧୩୦ ହଜାର ଥିଲେ, ଯାହା ଭିତରେ ପ୍ରାୟ ୪୩,୫୦୦ ବିଶେଷଭାବେ ଆହତ ହୋଇଥିଲେ । ମୋଟ ଉପରେ ମୃତସଂଖ୍ୟା ପ୍ରାୟ ୨ଲକ୍ଷ ଥିଲା । ଏହାପରେ ଯେ ହଜାର ହଜାର ଆହତ ଲୋକ ମଲେ, ତା’ର ଖୋଜଖବର କେହି ରଖି ନାହିଁ । ଏ ପ୍ରକାର ଦୁର୍ଘଟନାରେ ନିଜ ନିଜର ଜୀବନୋଦ୍ଧାର ବଡ଼ କଷ୍ଟକର ହୋଇ ପଡ଼ିଥିଲା । ପ୍ରାଥମିକ ଚିକିତ୍ସାପାଇଁ ଯେତେ ଯାହା ବନ୍ଦୋବସ୍ତ ଥିଲା, ତାହା ମୁହୂର୍ତ୍ତକ ମଧ୍ୟରେ ଶେଷ । ଅବଶ୍ୟ ଯେଉଁମାନେ ଭଲ ଚିକିତ୍ସା ପାଇଲେ, ସେମାନେ ରୋଗମୁକ୍ତ ହେଲେ । କିନ୍ତୁ ଏହା ଖୁବ୍‌ କମ୍‌ । ଏପରି ଅନେକ ଘଟନା ଘଟିଛି–ଅବସ୍ଥା ବାହାରେ ଖୁବ୍‌ ଭଲ ଦେଖାଯାଉଥିଲେ ମଧ୍ୟ ତା’ର ଆକସ୍ମିକ ମୃତ୍ୟୁ ଘଟିଛି । କାହାର ଦେହରେ ସାମାନ୍ୟ ଆଘାତ ହୋଇଥିଲେହେଁ ଏକ ସପ୍ତାହ ମଧ୍ୟରେ ତା’ର ପାଟିରେ ପ୍ରଦାହ ଜନିତ ବ୍ୟଥାରେ କଥା ଶେଷ । ଆଣବିକ ବୋମାର କ୍ଷତିକାରକ ଶକ୍ତି ମନୁଷ୍ୟର ରକ୍ତ ସଙ୍ଗେ ଯେ ଜଡ଼ି କରିଥିଲା ଏହା ନିଃସନ୍ଦେହରେ କୁହାଯାଇପାରେ । ତା’ର ବିଷମୟ ଶକ୍ତି (energy)ର ଫଳାଫଳ ଅନେକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଥିଲା । ଜାପାନର କେ କେଉଁଠି ଏ ଖବର ପହଞ୍ଚିବାମାତ୍ରେ ଯେତେ ଯେଉଁଆଡ଼େ ସୁଦକ୍ଷ ଡାକ୍ତରମାନେ ଥିଲେ, ସେମାନଙ୍କୁ ଜାପାନ ସରକାର ହିରୋସୀମା ଅଞ୍ଚଳକୁ ପଠାଇଲେ ।

 

ହିରୋସୀମାରେ ୩୦୦ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୫୦ ଜଣ ଡାକ୍ତର ଏହି ମାରାତ୍ମକ ବେମାରର ବିଷମୟ ପରିଣତକୁ ରକ୍ଷାପାଇବାର ଜଣାଯାଏ । ଏମାନଙ୍କ ମଧ୍ୟରେ ୬୩ ବର୍ଷ ବୟସ୍କ ଡାକ୍ତର ଫୁମଓସିଙ୍ଗୋଟୋ ଏବେ ମଧ୍ୟ ଜୀବିତ । ସେ ବର୍ତ୍ତମାନ କଥାକାର ଆଣବିକ ବୋମା ଡାକ୍ତରଖାନାରେ ଅଧ୍ୟକ୍ଷ । ଏହି ଡାକ୍ତରଖାନାରେ ଆଣବିକ ବୋମାରେ କ୍ଷତି ଗ୍ରସ୍ତ ରୋଗୀମାନଙ୍କୁ ଚିକିତ୍ସା କରାଯାଇଥାଏ । ଏମାନଙ୍କ ମଧ୍ୟରୁ ବହୁବ୍ୟକ୍ତି ଏବେ ମଧ୍ୟ କ୍ୟାନ୍‌ସର ଓ ଲିଉକେମିଆ ରୋଗାକ୍ରାନ୍ତ ହୋଇ ପଡ଼ିଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ଜୀବନଯାପନ ସେମାନଙ୍କ ପକ୍ଷରେ ଏକ ପ୍ରକାର ଦୁର୍ବହ ହୋଇ ପଡ଼ିଛି । ଆଣବିକ ବୋମାର କ୍ଷତଚିହ୍ନ ଏବେମଧ୍ୟ ସେମାନେ ଶରୀରର ବିଭିନ୍ନ ସ୍ଥାନରେ ଧାରଣ କରି ତିଳେ ତିଳେ ଜଳିପୋଡ଼ି ଦୁର୍ବହଜୀବନ ଅତିବାହିତ କରୁଛନ୍ତି । ଭ୍ରୂଣ ଅବସ୍ଥାରେ ଥିବା ଶିଶୁ ମଧ୍ୟ ଏହାର ବିଷମୟ ପରିଣତିରୁ ରକ୍ଷା ପାଇ ପାରିନାହିଁ । ଏବେ ମଧ୍ୟ ବହୁ ବ୍ୟକ୍ତି ତେଜଷ୍କ୍ରିୟତାରେ ଆକ୍ରାନ୍ତ ହୋଇଥିବା ହେତୁ ବିବାହ କରିବାକୁ ଡରୁଛନ୍ତି । ଏବେ ମଧ୍ୟ ଲୋକେ T.B. ପ୍ରଭୃତି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବାର ଦେଖାଯାଏ ।

 

ଦୋଷ କାହାର–ହିରୋସୀମାର ଭୟାବହ କ୍ଷତି ପ୍ରତି ଲକ୍ଷ୍ୟ କଲେ ଯେ କୌଣସି ପାଠକର ଆମେରିକା ପ୍ରତି ଘୃଣା ଓ ଜାପାନ ପ୍ରତି ସହାନୁଭୂତି ଜନ୍ମିବା ସ୍ୱାଭାବିକ । କିନ୍ତୁ ତା’ ପୂର୍ବରୁ ଜାପାନରେ ଯୁଦ୍ଧକାଳୀନ କାର୍ଯ୍ୟ କଳାପ ପ୍ରତି ଟିକେ ଦୃଷ୍ଟିପାତ କରାଯାଉ । ସନ ୧୯୪୩ ଠାରୁ ଆରମ୍ଭ କରି ଦ୍ୱିତୀୟ ମହାସମର ଶେଷ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ କାଳ ଧରି ଜାପାନ ତା’ର ପଡ଼ୋଶୀ ରାଜ୍ୟ ତତ୍‌କାଳୀନ ନିରୀହ ଚୀନ ଉପରେ ଅମାନୁଷିକ ଅତ୍ୟାଚାର କରି ଆସିଛି । ତା’ର ସାମ୍ରାଜ୍ୟ ବିସ୍ତାର ଲାଳସା ଏତେ ବଳବତ୍ତର ହୋଇ ଉଠିଥିଲା ଯେ ସେ ସେଥି ନିମନ୍ତେ ଦୁନିଆର କୌଣସି କୁକର୍ମ କରିବାକୁ ପଛେଇ ନାହିଁ । ଚୀନ ପଛକୁ ବର୍ମା ଅଧିକାର ଏବଂ ତା’ ପଛକୁ କିଏ ଜାଣିଥିଲା, ଭାରତ ବିଟ୍ରିଶ ଶାସନାଧୀନରେ ନଥିଲେ ଜାପାନର କରଗତ ହୋଇ ତା’ର ଅବସ୍ଥା କ’ଣ ହୋଇଥାନ୍ତା । ସେତିକିବେଳେ ମଧ୍ୟ ଜାପାନ ଭାରତ ଉପକୂଳର କେତେକ ବାଣିଜ୍ୟ ଜାହାଜ ତା’ର ଟର୍ପେଡ଼ୋ ସାହାଯ୍ୟରେ ସମୁଦ୍ର ଗର୍ଭରେ ଲୀନ କରାଇବାକୁ ପଛେଇ ନାହିଁ ! ସମସ୍ତେ ବ୍ରିଟିଶ ସାମ୍ରାଜ୍ୟର ଆଣ୍ଟ ଓ ପୃଥିବୀର ଅଦ୍ୱିତୀୟ ପ୍ରିନ୍‌ସ ଅବ୍‌ ଓୟେଲ୍‌ସ ସଦୃଶ ଜାହାଜକୁ ମଧ୍ୟ ସିଙ୍ଗାପୁର ବକ୍ଷରେ ଧ୍ୱଂସ କରି ପାରିଥିଲା । ତା’ ଛଡ଼ା କେତେ ଯେ ଧନଜନ ହାନିର କାରଣ ହୋଇଥିଲା, ତା’ର ହିସାବ କିଏ ରଖିଛି ? ସର୍ବୋପରି ବିଛାମନ୍ତ୍ର ନଜାଣି ସାପ ଗାତରେ ହାତ ଦେଲା ପରି ପ୍ରତାପୀ ଆମେରିକା ସଙ୍ଗେ ସନ୍ଧି ପ୍ରସ୍ତାବ ହେଉଥିବାବେଳେ ତା’ର ଅଧିକୃତ ପାର୍ଲ ହାର୍ବର ଉପରେ ଯେଉଁ ବୋମା ବର୍ଷଣ ତାହା ସବୁଠାରୁ ବଳି ପଡ଼ିଲା । ଏ ପ୍ରକାର ବିଶ୍ୱାସଘାତକତାରେ ଖାଲି ଆମେରିକା କାହିଁକି, ଯେ କୌଣସି ଶକ୍ତିଶାଳୀ ଦେଶ କି ଧୈର୍ଯ୍ୟ ଧରି ରହିପାରେ ? ତେଣୁ ହେଲା ହିରୋସୀମା ଓ ନାଗସାକି ଉପରେ ଆଣବିକ ବୋମାର ବିସ୍ଫୋରଣ; ଯେଉଁ ଧ୍ୱଂସଲୀଳା ଫଳରେ ଜାପାନ କଲା ଆତ୍ମସମର୍ପଣ । ଏଥିଲାଗି ଆମେରିକାକୁ ଅନେକ ଦୋଷ ଦେଇ ପାରନ୍ତି । କିନ୍ତୁ ନୀତିଗତ ଦୃଷ୍ଟିରୁ ଏ ଧ୍ୱଂସ ଲାଗି ଆମେରିକାକୁ କୌଣସି ମତେ ଦୋଷ ଦିଆଯାଇ ନ ପାରେ ଏବଂ ତାହା ଠିକ୍‌ ସମୟୋପଯୋଗୀ ହୋଇଛି । ତାହା ନ ହୋଇଥିଲେ ଦୁର୍ଦ୍ଧର୍ଷ ଜାପାନ ପୃଥିବୀର ମାନଚିତ୍ରକୁ ଅନ୍ୟ ପ୍ରକାର ଅଙ୍କନ କରି ନୂଆ ଇତିହାସ ଗଢ଼ିଥାନ୍ତା । କ୍ଷମତା ଲିପ୍‌ସୁ ସବୁବେଳେ ଅନ୍ଧ । ତା’ର ଆଗପଛ ବିଚାର ନଥାଏ । କିନ୍ତୁ ସେ ଯେ ଭୁଲିଯାଏ ଉଧାର ମାଣକ ପାଞ୍ଚ ପା । ତେଣୁ ମହାଯୁଦ୍ଧର ଘଡ଼ିସନ୍ଧିବେଳେ ଆମେରିକା ଯେ ଏ ଦିଗରେ ଲକ୍ଷେ ଲୋକ ମରି ଅନ୍ୟଆଡ଼େ କୋଟି କୋଟି ଲୋକଙ୍କୁ ଜାପାନର କରାଳ ଗ୍ରାସରୁ ରକ୍ଷା କଲା; ସେଥିଲାଗି ସେ କେତେକ ଦିଗରୁ ସମସ୍ତଙ୍କର ଧନ୍ୟବାଦର ପାତ୍ର ।

 

କ୍ୟୋତୋରେ ସାତ ଦିନ

 

କ୍ୟୋତୋ ହଂସୁ ଭୂଖଣ୍ଡର ମଧ୍ୟ ଭାଗରେ ଏକ ପ୍ରଧାନ ସହର । ଠିକ୍‌ ଜାପାନର କେନ୍ଦ୍ର ଭାଗରେ ଅବସ୍ଥିତ ଏବଂ ପୁରାତନ ଜାପାନର ରାଜଧାନୀ ଥିଲା । ଏହି କ୍ୟୋତୋ ସହରର ଅଳ୍ପ ଦୂରରେ ଉଦି ନାମକ ଜାଗାରେ (Bcof) ବିକଫ୍‌ଟ୍ରୁପ୍‌ସର ଚିତ୍ତବିନୋଦନ ଲାଗି ଏକ ହଲି-ଡେ କ୍ଲବ ଅନୁଷ୍ଠାନ ଗଢ଼ା ଯାଇଥିଲା । ଯେଉଁଠାକୁ ସାରା ଜାପାନରୁ ବୈଦେଶିକ ସୈନ୍ୟଗଣ ଦଳ ଦଳ ହୋଇ ଆସି ଦେଖି ବୁଲି ଉପଭୋଗ କରି ଯାଉଥିଲେ ।

 

ଜାପାନର ଦେଢ଼ବର୍ଷକାଳ ଡିପୋରୁ କ୍ୟାମ୍ପ ଓ କ୍ୟାମ୍ପରୁ ଡିପୋ–ଏହି ପ୍ରକାରେ କଟିଯିବା ପରେ ଦିନେ ମୋ ଭାଗ୍ୟରେ ହଠାତ ଏହି କ୍ୟୋତୋ ସହର ଦେଖିବାର ପାଳି ପଡ଼ିଲା । ମୁଁ ଓ ମୋର ଆଉ କେତେଜଣ ବନ୍ଧୁ ୧୯୪୭ ମସିହା ଅଗଷ୍ଟ ମାସ ୨୯ ତାରିଖ ଦିନ ସକାଳେ ଗୋଟିଏ ଛୋଟ ଗାଡ଼ିରେ କୂରେ ଷ୍ଟେସନ ଅଭିମୁଖରେ ଚାଲିଲୁ । ଠିକ୍‌ ୮ଟା ୫ ମିନିଟ୍‌ରେ ସ୍ୱତନ୍ତ୍ର ରେଳଗାଡ଼ିଟି ଆମ୍ଭମାନଙ୍କୁ କ୍ୟୋତୋ ଅଭିମୁଖରେ ନେଇ ଚାଲିଲା । ଅନ୍ୟାନ୍ୟ ଅଞ୍ଚଳରୁ କେତେକ ୟୁନିଟ୍‌ରୁ ଆହୁରି ଅନେକ ସାଥୀବି ଆସିଥାନ୍ତି । ରେଳ ଲାଇନ୍‌ର ଦୁଇ ପାର୍ଶ୍ୱରେ ଆମ ଆଡ଼ ପରି ଅନେକ ସୁଶ୍ୟାମଳ ଶସ୍ୟାପ୍ରାନ୍ତର, ପର୍ବତ, ନିର୍ଝରିଣୀ, ସାଗର ଓ ପୁରପଲ୍ଲୀ । ନୂଆ କଥା ଭିତରେ ଅସଂଖ୍ୟ ଲମ୍ବା ଲମ୍ବା ସୁଡ଼ଙ୍ଗ ଓ ଦୁଇ ପାଖେ ବଡ଼ ବଡ଼ ଧ୍ୱସ୍ତବିଧ୍ୱସ୍ତ କାରଖାନା । ରେଳଗାଡ଼ିଟି ହିରୋ, ଇତୋଜାକି, ଓନୋମିଚି, ଫୁକୁୟାମା, ଓକାୟାମା, ହିମେଜ, ମାଇକୋ, କୋବେ, ସାନେମ୍ୟା, ଓଶାକା ପ୍ରଭୃତି ବଡ଼ ବଡ଼ ଷ୍ଟେସନମାନ ଦେଇ ଠିକ୍‌ ଦିନ ୪।୩୫ରେ କ୍ୟୋତା ଷ୍ଟେସନରେ ପହଞ୍ଚିଲା ।

 

ଷ୍ଟେସନ ବାହାରେ କ୍ଲବ ତରଫରୁ ଦୁଇଟି ବଡ଼ ବସ୍‌ ଆମକୁ ନେବାଲାଗି ଠିଆ ହୋଇଥିଲା । ହଷ୍ଟେଲର ଅଫିସର କମାଣ୍ଡିଂ କାପ୍‌ଟେନ ବଲରାଜ୍‌ ମଧ୍ୟ ଷ୍ଟେସନ୍‌ରେ ଆମ୍ଭମାନଙ୍କ ଅପେକ୍ଷାରେ ଥିଲେ । ସମସ୍ତ ଏକ ସଙ୍ଗେ ଠିକ୍ ସନ୍ଧ୍ୟା ପାଞ୍ଚଟାରେ ହଷ୍ଟେଲରେ ପହଞ୍ଚିଲୁ । ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ କୋଠରି ମିଳିଥିଲା । ଲୁଗାପଟା ପାଲଟି ସାରି ଉପର ମହଲା କ୍ୟାଣ୍ଟିନରେ ଚା’ ପିଉଥିବାବେଳେ କାପ୍‌ଟେନ୍‌ ସାହେବ ହଷ୍ଟେଲର ଡିସିପ୍ଲିନ ସମ୍ବନ୍ଧରେ କେତେକ କଥା କହିଲେ ହଷ୍ଟେଲରେ କୌଣସି ପ୍ରକାର ଅସୁବିଧା ନଥିଲା । ସବୁ ପ୍ରକାର ସାହାଯ୍ୟ କରିବା ଲାଗି ଚାକର–ଚାକରାଣୀର ସୁବ୍ୟବସ୍ଥା ଥିଲା । ସନ୍ଧ୍ୟା ୭ଟାରେ ଖାଇସାରି ଟିକେ ଆରାମ କଲୁ । ଜାପାନୀ ପ୍ରଣାଳୀରେ ରନ୍ଧା ହୋଇଥିଲେହେଁ ଖାଦ୍ୟ ବେଶ୍‌ ସୁସ୍ୱାଦୁ ହୋଇଥିଲା ।

 

ହଷ୍ଟେଲର ଅବସ୍ଥିତିଟି ବଡ଼ ଚମତ୍କାର । ଅସଂଖ୍ୟ ଦୃଶ୍ୟରାଜି ମଧ୍ୟରୁ ଠିକ୍‌ ଉଜୀ ନଦୀର ଧାରରେ ଅବସ୍ଥିତ । କାନରେ ଉଜୀର କୁଳୁ କୁଳୁ ଶବ୍ଦ ଓ ଦେହରେ ସୁଲୁ ସୁଲୁ ବାଆ ଥରେ ବାଜିଲେ ସମସ୍ତ ଦିନର କ୍ଳାନ୍ତି ଅବସାଦ ଉଭେଇ ଯିବ । ୮ଟାବେଳେ ଗୋଟିଏ ଜାପାନୀ ନାଚ ପାର୍ଟିର ବନ୍ଦୋବସ୍ତ ଥିଲା । ଜାପାନୀ ନାଚ ଓ ଗୀତ ଦେଖିବା ପ୍ରଥମ ହୋଇ ଥିଲେହେଁ ତାହା ବଡ଼ ହୃଦୟସ୍ପର୍ଶୀ ହୋଇଥିଲା । ନର୍ତ୍ତକନର୍ତ୍ତକୀଗଣ କ୍ୟୋତୋ ନାଟ୍ୟଶାଳାରୁ ନିମନ୍ତ୍ରିତ ହୋଇ ଆସିଥିଲେ-। ସେମାନେ ପୁରାତନ ଜାପାନର ନାଚ ଗୀତଠାରୁ ଆରମ୍ଭ କରି ଆଧୁନିକ ନଗ୍ନ ନାଟ୍ୟ କଳା ପର୍ଯ୍ୟନ୍ତ ସବୁଥିରେ ଧୁରନ୍ଧର ଥିବାର ଦେଖାଗଲା । ବାଦ୍ୟଯନ୍ତ୍ର ଆଦି ପଶ୍ଚିମ ଧରଣର । ସେମାନେ ରାତି ୯ଟାବେଳେ ସେମାନଙ୍କ କାର୍ଯ୍ୟକ୍ରମ ଶେଷ କରି ଚାଲିଗଲେ । ତା’ପରେ କ୍ୟାଣ୍ଟିନ ଖୋଲିଲା-। ଯେଉଁମାନଙ୍କର ସୁରାପାନ ଅଭ୍ୟାସ ସେମାନେ ତାହା ସେବନ କଲେ । ମୁଁ କପେ ଚା’ ପିଇଲି । ଚା’ ପିଉଥିବାବେଳଳେ କାପ୍‍ଟେନ୍‌ ବଳରାଜ୍‌ ସାହେବଙ୍କ ସାଥିରେ କିଛି ସମୟ ପାଇଁ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା । କଥା ପ୍ରସଙ୍ଗରେ ସେ କହିଲେ ଯେ ସେ ଖୁବ୍‌ କଷ୍ଟ ସହ୍ୟକରି ଭାରତୀୟ ସୈନ୍ୟମାନଙ୍କର ଆମୋଦ ପ୍ରମୋଦ ପାଇଁ ନିଜେ ଏ ହଷ୍ଟେଲ ଖୋଲିଥିଲେ ଓ ନିଜ ହାତରେ ଖୁବ୍‌ ଶୀଘ୍ର ବନ୍ଦ କରିବାକୁ ଯାଉଛନ୍ତି, ଯେହେତୁ ଭାରତୀୟ ସୈନ୍ୟବାହିନୀ ଅତିଶୀଘ୍ର ଜାପାନରୁ ପ୍ରସ୍ଥାନ କରୁଛନ୍ତି । ସେ ଏ ହଷ୍ଟେଲଟି ଯଥୋପଯୁକ୍ତ କରିବାରେ ପ୍ରାୟ ୬୦ ଲକ୍ଷ ୟାନ (୪ ଲକ୍ଷ ଟଙ୍କା) ଖରଚ କରି ସାରିଛନ୍ତି । ତଥାପି ତାଙ୍କର ଆଶା ଅପୂରଣ ରହି ଯାଇଅଛି । ରାତି ଦଶଟା ବାଜି ଯାଇଥିଲା । ଦିନର ଭ୍ରମଣଜନିତ କ୍ଳାନ୍ତି ଯୋଗୁଁ ଶୋଇବାକୁ ଗଲି ବେଶ୍‌ ନିଦ ହେଲା-

 

୩୦ ତାରିଖ ଦିନ ସକାଳେ ଚା’ ଜଳଖିଆ ଖାଇ ସାରିବା ପରେ ନୋଟିସ୍‌ ବୋର୍ଡ଼ରେ ଦେଖିଲୁ ଯେ ସେଦିନ ଜାପାନର ପୁରାତନ ରାଜଧାନୀ ଓ ସୁପ୍ରସିଦ୍ଧ କ୍ୟୋତୋ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ଥିଲା । ୯ଟାବେଳେ ସମସ୍ତେ ଗୋଟିଏ ବଡ଼ ବସ୍‌ରେ କ୍ୟାମ୍ପ ଛାଡ଼ିଲୁ । ପ୍ରଥମେ ହୋଗାସିହୋଙ୍ଗାଜୀ ନାମକ ଏକ ବୁଦ୍ଧ ମନ୍ଦିରକୁ ଗଲୁ । ଏହା ଜାପାନର ବୌଦ୍ଧଧର୍ମାବଲମ୍ବୀମାନଙ୍କର ପ୍ରଧାନ ପୁଣ୍ୟପୀଠ । ଏହା ୧୧୦୭ ଖ୍ରୀଷ୍ଟବ୍ଦରେ ମହାରାଜ ସିନରାଂଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ୧୧୮୦ ଖ୍ରୀଷ୍ଟବ୍ଦରେ ଏକ ପ୍ରଳୟ ଅଗ୍ନି କାଣ୍ଡରେ ଏହା ଭସ୍ମସାତ୍‌ ହୋଇ ଯାଇଥିଲା । ତା’ପରେ ସମ୍ରାଟ ଏହାର ପୁନର୍ନିର୍ମାଣ ପାଇଁ ପ୍ରତ୍ୟେକ ଜାପାନୀକୁ ନିବେଦନ କରିଥିଲେ । ଏହି ନିବେଦନକୁ ଶୁଣି ନିଆଁକୁ ପତଙ୍ଗ ଡେଇଁଲା ପରି ଜାପାନର ପ୍ରତ୍ୟେକ କ୍ଷେତ୍ରରୁ କର୍ମବୀର ମାନେ ଏହି ମହତ୍‌ କାର୍ଯ୍ୟରେ ଯୋଗଦେବା ଲାଗି ବାହାରି ପଡ଼ିଥିଲେ । କଥା ଅଛି, ସେହି ସମୟରେ ବଡ଼ ବଡ଼ ଗଡ଼କାଠ ମନ ଟେକିବା ଲାଗି ଦଉଡ଼ିର ଅଭାବ ପଡ଼ିଲା । ଆମ ଦେଶ ପରି ଜାପାନରେ କତା କିମ୍ବା ଝୋଟ ଦଉଡ଼ିର ଚଳନ ନାହିଁ । ତେଣୁ ସମସ୍ତ ଠିକ୍‌ କଲେ ଯେ କି ସ୍ତ୍ରୀ କି ପୁରୁଷ କି ପିଲା ସମସ୍ତେ ନିଜ ନିଜର ମୁଣ୍ଡବାଳ କାଟି ଦେଲେ ଯେଉଁ ଦଉଡ଼ି ତିଆରି ହବ–ସେଇ ଦଉଡ଼ିରେ ଏ କାମ ହେବ । ଶେଷରେ ଜାତିଧର୍ମ ନିର୍ବିଶେଷରେ ଆବାଳ-ବୃଦ୍ଧ-ବନିତା ସମସ୍ତେ ଆପଣା ଆପଣା ମୁଣ୍ଡବାଳ କାଟି ଦେଇଥିଲେ ଓ ସେଥିରେ ଦଉଡ଼ିମାନ ବଳା ହୋଇ ସେ କାଠମାନ ଉପରକୁ ଉଠିଥିଲା, ବୋଧହୁଏ ତା’ର ସ୍ମୃତି ସ୍ୱରୂପ ହେଉ ବା ଜାପାନ ଜାତି ବିଶେଷଭାବେ ସାମରିକ ଭାବାପନ୍ନ ଥିବାରୁ କି ସ୍ତ୍ରୀ କି ପୁରୁଷ ମୁଣ୍ଡରେ ଖୁବ୍‌ ଛୋଟ ଛୋଟ ବାଳ ରଖନ୍ତି । ଆମ ଦେଶର ଲଳନାମାନଙ୍କ ପରି କେଶ ସୌନ୍ଦର୍ଯ୍ୟ ସେ ଦେଶରେ ନାହିଁ । ସ୍ତ୍ରୀମାନେ ନିଜ ବାଳକୁ ଛୋଟ କରି ତାହାକୁହିଁ କୁଞ୍ଚିତ କରି ନିଜକୁ ସଜାନ୍ତି । ସେଇ ମନ୍ଦିରର ସବୁଠାରୁ ବଡ଼ ଦଉଡ଼ିଟି ଏ ପର୍ଯ୍ୟନ୍ତ ମଧ୍ୟ ବଡ଼ ଯନ୍ତ୍ରରେ ରଖାଯାଇଛି । ଯାହାର ଲମ୍ବା ୨୩୬ ଫୁଟ ଓ ଗୋଲେଇ ୧୩ ଇଞ୍ଚ ଏବଂ ଓଜନ ୨୨୩୪ ପାଉଣ୍ଡ । ଏହିପରି ୫୩ଟି ଦଉଡ଼ି ତିଆରି ହୋଇଥିଲା ବୋଲି ଶୁଣିଲୁ । ଏହି ସବୁ ମନ୍ଦିରମାନଙ୍କରେ ପୁରୋହିତମାନଙ୍କର ଛବିମାନ ମଧ୍ୟ ଅଙ୍କା ଯାଇଥାଏ । ସେଥି ମଧ୍ୟରୁ ଅଧିକାଂଶ ଚାଇନିଜ୍‌ । ଦୁଇଟି ବଡ଼ ବଡ଼ ଘର ଦେଖିଲୁ । ଗୋଟିକର ନାମ ଅମିଦାହଲ୍‌ ; ଯେଉଁଠି କେବଳ ପ୍ରାର୍ଥନା କରାଯାଏ ଓ ଅନ୍ୟଟି ନିର୍ମାଣକର୍ତ୍ତାଙ୍କ ନାମରେ ଅନୁଷ୍ଠିତ । ସମସ୍ତ ମନ୍ଦିରଟି ସାଇପ୍ରସ୍‌ କାଠରେ ତିଆରି ଓ ଏଥିରେ ୫ଟି ଫାଟକ ଅଛି । ସାରା ଜାପାନ ଏଇ ପ୍ରକାର ସ୍ରାଇନ୍‌ ବା ଧର୍ମମନ୍ଦିରରେ ପରିପୂର୍ଣ୍ଣ । ଅଧିକାଂଶ ମନ୍ଦିରଗୁଡ଼ିକ କାଠରେ ତିଆରି ଓ ପ୍ରତ୍ୟେକ ମନ୍ଦିରରେ ଜଣେ ଜଣେ ଶିକ୍ଷିତ ପୁରୋହିତ ଥାଆନ୍ତି ଯେ କି ଭ୍ରମଣକାରୀମାନଙ୍କୁ ମନ୍ଦିରର ଇତିହାସ ପ୍ରାଞ୍ଚଳ ଭାବରେ ବୁଝାଇ ଦିଅନ୍ତି ଓ ବୁଲାଇ ଦେଖାନ୍ତି । ଆମ ଦେଶର ପଣ୍ଡାମାନଙ୍କ ପରି ଦୌରାତ୍ମ୍ୟ ଓ ଅର୍ଥଲାଳସା ସେଠାରେ ନାହିଁ । ସ୍ରାଇନ୍‌ଗୁଡ଼ିକ ବଡ଼ ପରିଷ୍କାର ପରିଚ୍ଛନ୍ନ । କାଠ ତିଆରି ଯୋଗୁଁ ଅଧିକାଂଶ ଏକାଧିକବାର ନିଆଁରେ ପୋଡ଼ି ଯାଇଛନ୍ତି ।

 

ତା’ପରେ ଦେଖିଲୁ କ୍ୟୋତା ଇମ୍ପେରିଆଲ ପାଲେସ୍‌ । ଏହି ପୁରୁଣା ରାଜଭବନ ୧୩୩୬ ସାଲରେ ଜାପାନ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହିଠାରେ ଜାପାନ ସମ୍ରାଟଗଣ ଗାଦିରେ ବସୁଥିଲେ । ୧୮୫୬ ସାଲରେ ମଧ୍ୟ ଏଠାକାର ନଅରରେ ଏକ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ପୁନର୍ବାର ସେଇ ପୁରାତନ ଢାଞ୍ଚାରେ ଏହାକୁ ଗଢ଼ିବାକୁ ଦୁଇବର୍ଷ ଲାଗିଥିଲା । ଏହି ଅଗ୍ନିକାଣ୍ଡ ପରେ କେବଳ ନଅରକୁ ଛାଡ଼ି ବାକି ସମସ୍ତ ଆସବାବ ଟୋକିଓ ସହରକୁ ନିଆ ଯାଇଥିଲା । ୧୯୨୮ରେ ସମ୍ରାଟ ହିରୋହିତୋ ମଧ୍ୟ ଏଇଠାରେ ଗାଦିରେ ବସିଲେ । ସେଇଦିନଠାରୁ ଏଠାରେ କୌଣସି ପ୍ରକାର ଯାନିଯାତ୍ରା ହୋଇନାହିଁ କିମ୍ବା ରାଜପରିବାରବର୍ଗ ଏ ଜାଗା ଦେଖିବାକୁ ଆସନ୍ତି ନାହିଁ । କେବଳ ଦର୍ଶନୀୟ ସ୍ଥାନରୂପେ ଏହା ସୁରକ୍ଷିତ ହୋଇ ରଖାଯାଇଅଛି । ସବୁ କୋଠା ଏପରି କି ଛାତଗୁଡ଼ିକ ମଧ୍ୟ ସାଇପ୍ରସ ନାମକ ଚିକ୍କଣ କାଠରେ ତିଆରି । ଏଥିରେ କୌଣସି ବାର୍ନିସ ବା ପଲିସ ନ ଲାଗିବି କାଠ ହୀରା ପରି ଜିକ୍‌ ଜିକ୍‌ କରୁଛି । ରାଜବାଟୀର ଅନ୍ଦର ମହଲ ପୂରାପୂରି ଆଧୁନିକ ଧରଣରେ ତାତ୍ପର୍ଯ୍ୟ ସହ ତିଆରି । ଭିନ୍ନ ଭିନ୍ନ ଅଫିସ ଏବଂ କଚେରିପାଇଁ ଭିନ୍ନ ଭିନ୍ନ କୋଠାମାନ ନିର୍ଦ୍ଦିଷ୍ଟ ଅଛି । ସମ୍ପୂର୍ଣ୍ଣ ରାଜବାଟି ବାଗ୍‌ବଗିଚା ସହ ୨୧୫ ଏକର ସ୍ଥାନ ମାଡ଼ି ବସିଛି ଏବଂ ଏଥିରେ ୨୦ଟି ବଡ଼ ବଡ଼ ଫାଟକ ଲାଗିଛି । ଏହାଛଡ଼ା ଖାଲି ରାଜବାଟୀର କୋଠାବାଡ଼ି ୨୫ ଏକର, ଯାହା ଚାରିପଟେ ୪ ଫାଟକ ବିଶିଷ୍ଟ ଏକ ଛୋଟ ପାଚେରି ବୁଲିଛି । କେବଳ ସମ୍ରାଟ ନଅରକୁ ଆସିଲାବେଳେ ପ୍ରଧାନ ଫାଟକଟି ଖୋଲେ । ନଅର ଭିତରେ ଏକ ସୁନ୍ଦର ପୁଷ୍କରିଣୀ ଅବସ୍ଥିତ, ଯାହା ସହିତ ମାଇଲ ଦୂରସ୍ଥ ବିଓ୍ୟା ହ୍ରଦର ସଂଯୋଗ ଅଛି ବୋଲି ଶୁଣିଲୁ । କେବଳ ରାଜବାଟୀଟି ବୁଲି ଦେଖିବାକୁ ଅଧଘଣ୍ଟା ଲାଗିଗଲା ।

 

ପ୍ରାୟ ସାଢ଼େ ଦଶଟାବେଳେ ଆମେ ହେଇଆନ ଜିଙ୍ଗୁ ନାମକ ଏକ ସିନ୍ଥୋ ମନ୍ଦିର ଦେଖିବାକୁ ଗଲୁ । ଏହା ୧୮୯୫ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । ହଜାର ବର୍ଷ ତଳେ ସମ୍ରାଟ କ୍ୱାମୁ (୭୮୧–୮୦୬) ଯୋକି, କ୍ୟୋତୋ ସହର ପ୍ରତିଷ୍ଠା କରିଥିଲେ, ତାଙ୍କରି ନାମାନୁସାରେ ମନ୍ଦିରଟି ସମର୍ପିତ ହୋଇଥିଲା । କ୍ୟୋତୋ ସହରର ଶାସକମାନଙ୍କ ମଧ୍ୟରେ ସମ୍ରାଟ କୋମୋ (୧୮୪୬–୧୮୬୭) ହେଉଛନ୍ତି ଶେଷ ସମ୍ରାଟ । ଅଳ୍ପଦିନ ତଳେ ତାଙ୍କର ମୂର୍ତ୍ତି ଏହି ମନ୍ଦିରରେ ସ୍ଥାପନ କରାଯାଇଥିଲା । ଉଲ୍ଲିଖିତ ଦୁଇ ସମ୍ରାଟଙ୍କୁ ଜନସାଧାରଣ ଜୀବନ୍ତ ଈଶ୍ୱରରୂପେ ପୂଜା ଓ ଭକ୍ତି କରୁଥିଲେ । ୫୦ ବର୍ଷ ପୂର୍ବେ କ୍ୟୋତୋ ସହର ପ୍ରତିଷ୍ଠାନର ଏକାଦଶ ଶତତମ ବାର୍ଷିକ ଅଧିବେଶନ ଉପଲକ୍ଷେ ଏ ମନ୍ଦିର ନିର୍ମାଣ କରାଯାଇଥିଲା । ୭୯୪ ଖ୍ରୀଷ୍ଟାବ୍ଦରେ ସମ୍ରାଟ୍‌ କ୍ୱାମୁ ଯେଉଁ ଇମ୍ପେରିଆଲ ପାଲେସ ନିର୍ମାଣ କରିଥିଲେ, ୧୮୯୫ ଖ୍ରୀଷ୍ଟାବ୍ଦରେ ଠିକ୍‌ ତା’ରି ଛୋଟ ଢାଞ୍ଚାରେ ଜାଇଖାକୁକେନ ନାମକ ଏକ ବଡ଼ ନଅର ତିଆରି ହୋଇଥିଲା । ମନ୍ଦିର ଭିତରକୁ ପ୍ରବେଶ ନିଷିଦ୍ଧ ଥିବାରୁ ଚାରିପଟେ ବୁଲି ଦେଖି ଫେରିଲୁ । ପଛପଟେ ଏକ ସୁନ୍ଦର ବଗିଚା ଓ ପୁଷ୍କରିଣୀ ରହିଛି, ଯେଉଁଥିରେ ଅନେକ ମାଛ ଓ କଇଁଚ ପୋଷା ହୋଇଛନ୍ତି ।

 

Unknown

ତା’ପରେ ଦେଖିଲୁ ସେଞ୍ଜୁସେଙ୍ଗୋନ୍ଦେ ଯାହା କି ଜାପାନର ପ୍ରଧାନ ବୌଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ । ପାଞ୍ଚଶହ ବର୍ଷ ପୂର୍ବେ ଗୋସିକାଓ୍ୱା ନାମକ ଜନୈକ ମହାପୁରୁଷ ଏ ମନ୍ଦିର ନିର୍ମାଣ କରାଇଥିଲେ । ୧୨୦ ବର୍ଷ ପୂର୍ବେ ଏଥିରେ ମଧ୍ୟ ଏକ ପ୍ରଳୟ ଅଗ୍ନିକାଣ୍ଡ ଘଟିଥିଲା; କିନ୍ତ ଖୁବ୍‌ଶୀଘ୍ର ଏହା ପୁନର୍ନିର୍ମିତ ହୋଇ ପାରିଥିଲା । ଏକ ପ୍ରବାଦ ଅଛି ଯେ ଜନୈକ ସମ୍ରାଟଙ୍କର ଖୁବ୍‌ ମୁଣ୍ଡବ୍ୟଥା ବେମାରି ଥିଲା । ତାଙ୍କୁ ସ୍ୱପ୍ନ ହେଲା ଯେ ସେ ଯଦି ଏକ ହଜାର ବୌଦ୍ଧମୂର୍ତ୍ତି ତିଆରି କରାଇ ପାରିବେ, ତାହାହେଲେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ-। ଫଳତଃ ସେ ତାହାହିଁ କରିବାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲେ । ମନ୍ଦିରର ଠିକ୍‌ ମଧ୍ୟ ଭାଗରେ ଏକ ବିରାଟ ବୌଦ୍ଧମୂର୍ତ୍ତି ଓ ତା’ର ଦୁଇ ପାଖରେ ୫୦୦ କରି ହଜାରେ ସାନ ବୌଦ୍ଧମୂର୍ତ୍ତି ବିଦ୍ୟମାନ । ପ୍ରତ୍ୟେକ ମୂର୍ତ୍ତିର ୨୨ଟି ଲେଖାଏଁ ହାତ । ମନ୍ଦିରରେ ଜଳ, ବାୟୁ, ଆକାଶ ପ୍ରଭୃତି ପ୍ରାକୃତିକ ଶକ୍ତିମାନଙ୍କର ମୂର୍ତ୍ତି ଦେବତା ରୂପରେ ତିଆରି ଥିବାର ଦେଖିଲୁ । ମନ୍ଦିର ଦେଖିସାରି ଫେରିବାବେଳେ ଏକ ଜାପାନୀ ବୃଦ୍ଧା (ମାମାସାନ୍‌) ହାତରେ ମାଳିଗୁଡ଼ିଏ ଧରି ‘ବୁଦ୍ଧା’ ‘ବୁଦ୍ଧା’ ବୋଲି ପାଟି କରି ଧାଇଁ ଆସିଲା । ମାଳର ମଝି ମାଳିଟି ନିରିକ୍ଷଣ କରି ଦେଖିଲେ ବେଶ୍‌ ସୁନ୍ଦର ବୁଦ୍ଧ ମୂର୍ତ୍ତିଟିଏ ତା’ ଭିତରେ ଦେଖାଯାଉଥିଲା । ୧୦ ୟାନ୍ ଦେଇ ସେଥିରୁ ଗୋଟିଏ କିଣି ରଖିଲି ।

 

୧୨ଟା ବାଜି ଯାଇଥିବାରୁ ହଷ୍ଟେଲକୁ ଫେରିଲୁ । ବସ୍‌ରେ ଫେରିଲାବେଳେ ବାଟରେ ଏତେ ମନ୍ଦିର ଦେଖିବାକୁ ମିଳିଲା ଯେ, ମାସ ମାସ ଧରି ଦେଖିଲେବି ସରିବ ନାହିଁ । ତା’ ଭିତରେ ଚିଓଇନେ ମନ୍ଦିର, ମାଇରୋ ପାର୍କ, ଫୁତାନି ମନ୍ଦିର, ମାୟୋଇନ ମନ୍ଦିର ଆଦି ପ୍ରଧାନ । କ୍ୟୋତୋ ଚିଡ଼ିଆଖାନାର, museum କେତେକାଂଶ ମଧ୍ୟ ବୁଲି ଦେଖିଲୁ । କିନ୍ତୁ ଦେଖିଲା ଭଳି ସେପରି କିଛି ନଥିଲା । ଶୁଣିଲୁ, ଯୁଦ୍ଧ ପରେ ସବୁ ପଦାର୍ଥ ଟୋକିଓ ମିଉଜିଅମ୍‍କୁ ଅପସୃତ କରାଯାଇଛି ଓ ଏହାକୁ ଅତି ଶୀଘ୍ର ବନ୍ଦ କରି ଦିଆ ଯାଉଅଛି । କ୍ୟାମ୍ପକୁ ଫେରି ଖାଇସାରି ବିଶ୍ରାମ ନେଇ ପୁଣି ୨ଟାବେଳେ କ୍ୟୋତୋ ସହର ବୁଲି ବାହାରିଲୁ । ପ୍ରଥମେ ଡାଇମୋନ (the great shop) ଭିତରକୁ ଗଲୁ । ଏହାର ଅନ୍ୟ ନାମ କ୍ୟୋତୋ ଡିପାର୍ଟମେଣ୍ଟାଲ ଷ୍ଟୋର୍ସ । ଏହା ଏକ ପ୍ରକାଣ୍ଡ, ସୁଦୃଢ଼, ସାତ ମହଲା ବିଶିଷ୍ଟ କୋଠା । ସାମାନ୍ୟ ପିନ୍‌ଠାରୁ ଆରମ୍ଭ କରି ମୋଟର ଗାଡ଼ି ଏବଂ ବଡ଼ ବଡ଼ କଳକବ୍‍ଜା (machinery) ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷର କାରବାର ଏଠାରେ ହୋଇଥାଏ-। ବିକ୍ରେତାଗଣ ଅଧିକାଂଶ ଜାପାନୀ ସ୍ତ୍ରୀ । କିଣା ବିକାର ସୁବ୍ୟବସ୍ଥା । ଲିପ୍‌ଟ ସାହାଯ୍ୟରେ ମହଲା ମହଲା ବୁଲି ଅନ୍ଦିକନ୍ଦି ଦେଖିସାରି ସ୍ୱର୍ଣ୍ଣମନ୍ଦିର (Gold Pavallion) ଦେଖିବାକୁ ଗଲୁ । ମନ୍ଦିରର ପାରିପାର୍ଶ୍ୱିକ ଦୃଶ୍ୟରାଜି ବଡ଼ ସୁନ୍ଦର, ଚମତ୍କାର ଓ ଶାନ୍ତିପ୍ରଦ । ପୁରୋହିତ ଜଣକ, ଖଣ୍ଡି ଖଣ୍ଡି ଇଂରାଜୀ ଓ ଜାପାନୀ ଭାଷାରେ କହିଲେ ଯେ ଏହି ମନ୍ଦିରର ଦ୍ୱିତୀୟ ମହଲାରେ ଏ ପର୍ଯ୍ୟନ୍ତବି ସୁନା ଅଛି; କିନ୍ତୁ ତା’ ଭିତରକୁ ଯିବା ସମ୍ପୂର୍ଣ୍ଣ ମନା । ଆଉ କେତେକ ଜାଗା ଦେଖି ସନ୍ଧ୍ୟା ୬ଟାବେଳେ କ୍ୟାମ୍ପକୁ ଫେରି ଖାଇପିଇ ଶୋଇଲୁ ।

 

ପରଦିନ ସକାଳେ ଉଠିଲାବେଳେ ଉଜୀର କୁଳୁ କୁଳୁ ନାଦ ନୂଆ ପରି ଲାଗିଲା । ଆଜିର ପ୍ରୋଗ୍ରାମ ହେଉଛି–ଜାପାନର ସର୍ବପ୍ରଧାନ ଐତିହାସିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଭବଶାଳୀ ସେଇ ନାରାପାର୍କ । ବସ୍‌ କିନ୍ତୁ ନଦୀର ଧାରେ ଧାରେ ଚାଲିଲା । ପ୍ରାୟ ଦେଢ଼ ଘଣ୍ଟାର ଯାତ୍ରାରେ ୩୫ ମାଇଲ ପଥ ଅତିକ୍ରମ କରି ଆମ୍ଭେମାନେ ନାରାପାର୍କରେ ପହଞ୍ଚିଲୁ । ପ୍ରଥମେ ପୋଗୋଡ଼ା ଟେମ୍ପଲ ଦେଖିବାକୁ ଗଲୁ । ଏହା ପାଞ୍ଚ ମହଲା ବିଶିଷ୍ଟ ଏକ ବୌଦ୍ଧ ମନ୍ଦିର । ଏହି ପାଞ୍ଚ ମହଲାଯାକ ଜଳ ବାୟୁ, ଅଗ୍ନି ଆଦି ପଞ୍ଚ ପ୍ରାକୃତିକ ଶକ୍ତି ନାମରେ ନାମିତ । ୧୩୦ ଖ୍ରୀ: ଅ: ରେ ଏହା ତେମ୍ଫୋଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ୧୪୨୧ରେ ପୁନର୍ନିର୍ମିତ ହେଲା । ଉଚ୍ଚତା ପ୍ରାୟ ୧୨୩ ଫୁଟ ଓ ପରିଧି ୪୮ଫୁଟ । ମିତ୍ରଶକ୍ତି ସୈନ୍ୟମାନଙ୍କ ଲାଗି ଭିତରେ ପ୍ରବେଶ ନିଷିଦ୍ଧ ଥିଲା ।

 

ସାମାନ୍ୟ କିଛି ଦୂରରେ ପଡ଼ିଲା ଜାଇବୁତ୍‌ ସୁଦେନ–ଯେଉଁଥିରେ ପୃଥିବୀର ସବୁଠାରୁ ବଡ଼ ବୁଦ୍ଧମୂର୍ତ୍ତି ସ୍ଥାପିତ । ସମ୍ପୂର୍ଣ୍ଣ ମୂର୍ତ୍ତିଟି ବ୍ରଞ୍ଚ ଧାତୁରେ ତିଆରି । ଉଚ୍ଚତା ସାଢ଼େ ୫୩ ଫୁଟ । ମୁହଁ ୧୬’x୯’–୬’’, ଚକ୍ଷୁ ୩–’ ୧୧’’ କାନ ୮’–୧’’, ବୁଢ଼ାଆଙ୍ଗୁଠି ୪’–୫’’ ଏବଂ ଓଜନ ପ୍ରାୟ ୫୦୦ଟନ୍‌ । ମୂର୍ତ୍ତିଟି ଦେଖିଲେ ଏଥିରୁ କେଉଁଟି ଅବିଶ୍ୱାସ ଯୋଗ୍ୟ ବୋଲି ମନେହୁଏ ନାହିଁ । ଏହା ସ୍ୱ ୫୫ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା । କେବଳ ନୂଆ ମୁଣ୍ଡ ୧୭୦୮ରେ ତିଆରି ହୋଇଥିଲା । ମନ୍ଦିର ଆଗରେ ସମସ୍ତେ ମିଶି ଏକ ଗ୍ରୁପ୍‌ ଫଟୋ ଉଠାଇଲୁ । ଚାରିପଟ ବୁଲି ଦେଖିଲୁ । ଅଗ୍ନିକାଣ୍ଡ ପୂର୍ବରୁ ଏହା ଅତି ସୁନ୍ଦର ଓ ଚମକପ୍ରଦ ଥିଲା । ମନ୍ଦିରର ମଡ଼େଲଟି ଗୋଟିଏ ଛୋଟ କାଚ ବାକ୍‌ସ ଭିତରେ ସଯତ୍ନରେ ରଖାଯାଇଛି । ମନ୍ଦିରର ଏକ ମସ୍ତବଡ଼ ଖମ୍ବ ଭିତରେ ଏକ ଛୋଟ ବଙ୍କା ଖୋଲଅଛି । କୌତୂହଳ ଜନକ ପ୍ରବାହ ଅଛି ଯେ ଯିଏ ପ୍ରକୃତରେ ସାଧୁ ଓ ସତ୍‌, ସେହି କେବଳ ଏ ଖୋଲ ଭିତରେ ପଶି ଆରପଟେ ବାହାର ହୋଇ ପାରିବ । ମୁଁ ଟିକିଏ ପତଳା ଥିବାରୁ ଏଥିରେ ମୋର ପାଶ ହୋଇ ଯାଇଥିଲା; କିନ୍ତୁ ମୋର ଭୀମକାୟ ବିହାରୀ ବନ୍ଧୁ ଭୟରେ ଏହାର ପାଖ ନ ମାଡ଼ିବାରୁ ଅଧିକ କୌତୂହଳ ସୃଷ୍ଟି ହୋଇଥିଲା ।

 

ଠିକ୍‌ ୧୨ଟାବେଳେ ଯାଇ ଆମ୍ଭେମାନେ ସେଇ ବାସ୍ତବ ନାରା ପାର୍କରେ ପହଞ୍ଚିଲୁ । ଏହି ସେଇ ମନୋମୁଗ୍‌ଧକର ନାରା ପାର୍କ, ଯାହାର ମାଧୁରୀ ଅନେକଦିନୁ ଶୁଣିଥିଲି ଓ ସ୍ୱଚକ୍ଷୁରେ ଦେଖିବାକୁ ବଡ଼ ଆକାଂକ୍ଷିତ ଥିଲି । ବର୍ଷର ପ୍ରତ୍ୟେକ ସମୟରେ ଜାପାନୀ ଓ ବୈଦେଶିକମାନେ ଚିତ୍ତବିନୋଦନ ଲାଗି ଏଠାକୁ ଆସନ୍ତି । ଏଇ ପାର୍କରେ ଆମେ ଆମର ମଧ୍ୟାହ୍ନ ଭୋଜନ ସାରି ଚାରିଆଡ଼େ ବୁଲି ଦୃଶ୍ୟ ଉପଭୋଗ କରିବାକୁ ଲାଗିଲୁ । ନଭଶ୍ଚୁମ୍ବୀ ଝାମୁଗଛ ଶ୍ରେଣୀର ଛାୟା ପାର୍କଟିକୁ ଢାଙ୍କି ଦେଇଥାଏ । ପାହାଡ଼ର ଢାଲ ଅଂଶଟି ଘାସର ଗାଲିଚାଟିରେ ଆଚ୍ଛାଦିତ ହେଲା ପରି ଜଣାପଡ଼ୁଥାଏ, ଯେଉଁଥିରେ ଶୋଇ ପଡ଼ିଲେ ବିନା ବିଛଣାରେ ନିଦ ଆସିଯିବ । ଏଇ ପାର୍କରେ ଦଳଦଳ ହୋଇ ହରିଣ ବୁଲୁଥାନ୍ତି ଯେପରି କି ଏମାନଙ୍କୁ ଏଠାରେ କିଏ ପୋଷିଛି । କୌଣସି ଖାଇବା ଜିନିଷ ଦେଖାଇଲେ ସେମାନେ ପାଖକୁ ଦୌଡ଼ି ଆସନ୍ତି । ମୁଁ ସେଇ ହରିଣ ଦଳରେ ଥାଇ ଗୋଟିଏ ଫଟୋ ନେଲି । ସମସ୍ତ ଉପତ୍ୟକାଟି ନାନା ପ୍ରକାର ଫୁଲ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭାସି ଉଠୁଥାଏ । ଅନେକ ଜାପାନୀ ସସ୍ତ୍ରୀକ ପିକନିକ୍‌ ଉଦ୍ଦେଶ୍ୟରେ ଆସି ଦୃଶ୍ୟ ଉପଭୋଗ କରୁଥାନ୍ତି । କେତେବେଳେ ହେଲେ ଲୋକର ଛାଡ଼ ନଥାଏ । ସେଠାରେ ଦୁଇଘଣ୍ଟା କଟାଇବା ପରେ ବଡ଼ ଦୁଃଖରେ ନାରା ପାର୍କ ଛାଡ଼ିଲୁ ।

 

ସେଇ ବିସ୍ତୀର୍ଣ୍ଣ ପାର୍କଦେଇ କେତେ ବଙ୍କା ଟଙ୍କା ରାସ୍ତାରେ ଆମର ବସ୍‌ଟି ଘୂରି ଘୂରି ଶେଷରେ ଏକ ସିନ୍ଥୋ ସ୍ରାଇନ ପାଖରେ ଯାଇ ପହଞ୍ଚିଲା । ତା’ର ନାମ ହେଉଛି ‘କାଶୁଗା ସ୍ରାଇନ’-। ୭୬୮ରେ ତେମ୍ଫୋଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ମନ୍ଦିର ଭିତରେ ପ୍ରାୟ ୨୦୦୦ ପଥର ଓ ଟିଣ ନିର୍ମିତ ଲଣ୍ଠନମାନ ଟଙ୍ଗା ହୋଇଛି । ଏହି ଲଣ୍ଠନଗୁଡ଼ିକରେ ପ୍ରତି ଫେବୃୟାରୀ ୩ ଓ ଅଗଷ୍ଟ ୧୫ ତାରିଖ ଦିନ ଆଲୁଅ ଦିଆଯାଏ । ବେଢ଼ାରେ ଥିବା ଲଣ୍ଠନମାନଙ୍କରେ ଟିକି ଟିକି କାଗଜମାନ ଲଗା ଯାଇଥିବାରୁ ବେଶି କୌତୂହଳ ଜାତହେଲା । ତା’ର ରହସ୍ୟ ଏହି ଯେ କୌଣସି ଦର୍ଶକର ଭଗବାନ୍‍ଙ୍କ ନିକଟରେ କିଛି ଗୁହାରି ଥିଲେ ତାହା ଖଣ୍ଡିଏ କାଗଜରେ ଲେଖି କେବଳ ଦୁଇ ହାତର ବୁଢ଼ା କାଣିଆଙ୍ଗୁଠି ସାହାଯ୍ୟରେ ଯେ କୌଣସି ଲଣ୍ଠନରେ ବାନ୍ଧି ପାରିଲେ ତା’ର ଆଶା ପୂରଣ ହୋଇଥାଏ ଆମ୍ଭେମାନେ ମଧ୍ୟ କେହି କେହି କୌତୂହଳରୁ ଛାଡ଼ ଯାଇ ନ ଥିଲୁ–ଫଳାଫଳ ତ ଯାହା ହବା କଥା । କିନ୍ତୁ ଏତାଦୃଶ ପ୍ରବାଦ ବା ଅନ୍ଧବିଶ୍ୱାସ ଯେ ସବୁ ଦେଶରେ ସବୁ କାଳରେ ଅଛି; ତାହାହିଁ କୌତୁକପ୍ରଦ । କାଶୁଗା ମନ୍ଦିର ପରେ ଆଉ କେତେକ ବାଗବଗିଚା ଦେଖି ଆମ୍ଭେମାନେ ସନ୍ଧ୍ୟାବେଳକୁ ଫେରିଲୁ ।

 

ତା’ର ପରଦିନ ସକାଳେ ନିତ୍ୟକର୍ମସାରି ଆରାସିୟାମା ଉଦ୍ଦେଶ୍ୟରେ ଚାଲିଲୁ । ଆରାସିୟାମା ନାବକେଳି (boating) ନିମନ୍ତେ ଜାପାନରେ ସବୁଠାରୁ ପ୍ରସିଦ୍ଧ ଜାଗା । ଏଠାରେ କି ପୁରୁଷ, କି ସ୍ତ୍ରୀ, କି ବାଳକ ବାଳିକା ସର୍ବଦା ରୁଣ୍ଡ ହୋଇ ପହଁରିବା, ନାଆ ବୋହିବା, ଗାଧୋଇବା ଆଦିରେ ଆନନ୍ଦ ଉପଭୋଗ କରୁଥାଆନ୍ତି । ଜାପାନର ପ୍ରତ୍ୟେକ କୋଣରେ କିଛି ନା କିଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଛଟା ଅଛି । ଆରାସିୟାମା ବା ସେଥିରୁ ବାଦ ଯିବ କିପରି ? ଠିକ୍‌ ଗୋଟିଏ ଗଛଲତା ଭରା ପାହାଡ଼ର ପାଦ ଦେଶରେ ଏକ ପ୍ରକାଣ୍ଡ ହ୍ରଦ । ପାଣି ଖୁବ୍‌ କମ୍‌ । ୨୦ୟାନ୍‌ ଦେଲେ ଖଣ୍ଡିଏ ଖଣ୍ଡିଏ ହୁଲି ଡଙ୍ଗା ଘଣ୍ଟାକପାଇଁ ଭଡ଼ାମିଳେ । ଆମେ ୨।୩ ଜଣ ଖଣ୍ଡେ ଡଙ୍ଗା ଭଡ଼ା ନେଇ ୩।୪ ଘଣ୍ଟା ନିଜେ ନିଜେ ବାହି ବେଶ୍‌ ମଜା କଲୁ । ବୁଡ଼ି ଯିବାର କୌଣସି ଭୟ ନାହିଁ । ଆମପରି ଆହୁରି ଅନେକ ଜାପାନୀ ଯୋଡ଼ି ଯୋଡ଼ି ହୋଇ ନାଆ ବାହୁଥାନ୍ତି । ଆମକୁ ଦେଖି ହସିବାରତ କଥା । ସ୍ତ୍ରୀ ପୁରୁଷ ଏକ ସଙ୍ଗେ କିଛିକ୍ଷଣ ଏପରି ନାଆରେ ମନ ଖେଳେଇବା କମ୍‌ ଆନନ୍ଦ ଓ ସୁଖର କଥା ନୁହେଁ । ଦିନଟାଯାକ ନ ଖାଇ ନ ପିଇ ନାଆ ବୋହିବାକୁ ଇଚ୍ଛା ହେଉଥାଏ । କିନ୍ତୁ ବାରଟା ଆଗରୁ ଫେରିଯିବାକୁ ହେବ । ସହର ଭିତରକୁ ଫେରି ଫୁଜିଆ କାଫେ ନାମକ ଏକ ହୋଟେଲରେ ଖିଆପିଆ ସାରି ପ୍ରାୟ ଗୋଟାକବେଳେ କାବଲ୍‌ କାର୍‌ (Cable Car) ଦେଖିବାକୁ ବାହାରିଲୁ । ଏହା ଦେଖିବା ବଡ଼ ଆମୋଦଜନକ । ଆମର ଇଲେକ୍‌ଟ୍ରିକ୍‌ ଟ୍ରାମ ପରି ବିଜୁଳି ତାର ସାହାଯ୍ୟରେ ୨୮୦୦ ଫୁଟ ଉଚ୍ଚ ‘ହିଏସାନ୍‌’ ନାମକ ଏକ ଗିରିଶୃଙ୍ଗ ଉପରକୁ ଏ ଗାଡ଼ି ଟଣା ହୋଇ ଯାଉଛି ଓ ଆସୁଛି । ଗାଡ଼ିଟିର ଗଢ଼ଣ ଅଦ୍ଭୁତ ପ୍ରକାରର ଓ କୌତୂହଳପ୍ରଦ; କିନ୍ତୁ ଭିତରେ ବସିଲେ ଟ୍ରାମ ବା ବସ୍‌ଠାରୁ ପ୍ରଭେଦ କିଛି ବାରି ହୁଏନାହିଁ । ପ୍ରାୟ ୧୦ ମିନିଟର ରାସ୍ତା । ଏକ ସଙ୍ଗେ ଓ ଏକ ସମୟେ ଦୁଇଟିଯାକ ଗାଡ଼ି ଉପରୁ ଓ ତଳୁ ଛାଡ଼େ ଓ ଠିକ୍‌ ମଝିରେ କ୍ରସିଂ କରେ । ଗାଡ଼ିର ପଥ ଠିକ୍‌ ରେଳପଥ ପରି । ‘ହିଏସାନ୍‌’ ପାହାଡ଼ ଉପରୁ ତିନୋଟି ଜିନିଷ ବଡ଼ ପରିଷ୍କାରଭାବେ ଦେଖାଯାଏ । ଓତ୍‌ସୁ ସହର, କ୍ୟୋତା ସହର ଏବଂ ବିଓ୍ୟା ହ୍ରଦ । ପାହାଡ଼ର ଶିଖର ଦେଶରେ ଗୋଟିଏ କୋଠା ଉପରେ ଦୂରବୀକ୍ଷଣ ଯନ୍ତ୍ରଟିଏ ରଖାଯାଇଅଛି । ତା’ ଛଡ଼ା ପିଲାମାନଙ୍କର ଖେଳିବାପାଇଁ ଦୋଳି ଆଦି ନାନା ପ୍ରକାର ଖେଳବ୍ୟବସ୍ଥା ମଧ୍ୟ ଅଛି । ଗ୍ରୀଷ୍ମ ଛୁଟିରେ ସ୍କୁଲ କଲେଜ ସବୁ ବନ୍ଦ ଥିଲାବେଳେ ଏଠାରେ ବଡ଼ ଭିଡ଼ ହୁଏ ଓ ସର୍ବଦା ଯାଆସ ଲାଗି ଗାଡ଼ି ରହିଥାଏ । ବୁଲୁ ବୁଲୁ ୪ଟା ବାଜିଗଲା ଓ ଫେର୍ ସେଇ କାବଲ୍ କାର୍‌ରେ ତଳକୁ ଓହ୍ଲାଇ ଆସି ବସ୍‌ରେ ପ୍ରାୟ ୫ଟାରେ କ୍ୟାମ୍ପରେ ପହଞ୍ଚିଲୁ । ଖାଇସାରି ମୁଁ ଉଜୀ ନଦୀକୂଳରେ ଟିକିଏ ପବନ ଖାଇବା ଲାଗି ବସି ପଡ଼ିଲି । ଏକେ ତ ଉଜୀର କୁଳୁକୁଳୁ ସ୍ୱନ । ସେଥିରେ ଫେର୍ ଶୁକ୍ଳପକ୍ଷ ଚନ୍ଦ୍ରମାର କିରଣ ପଡ଼ି ମନରେ ଦ୍ୱିଗୁଣ ଆନନ୍ଦ ଆଣି ଦେଉଥାଏ । ପାଖରେ ସେଇ ଉଜୀ ପୋଲ ଉପରେ ଅନେକ ଜାପାନୀ ସେଇ ସୌନ୍ଦର୍ଯ୍ୟ ଉପଭୋଗ କରିବା ଲାଗି ଏକତ୍ରିତ ହୋଇଥିଲେହେଁ ସମ୍ପୂର୍ଣ୍ଣ ନୀରବତା ରାଜତ୍ୱ କରୁଥିଲା । ଜାପାନୀମାନେ ଅତ୍ୟନ୍ତ ଶାନ୍ତ ସଂଯତ ଡିସିପ୍ଲିନଡ଼୍‌ ଜାତି । ଆମ ଦେଶ ହୋଇଥିଲେ ସେଠାରେ ଗୋଟାଏ ହାଟ ବସିଲା ପରି କୋଳାହଳ ହେଉଥାନ୍ତା । ପାଟି କରିବା ଆମ ଲୋକଙ୍କର ଏକ ଘୋର ବିଭତ୍ସ ଅଭ୍ୟାସ । ଅନ୍ୟର ମନୋଭାବ ପ୍ରତି ଆମର ବିଚାର ନଥାଏ । ଏହା ଅସଭ୍ୟତା ଓ ସଂସ୍କୃତି ଅଭାରହିଁ ଚିହ୍ନ ।

 

ଆଉ ଦିନକର ପ୍ରୋଗ୍ରାମ ଥିଲା ଓକାରାଜୁକା । ପ୍ରାୟ ୧୪ ଘଣ୍ଟାର ବସ୍‌ ଯାତ୍ରାପରେ ୧୧ଟାବେଳେ ଯାଇ ସେଠାରେ ପହଞ୍ଚିଲୁ । ଏଠାର ଚିଡ଼ିଆଖାନାରେ ନାନାପ୍ରକାର ବିଦେଶୀ ଜୀବଜନ୍ତୁ ମଧ୍ୟ ରଖା ଯାଇଛନ୍ତି । ବୁଲିଗୁଲି ଦେଖି ଓ କିଛି ସମୟ ଗୋଟିଏ ନାଆରେ କଟେଇ ଖାଇବାକୁ ଗଲୁ । ଖାଇସାରି ଟିକେ ବିଶ୍ରାମ ପରେ ଜାପାନୀ ନାଚ ଦେଖି ବାହାରିଲୁ । ତକାରାଜୁକା ନାଟ୍ୟମଣ୍ଡପ ଜାପାନର ସବୁଠାରୁ ପୁରାତନ ଓ ସୁପ୍ରସିଦ୍ଧ । ଏହାର ଶାଖାମାନ ଓଶାକା ଓ ତୋକିଓରେ ଅଛି । ଏକଦା ଏହି ନାଟ୍ୟମଣ୍ଡଳୀରେ ୩୦୦୦ ବାଳିକା ନାଚ କରୁଥିବାର ଶୁଣିଲି । ଏହା ଏକ ପ୍ରକାଣ୍ଡ ୩ ମହଲା ବିଶିଷ୍ଟ କୋଠା ଯେଉଁଠାରେ ଏକ ସଙ୍ଗେ ପ୍ରାୟ ୬୦୦୦ ଦର୍ଶକ ବସି ଦେଖିବାର ବ୍ୟବସ୍ଥା ଥିଲା । ସେ ଦିନ ଦୁଇଟି ବେଶ୍‌ ସୁନ୍ଦର ନାଟକ ଅଭିନୀତ ହେଉଥିଲା ଯାହାକି ଗତ ଦୁଇମାସ ଧରି ଚାଲୁଥିବାର ଶୁଣିଲୁ । ହୁଏତ ତା’ପରେ କେତେ ମାସ ଧରି ଚାଲିଥିବ-। ଦର୍ଶକବୃନ୍ଦରେ ସୋରିଷଟିଏ ପକେଇବାକୁ ଜାଗାଥିଲା ପରି ମନେ ହୁଏ ନାହିଁ ଏବଂ ଦିନକୁ ଏହିପରି ୩ଟି ସୋ (Show) ଚାଲେ । ଏଥିରୁ ଜାପାନୀମାନଙ୍କର ନାଚ ଓ ସିନେମା ଦେଖା ଆଗ୍ରହ ସହଜେ ଅନୁମେୟ । ଉପୋରୋକ୍ତ ଦୁଇଟି ନାଟକ ଭିତରୁ ‘ମନୋ ପାରିସ୍’ ବଡ଼ ଉପାଦେୟ ଥିଲା । ଭାଷା ବୁଝିବା କଷ୍ଟକର ଥିଲେହେଁ ବିଷୟବସ୍ତୁ ବଡ଼ ସରଳ ଥିଲା । ନାଟକଟି ଅନେକ ସୁଦକ୍ଷ ଅଭିନେତା ଓ ପ୍ରାଚ୍ୟ ପାଶ୍ଚାତ୍ୟ–ନାଟ୍ୟକଳାରେ ସୁଦକ୍ଷ ଥିବା ୭୨ ଜଣ ଅଭିନେତ୍ରୀଙ୍କ ଦ୍ୱାରା ଅଭିନୀତ ହୋଇଥିଲା । ଫୁଲବିକା ଭାରତୀୟ ବାଳିକା ପାର୍ଟଟି ମୋତେ ଖୁବ୍‌ ଭଲ ଲାଗିଥିଲା । ପ୍ରାୟ ୫ଟାରେ ଖେଳ ଭାଜିଲା ଓ ଆମ୍ଭେମାନେ କ୍ୟାମ୍ପକୁ ବସ୍‌ରେ ଫେରିଲୁ । ଅନେକ ଦିନଯାଏଁ ସେଇ ତକାରାଜୁକା ଅପେରାର ନାଚ ସୋ ଆଖି ଆଗରେ ନାଚୁଥିଲା । ଏବେବି କେବେ କେବେ ମନେ ପଡ଼ିଥାଏ ।

 

ଆଜି ବୁଲାବୁଲିର ଶେଷ ଦିନ । ସକାଳେ ବସ୍‌ରେ କ୍ୟୋତୋ ସହରର ଏକ କୋଣରେ ଥିବା ନିଶିମୁରା ଲାଖ କାରଖାନା (Lac) ଦେଖିବାକୁ ଗଲୁ । କାରଖାନାଟି କାଜାକୀ ପାର୍କ ନିକଟରେ ଅବସ୍ଥିତ । ସେଠାରେ ପହଞ୍ଚିବାମାତ୍ରେ କାରଖାନାର ମ୍ୟାନେଜର ଆମ୍ଭମାନଙ୍କୁ ଆମୂଳଚୂଳ ସବୁ କିଛି ବିସ୍ତୃତଭାବେ ବୁଝାଇ ଦେଖାଇ ଦେଇଗଲେ । ଗଛମାନଙ୍କରୁ କିପରି ଲାଖ ସଂଗ୍ରହ କରାଯାଏ ଓ ସାଇପ୍ରସ୍‌ କାଠରେ କିପରି ପଲିସ୍‌ କରାଯାଇ ରଙ୍ଗ କରାଯାଏ, ତା’ ଦେଖିବା ବଡ଼ କୌତୂହଳଜନକ । ଏଠାରେ ଟି–ସେଟ୍‌ ଆଲବମ୍‌, ସିଗାରେଟ କେଶ୍‌ଠାରୁ ଆରମ୍ଭ କରି ଖୁବ୍‌ ଦାମିକା ଘରର ଯାବତୀୟ ପାରିବାରିକ ଆସବାବ ତିଆରି ହୁଏ । ଏ କାରଖାନାଟି ୧୬୫୭ ରେ ପ୍ରତିଷ୍ଠିତ ହୋଇଥିଲା । ଆମଦାନି ଜିନିଷଗୁଡ଼ିକ ଖୁବ୍‌ ଶ୍ରମସାପେକ୍ଷ ଓ ଜାପାନର କଳା (Art) ଫୁଟା ଯାଇଥିବାରୁ ମୂଲ୍ୟବାନ୍‌ ମଧ୍ୟ । ଆମ୍ଭେମାନେ ସ୍ମୃତି ସ୍ୱରୂପ କିଛି କିଛି କିଣି ସଉଦା କରିବା ଲାଗି ପୁଣି ଥରେ ସେଇ ବଡ଼ ଦୋକାନ ଡାଇମନ୍‌କୁ ବାହାରି ପଡ଼ିଲୁ । କ୍ୟୋତୋ ସହରକୁ ଯେ କୌଣସି ଦେଶରୁ ପରିଦର୍ଶକ ଆସୁ ନା କାହିଁକି, ସେ ଥରେ ହେଲେ ନିଶ୍ଚୟ ଡାଇମନ୍‌କୁ ଦେଖିଯିବାର କଥା । ସେଠାରୁ ଫେରି କ୍ୟୋତୋର ପ୍ରଧାନ ରାଜପଥ ଦେଇ ଚାଲି ଚାଲି କ୍ୟାମ୍ପଯାଏଁ ଗଲୁ । ବାଟଯାକ ମୁଁ ମୋର କାମେରା ପରୀକ୍ଷା କରିବାରେ ଲାଗିଥାଏ । ବେଶି ଭାଗ ଦୋକାନ ବଜାର ଖେଳନାର । ଛକ ଜାଗାମାନଙ୍କରେ ନାରୀ ପୋଲିସ ଗାଡ଼ିମାନଙ୍କୁ ନିର୍ଦ୍ଦେଶଦେଉଥିବା ଦେଖି କୌତୂହଳ ଜାତ ହେଲା ଓ ଫଟଟିଏ ଉଠାଇଲି । କ୍ୟୋତୋର ଆଉ କେତେକ ସ୍ମୃତି ସେଇ କ୍ୟାମେରାରେ ବନ୍ଦ କରି ହଷ୍ଟେଲରେ ପହଞ୍ଚିଲୁ । କ୍ୟୋତୋ ଦେଖିବାର କାର୍ଯ୍ୟକ୍ରମ ସେଇଠାରେ ଇତିଶ୍ରୀ ହେଲା । ଶେଷ ରାତି ଥିବାରୁ ହଷ୍ଟେଲରେ ଭୋଜି ଭାତର ଆୟୋଜନ କମ୍‌ ନଥିଲା । ଖାଇପିଇ ଶୋଇଲୁ । ସକାଳୁ ଉଠି ବିଛଣାପତ୍ର ବାନ୍ଧି ବଡ଼ ଦୁଃଖରେ ସମସ୍ତଙ୍କଠାରୁ ବିଦାୟ ନେଇ ସେଇ ପୁରୁଣା ରାସ୍ତାରେ ପୁଣି ଗାଡ଼ି ଚଢ଼ିଲୁ । ଏ ଯିବା ଆସିବା ଖାଲି କ୍ୟୋତୋ ହଷ୍ଟେଲରେ କାହିଁକି, ସାରା ସଂସାରରେ ଲାଗିଛି ଭାବି ଆଶ୍ୱସ୍ତ ହେଲି । ଆଉ ଅଳ୍ପ କେତେଦିନ ପରେ ତ ପୂରା ଜାପାନର ମାୟା ଛାଡ଼ିବାକୁ ପଡ଼ିବ । ସେଥିପାଇଁ ଏତେ ଚିନ୍ତା କ’ଣ । କିନ୍ତୁ ସେ ସୁନ୍ଦର ଦେଶର ଅନୁଭୂତିଗୁଡ଼ିକୁ କେବେ ହେଲେ ଭୁଲି ହେଉ ନାହିଁ ।

 

ଜାପାନୀ କାୟା

 

କଥାରେ ଅଛି ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ହେଲା । ଜାପାନର ଗୋଟିଏ ନାରୀଚିତ୍ରରୁ ଜାପାନର ନାରୀ ସମାଜ ବିଷୟରେ ଯେ ସ୍ପଷ୍ଟ ଧାରଣା କରିହେବ, ଏହା ମୋର ପୂରା ବିଶ୍ୱାସ । ଜାପାନର ଉନ୍ନତି ଓ ଧ୍ୱଂସର ମୂଳରେ ଯେଉଁ ତିନିକୋଟି ସ୍ତ୍ରୀଲୋକଙ୍କ ହାତ ଅଛି, ତା’ ମଧ୍ୟରୁ ଆମର କୋବାୟା କାଓ୍ୟା ସାନ୍‌ ଏକତମ । କୋବାୟା କାଓ୍ୟା ନାଁଟା ଟିକେ ଖିଟିମିଟିଆ ଲାଗିପାରେ । ତେବେ ସେଇଟା ହେଲା ଜାତି ବା ସାଂଜ୍ଞା । ସାନଟା ହେଲା ସମ୍ମାନସୂଚକ, ଆମର ‘ବାବୁ’ ଶବ୍ଦ ପରି ଯାହାର କି ଜାପାନରେ ଖୁବ୍‌ ପ୍ରଚଳନ । ବାପ ପୁଅକୁ ଓତୋ ସାନ (ପୁଅ ବାବୁ) ଓ ପୁଅ ମାକୁ ଓକା ସାନ୍‌ (ମା ବାବୁ) ବୋଲି ଡାକେ । ତେବେ ଝିଅଟିର ନାମ ହେଲା ମିଚିକୋ ବୋବାୟା କାଓ୍ୟା ସାନ୍‌ । ଏଣିକି ଖାଲି ମିଚିକୋ ବୋଲି ଉଲ୍ଲେଖ କଲେ ଯଥେଷ୍ଟ ହେବ । ସେ ରାଜନୈତିକ ଦଳପତି କି ସ୍ୱନାମଧନ୍ୟା ବକ୍ତା ବା ଲେଖିକା ନୁହେଁ; କିନ୍ତୁ ସେ ଜାପାନୀ ନାରୀ ସମାଜର ଏକ ସୁନ୍ଦର ପ୍ରତିନିଧି ବୋଲି ଧରାଯାଇ ପାରେ ।

 

ଜାପାନ କଥା କହିଲାବେଳେ ଶତମୁଖରୁ ଗୋଟିଏ ପ୍ରଶ୍ନ ଉଠେ,–ଜାପାନୀ ସ୍ତ୍ରୀ କ’ଣ ଦେଖିବାକୁ ସୁନ୍ଦରୀ ? କିନ୍ତୁ ସେମାନଙ୍କୁ କହି ରଖେ, ‘ଭାଇ, ସୌନ୍ଦର୍ଯ୍ୟ କେଉଁଠି ଥାଏ ? ସେ ତ ତୁମ ରୁଚିର କଥା । ତୁମକୁ ଯେଉଁଟା ସୁନ୍ଦର, ମୋତେ ସେଇଟା ଅସୁନ୍ଦର ଦିଶିପାରେ । ମୋତେ ଯେଉଁଟା ସୁନ୍ଦର ଦିଶେ, ତୁମର ସେଇଟା ଅସୁନ୍ଦର ହୋଇପାରେ । ତେବେ ସୁନ୍ଦରୀ ଜଗତରେ ନାହାନ୍ତି କେଉଁଠି କହ ତ ? କୃଷ୍ଣବର୍ଣ୍ଣା ଦାକ୍ଷିଣାତ୍ୟବାସିନୀ ଓ ମାଳ ଜଙ୍ଗଲର କନ୍ଧ ଶଉରା ରମଣୀବି ତ ସୁନ୍ଦରୀ ଦେଖାଯାନ୍ତି ? ତେବେ ଜାପାନୀ ସ୍ତ୍ରୀ ସୁନ୍ଦରୀ ନ ହେବେ କାହିଁକି ? ଗୋଲ ମୁହଁ ଓ ଚେପ୍‌ଟା ନାକରେ ମଧ୍ୟ ଜାପାନୀ ନାରୀ ସୁନ୍ଦର ଦେଖାଯାନ୍ତି ।

 

୧୯୩୦ ମସିହାର କେଉଁ ଶୁଭ ଲଗ୍ନରେ ହିରୋସୀମାର କେଉଁ ଗଳି କନ୍ଦିରେ ମିଚିକୋର ହୁଏ ଜନ୍ମ । ତା’ର ବାପା ଥିଲେ ପୋଷ୍ଟ ମାଷ୍ଟର । ତା’ର ସର୍ବ ପ୍ରଥମ ଶିକ୍ଷୟିତ୍ରୀ ଥିଲେ ତା’ର ମାତା, ସେ କଥା ଜାପାନର ବାୟୁମଣ୍ଡଳହିଁ କହିବ । ସେ ମିଚିକୋକୁ ଏପରି ଶିକ୍ଷା ଦେଇ ଯାଇଛନ୍ତି ଯେ ପାଠୋଇ ହୋଇ ମଧ୍ୟ ମିଚିକୋ ଆଜି ମଧ୍ୟ ମିଚିକୋ ଆଜି ଏକ ଆଦର୍ଶ ଗୃହକର୍ତ୍ତ୍ରୀ ଯାହା ଆମ ଦେଶରେ ଦେଖାଯାଉନି । ୧୯୪୫ ମସିହାକୁ ମିଚିକୋ ହିରୋସୀମାର ଏକ କଲେଜରେ ନାଁ ଲେଖାଏଁ । ପାଠ ପଢ଼ାରେ ଖୁବ୍‌ ମନ । ଅସାଧାରଣ ମେଧାବିନୀ । ଆମ ଦେଶରେ ଦାରିଦ୍ର୍ୟ ଦେଖାଇ ଭିକ୍ଷା କରିବାରେ ଅପୈରୁଷ ନାହିଁ । ଜାପାନରେ କେହି କାହା ଆଗରେ ଦାନ୍ତ ନିକୁଟି ସାହାଯ୍ୟ ଭିକ୍ଷା କରେ ନାହିଁ । ମିଚିକୋ ଅବଶ୍ୟ ବାଲ୍ୟକାଳରୁ ଅଭାବ କ’ଣ ଜାଣି ନଥିଲା । ପିତାମାତାଙ୍କର ଲାଳନ ପାଳନରେ ମିଚିକୋ ଓ ମୋ ତୋଇ ଏକ ବୃନ୍ତରେ ସୁନ୍ଦର ଦୁଇଟି ଫୁଲପରି ଫୁଟି ଆସୁଥିଲେ । ହୁଏତ ରାତି ପାହିଥିଲେ କେଉଁ ଦେବତାର ଶିରରେ ଶୋଭା ପାଇଥାନ୍ତେ । ମିଚିକୋ ଆଦର୍ଶ ଗୃହକର୍ତ୍ତୀ ହୋଇ କେଉଁଠି ଲକ୍ଷ୍ମୀ ପରି ପୂଜା ପାଇଥାନ୍ତା, ଆଉ ମୋ–ତୋଇ ଆଦର୍ଶ ଗୃହକର୍ତ୍ତା ହୋଇ ଅବା ଦେବତା ପରି ପୂଜା ପାଇଥାନ୍ତା । କିନ୍ତୁ ବିଧାତାଙ୍କୁ ତାହା ସହିଲା ନାହିଁ । ସ୍ନ ୧୯୪୫ ମସିହା ଅଗଷ୍ଟ ମାସ । ଜାପାନ ବକ୍ଷରେ ପ୍ରତି ମୁହୂର୍ତ୍ତ ଏକ ଘଡ଼ିସନ୍ଧି ବେଳ । ଯୁଦ୍ଧର ଘନଘଟା ଚାରିଆଡ଼େ ଛାଇହୋଇ ରହିଛି । Air raid alarm ସଙ୍ଗେ ସଙ୍ଗେ ଟ୍ରାମ, ବସ୍ ଚାଲିବାଠୁଁ, ସ୍କୁଲ କଲେଜ ଦୋକାନ, ସବୁ କ୍ଷଣକ ମଧ୍ୟରେ ବନ୍ଦ । ଯିଏ ଯେଉଁଠି ସିଏ ସେଇଠି । ପୁଣି all clear ଘଣ୍ଟି ସଙ୍ଗେ ସଙ୍ଗେ ଗହଳ ଚହଳ ସଂସାର । ଏ ପ୍ରକାର ଅବ୍ୟବସ୍ଥିତ ପରିସ୍ଥିତି ଜାପାନପାଇଁ ଆସି ପହଞ୍ଚେ ୧୯୪୫ ଅଗଷ୍ଟ ୫ ତାରିଖ ପ୍ରାତଃକାଳ; ଯେଉଁ ଅଶୁଭ ମୁହୂର୍ତ୍ତରେ ହିରୋସୀମାରେ ଛାତି ଉପରେ ଫୁଟେ ଆମେରିକାର ସେଇ ଭୟାବହ ପରମାଣୁ ବୋମା । ପାଠକଗଣ ସେଇ କରୁଣ ଚିତ୍ର ନ ଦେଖିଲେ ମଧ୍ୟ ‘ହିରୋସୀମାର ବିଭୀଷିକା’ ଅଧ୍ୟାୟରୁ ଊଣା ଅଧିକେ ବୁଝିପାରିବେ । ହଜାର ହଜାର ନରନାରୀ ସଦୃଶ ମିଚିକୋର ପିତାମାତା ମଧ୍ୟ ସେଇ ଦୁର୍ବିପାକରେ ଚିରକାଳ ଲାଗି ବିଦାୟ ନେଇ ଯାଇଥିଲେ । କେବଳ ରହି ଯାଇଥିଲେ ମିଚିକୋ ମୋତୋଇ ଭାଇ ଭଉଣୀ ଦିଓଟି ମୁମୂର୍ଷୁ ଅବସ୍ଥାରେ । ମିସନାରୀ ଦଳ ଦୃଷ୍ଟିରେ ପଡ଼ିବାରୁ ତାଙ୍କର ପ୍ରାଣ ରହିଗଲା, ନଚେତ ଆଉ କିୟତ୍‌କ୍ଷଣ ଡେରି ହୋଇଥିଲେ ସେମାନେ ମଧ୍ୟ ଇହଧାମରୁ ବିଦାୟ ନେଇ ଯାଇଥାନ୍ତେ । ଯାହା ହେଉ, ମିସନାରୀ ଦଳ ଭାଇ ଭଉଣୀ ଦୁଇଟିଙ୍କୁ ସଚେତ କରାଇ ତାଙ୍କ କ୍ୟାମ୍ପକୁ ଓ ତା’ର ପରଦିନ ହିରୋସୀମାର ଅତି ନିକଟବର୍ତ୍ତୀ କୂରେ ସହରସ୍ଥ Refugee campକୁ ପଠାଇ ଦେଲେ । ଦିନେ ଦୁଇଦିନ ପରେ ମିଚିକୋର ସମ୍ପୂର୍ଣ୍ଣ ଚେତନା ଆସିଲା । ସେ ଜାଣିଲା–ତା’ ମା ବାପା ଆଉ ନାହାନ୍ତି । ତାକୁ ଆଉ କାନ୍ଦିବାକୁ ଅବସର ନାହିଁ । ମା’ର ଶିକ୍ଷା–ବିପଦରେ ଅଧୀର ହୁଅ ନାହିଁ କି କାନ୍ଦ ନାହିଁ । ୧୦ ବର୍ଷର ଛୋଟ ମୋତୋଇ ହାତ ଧରି ଧରି କ୍ୟାମ୍ପରୁ ସେ ବିଦାୟ ନିଏ ଓ ସେଇ କୂରେ ସହରର ଗୋଟିଏ ବନ୍ଧୁ ଘରେ ପାଦ ଦିଏ । ଏତେ ଅସୁବିଧା ସତ୍ତ୍ୱେ ତା’ର ଇଚ୍ଛା ସାନଭାଇ ମୋତେଇ ସ୍କୁଲକୁ ଯିବ । ପାଠ ପଢ଼ିବ । ସେ କୌଣସିମତେ ତାକୁ ପଢ଼ାଇବ । ତେଣୁ କିଂକର୍ତ୍ତବ୍ୟବିମୂଢ଼ ହୋଇ ସେ ଚାକିରି ଖଣ୍ଡେ ଖୋଜି ପାଇଛି ଅକୁପେସନ୍‌ ଟ୍ରୁପ୍‌ସର କୂରେରେ ଥିବା ଅର୍ଡ଼ିନାନ୍‌ସ ଡିପୋରେ ।

 

୧୯୪୭ ମସିହା ମାର୍ଚ୍ଚ ମାସ, ଯେତେବେଳେ ମୋର ମିଚିକୋ ସଙ୍ଗେ ସେଇ ଡିପୋରେ ଦେଖାହୁଏ, ସେତେବେଳକୁ ତା’ର ବୟସ ୧୬ ବର୍ଷ ମାତ୍ର । ପ୍ରଥମ ଦେଖାରେ କେଜାଣି କାହିଁକି ତା’ର ଇତିହାସ ଖୋଜି ବାହାର କରିବା ଲାଗି ମନମୋର ଉଦ୍‌ବିଗ୍ନ ହୋଇ ପଡ଼େ-। ଡିପୋର ଅନ୍ୟ ମାମାସାନ୍‌ମାନଙ୍କୁ ପଚାରି ବସିଲେ ସେମାନେ କହନ୍ତି ମିଚିକୋ ଏକ ସରଳା ଅବଳା । ସେ ସଂସାର ସମ୍ବନ୍ଧରେ କିଛି ଜାଣେ ନାହିଁ । ଭାବିଲି ଆମ ଦେଶର ଆଉ ଦେଶର ଷୋଡ଼ଶୀ ଭିତରେ କି ପ୍ରଭେଦ ! ବାରବର୍ଷରେ ବିବାହ । ଯଦି ବର୍ଷିକିଆ ପ୍ରୋଗ୍ରାମ ରହିଲା ତ ତେବେ ଚାରି ପିଲାଝିଲାର ମାଆ ହୁଅନ୍ତାଣି; କିନ୍ତୁ ଜାପାନୀ ବାଳିକାଗଣ ସାଧାରଣତଃ ଡେରିରେ ବିବାହ କରନ୍ତି, ସାଧାରଣତଃ ୨୪।୨୫ ବର୍ଷ ଆଡ଼ିକି । ତା’ର ଏକମାତ୍ର କାରଣ, ଥଣ୍ଡା ଜଳବାୟୁ । ତେଣୁ ବୟସ ଅନୁପାତରେ ମଣିଷ ବିଚାର କରିବା ହଠାତ ଆମ ଉଷ୍ମଦେଶୀୟ ଲୋକଙ୍କ ପକ୍ଷେ ଖାଟେ ନାହିଁ ।

 

ଜାପାନୀମାନଙ୍କ ମୁହଁ ଗୋଲ, ନାକ ଚେପ୍‌ଟା ଓ ଆଖି ଛୋଟ ଦେଖିବାକୁ ଯେପରି ସବୁ ଜାପାନୀ ପ୍ରାୟ ସମାନ, ଆମ ଦେଶ ଗୁର୍ଖାଙ୍କ ପରି ମିଚିକୋ ବା ଏଥିରୁ ବାଦ୍‌ ଯିବ କାହିଁକି ? ତା’ର ମୁହଁର କାଟଣ (Cut) କିନ୍ତୁ ଖୁବ୍‌ ଡଉଲ । ମୁହଁ ଗୋଲ । ନାକ ସାମାନ୍ୟ ଚେପ୍‌ଟା । ଆଖି ଦୁଇଟି ଅର୍ଦ୍ଧସ୍ଫୁଟିତ କଢ଼ିପରି । ଯେତିକି ଉଜ୍ଜ୍ୱଳ ସେତିକି ଶାନ୍ତ । ଗାଲ ଦୁଇଟି ପୃଥୁଳ ଓ ଚିକ୍‌ ଚିକ୍‌ । ଦେହର ଗଢ଼ଣ ଦୃଢ଼, ବଳିଷ୍ଠ ଓ ଗେଡ଼ା ବା ଛୋଟ । କପାଳ ବେଶ୍‌ ଚଉଡ଼ା । ନାକର ଆଗ ଅଂଶ ସାମାନ୍ୟ ଉପରକୁ ଉଠିଥାଏ । କାନ ସୁନ୍ଦର । ଆଖି ତାରା କଳା । ଭ୍ରୂଲତା ଦୁଇଟି ସରୁ । ମୁଣ୍ଡବାଳ କଳା ମାତ୍ର ତାହା କଅଁଳ ନୁହେଁ, କଡ଼ା ବା ଟାଆଁସ । ଦେହର ବର୍ଣ୍ଣ ଦୁଧ ପରି ଧଳା । ପାଦ ଦୁଇଟି ଛୋଟ । ତା’ର ଓଷ୍ଠ ଅଧରରେ ଥରେମାତ୍ର ହସ ଦେଖିଲେ ସେଥିରେ ଅସୀମ ଶିଳ୍ପ ଚାତୁରୀ ଫୁଟି ଉଠିଲା ପରି ମନେହୁଏ । ମୋଟ ଉପେ ଯେ ଯାହା କହୁ ନା କାହିଁକି ମୋ ଚକ୍ଷୁରେ ସେ ଥିଲା ଏକ ଅପୂର୍ବ ସୁନ୍ଦରୀ ବାଳିକା ।

 

ଡିପୋ ଅଫିସ ବନ୍ଦ । ସାଇରେନ୍‌ ବାଜି ଉଠିଲେ ଦଳ ଦଳ ହୋଇ ଜାପାନୀ କାମ ଛାଡ଼ି ଘରକୁ ଫେରନ୍ତି । ମିଚିକୋ ତା’ର ଦିନକର କାମ ସାରି ଘରକୁ ଯାଇ ମୁହଁ ହାତ ଗୋଡ଼ ପରିଷ୍କାରଭାବେ ଧୋଇ ଗେତା (ଖଡ଼ମ) ପାଦରେ ଦେଇ ଖଡ଼ ଖଡ଼ କରି ମୋ କଡ଼ରେ ଯେତେବେଳେ ଚାଲିଯାଏ, ମୁଁ କ୍ଷଣେ ତା’ର ଗତିକୁ ନ ଚାହିଁ ରହିପାରେ ନାହିଁ । ତା’ର ସେ ଚାଲି ଚାଲି ନୁହେଁ । ସେ ଚାଲିଲେ ତା’ର ଅଙ୍ଗେ ଅଙ୍ଗେ ଯେପରି ଏକ ସହଜ ସରଳ ଶାନ୍ତ ମଧୁର ଛଦ୍ମ ଫୁଟି ଉଠେ । ଯେଉଁଥିରେ ଟିକେହେଲେ ଜଡ଼ତା ଥିଲାପରି ବୋଧହୁଏ ନାହିଁ । ସାରା ଦିନର କାମ ପରେ ମଧ୍ୟ ମିଚିକୋର ବିଶ୍ରାମ ନାହିଁ । ୪ଟାବେଳେ ଛୁଟି ପାଇଲେ ଘରକୁ ଫେରି ଘରଦ୍ୱାର ସଫାସୁତୁରା କରି ରୋଷେଇବାସ କରି ଭାଇକୁ ଖାଇବାକୁ ଦେଇ ନିଜେ ଖାଏ ଓ ଖାଇବା ପିଇବାର କିଛି ସମୟ ପରେ ସ୍ନାନ କରେ । ଅଧିକାଂଶ ଜାପାନୀଙ୍କ ଘରେ ସାନାଗାର ଥାଏ ଓ କୁଣ୍ଡରେ ସର୍ବଦା ଗରମ ପାଣି ପ୍ରସ୍ତୁତ ଥାଏ । ସେଇ କୁଣ୍ଡରେ କି ବୁଢ଼ା କି ପିଲା ସମସ୍ତେ ନଗ୍ନ ସ୍ନାନ କରନ୍ତି । ଯାହାର ସେତକ ସୁବିଧା ନ ଥାଏ ସେ କିଛି ଦୂର ଚାଲିଗଲେ ସହର ଭିତରେ ଯେଉଁଠି ହେଲେ ସାଧାରଣ ଫୁରୋ ବା ଗାଧୁଆ ଘର ପାଇବ । ଅଣେ କି ଦୁଇଅଣା ଭଳି ପଇସା ପକାଇ ଦେଲେ ବେଶ୍‌ ଆରାମରେ ଗାଧୋଇ ଆସିହୁଏ । କିନ୍ତୁ ମିଚିକୋ ତା’ର ବନ୍ଧୁର ଫୁରୋରେ ଗାଧୋଇ ସାରି ବେଶ୍‌ ଶାନ୍ତିରେ ନିଦ୍ରାଯାଏ । ସେଇ ରାତ୍ରିସ୍ନାର ଫଳ ସ୍ୱରୂପ ଖାଲି ମିଚିକୋ କାହିଁକି ଯେ କୌଣସି ଜାପାନୀ ପ୍ରାତଃକାଳରେ ଉଠିଲା ମାତ୍ରକେ ପୂର୍ଣ୍ଣ ସତେଜ ଦିଶନ୍ତି ଓ ସେହିପରି ମଧ୍ୟ ଅନୁଭବ କରନ୍ତି, ଏବଂ ସେଇ ଉଲ୍ଲାସରେ ଫେର୍ ଦିନକର କାମରେ ଲାଗି ପଡ଼ନ୍ତି । ଆମ ଦେଶ ପରି ବ୍ରାହ୍ମ ମୁହୂର୍ତ୍ତରୁ ସ୍ନାନ ସେ ଦେଶରେ ଜାଣନ୍ତି ନାହିଁ ।

 

ଦିନେ ମାମାସାନ୍‌କୁ ପଚାରିଲି, ‘ମାମାସାନ୍‌ ! ଆଜି ମିଚିକୋ କାହିଁ ଦେଖା ନାହିଁ ? ’ମାମାସାନ୍‌ ସଂକ୍ଷେପରେ କହିଲା, ‘ଆଜି ତା’ର କେଶ ପ୍ରସାଧନ’ । କଥାଟା ବୁଝିନେଲି । ଜାପାନୀ ନାରୀ ସୁଦକ୍ଷ ଚିତ୍ରକର ପରି ନିଜ ଦେହଟିକୁ ସୁନ୍ଦର ଶିଳ୍ପ ଚାତୁରୀରେ ଗଢ଼ି ନେଇ ବେଶଭୂଷାରେ ସଜ୍ଜିତ ରଖେ । ତା’ର କେଶରାଶି ଜାପାନୀ ନାରୀ ପାଖରେ ପ୍ରାଣପରି ମୂଲ୍ୟବାନ୍ । ଆହାର ନ ହେଲେ ଚଳିବ; କିନ୍ତୁ ଜାପାନୀ ନାରୀର ସୁନ୍ଦର କେଶ ନ ହେଲେ ଚଳେ ନାହିଁ । ତା’ର ସୁନ୍ଦର କେଶ ଲୋଡ଼ା, ଏଥିପାଇଁ କେତେ କଳ୍ପନା କଳ୍ପନା ! ପିଲାଟିଦିନୁ ପାଠପଢ଼ା ପରି ସେମାନେ ସୌନ୍ଦର୍ଯ୍ୟ ଶିକ୍ଷା କରନ୍ତି । ବେଶରେ ସଠିକ ବର୍ଣ୍ଣବିଭା ଫୁଟାଇବାରେ ଜାପାନୀ ନାରୀର କୃତିତ୍ୱ ବିଶ୍ୱ ବିଖ୍ୟାତ । ଏହି ବର୍ଣ୍ଣବିଭା ଯେତିକି ସରଳ, ସେତିକି ନିରାଡ଼ମ୍ବର ଓ ପୁଣି ସେତିକି ବିଚିତ୍ର । ଜାପାନୀ ନାରୀ ପୋଷାକ ପରିଚ୍ଛଦକୁ ଭାରି ଭଲପାଏ । ଜାପାନୀ ସ୍ତ୍ରୀମାନେ ଯେଉଁ ପୋଷାକ ପିନ୍ଧନ୍ତି, ତାହା ସେମାନଙ୍କ ଦେହକୁ ଏକାବେଳକେ ଖାପ ଖାଇଲା ପରି ମାନେ ।

 

କେଶ ପ୍ରସାଧନରେ ଜାପାନୀନାରୀର ବୈଚିତ୍ର୍ୟ କହିଲେ ନ ସରେ । ସେଥିରେ ସମୟ ମଧ୍ୟ ଅଳପ ଲାଗେ ନାହିଁ । ମୁଣ୍ଡ ବାନ୍ଧିବାପାଇଁ ବ୍ୟବସାୟୀ ନାରୀସବୁ ଅଛନ୍ତି । ଦେଶର ଭଣ୍ଡାରୁଣୀମାନେ ଝିଅବୋହୂମାନଙ୍କର ଗୋଡ଼ରେ ଅଳତା ଲଗେଇ ଦେଲା ପରି ଜାପାନରେ ବ୍ୟବସାୟୀ ନାରୀମାନେ ଘର ଘର ବୁଲି ଝିଅ ବୋହୂମାନଙ୍କର ମୁଣ୍ଡ ନାନା ପ୍ରକାର ଫେଶନରେ ବାନ୍ଧିଦେଇ ଯାଆନ୍ତି । ଏହାଛଡ଼ା ମୁଣ୍ଡବନ୍ଧା ଦୋକାନମାନବି ଅଛି । ସେଠାରେ ମଧ୍ୟ ନାରୀମାନେ ପୁରୁଷମାନଙ୍କୁ ଖିଅର କରି ଦେବାଠାରୁ ଆରମ୍ଭ କରି ସ୍ତ୍ରୀମାନଙ୍କର ମୁଣ୍ଡ ପର୍ଯ୍ୟନ୍ତ ବାନ୍ଧି ଦିଅନ୍ତି; କିନ୍ତୁ ଦାମ୍‌ଟା ବେଶ୍‌ ପଡ଼େ । ଯେଉଁମାନେ କେଶ ପ୍ରସାଧନ ଆଦି କାମକରି ଜୀବିକା ଅର୍ଜନ କରନ୍ତି, ସେମାନଙ୍କର ନାମ ‘କାମିୟୁନି ।’ ଏହି କାମିୟୁନିମାନେ କେଶ ସଜେଇବାଦ୍ୱାରା ଯେଉଁ ରୋଜଗାର କରନ୍ତି; ତହିଁରେ ଘରଖର୍ଚ୍ଚ ଛଡ଼ା ବିଳାସିତା ଖର୍ଚ୍ଚ ମଧ୍ୟ ଭଲଭାବରେ ଚଳେ । ଏହି କେଶ ପ୍ରସାଧନରେ ବାଳ କୁଣ୍ଡାଇବା, ଧୋଇବା, ତହିଁରେ ପୋମେଡ଼ ଲଗାଇବା, ସୁନ୍ଥା କାଟିବା ଓ ସବାଶେଷରେ ଫିନିଶିଂ ଟଚ୍‌ଟା ଦେବାରେ ସମୟପ୍ରାୟ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ଲାଗିଥାଏ । ଚୀନା ନାରୀଙ୍କ ପରି ଜାପାନୀ ନାରୀମାନେ ମଧ୍ୟ ମୃଦଙ୍ଗ ପରି କାଠ ତକିଆ ମୁଣ୍ଡତଳେ ଦେଇ ଶୁଅନ୍ତି । ତଦ୍ଦ୍ୱାରା ମୁଣ୍ଡଟା ଶୂନ୍ୟରେ ରହେ ଓ ମୁଣ୍ଡର ଖୋଷାଟା ଢିଲା ବା ହୁଗୁଳା ହୁଏ ନାହିଁ କି ଫିଟିଯାଏ ନାହିଁ ।

 

ପରଦିନ ପ୍ରଭାତରେ ଖାଲି ମୁଁ କାହିଁକି; ଅଫିସର ପ୍ରତ୍ୟେକ ଭାରତୀୟ ସୈନିକ ମିଚିକୋର କେଶ ପ୍ରସାଧନକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ରହିଛନ୍ତି, ଆଉ ସେ ତଳକୁ ମୁହଁପୋତି ମୁରୁକି ମୁରୁକି ହସି କଠୋଉ ଖଡ଼ ଖଡ଼ କରି ସହଜ ସରଳ ଗତିରେ ତା’ର ଟେବୁଲ ପାଖକୁ ଚାଲିଛି ।

 

ଖାଇବା ଛୁଟିରେ ଜାପାନୀମାନଙ୍କ ଖାଇବା କୋଠରିରେ ଖୁବ୍‌ ଏକ ହାସ୍ୟରୋଳ । ମିଚିକୋ ଓ ତା’ର ସାମୟିକ ନାରୀବାନ୍ଧବୀମାନଙ୍କ ମଧ୍ୟରେ ଖୁବ୍‌ ଏକ ନିର୍ଘୋଷ ଟଣା ଓଟରା । ଖିଆପିଆ ସରିଲା । କାର୍ଯ୍ୟାରମ୍ଭର ମୁହୂର୍ତ୍ତେ ଆଗରୁ ମିଚିକୋର ଫଟୋ ଉଠାଇବା ପାଇଁ ତାକୁ ଅନୁରୋଧ କରିବାରୁ ସେ ଉତ୍ତର ଦେଲା–‘ଆଚ୍ଛା, ରବିବାର ଦିନ ଆସ, ମୁଁ କିମୋନୋ ପିନ୍ଧି ଫଟୋ ଉଠାଇବି । ’’

 

ଜାପାନୀ ନାରୀର ପୋଷାକ ମଧ୍ୟ ଅପୂର୍ବ । ସେ ବେଶରେ ଜାପାନୀନାରୀ ଠିକ୍‌ ବିଚିତ୍ର ପ୍ରଜାପତି ପରି ସୁନ୍ଦର ଦିଶେ । ନାରୀ ଓ ପୁରୁଷର ପୋଷାକ ପ୍ରାୟ ଏକାପରି । ପ୍ରଭେଦ ଖୁବ୍‌ ସାମାନ୍ୟ । ପୁଅଙ୍କ ପୋଷାକ ସାଧାସିଧା ଧଳା । ଆଉ ଝିଅଙ୍କର ଖୁବ୍‌ ଚକ୍‌ ଚକ୍‌ ରଙ୍ଗୀନ । ବିଭା ପରେ ଆଉ ରଙ୍ଗ ରହେ ନାହିଁ । ନାରୀମାନଙ୍କର ଭିତର ପୋଷାକକୁ ‘ହିତୋମୋ’ କୁହାଯାଏ । ତାହା ଏକ ଝକ୍‌ମକି ରଙ୍ଗର ସିଲ୍‌କରେ ତିଆରି । ତା’ ଉପରେ ପିନ୍ଧନ୍ତି କିମୋନୋ । କିମୋନୋ ହେଲା ଜାପାନର (National dress) ବା ଜାତୀୟ ପୋଷାକ; ଆମ ଦେଶର ଶାଢ଼ି ପରି; କିନ୍ତୁ ଆଧୁନିକ ସଭ୍ୟ ଜାପାନୀ ସମାଜରେ ଏବେ ଏହାର ପ୍ରଚଳନ ଖୁବ୍‌ କମ୍‌ ଦେଖାଯାଏ । କିମୋନୋ ହେଲା ଖୁବ୍‌ ଢିଲା ଆଲଖାଲା ପରି । ବାହୁ ଅଛି । ବାହା ପାଖରେ କେତେକ କନା ଓହଳି ଥାଏ । ଏହି ଓହଳା ଅଂଶରେ ପକେଟ ବା ଝୁଲାମୁଣିମାନ ଥାଏ, ଯେଉଁଥିରେ କି ସାନ ସାନ ପ୍ରୟୋଜନୀୟ ଜିନିଷମାନ ଯଥା–ଛୋଟ ଆରିଶି ଖଣ୍ଡେ, ପାନିଆଟାଏ, ରୁମାଲ, କାଗଜପତ୍ର ଇତ୍ୟାଦି ରଖାଯାଏ । କିମୋନା ସିଲ୍‌କ ବା କ୍ରେପ୍‌ରେ ତିଆରି ହୁଏ । କିମୋନୋର ଦେହରୁ ଲାଗିଥିବା ଭିତର ଅଂଶ ଖୁବ୍‌ ଗାଢ଼ ରଙ୍ଗିନ କନାରେ ତିଆରି । ବାହାର ପାଖର ରଙ୍ଗ ସେପରି ନ ଥାଏ । ଖୁବ୍‌ ଉଜ୍ଜ୍ୱଳ ରଙ୍ଗର ପୋଷାକ ଜାପାନୀମାନଙ୍କର ପସନ୍ଦ ହୁଏନା । କିମୋନୋର କମରବନ୍ଧ ପଟି ୧୦ରୁ ୧୨ ଇଞ୍ଚ ପର୍ଯ୍ୟନ୍ତ ଚଉଡ଼ା ଥାଏ । ପଛପାଖ ଫାଶ ଦେଇ ଖୁବ୍‌ ବଡ଼ ଗୋଟାଏ ‘ବୋ’ ବନ୍ଧାଯାଏ । ଏହି ଅଣ୍ଟାବନ୍ଧାର ନାମ ହେଲା ଓବି, ଯାହା କି ସାର୍ଟିନ ବା ମଖମଲ ପ୍ରଭୃତି ଦାମିକା କନାରେ ତିଆରି । ଏହି ଓବି ସହ କିମୋନୋର ମୂଲ୍ୟ ୨ ଶତରୁ ୩ ଶତ ପର୍ଯ୍ୟନ୍ତ ଟଙ୍କା ହୁଏ । ଏପରି ଏକ କିମୋନୋ ସେଟ୍‌ ରଖିବା ସାଧାରଣ ଜାପାନୀ ପକ୍ଷରେ ମଧ୍ୟ ସମ୍ଭବପର ନୁହେଁ ।

 

କିମୋନୋ ଯେପରି ଅର୍ଥ ସାପେକ୍ଷ, ପିନ୍ଧିବାକୁ ମଧ୍ୟ ସେହିପରି ସମୟସାପେକ୍ଷ । ତେଣୁ ଦେଶକାଳ ପାତ୍ରକୁ ଚାହିଁ ଜାପାନୀ ନାରୀପୁରୁଷ ବାଛି ନେଇଛନ୍ତି ଯୁରୋପୀୟ ପୋଷାକ । କିମୋନୋ ପରିବେଷ୍ଟନୀରେ ମିଚିକୋକୁ ମୁଁ ପ୍ରଶଂସା ନ କରି ରହି ପାରିଲି ନାହିଁ । ସେ ଦେଖାଗଲା ସତେ ଯେପରି ସ୍ୱର୍ଗର ଅପ୍‌ସରୀ ! ଯାହାହେଉ, ଧନ୍ୟବାଦଟାଏ ଦେଇ ଫଟୋ ନେଲି-। କିନ୍ତୁ ଗୋଟାଏ କଥା ମନକୁ ଅସ୍ଥିର କଲା, ଭାବିଲି ଯେ ମିଚିକୋର ତ ହିରୋସୀମା ଧ୍ୱଂସରେ ସବୁ ଯାଇଛି, ଫେର୍ ଏଡ଼େ ମୂଲ୍ୟବାନ୍ କିମୋନୋ ସେ ପାଇଲା କେଉଁଠାରୁ ? କିନ୍ତୁ ପରେ ବୁଝିଲି ଯେ ସେ ସେଇଟିକୁ ତା’ର ବନ୍ଧୁଘରୁ ମାଗି ଆଣିଥିଲା କେବଳ ତା’ର ଗୋଟିଏ କିମୋନୋ ପିନ୍ଧା ଫଟୋ ଉଠାଇବା ପାଇଁ ।

 

ଜାପାନୀ ନାରୀମାନେ କି ଘରେ, କି ବାହାରେ ଖାଲି ପାଦରେ ଚାଲନ୍ତି ନାହିଁ । ଧଳାକନା ତିଆରି ମୋଜା ( ତାବି ) ପିନ୍ଧି ଘରେ ଚାଲବୁଲ କରନ୍ତି ଓ ବାହାରକୁ ଗଲେ ଜୋତା ମୋଜା କିମ୍ବା କାଠ ଖଡ଼ମ (ଗେତା) ବ୍ୟବହାର କରନ୍ତି । ଗେତା (Elm) ଏଲମ୍‌ କାଠ ତିଆରି । ପାଦରେ ଏକ ପ୍ରକାର ଷ୍ଟ୍ରାପ ବାନ୍ଧି ଜୋତା ପିନ୍ଧନ୍ତି, ଯାହାଦ୍ୱାରା ପାଣି କାଦୁଅରେ ଗଲେ ମଧ୍ୟ ପାଦରେ ପାଣି କାଦୁଅ ଲାଗେ ନାହିଁ । ଖରାଦିନେ ଛଣ ତିଆରି ଜୋତା ପିନ୍ଧି ଚାଲବୁଲ କରନ୍ତି । ଛଣ ଜୋତାକୁ ଏମାନେ ‘ଓୟାରାଜି’ ବା ‘ଜୋରି’ କହନ୍ତି । ଧନୀ ଘରର ଝିଅ-ବୋହୂମାନଙ୍କ ଛଣ ଜୋତା ଉପରେ ମୂଲ୍ୟବାନ୍ କନା ଢାଙ୍କି ବିଚିତ୍ର ନକ୍ସାମାନ ଅଙ୍କା ଯାଇଥାଏ । ବିବାହାଦି ଶୁଭ ଅନୁଷ୍ଠାନମାନଙ୍କରେ ଏହାର ଚଳନ ବେଶି । ଜାପାନର କୁଟୀର ଶିଳ୍ପରେ ଏହା ଏକତମ ଓ ସାଧାରଣତଃ ବୟସ୍କା ନାରୀମାନେ ଏହି କାର୍ଯ୍ୟରେ ଲାଗନ୍ତି ।

 

ଅଳଙ୍କାର ସମ୍ବନ୍ଧରେ ମିଚିକୋର ରୁଚି ଯାହା, ସାଧାରଣ ଜାପାନୀ ନାରୀର ମଧ୍ୟ ସେଇଆ । ତା’ର ଭୂଷଣ ସବୁ ସୂକ୍ଷ୍ମ ଓ ସୁନ୍ଦର । ମୋଟା ମୋଟା ସୁନା ରୁପାର ଅଳଙ୍କାର ପସନ୍ଦ ହୁଏ ନାହିଁ । ମୁଣ୍ଡପାଇଁ ବେଣୀ-ପାନିଆ, ରେଶମ–ପଶମ ବୁଣା ରଙ୍ଗିନ ଫୁଲ, ମୁଦି, ଘଡ଼ି ଓ ଚେନ୍‌ ହେଲା ଜାପାନୀ ନାରୀର ସବୁଠାରୁ ପ୍ରିୟତମ ଅଳଙ୍କାର । ମୁଦି (ୟବି) ର ଆଦର ସବୁଠାରୁ ବେଶି-। ମୂଲ୍ୟବାନ୍‌ ଉପହାର ଦେବା କଥା ଯଦି ମୁଦିଟାଏ ଦିଅ ନଚେତ ତା’ ବଦଳରେ ଫୁଲ ପେନ୍ଥାଟାଏ-

 

ଥରେ ପଚାରିଲି, ‘ମିଚିକୋସାନ୍‌, ତୁମର ନାଁଟା ଏପରି କିଚିମିଚିଆ କାହିଁକି ହୋଇଛି ? ’’ ସେ ଉତ୍ତର ନ ଦେଉଣୁ ମାମାସାନ୍‌ କହିଲା–ସେ କ’ଣ କହିବ, ପିଲାଟା ତ, ମୁଁ କହୁଛି’ ଶୁଣ । ଜାପାନୀ ପିଲାଙ୍କ ନାମ ଦିଆରେ ଭାରି କୌତୁକ ପ୍ରବାଦ ଅଛି । ଝିଅ ଜନ୍ମ–ହେଲେ ଘରେ ଖୁବ୍‌ ଆନନ୍ଦ ଉତ୍ସବ ହୁଏ । ପୁଅଠାରୁ ଅଧିକ ପୁଅ ଝିଅଙ୍କ ଜନ୍ମ ଦିନଠାରୁ ଜାପାନୀମାନେ ତାକୁ ବର୍ଷେ ହେଲା ବୋଲି ଗଣନା କରନ୍ତି । ଧର, ଡିସେମ୍ବର ୩୧ ତାରିଖରେ ପୁଅ କି ଝିଅ ଜନ୍ମ ହେଲା । ଜାନୁଆରୀ ପହିଲାକୁ ତା’ ବୟସ ଧରାଯାଏ ଦୁଇ ବରଷ । ଏହି ବିଚିତ୍ର ପ୍ରଥା ଯୋଗୁଁ ଏ ବ୍ୟବସ୍ଥା । ପୁଅ ଝିଅ ଯେଉଁଦିନ ପାରେ ସେ ଦିନ ଜନ୍ମ ହେଉନ୍ତୁ ନାଁ କାହିଁକି ପୁଅଙ୍କର ଜନ୍ମ ପ୍ରତି ମେ ମାସ ୫ ତାରିଖ ଓ ଝିଅଙ୍କର ଜନ୍ମଦିନ ପ୍ରତି ମେ ମାସ ୩ ତାରିଖ ବୋଲି ଧରାଯିବ । ତେଣୁ ସେ ଦୁଇଦିନ ସବୁଘରେ ପୁଅ ଝିଅଙ୍କ ଜନ୍ମଦିନ ପାଇଁ ଲାଗେ ଆନନ୍ଦ ଉତ୍ସବ । ଜନ୍ମର ସାତ ଦିନ ପରେ ହୁଏ ନାମକରଣ । ବେଶି ଭାଗ ଫୁଲର ନାମାନୁସାରେ ନାମ ଦିଆଯାଇଥାଏ । ଦିନକ ପରେ ମା ଏନ୍ତୁଡ଼ିଶାଳ ଛାଡ଼େ । ଜନ୍ମ ହେବାର ମାତ୍ର କେତେକ ସପ୍ତାହ ପରେ ବଡ଼ ବଡ଼ ଭାଇ ଭଉଣୀମାନେ ଛୋଟ ପିଲାମାନଙ୍କୁ ଦେଖାଚାହାଁ କରନ୍ତି । ଘରର ବଡ଼ ଝିଅ କିମ୍ବା ଦାସୀମାନେ ଶିଶୁମାନଙ୍କୁ ବୋକଚା କରି ପିଠିରେ ପକାଇ ବୁଲାନ୍ତି, ଠିକ୍‌ ଆମ ଦେଶର କେଳୁଣୀଙ୍କ ପରି । ପିଲାଟିର ମୁହଁ କେବଳ ପଦାକୁ ଦିଶୁଥାଏ । ଅଣ୍ଟାଠୁ ପାଦଯାଏଁ ଜାପାନୀମାନେ ଛୋଟ ଦେଖାଯାନ୍ତି, ତା’ର ଏକ କାରଣ ଅଛି । ବସିବାକୁ ଶିଖିଲାବେଳେ ଆଣ୍ଠୁଠାରୁ ଗୋଡ଼କୁ ଭାଙ୍ଗି ସେମାନଙ୍କୁ ବସାଇ ଦିଆଯାଏ-। ସେଥିଯୋଗୁଁ ସେମାନଙ୍କର ପାଦ ମୋଡ଼ି ହୋଇ ଆଉ ଭଲ ବଢ଼ିପାରେ ନାହିଁ । ପାଦ ଯେପରି ନ ବଢ଼ିବ, ସେଥିପାଇଁ ବହୁ ଯୁଗରୁ ଜାପାନୀମାନଙ୍କ ଲକ୍ଷ୍ୟ ରହିଛି । ଚାଷୀ, ମଜୁରିଆ ବା କୁଲିଜାତୀୟ ନରନାରୀଙ୍କ ପାଦ ଏତେ ଛୋଟ ନୁହେଁ । ତେବେ ଚୀନାମାନଙ୍କ ପରି ଭିଡ଼ି ବାନ୍ଧି ପାଦ ଛୋଟ କରିବା ପ୍ରଥା ଜାପାନୀମାନଙ୍କର କେବଳ ନଥିଲା । ପିଲାମାନେ ଠୁକୁରୁ ଠୁକୁରୁ ଚାଲି ଶିଖିଲାବେଳେ ସେମାନଙ୍କ ପାଦରେ ସେଇ ‘ଜୋରି’ ଜୋତା ବାନ୍ଧି ଦିଆଯାଏ । ତା’ପରେ ଗେତା ଜୋତା ଲଗେଇ ଛାଡ଼ନ୍ତି । ଏହାଦ୍ୱାରା ପାଦ ଲୋଚେଇ ମୋଡ଼ି ହୁଏ ନାହିଁ କି କିଛି ଅନିଷ୍ଟ କରେ ନହିଁ ।

 

ଦିନେ ପଚାରିଲି, ‘ଆଚ୍ଛା ମିଚିକୋସାନ୍‌, କହ ତ ତୁମର ମା ତୁମର ମନେ ପଡ଼େନା ? ଛଳ ଛଳ ଆଖିରେ ଗମ୍ଭୀର ହୋଇ ମିଚିକୋ କହି ବସିଲା, ‘‘ଜାପାନୀ ମାଆ ଏତେ ଅଧୀର ହେବାକୁ ଶିଖାଇ ନାହିଁ । ସେ ଶିଖେଇ ଯାଇଛି ଏ ଜୀବନ ସୁନ୍ଦର, ସରସ । ଏଥିରେ ସୁଖ ଅଛି, ଆନନ୍ଦ ଅଛି, ଆଉ ଆରାମ ମଧ୍ୟ ଅଛି । ଏ ଧାରଣା ସେ ପ୍ରଥମରୁ ଆମକୁ ଦେଇ ଯାଇଛି । ଆମେ ସ୍ତ୍ରୀ ଜାତି, ଜୀବନଯାକ ପୁରୁଷର ଅଧୀନରେ ରହି ଚଳିବୁ, କେବେହେଲେ ଅମାନିଆ ହେବୁ ନାହିଁ । ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବୁ । ରୁଷାଭୂଷା ଆମ ନାରୀ ଜାତିକୁ ଆଦୌ ପୋଷାଏ ନାହିଁ । ଅନନ୍ତ ବିପଦରେ ମଧ୍ୟ ମୁହଁକୁ ଫୁଲେଇ ବସି ରହିବା ଅମଙ୍ଗଳର ଚିହ୍ନ । ରଥସାନ୍‌ (ରଥ ମହାରଥ) ମା’ଠୁଁ ବଳି ପଦାର୍ଥ ଆଉ ଦୁନିଆରେ କ’ଣ ଅଛି ? ସେ ଫେର୍ କାହାର ମନେ ନ ପଡ଼େ ? ’’

 

ଭାବିଲି, ଧନ୍ୟ ଜାପାନୀ ମା । ପିଲାଝିଲାଙ୍କୁ ଉତ୍ତମ ମଣିଷ କରି ଗଢ଼ିବାରେ ଧନ୍ୟ ତୋର ଶିକ୍ଷା ଓ ଉପଦେଶ, ଯାହାକି ସେମାନଙ୍କର ଅସ୍ଥିମଜ୍ଜାଗତ ହୋଇ ପଡ଼ିଛି । ଜାପାନୀ ନାରୀ ତାରି ଯୋଗୁଁ ଜୀବନରେ କେବେହେଲେ ସ୍ୱେଚ୍ଛାଚାରିଣୀ ଦେଖାଯାଏ ନାହିଁ । ଅଥଚ ଆମ ଦେଶପରି ପରଦାର ଅନ୍ତରାଳରେ ସେ ଶଢ଼ିପଚି ମରେ ନାହିଁ । ସତ୍‌ସାହସର ସହିତ ବୀରଦର୍ପରେ ଛାତି ଫୁଲାଇ ଜାପାନୀ ନାରୀ ଦାଣ୍ଡରେ ଏକାକିନୀ ଯାଇ ଆସି ପାରେ । ପାଶ୍ଚାତ୍ୟ ରୀତିନୀତି (ଖାସ୍‍କରି ଆମେରିକାର) ଜାପାନର ଅନ୍ଦିକନ୍ଦି ପଶି ଗଲାଣି ସତ, ମାତ୍ର ଜାପାନୀ ସ୍ତ୍ରୀମାନଙ୍କ ମନରୁ ଏହି ବାଧ୍ୟତା ପ୍ରଭୃତି ସୁଗୁଣଗୁଡ଼ିକ ତିଳେହେଲେ ଯାଇ ନାହିଁ । ଜାପାନୀ ସଂସ୍କୃତିରେ ଜାପାନୀ ନାରୀ ସମ୍ବନ୍ଧରେ ଚିରକାଳରୁ ଏକ ପ୍ରକାର ଅନୁଶାସନ ବା ଆଜ୍ଞାମାନ ଚଳି ଆସିଛି–ବଡ଼ ହେଲେ ତୁ ପର ଘରକୁ ବୋହୂ ହୋଇଯିବୁ । ସେଠାରେ ଶାଶୂ ଶ୍ୱଶୁର ଗୁରୁଜନମାନଙ୍କ କଥା ମାନି ଚଳିବୁ । ପିଲାଦିନେ ପିତା ମାତାଙ୍କୁ ଶ୍ରଦ୍ଧା–ଭକ୍ତି ଓ ବିବାହ ପରେ ସ୍ୱାମୀଙ୍କୁ ଶ୍ରଦ୍ଧା-ଭକ୍ତି କରି ପ୍ରାଣଦେଇ ଭଲ ପାଇ ଖୁସି କରିବୁ । ରୂପ ଅପେକ୍ଷା ଗୁଣରେ ନାରୀର ପ୍ରକୃତ ସୌନ୍ଦର୍ଯ୍ୟ ଓ ମୂଲ୍ୟ ଯେ ପ୍ରକାଶ ପାଏ, ତାହା ପିଲାଟିଦିନରୁ ଜାପାନୀ ନାରୀ ଶିକ୍ଷା କରେ ।

 

ଆଜି ଏକ ରବିବାର । ମିଚିକୋସାନ୍‌ର ଘରଧନ୍ଦା ବିଷୟରେ ପଦେଅଧେ ଲେଖେ । ଆମ ଦେଶର ଝିଅବୋହୂଙ୍କର ସବୁ ସମୟ କଟିଯାଏ ହାଣ୍ଡିଶାଳରେ ରନ୍ଧାବଢ଼ାରେ । ସେ କାମରେ ଟିକେ ହେଲେ ଫୁରୁସତ୍‌ ନଥାଏ; କାରଣ ଶୃଙ୍ଖଳା ନ ଥାଏ । ଏକ ଦୁର୍ଲଭ ମନୁଷ୍ୟ ଜନ୍ମ କେବଳ ହୁଏତ ଏଥିପାଇଁ ଜନ୍ମ । ଆମ ଦେଶର ସ୍ତ୍ରୀମାନଙ୍କ ସଦୃଶ ପୁରୁଷମାନଙ୍କର ସ୍ୱଭାବ ମଧ୍ୟ ଢିଲା ଓ ହୁଗୁଳା । ଶତ ପ୍ରେରଣା ସତ୍ତ୍ୱେ କେବଳ ସେଇ ଘର ଜଞ୍ଜାଳ ଛଡ଼ା ଦୁନିଆର ଅନ୍ୟ କୌଣସି ଖବର ରଖିବାକୁ ସେ ଯେପରି ନାରାଜ । ଆମେ ସମୟର ପ୍ରକୃତମୂଲ୍ୟ ବୁଝୁନା । ତେଣୁ କେବଳ ଖଟି ଖଟି ଆମ ଜୀବନ ଯାଏଁ ଓ ଅକାଳରେ ଆମେ ମୃତ୍ୟୁ ବରଣ କରୁ । କିନ୍ତୁ ଜାପାନୀ ନାରୀ ଘରଧନ୍ଧା କରି ସୁଦ୍ଧା ଦେହରେ ଖରା ପବନ ଲଗାଇବା ପାଇଁ ଯଥେଷ୍ଟ ସମୟ ପାଏ । ସେଠା ନାରୀମହଲରେ ତେଣୁ ଅକାଳ ରୋଗ ପଶି ପାରୁନାହିଁ । ଜାପାନୀ ନାରୀ ସମାଜରେ ଅକାଳ ବୁଢ଼ୀ ଦେଖାଯାନ୍ତି ନାହିଁ କି ସେ ସମାଜରେ ଅକାଳ ମୃତ୍ୟୁ ମଧ୍ୟ ନାହିଁ ।

 

ମିଚିକୋ ଖୁବ୍‌ ସକାଳୁ ମୋତୋଇ ଉଠିବା ଆଗରୁ ଉଠି ନିଜର ସକାଳ କାମତକ ଝଟାଝଟ ସବୁ ସାରି ପକାଏ । ତା’ପରେ ଚୁଲିଟା ଲଗେଇ ଦେଇ ପାଣିଟା ଆଗ ଗରମ କରି ପକାଏ । ଶୀତ ପ୍ରଧାନ ଦେଶ । ସକାଳରେ ବିନା ଗରମ ପାଣିରେ ହାତ ଚାଲେ ନାହିଁ । ତା’ପରେ ସାନ ଭାଇପାଇଁ ଦାନ୍ତକାଠି ପାଣି ଥୋଇ ଦେଇ ଓଚା’ ଯୋଗାଡ଼ରେ ଲାଗିଯାଏ । ମୋତୋଇ ବିଛଣା ଛାଡ଼ିବା ପରେ ଶେଯ ଉଠେଇ ଘର ଝାଡ଼ିଝୁଡ଼ି ଦେଇ କାଗଜର ଦରଜା ଓ ବାତାୟନ ସବୁ ଖୋଲି ଦିଏ, ଯାହା ଫଳରେ ଘର ଭିତରକୁ ମୁକ୍ତ ପବନ ଓ ଆଲୋକ ପଶି ଆସେ । ତା’ପରେ ସେ ଖଣ୍ଡେ ସଫା ଆଭରଣ ପିନ୍ଧି ବାହାରି ପଡ଼େ ଠାକୁର ଘରକୁ । ସେଠାରେ ଧୂପ ଦୀପ ଓ ସାମାନ୍ୟ ଶାକେ (ମଜ) ପୂଜାଦେଇ ଚା’ ଟେବୁଲ ପାଖକୁ ବାହାରି ଆସେ । ଭାଇ ସଙ୍ଗେ ବିନା କ୍ଷୀର ଚିନିରେ ଓଚା’ (ଖାଲି ଗରମ ପାଣିରେ ଚା’ ପତିଛଣା ପାଣି, ଯାହା କି ଜାପାନରେ ଦୁଧ ଅଭାବରୁ ଘରେ ଘରେ ପ୍ରଚଳନ) ଟିକେ ଟିକେ ଖାଇଦେଇ ରୋଷେଇବାସର ଯୋଗାଡ଼ କରି ବସେ । ମୋତୋଇ ତା’ର ପଢ଼ାବହି ଧରି ଟେବୁଲ ପାଖରେ ବସି ରହେ । ରୋଷେଇବାସ ବେଶି ଡେରି ଲାଗେ ନାହିଁ । ବେଶ୍‌ ଘଣ୍ଟାଟିକ ଭିତରେ ସବୁଶେଷ ହୋଇଯାଏ । ସାମାନ୍ୟ ଭାତ ଓ ଆଳୁ କନ୍ଦମୂଳ କଖାରୁ ସିଝା ଆଦି,–ବିନା ମସଲାରେ ଯେତେ ସରଳ ରାନ୍ଧଣା ହୋଇପାରେ । ଆମେ ଭାତ ସଙ୍ଗେ ତରକାରୀ ଖାଉଁ । କିନ୍ତୁ ଜାପାନୀମାନେ ତରକାରୀ ସଙ୍ଗେ ଭାତ ଖାଆନ୍ତି । ଯୁଦ୍ଧୋତ୍ତର ଜାପାନରେ ଖାଦ୍ୟ ସମସ୍ୟା ଠାରୁ ବଳି ଉତ୍କଟତର ସମସ୍ୟା ଆଉ ନଥିଲା । ତେଣୁ ଖାଇବା ସୁଖ କଥା ଛାଡ଼ । ଆମ୍ଭେମାନେ ହୁଏତ ୨୦୦ ବର୍ଷ ବ୍ରିଟିଶ ଶାସନରେ ଏତାଦୃଶ ଅବସ୍ଥାର ସମ୍ମୁଖୀନ ହୋଇ ନଥିବା ଯାହା କି ଜାପାନୀମାନେ ସେଇ କେତେଟା ଦିନ ଭୋଗିଥିଲେ ଆମେରିକାନ୍‌ ରାଜତ୍ୱରେ ।

 

ଘଣ୍ଟାକ ପରେ ଚଟାଣରେ ବସି ଛୋଟ ଟେବୁଲ ଉପରେ ଖାଦ୍ୟ ରଖିଦେଇ ଭାଇ ଭଉଣୀ ଦୁଇଟି ଏକାଠି କାଠି ଦି ଖଣ୍ଡ ସାହାଯ୍ୟରେ ଖୁବ୍‌ ଚଞ୍ଚଳ ଖାଇ ନିଅନ୍ତି । ତା’ପରେ ମୋତୋଇର ଟିକେ ବିଶ୍ରାମ କିନ୍ତୁ ମିଚିକୋ ବାସନତକ ମାଜି ଲୁଗା କଚାରେ ଲାଗିଯାଏ । ଲୁଗା କଚାପରେ ସକାଳ ଓଳିର କାମ ଶେଷ ହୁଏ ।

 

ତା’ପରେ ଆରମ୍ଭ ହୁଏ ଶିଳ୍ପକାମ । ଖେଳନା ତିଆରିଠାରୁ ରୁମାଲ ସିଲାଇ ଇତ୍ୟାଦି ଇତ୍ୟାଦି । ସେଥିରେ ଫେର୍ ସାଇପଡ଼ିଶା ଦୁଇ ଚାରି ଘରୁ ଝିଅବୋହୂ ଏକାଠି ହୋଇଗଲେ ତ ଚାଲେ ହସକୌତୁକ ଓ ଗୀତ ଗଳ୍ପ । ଫେର୍ ଚାରିଟାବେଳକୁ ଘରକୁ ଫେରି ସାମାନ୍ୟ ଚାହା ଜଳଖିଆ ଖାଇ ମିଚିକୋ ଲାଗେ ରାତ୍ରି ଭୋଜନ ଯୋଗାଡ଼ରେ, ଆଉ ମୋତୋଇ ଯାଏଁ ଖେଳ ପଡ଼ିଆକୁ । କି ସ୍କୁଲଛାତ୍ର, କି ସାଧାରଣ ଜାପାନୀ ଯୁବକ ଖେଳ ବିନା ମୁହୂର୍ତ୍ତେ ସ୍ଥିର ହୋଇ ରହି ପାରେନା । ଖେଳ ତା’ର ହେଲା ବିଶିଷ୍ଟ ଅଙ୍ଗ । ସନ୍ଧ୍ୟା ପରେ ପରେ ଘରର ରାତିଖିଆ କାମ ଶେଷ ହୋଇଯାଏ । ରାଣ ଦେଲାପରି ସନ୍ଧ୍ୟାପରେ କୌଣସି ଜାପାନୀ ଘରେ ରନ୍ଧା ବଢ଼ାର ଆଭାସ ନଥାଏ । ଏ ଦେଶର ନୂତନ ଆଗନ୍ତୁକ ଯେପରି ଭାବିବ ଏ ଦେଶଟାଯାକ କ’ଣ ବାତରୋଗୀ ନା ଅଲେଖଧର୍ମାବଲମ୍ବୀ ? ନାଁ, ଜାପାନୀର ନୀତି ହେଲା–‘ଦିନସାରା କାମ କର, ରାତ୍ରସାରା ବିଶ୍ରାମ ନିଅ । ରାତ୍ର ହୋଇଛି ବିଶ୍ରାମପାଇଁ । ଏଥିରୁ ପାଠକମାନେ ଯେପରି କେହି ନ ବୁଝନ୍ତି ଯେ ଜାପାନୀ ନାରୀର ଆଦୌ ଜୀବନ ନାହିଁ । ସେମାନେ ଯେପରି କ୍ରୀତଦାସୀ, ନ ହେଲେ ଯନ୍ତ୍ରପରି ପୁରୁଷର ସେବା କାର୍ଯ୍ୟରେ ଲାଗି ନଥାନ୍ତେ ! ସୁଖଶାନ୍ତି ତ କ’ଣ ସେମାନେ ଜାଣିବେ ନାହିଁ । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍ । ଜାପାନୀ ନାରୀର କାମରେହିଁ ପରମ ଆନନ୍ଦ । ଗୁରୁଜନ ଭାଇ ଭଉଣୀର ସେବାରେହିଁ ତା’ର ଆହ୍ଲାଦ । ତା’ ପଛକୁ ଆମୋଦ ପ୍ରମୋଦ ଲାଗି ପୁଣ୍ୟ ପର୍ବ ଲାଗି ରହିଛି । ପିଠାପଣା ବାରବ୍ରତ ଜାପାନରେ ଯେ କେତେ କହିଲେ ନ ସରେ । ସେ ଉତ୍ସବମାନଙ୍କରେ ନାରୀମାନେହିଁ ମାଲିକ । ଯେତେ ବ୍ୟବସ୍ଥା ଆୟୋଜନ ସବୁ ତାଙ୍କରି । ପୁରୁଷ ତା’ର ଧାର ଧାରେ ନାହିଁ ।

 

ଜାପାନ ହେଲା ଫୁଲର ଦେଶ । ଫୁଲ ଲାଗି ସେଠାରେ ପୂଜାପାର୍ବଣ ଅସଂଖ୍ୟ । ଏଇ ଉତ୍ସବମାନଙ୍କରେ କୁମାରୀକନ୍ୟାମାନଙ୍କର ପ୍ରାଧାନ୍ୟ ଖୁବ୍‌ ବେଶି । ସେମାନଙ୍କର ଜୀବନ ଫୁଲପରି ନିର୍ମଳ, ଅନାବିଳ ଓ ସୁନ୍ଦର ହେଉ, ଏହାହିଁ ଉତ୍ସବମାନଙ୍କର ଉଦ୍ଦେଶ୍ୟ । କୁମାରୀଗଣ ମନୋହର କବିତାମାନ ଲେଖି ତାକୁ ପତାକା ପରି ପତ୍ରପୁଷ୍ପ ଭରା ବୃକ୍ଷଲତାମାନଙ୍କରେ ଝୁଲାଇ ଦିଅନ୍ତି । ଜାପାନରେ ବଡ଼ର ନାଁ ଧରି ଡାକିବା ନିଷେଧ । ନାରୀର ସ୍ଥାନ ପୁରୁଷର ତଳେ, ଏପରି କି ସମ୍ରାଟ ଓ ସାମ୍ରାଜ୍ଞୀ ଗୋଟିଏ ଗାଡ଼ିରେ ପାଖାପାଖି ବସି କେବେହେଲେ ଯାଆନ୍ତି ନାହିଁ । ସାମ୍ରାଜ୍ଞୀ ହେଲେ କ’ଣ ହେଲା ସେ ଯେ ନାରୀ ! ଏ ନିୟମ ଥାଇ ମଧ୍ୟ ନାରୀପ୍ରତି ଜାପାନୀ ଜାତିର ଶ୍ରଦ୍ଧା ଓ ସମ୍ମାନ ଅକ୍ଷୁଣ୍ଣ ।

 

ମିଚିକୋର ଭାଇ ମୋତୋଇ ଆଉ ପିଲା ହୋଇନାହିଁ । ତା’ର ବୟସ ୧୪ ହେଲାଣି । ସେ ଏ ବର୍ଷ ସ୍କୁଲପାଠ ଶେଷକରି କଲେଜରେ ଭର୍ତ୍ତି ହେବ । ଦୁହିଁଙ୍କର ପ୍ରତ୍ୟକ୍ଷ ମୁରବି କେହି ନଥିଲେହେଁ ବନ୍ଧୁ ଓ ବନ୍ଧୁପତ୍ନୀ ଦୁହେଁ ଏହି ଭାଇ ଭଉଣୀ ଦୁହିଁଙ୍କୁ ନିଜର ପୁଅ ଝିଅ ପରି ଚଳାଇ ଆଣୁଥିଲେ । ସେମାନେ ମଧ୍ୟ ସେହି ପରିମାଣରେ ଶ୍ରଦ୍ଧା ଓ ଭକ୍ତି ପାଉଥାନ୍ତି । ଦିନେ ହେଲେ ସେମାନଙ୍କର କଥା ଏଡ଼ା ଯାଇନାହିଁ । ମିଚିକୋର ଇଚ୍ଛାଥାଉ ନଥାଉ, ବନ୍ଧୁପତ୍ନୀର ଇଚ୍ଛା ଯେ ମିଚିକୋକୁ ହାତୁକ ଦି’ହାତ କରିଦେଲେ ତାଙ୍କର ଏକ ଦାୟିତ୍ୱ ଯିବ । ନିଜର କେହି ନ ହେଲେହେଁ ସେଇଟା ତାଙ୍କର କର୍ତ୍ତବ୍ୟ । ସରଳା ଅବଳା ମିଚିକୋ ବା ଏ ବିବାହ ରହସ୍ୟ କ’ଣ ଜାଣିବ ? କେଜାଣି ବା ତା’ର ପିତା ମାତା ଥିଲେ ସେ ଆଉ କେତେକାଳ ଅଲିଅଳରେ ବଢ଼ିଥାନ୍ତା; କିନ୍ତ ବର୍ତ୍ତମାନ ତାକୁ ନାହିଁ କରିବାକୁ ଚାରା ନାହିଁ । ବିବାହ କଲେ ମଧ୍ୟ ତା’ର ଇଚ୍ଛା ମୋତୋଇ କଲେଜ ପଢ଼ା ଶେଷ ପର୍ଯ୍ୟନ୍ତ ବନ୍ଧୁ ଘରେ ରହିବ ଓ ମିରିକୋ ତାକୁ ପୂର୍ବପରି ସାହାଯ୍ୟ କରିବ ।

 

ଆମ ଦେଶରେ ୟୁରୋପୀୟ ଭାରତୀୟ ମିଶ୍ରଣ ଜାତ ଆଙ୍ଗଲୋଇଣ୍ଡିଆନ ସମ୍ପ୍ରଦାୟ ପରି ଜାପାନରେ ଏବେ ମଧ୍ୟ ହଜାର ହଜାର ଆମେରିକାନ ଜାପାନୀ ସଙ୍କର ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅକୁପେଶନ ଟ୍ରୁଫ୍‌ସଙ୍କୁ ଦ୍ୱିଭାଷୀ ବିଶେଷଜ୍ଞ (Interpreter) ହିସାବରେ ସାହାଯ୍ୟ କରିବାରେ ନାନା ସ୍ଥାନରେ ନିଯୁକ୍ତ ଥିଲେ । ଜାପାନୀ ଭାଷାରେ ସେମାନଙ୍କୁ ଚୁନ୍‌ସାକୋ ସାନ ବୋଲି କୁହାଯାଏ । ଏକଦା ଆମ ଡିପୋରେ କାମ କରୁଥିବା ବବ୍‌ ନାମକ ଜନୈକ ଚୁନ୍‌ସାକୋ ସାନ ସଙ୍ଗେ ମିଚିକୋର ବିବାହ ପ୍ରସଙ୍ଗ ଉଠେ । ବବ୍‌ ଦେଖିବାକୁ ସୁଶ୍ରୀ ଓ ଉଚ୍ଚ ଶିକ୍ଷିତ ଯୁବକ । ଏ ପ୍ରସଙ୍ଗରେ କିଏ କା ଆନନ୍ଦ ଅନୁଭବ ନ କରିବ ? ଦୁହେଁ ଚାକିରି କରି ସୁନ୍ଦର ସଂସାରଟିଏ ଗଢ଼ି ଦାମ୍ପତ୍ୟ ସୁଖ ଅନୁଭବ କରିବେ । ମିଚିକୋର ବିବାହ ଭୋଜି ଖାଇବା ଅବଶ୍ୟ ଭାଗ୍ୟରେ ଘଟିନାହିଁ । ତେବେ ଯାହା କିଛି ଶୁଣିଛି ସଂକ୍ଷେପରେ ଲେଖେ ।

 

ଜାପାନୀ ନାରୀ ଜୀବନରେ ବିବାହ ସବୁଠୁ ବଡ଼ କଥା । ଝିଅଟିଏ ଜନ୍ମ ହେଲା ଦିନୁ ପିତାମାତା ଗୁରୁଜନମାନଙ୍କ ମନରେ ଆମ ଦେଶପରି ସେଠାରେ ମଧ୍ୟ ଠିକ୍‌ ସେଇ ଭାଳେଣି ପଡ଼େ,–ଏ ଝିଅ ଦିନେ ବଡ଼ ହେବ ଏବଂ ତାକୁ ବିବାହ ଦେବାକୁ ପଡ଼ିବ । ବିବାହ ଉତ୍ସବ ମହାସମାରୋହ ଓ ଆନନ୍ଦରେ ହୁଏ । ଧନୀଘର ହେଉ ବା ଭଙ୍ଗାକୁଡ଼ିଆ ଘର ହେଉ ବିବାହ ପ୍ରଥା ସବୁଠି ଏକ । ଜାକଜମକର ମାତ୍ରା ନେଇ ଯାହା ଟିକେ ତଫାତ ।

 

ବିବାହ ପ୍ରଭୃତି ମଙ୍ଗଳ କାର୍ଯ୍ୟରେ ଲାଲରଙ୍ଗକୁ ମଙ୍ଗଳର ଚିହ୍ନ ବୋଲି ଆମ ଦେଶରେ ଚଳନ ଅଛି । ନାଲି ଧଡ଼ିଆ ଶାଢ଼ି, ନାଲି ସିନ୍ଦୂର, ନାଲି କାଳିରେ ନିମନ୍ତ୍ରଣ ପତ୍ର ଇତ୍ୟାଦି ଇତ୍ୟାଦି । ମାତ୍ର ଜାପାନରେ ତାହାର ବିପରୀତ । ବୋହୂ ଚକ୍‌ଚକ୍‌ ଧଳା ପରିଚ୍ଛଦରେ ସଜ୍ଜିତ ହୁଏ । ଧଳା ପୋଷାକ ସେମାନଙ୍କର ମଙ୍ଗଳର ଚିହ୍ନ । ବିବାହ ପ୍ରସଙ୍ଗ କିପରି ପକ୍କା ହେଲା ସେ ସମ୍ବନ୍ଧରେ କିପରି ଗୋଟିଏ ବିଚିତ୍ର ପ୍ରଥା ଅଛି କହେ । ବବ୍‌ସାନ୍‌ ସଙ୍ଗେ ବିବାହ ପ୍ରସ୍ତାବ ଆସିଲା ପରେ ସେ ଏକ ଶୁଭଦିନ ଦେଖି ନିଶାର୍ଦ୍ଧରେ କାହାର ଅଜ୍ଞାତରେ ମିଚିକୋର ଦ୍ୱାରସ୍ଥ ହୁଏ ଓ ପତ୍ରପୁଷ୍ପ ଭରା ଗୋଟିଏ ଡାକ ତା’ର ଦ୍ୱାର ଦେଶରେ ବାନ୍ଧି ଦେଇ ଚାଲିଆସେ । ଅବଶ୍ୟ ବନ୍ଧୁପତ୍ନୀ ଏହା ଆଗରୁ ଜାଣିଥାନ୍ତି । ତତ୍‌ପରଦିନ ସକାଳେ ବନ୍ଧୁ ମିଚିକୋର ଆଗରୁ ଉଠି ଉକ୍ତ ଡାଳଟିକୁ ଏକ ପୂର୍ଣ୍ଣ କୁମ୍ଭରେ ଅତି ଯତ୍ନରେ ସାଇତି ରଖି ଚାଲି ଆସିଥିଲେ । ମିଚିକୋ ସକାଳୁ ଉଠି ଏ ସବୁ ଦେଖି ଆଶ୍ଚର୍ଯ୍ୟ ଓ ଆନନ୍ଦ ହୋଇ ସବୁ ଜାଣି ନ ଜାଣିଲା ପରି ରହିଲା । ପଚାରିବା ଲଜ୍ଜାର କଥା । ସେ ତୁନି ହୋଇ ରହିଲା । ବରର ମଧ୍ୟ ସେଇଦିନ ସକାଳେ ଆଉ ଥରେ ତା’ର ସ୍ୱାରସ୍ଥ ହୋଇ ଗତ ରାତ୍ରିରେ ଦେଇଥିବା ପରୀକ୍ଷାର ଫଳାଫଳ ଜାଣିଯିବାର କଥା । ସେ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ହୋଇ ପୂର୍ଣ୍ଣକୁମ୍ଭ ଦର୍ଶନରେ ଅତିଶୟ ଆନନ୍ଦ ଅନୁଭବ କରି କଳ୍ପନା ସାଗରରେ ଭାସିବାକୁ ଲାଗିଲା-। ପୂର୍ଣ୍ଣକୁମ୍ଭରେ ସଜ୍ଜିତ ଡାଳର ଅର୍ଥ ହେଲା, ହଁ ତୁମ୍ଭର ପ୍ରାର୍ଥନା ମଞ୍ଜୁର । ତାହା ନ ହୋଇ ଯଦି ଡାଳଟି ଅନାଦରରେ ଫିଙ୍ଗା ହୋଇ ଥାଆନ୍ତା, ତେବେ ସେ ଜାଣିଥାଆନ୍ତା । ଯେ ଯୁବତୀ ନିକଟରେ ପ୍ରାର୍ଥନା ନାମଞ୍ଜୁର । ତା’ର କିଛିଦିନ ପରେ ଘଟକ ଓ ଭଲ ଲୋକଙ୍କ ଜରିଆରେ ଦିଆନିଆ ଯୌତୁକାଦି କଥା ସ୍ଥିର ହେଲା । କଥା ସ୍ଥିର ହେଲାପରେ ପୁରୋହିତ ବରଘରୁ କନ୍ୟାପାଇଁ କିଛି ଭେଟି ନେଇଯାଏ ଓ ଏହି ଭେଟି ଗ୍ରହଣ କଲା ଉତ୍ତାରୁ ବିବାହ ବନ୍ଧନ ପକ୍କା ହେଲା ବୋଲି ଜଣାଗଲା । ଉଭୟ ସମାନ ସ୍ତରର ଥିବାରୁ ଏ ସମ୍ବନ୍ଧ ଭାଙ୍ଗି ଯିବାର ଅବକାଶ ନଥିଲା । ତଥାପି ଯଦି କୌଣସି କାରଣରୁ ଏ ସମ୍ମତି ପରେ ଭାଙ୍ଗିଯାଇ ଥାଆନ୍ତା । ତେବେ ତାହା ସମାଜରେ ନିନ୍ଦନୀୟ ହୋଇ ଥାଆନ୍ତା ।

 

ଏହି ପକ୍କା ସମ୍ବନ୍ଧ ପରେ ବବ୍‌ସାନ୍ ଘରୁ ମିଚିକୋସାନ୍‌ ପାଇଁ ନାନା ପ୍ରକାର ଉପହାର ଆସିଛି; କିନ୍ତୁ ବିବାହ ପୂର୍ବରୁ ବରକୁ କେଉଁଠି କେବେହେଲେ ଉପହାର ଦିଆଯାଏ ନାହିଁ । ବିବାହ ପରେ ବୋହୂ ଯାହା ତା’ର ଶକ୍ତି ଅନୁସାରେ ଉପହାର ନେଇ ବରକୁ ଅଭ୍ୟର୍ଥନା କରିଥାଏ । ଆମରି ଦେଶପରି ବିବାହର ତିଥି ଲଗ୍ନ ଘେନି ବଧୂ ବାଛବିଚାର ପଡ଼େ । ଶୁଭଦିନ ଶୁଭଲଗ୍ନ ଛଡ଼ା ଜାପାନୀ ଜାତି କଦାପି ବିବାହ କରନ୍ତି ନାହିଁ । ଶେଷକୁ ଜ୍ୟୋତିଷ ଆସି ଏ ବିବାହପାଇଁ ଦିନ ନିର୍ଦ୍ଦିଷ୍ଟ କରି ଦେଇଗଲେ । ବିବାହରେ ଅନେକ ଜଟିଳ ଅନୁଷ୍ଠାନ ଅଛି । ସେଗୁଡ଼ିକ ତ ଫେର୍ ମାନି ଚଳିବାକୁ ହେବ । ବୋହୂ, ବରଘରକୁ ବିଭା ହେବାକୁ ଯିବ, ଆମ ଦେଶ ତୋଳା କନ୍ୟା ପରି । ଆଉ ତାହା ପୁଣି ଦିନରେ ନୁହେଁ, ସନ୍ଧ୍ୟାପରେ; କିନ୍ତୁ ଗୋଟିଏ କଥା, ଆମ ଦେଶପରି ବିବାହ ଉତ୍ସବରେ ବାଣ ରୋଶଣି କରି ହଜାର ହଜାର ଟଙ୍କା ଅପବ୍ୟୟ କରିବା ଜାପାନରେ ନାହିଁ । ମିଚିକୋ ତ ସହଜେ ନିଃସ୍ୱ । ସେ ବା ଏତେ ଆଡ଼ମ୍ବର ଖୋଜିବ କାହିଁକି ? ତା’ ପାଇଁ କରିବ ବା କିଏ ?

 

ନିର୍ଦ୍ଦିଷ୍ଟ ଦିନ ଶୁଭ ମୁହୂର୍ତ୍ତରେ ମିଚିକୋ ସାନ୍‌ ‘କାଗା’ରେ ବସି ତା’ର ପୁରୁଣା ଘରୁ ବିଦାୟ ନିଏ । ମନରେ ନୂତନ ସଂସାରପାଇଁ ଯେତିକି ଆନନ୍ଦ, ପୁରାତନ ସଂସାରର ମମତା ତୁଟାଇବାକୁ ସେତିକି ଦୁଃଖ । ‘କାଗା’ ଆମ ଦେଶର ସୁସଜ୍ଜିତ ପାଲିଙ୍କି ପରି । ବନ୍ଧୁ କନ୍ୟା ତା’ ସଙ୍ଗେ ଓ ମୋତୋଇ ପଛେ ପଛେ ଗଲେ । ଆତ୍ମୀୟ ବନ୍ଧୁମାନେ କେହି କେହି ଯତ୍‌ସାମାନ୍ୟ ଉପହାର ନେଇଗଲେ । ଗୋଟିଏ ବାଉଁଶ ପାତିଆ ବୁଣା । ନକ୍ସାବାଲା ପେଡ଼ିରେ ବରପାଇଁ ନୂଆ ପୋଷାକ ଓ ଗୋଟିଏ ପାତ୍ରରେ ମିଠା ପଣା ବନ୍ଧୁ ସଜାଡ଼ି ଦେଇଥାନ୍ତି । ବରକନ୍ୟା ଉଭୟ ଏହି ପାତ୍ରରୁ ଏକାଠି ପଣା ପିଇବେ । ଏହି ପଣା ପିଆରୁ ଜଣାଯାଏ ଯେ ଉଭୟ ଜୀବନଯାକ ଏକାଠି ସୁଖ ଶାନ୍ତିରେ ବାସ କରିବେ । ପ୍ରୀତି ଉପହାର ଘେନି ବୋହୂ ସ୍ୱାମୀ ଘରକୁ ଆସେ, ଏହି ପ୍ରୀତିର ଅର୍ଥ–ଶ୍ରୀ, ସମ୍ପଦ, ସୌନ୍ଦର୍ଯ୍ୟ ଓ ସମ୍ମାନ ଇତ୍ୟାଦି ସବୁ ଯେପରି ଏକତ୍ର । ସେ ଏ ନୂତନ ଗୃହର ଲକ୍ଷ୍ମୀ ସ୍ୱରୂପିଣୀ । ଖାଲି ହାତରେ ସ୍ୱାମୀ ଘରକୁ ପହିଲି ଥର ଆସିବା ଏକାବେଳକେ ଅବିଧି, ସେପରି କେହିତ ନ କରିବା କଥା । ଅନ୍ୟାନ୍ୟ ଉପହାର ମଧ୍ୟରେ ଯାଇଥାଏ ବିଚିତ୍ର ସଜ୍ଜିତ ଭୂଷଣ, ଜାପାନୀ ପଙ୍ଖା ଶିଲ୍‌କର ପୋଷାକ ପରିଚ୍ଛଦ, ବରପାଇଁ ସାତଖଣ୍ଡ ପକେଟ ବୁକ୍‌ ଇତ୍ୟାଦି ଇତ୍ୟାଦି-। ତା’ ଛଡ଼ା ତ ମିଚିକୋର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନ ତ ଅଛି । ତା’ର ଆଉ କିଏ ବା ସଂସାରରେ ଅଛି ଯେ ତା’ ପାଇଁ ସବୁ ସଜାଡ଼ି ହେବ ? ତେଣୁ ସେ ସବୁ ନିଜେ ନିଜେ କରି ରଖିଥିଲା । ଭାରି ଜିନିଷମାନ ଦୁଇ ତିନିଜଣ ଲୋକ ମୁଣ୍ଡେଇ ନେଇ ଚାଲିଥାନ୍ତି ।

 

ମିଚିକୋ କାଗାରୁ ଓହ୍ଲାଇ ସ୍ୱାମୀର ଘର ଦୁଆରେ ଠିଆହେଲା । ଦୁଆର ଦୁଇ ପାଖରେ ଦୁଇଟି ଜଳନ୍ତା ନିଆଁକୁଣ୍ଡ ଜଳୁଥାଏ । ଦ୍ୱାରର ଗୋଟିଏ ପାଖେ ଜଣେ ପୁରୁଷ ଲୋକ ଓ ଅନ୍ୟ ପାଖେ ଜଣେ ସ୍ତ୍ରୀଲୋକ ଠିଆ ହୋଇଥାନ୍ତି । ଆଉ ଦୁଇଜଣ ବସି ଧାନ କୁଟୁଥାନ୍ତି । ଦାଣ୍ଡ ଦୁଆରଠାରୁ ଘର ଭିତର ଯାଏଁ ନୂଆ ପଟି ବା ଚଟେଇ ବିଛା ହୋଇଥାଏ । ଏଇ ଚଟେଇ ଉପରେ ବରକନ୍ୟା ସାଙ୍ଗ ହୋଇ ଘରକୁ ଘର ଚାଲି ଚାଲି ଯାଉଥାନ୍ତି । ଏତିକିବେଳେ ସେମାନଙ୍କ ଦୁଇ ପାଖରୁ ଆତ୍ମୀୟ ସ୍ୱଜନମାନେ ମନ୍ତ୍ର ଉଚ୍ଚାରଣ ପୂର୍ବକ ସେ ଦୁହିଁଙ୍କ ମୁଣ୍ଡରେ ସେହି କୁଟା ଧାନ ଛିଞ୍ଚୁଥାନ୍ତି । ପ୍ରତି ଘରେ ସେହି କୁଟା ଧାନ ଗୋଟି ଗୋଟି ହୋଇ ବିଞ୍ଚି ହେଉଥାଏ । ଏହି ରୀତିର ଅର୍ଥ ଘରର ଅନ୍ଦିକନ୍ଦି ଧନଧାନ୍ୟରେ ପୂରି ରହୁ । ମୋଟ ଉପରେ ଘରେ ଭାତ ମୁଠାକର ଆଦୌ ଅଭାବ ନହେଉ । ଦାଣ୍ଡ ଦୁଆର ଡେଇଁ ଘର ଭିତରେ ସ୍ୱାମୀ ସ୍ତ୍ରୀ ଦୁହେଁ ପଶିଲାବେଳେ ଦୁଇଟା ଦୀପ ସଳିତା ଏକାଠି ବାନ୍ଧି ତାହାକୁ ଜଳାଇ ଦିଆଗଲା ଓ କିଛି ସମୟ ପରେ ଦୁଇଟାଯାକ ଜଳନ୍ତା ବଳିତାକୁ ଫୁଙ୍କି ଲିଭାଇ ଦିଆଗଲା । ତାତ୍ପର୍ଯ୍ୟ ଏହି ଯେ ଦୁହିଁଙ୍କର ଜୀବନ ଦୀପ ମିଶି ଏକ ସଙ୍ଗେ ଜଳୁ ଓ ପୁଣି ଦିନେ ଏକ ମୁହୂର୍ତ୍ତରେ ଲିଭିଯାଉ । ଜୀବନେ ମରଣେ ଦୁଇଟି ପ୍ରାଣ କ୍ଷଣକପାଇଁ ହେଲେ ଛାଡ଼ବାଡ଼ ନ ହେଉ । ବାସ୍ତବିକ କି ସୁନ୍ଦର ଓ ମହତ୍‌ ବିଧି ବିଧାନ ।

 

ବିବାହର ବିଚିତ୍ର ଅଭିନୟ ଦୀର୍ଘ ଆଠଦିନ ଧରି ଲାଗି ରହିଲା । କେଉଁଠି କେଉଁଠି ତ ଷୋଳ ଦିନଯାଏଁବି ଲାଗିରହେ । ବେଦିରେ ମନ୍ତ୍ର ତନ୍ତ୍ର କି ପୂଜାପାଠ କିଛି ନ ଥାଏ । କେବଳ ଯେଉଁ ଘରେ ବିଭାଘର ହେଉଥିଲା ସେ ଘରଟି ବାଉଁଶ ଡାଳ, ଦେବଦାରୁ ଓ ନାନାବର୍ଣ୍ଣର ପତ୍ର ପୁଷ୍ପରେ ସଜ୍ଜିତ ହୋଇ ଖୁବ୍‌ ସୁନ୍ଦର ଦେଖା ଯାଉଥିଲା । ଏତେ ନିଷ୍ଠା ନିୟମ ଓ ଏତେ ସାବଧାନତା ଥାଇ ମଧ୍ୟ ଜାପାନରେ ଡାଇଭୋର୍ସ ପ୍ରଥା ଅଛି । ଅତି ସହଜରେ ବିବାହ ବନ୍ଧନ ହୁଗୁଳା ହୋଇଯାଏ, ବେଳେ ବେଳେ ଛିଣ୍ଡିବି ଯାଏଁ । ୭ଟି ଯୋଗୁଁ ସ୍ୱାମୀ ଛାଡ଼ପତ୍ର ଦେଇ ପାରେ ।

 

୧.

ବୋହୂ ଯଦି ଶାଶୂ ଶ୍ୱଶୁର କଥା ନମାନେ ବା ଅବାଧ୍ୟ ହୁଏ ।

୨.

ବୋହୂର ହିଂସାଳିଆ ସ୍ୱଭାବ ବା ଅନ୍ୟକୁ ନ ଦେଖି ପାରିଲେ ।

୩.

କୁଷ୍ଠାଦି କୌଣସି ଦୁରାରୋଗ୍ୟ ସଂକ୍ରାମକ ରୋଗରେ ପୀଡ଼ିତ ହେଲେ ।

୪.

ଅତ୍ୟଧିକ ସୁରାପାନ କଲେ ।

୫.

ଚୋରଣୀ ହେଲେ ।

୬.

ଅନ୍ୟର ଚୁଗୁଲି ବା ଅନିଷ୍ଟ କଲେ ।

୭.

ବନ୍ଧ୍ୟା ହେଲେ ।

 

ଏତେ କାରଣ ଥାଇ ମଧ୍ୟ ଛାଡ଼ପତ୍ର ଅତି ବେଶି ଦେଖାଯାଏ ନାହିଁ । ସାଧାରଣ ଜାପାନୀ ଘରେ ସୁଖ ଓ ଶାନ୍ତି ସର୍ବଦା ବିରାଜମାନ । ସ୍ତ୍ରୀ ସ୍ୱାମୀକୁ କେବେହେଲେ ଛାଡ଼ପତ୍ର ଦେଇପାରେ ନାହିଁ । ବରଂ ସ୍ୱାମୀ ଅକର୍ମଣ୍ୟ ହୋଇଗଲେ ତାକୁ କୌଣସିମତେ ପୋଷିବାର ସତ୍‌ସାହସ ଟିକକ ଜାପାନୀ ସ୍ତ୍ରୀ ପାଖେ ବିଦ୍ୟମାନ ।

 

ମିଚିକୋ ଶିକ୍ଷିତା ଥିବାରୁ ତା’ର ସଂସାରଟି ସୁନ୍ଦରରୂପେ ଗଢ଼ି ଆଣୁଛି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଭେଦ୍ୟ ପ୍ରୀତି । ସାରା ଦିନର କାମ ପରେ ସନ୍ଧ୍ୟା ସମୟରେ କେତେବେଳେ କିମିତି ଟିକେ ଚିତ୍ତବିନୋଦନ ପାଇଁ ବାହାରକୁ ବୁଲି ଯାଆନ୍ତି କିମ୍ବା କେଉଁ କେଉଁ ରବିବାର ବା ଛୁଟି ଦିବସମାନଙ୍କରେ ସିନେମା ଥିଏଟର ଦେଖି ଆନନ୍ଦ ପାଆନ୍ତି ନଚେତ ସର୍ବଦା ସ୍ୱାମୀ ପଛେ ପଛେ ସ୍ତ୍ରୀ, ଯେପରି କାୟା ସଙ୍ଗେ ଛାୟା । ଏ ସବୁ ତା’ର ଶିକ୍ଷାର ମୂଳରେ । ଜାପାନରେ ସ୍ତ୍ରୀ ଶିକ୍ଷା ଖୁବ୍‌ ଅଳ୍ପଦିନ ହେଲା ଚଳିଛି । ଏବେ ଅନେକ ଯାଗାରେ ପାଶ୍ଚାତ୍ୟ ପ୍ରଣାଳୀରେ ସ୍ତ୍ରୀ ଶିକ୍ଷା ଦିଆଗଲାଣି । ୧୯୩୭ ମସିହାରେ ସାରା ଜାପାନର ଆଦର୍ଶ ସ୍ୱରୂପ କେବଳ ରାଜବଂଶ ଓ ସମ୍ଭ୍ରାନ୍ତ ବଂଶୀୟ କନ୍ୟାମାନଙ୍କ ନିମିତ୍ତ ଯେଉଁ ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ଏବେ ତାଦୃଶ ହଜାର ହଜାର ବିଦ୍ୟାଳୟ ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଜାପାନୀ ବାଳିକାପାଇଁ ସାରା ଜାପାନରେ ଛାଇ ହୋଇଗଲାଣି । ଝିଅମାନଙ୍କ ପାଠ୍ୟକ୍ରମରେ ମଧ୍ୟ ଜାପାନୀ ଓ ଇଂରାଜୀ ଭାଷାରେ ପୁଣି ଭୂଗୋଳ, ଗଣିତ, ଇତିହାସ, ଧାତୁ ବିଦ୍ୟା, ଉଦ୍ଭିଦ ବିଦ୍ୟା, ପ୍ରାଣୀତତ୍ତ୍ୱ, ଚିତ୍ରାଙ୍କନ, ସିଲେଇ, ସଙ୍ଗୀତ, ବ୍ୟାୟାମ ଓ ଯାବତୀୟ ଘରକରଣା ଶିକ୍ଷା ଆଦି ନିହିତ ଅଛି ।

 

ଆଧୁନିକ ଜାପାନରେ ତଥାକଥିତ ଶ୍ରମ ମର୍ଯ୍ୟାଦାରେ (Dignity of labour) ଉପରେ ବକ୍ତୃତା ଦେବାର ପ୍ରଶ୍ନ ନାହିଁ । ପ୍ରତ୍ୟେକ ଘରେ ପାଇଖାନା କିନ୍ତୁ ମେହେନ୍ତର ସମସ୍ତେ ନିଜେ ନିଜେ ଅବଶ୍ୟ ଜାପାନରେ ଏକ ସମୟରେ ବ୍ୟବସାୟ ଭେଦରେ ଜାତି ଭେଦ ଥିଲା । ଶିଳ୍ପ, କୃଷି ପ୍ରଭୃତି ନାନା ବିଭାଗ ଥିଲା ବିଭିନ୍ନ ଶ୍ରେଣୀର ଲୋକଙ୍କ ହାତରେ । ସେଥିରୁ ହେଲା ଜାତି ବିଭାଗ ଆମ ଦେଶପରି । ଜମିଦାରମାନେ ବଡ଼ ଜାତିର ଲୋକ । ମାନ-ସମ୍ମାନ ଜଗି ଚଳୁଥିଲେ । ତେଣୁ ସେମାନେ ଥିଲେ ବସିଖିଆ ଲୋକ । ଦଳେ କେବଳ ଯୁଦ୍ଧ ବ୍ୟବସାୟ କରୁଥିଲେ–କି ସ୍ତ୍ରୀ କି ପୁରୁଷ । ଏମାନେ ସାମୁରାଇ ବୋଲାଉ ଥିଲେ । ଜାପାନର ପ୍ରାଚୀନ ଇତିହାସ ଏହି ଜାତିର ବହୁ ନାରୀଙ୍କ ବୀରତ୍ୱ ଗୌରବରେ ସମୁଜ୍ଜ୍ୱଳ । ଯେପରି ଆମ ଦେଶର ରାଣୀ ଦୁର୍ଗାବତୀ ଓ ଲକ୍ଷ୍ମୀବାଈଙ୍କ କାହାଣୀ । ଏହି ସାମୁରାଇ ନାରୀମାନଙ୍କର ସମ୍ମାନ ଓ ଆତ୍ମ ମର୍ଯ୍ୟାଦା ଏପରି ପ୍ରବଳ ଥିଲା ଯେ ମର୍ଯ୍ୟାଦା ରକ୍ଷାପାଇଁ ନିଷ୍ଠୁର ଯାତନା ସହି ସହି ମୃତ୍ୟୁ ବରଣ କରି ନିଜର ଇଜ୍ଜତ ରକ୍ଷା କରୁଥିଲେ । ପ୍ରାଚୀନ ଯୁଗରେ ସାମୁରାଇ ଜାତିର ସ୍ତ୍ରୀମାନେ ଖଣ୍ଡା ତଲୁଆର ଚଳେଇ ଶିଖୁଥିଲେ ପୁରୁଷ ସୈନିକ ପରି ଯୁଦ୍ଧ ପୋଷାକ, ସାଞ୍ଜୁ ଓ ଢାଲୁ ପିନ୍ଧି ମାର୍ଚିଂ ଶିଖୁଥିଲେ । ଯୁଦ୍ଧ ବିଗ୍ରହ ପହଞ୍ଚିଲେ ଏମାନେ ରାଜପ୍ରସାଦ, ଦୁର୍ଗ ଓ ଗ୍ରାମାଞ୍ଚଳମାନ ରକ୍ଷା କରୁଥିଲେ । ଏ ଦିଗରେ ପୁରୁଷ ସୈନିକଗଣ ନିଶ୍ଚିନ୍ତ ରହୁଥିଲେ । ଏବେ ମଧ୍ୟ ଜାପାନରେ ଅନେକ ସାମୁରାଇ ଜାତି ଅଛନ୍ତି । ତେବେ ରଣକ୍ଷେତ୍ର ପାଇଁ ନାରୀମାନଙ୍କ ପ୍ରତି ସେ ଆହ୍ୱାନ ଆଉ ନାହିଁ । ବିଗତ କେତେ ବର୍ଷର ଯୁଦ୍ଧ ଫଳରେ ସ୍ତ୍ରୀ ଜାତି ଦେଶ ଭିତରର ସମଗ୍ର ଭାର (Internal administration) ନିଜେ ବୋହି ନେଇଛି ଓ ପୁରୁଷମାନଙ୍କୁହିଁ କେବଳ ଯୁଦ୍ଧ କରିବାକୁ ଦେଶ ବିଦେଶକୁ ଛାଡ଼ି ଦେଇଛି । ପ୍ରତ୍ୟେକ ଜାପାନୀ କି ସ୍ତ୍ରୀ କି ପୁରୁଷ ଯେପରି ଆତ୍ମନିର୍ଭର ଶୀତଳତାର ଏକ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ସେ ନିଜ କାମପାଇଁ କାହାକୁ ଅପେକ୍ଷା ବା ଖୋସାମତ୍ କରିବାକୁ ଚାହେଁ ନାହିଁ । ସେଥିଲାଗି ରେଲରେ ଗଲେ ତା’ର କୁଲିର ଆବଶ୍ୟକ ପଡ଼େ ନାହିଁ କି ଘର ପାଇଖାନା ସଫାପାଇଁ ମେହେନ୍ତରର ଦରକାର ହୁଏ ନାହିଁ ।

 

ଦିନେ ଖେଳ ଛୁଟିରେ ମିଚିକୋ ସାନ୍‍କୁ ପ୍ରଶ୍ନ କଲି, ମିଚିକୋ ସାନ୍‌ ! ଏବେ ତ ତୁମେ ବିବାହିତ, ତୁମ ସଙ୍ଗେ ବିଶେଷ କଥାବାର୍ତ୍ତା ଅଭଦ୍ରତା ହେବ ନାହିଁ ତ ? ସେ ହସି ହସି ଉତ୍ତର ଦେଲା ନାଁ ଜାପାନୀ ଜାତକରେ ତାହା କେବେ ହେଲେ ନୁହେଁ । ବିବାହ କଲେ ମଧ୍ୟ ତୁମେ ମୋର ଅନ୍ତରର ତୋମୋଦାଚି ଅର୍ଥାତ୍‌ ବନ୍ଧୁ । ମିଚିକୋସାନ୍‌ର ଉତ୍ତରରେ କହିଲି ଆଚ୍ଛା ତୁମେ ଦିନେ ଗୋଟିଏ ଜାପାନୀ ଗୀତ ଶୁଣାଇଲ ନାହିଁ ଯେ ! ’ ହସି ହସି ସେ କହିଲା ଗୀତ ଶୁଣିବ ତ କୌଣସି ଗେଇସା ବାଳିକା ପାଖକୁ ଯାଅ–ମୋତେ କାହିଁକି ? ‘ଗେଇସା’ କ’ଣ ପଚାରିବାରୁ ସେ ମୋତେ ବୁଝାଇ ବସିଲା–‘‘ରଥସାନ୍‌, ତୁମେ ଜାପାନର ସାମୁରାଇ ଜାତି କଥା ଜାଣିଥିବ । ମୁଁ ହଁ କରିବାରୁ ସେ କହି ବସିଲା–ସାମୁରାଇ ଯେପରି ନିଷ୍ଠୁର, କର୍କଶ ଓ ଯୋଦ୍ଧା ଠିକ୍‌ ତା’ର ବିପରୀତରେ ଜାପାନରେ ଆଉ ଏକ ଲଳିତ, ମଧୁର, କୋମଳ ଓ ବିଳାସିନୀ ନାରୀଜାତି ସୃଷ୍ଟି ହୋଇଛି ତା’ର ନାମ ହେଉଛି ‘ଗେଇସା’ । ଗେଇସା ନାରୀ ଯେପରି ମାୟା । ରାଜ୍ୟର ମାୟାବିନୀ । ନାଟ ଗୀତରେ ଓ ମଧୁର ଆଳାପ ଆଲୋଚନାରେ ପରିତୃପ୍ତି ବାଣ୍ଟିବା ହେଲା ସେମାନଙ୍କର ପେଶା । ବେଶଭୂଷାରେ ପ୍ରଜାପତି ପରି ବିଚିତ୍ର ଓ ଚକ୍‌ଚକ୍‌ ଦିଶନ୍ତି ସେମାନେ । ଖାଲି ବେଶରେ ନୁହେଁ ପ୍ରଜାପତି ତା’ର ହାଲକା ଡେଣାରେ ଉଡି ଉଡ଼ି ସହଜ ସରଳ ଗତିରେ ନିଜେ ଯେପରି ତୃପ୍ତ ହୁଏ ଓ ଅନ୍ୟର ମନୋରଞ୍ଜନ କରେ ଗେଇସା ରମଣୀ ଠିକ୍‍ ସେପରି ଜନମନ ରଞ୍ଜାଇବାରେ ସୁଦକ୍ଷା । ଏହାର ଅର୍ଥ କେହି ଯେପରି ନ କରନ୍ତି ଯେ ଗେଇସା ରମଣୀ ବେଶ୍ୟା ବୃତ୍ତି କରନ୍ତି । ଅବଶ୍ୟ ଦେଶ କାଳ ପାତ୍ର ନେଇ ଆଧୁନିକା ଗେଇସା ନାରୀଙ୍କ କଥା କହି ହୁଏ ନାହିଁ; କିନ୍ତୁ ଏପରି ଅନେକ ଗେଇସା ରମଣୀ ଅଛନ୍ତି ଯେଉଁମାନଙ୍କ ଜୀବନ ପବିତ୍ର ଓ ନିଷ୍କଳଙ୍କ । ଶିଶୁ ଅବସ୍ଥାରୁ ସେମାନଙ୍କୁ ଚିତ୍ତରଞ୍ଜିନୀ ବିଦ୍ୟା ଶିଖିବାକୁ ହୁଏ । ଆଦବ–କାଇଦାରେ ସେମାନେ ଧୁରନ୍ଧର । ଚା’ ଦୋକାନରେ, ହୋଟେଲରେ, ସାଧାରଣ ଗାଧୁଆ ଘରେ ସେମାନେ ନବାଗତ ଭଦ୍ର ବ୍ୟକ୍ତିଙ୍କ ଆଗରେ ଗୀତ ଗାଇ ନାଚନ୍ତି । ସେମାନଙ୍କୁ ଖାଇବା ଜିନିଷ ପରଷନ୍ତି । ହସ ଗପର ରଙ୍ଗ କୌତୁକରେ ସେମାନେ ଆନନ୍ଦର ଝରଣା ବୁହାଇ ଦିଅନ୍ତି । ସମ୍ଭ୍ରାନ୍ତ ସମାଜରେ ତ ସେମାନଙ୍କର ଆଦର ତତ୍ତୋଧିକ । ଦୁଃଖ ଓ ପାପରେ ସେମାନଙ୍କର ନୈତିକ ଅବନତି ଘଟିବ ଏପରି ଧାରଣା କରିବା ଏକବାରେ ଭ୍ରାନ୍ତ ।

 

ଗେଇସା ନାରୀଙ୍କ ପ୍ରକୃତି ବଡ଼ କୋମଳ ଓ ଶାନ୍ତ । କଥାବାର୍ତ୍ତା, ଚାଲିଚଳନ ଓ ଢଙ୍ଗଢାଙ୍ଗ ସବୁ ସୁନ୍ଦର ଓ ଚିତ୍ତହାରୀ । ନାନା ଭଙ୍ଗୀରେ ନାଚିବାରେ ସେମାନେ ସୁଦକ୍ଷା । ରୂପ ଓ କଣ୍ଠରେ ଯେଉଁ ଗେଇସା ନାରୀ ଯେତେ ମାଧୁରୀ ସୃଷ୍ଟି କରିପାରେ ସମାଜରେ ତା’ର ଆଦର ସେତେ ବେଶି । ନାଚ, ଗୀତ, ଆଦବକାଇଦା ଶିଖିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଜାପାନୀ ବାଦ୍ୟ (ସାମିସେନ୍‌ ଓ କୋଟୋ) ଆଦି ବଜାଇ ଶିଖିବାକୁ ହୁଏ । ତା’ ଛଡ଼ା ଶିଖିବାକୁ ହୁଏ ଭଲ ଭଲ ସୁନ୍ଦର ହାତ ଲେଖା, କବିତା ଆବୃତ୍ତି କବିତା ରଚନା, ଗଳ୍ପକଥନ, ସାଜସଜ୍ଜାରେ ଶ୍ରୀସମ୍ପାଦନ ଆଦି ଯେପରି କି ମର୍ତ୍ତ୍ୟରେ ନନ୍ଦନର ସୃଷ୍ଟି । ନାରୀମାନଙ୍କର ପୁରୁଷ ପରି ଚାଲିଚଳନକୁ ଜାପାନୀମାନେ ଆଦୌ ପସନ୍ଦ କରନ୍ତି ନାହିଁ । ସେମାନେ ଚାହାନ୍ତି ନାରୀ ନାରୀ ଭଳି ରହୁ । ସ୍ୱଭାବତଃ ସେ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ । ଗେଇସାମାନଙ୍କ ଚାଲିଚଳନ ସାଧାରଣ ଜାପାନୀ ନାରୀଠାରୁ ଆହୁରି ବେଶି ମଧୁର । ମାର୍ଜିତ ଭଦ୍ରସମାଜରେ ଚଳିବାରୁ ଗେଇସା ରମଣୀ ନିଜ ଦେହରେ, ବେଶଭୂଷାରେ, ଆଚାରବ୍ୟବହାରରେ ନିଜକୁ ସୁନ୍ଦର ଶିରୋମଣିରୂପେ ଗଢ଼ି ପାରେ ବୋଲି କଥା ଅଛି । ରଙ୍ଗୀନ ବେଶରେ ଗେଇସାନୃତ୍ୟ, କଳା ଦିଗରୁ ଅତୁଳନୀୟ, ଏକଥା ବହୁ ବିଦେଶୀ ସୁଧୀଶିଳ୍ପୀ ଏକ ବାକ୍ୟରେ ସ୍ୱୀକାର କରି ଯାଇଛନ୍ତି । ଗେଇସା ନାରୀର ମୁଖମଣ୍ଡଳରେ ହସ ସର୍ବଦା ଲାଖି ରଖିଥାଏ । ବ୍ୟକ୍ତିଗତ ଦୁଃଖ ଯନ୍ତ୍ରଣାରେ ତା’ର ମନେ ହୁଏ ତ ଚୂନା ହୋଇ ଯାଇପାରେ; କିନ୍ତୁ ବାହାରେ ମୁହଁ ଆଖିରେ ହାବଭାବରେ ସେ ବେଦନା ପ୍ରକାଶ ନକରି ସବୁ ଲୁଚାଇ ରଖେ । ଶିକ୍ଷା ଓ ପେଶାରେ ଏମାନେ ଏତେଦୂର ଆଶ୍ଚର୍ଯ୍ୟ ଚିତ୍ତ ସଂଯମ ଶିଖିଥାନ୍ତି, ଭାବିଲେ ଅବାକ ହେବାକୁ ହୁଏ ।

 

ଗେଇସା ନାରୀ ବିଷୟରେ ଏତେଗୁଡ଼ାଏ କଥାଶୁଣି ମୁଁ ଆଉ ମିଚିକୋସାନ୍‌ଠାରୁ ଗୀତ ଶୁଣିବି କ’ଣ ? କହିଲି, ‘ମିଚିକୋସାନ୍‌ ! ଯାହାହେଉ ଆଜି ଜାପାନୀ ଗୀତ ବଦଳରେ ଜାପାନୀ ନାରୀ-ଜୀବନରେ ଏକ ଗନ୍ତାଘରର କାହାଣୀ ଶୁଣିଲି । ତୁମକୁ ସେଥିଲାଗି ଅଶେଷ ଧନ୍ୟବାଦ ।’’

 

ଜାପାନୀ ନାରୀ ଆଳସ୍ୟ ବୋଲି କ’ଣ ଜାଣେ ନାହିଁ । ଘରୋଇ ଲୋକେ ଘରଧନ୍ଦା ଘେନି ବ୍ୟସ୍ତ । ତା’ ଛଡ଼ା ହାଟ ବଜାର, ଚାଷବାସ ଆଦି କାମ ମଧ୍ୟ ସେମାନେ କରନ୍ତି । ସହରରେ ବଡ଼ ବଡ଼ ଗାଁମାନଙ୍କରେ ଯେଉଁସବୁ ଦୋକାନ ଓ ହୋଟେଲମାନ ଅଛି, ସେଠାରେ ନାରୀମାନେହିଁ ସବୁ ଚଳାନ୍ତି । ଅପରିଷ୍କାର ଦେଖିଲେ ସେମାନଙ୍କ ଦେହ ନିଆଁ ହୋଇଯାଏ । ସବୁ ଘରଦ୍ୱାର ସଫାସୁତୁରା କରି ରଖିବାକୁ ତାକୁ ଦିନ ରାତି ନିଦ ହୁଏ ନାହିଁ । ସୁନ୍ଦରୀ, ସୁକେଶିନୀ, ସୁଭାଷିଣୀ, ସୁହାସିନୀ ଓ ସୁରସିକା–କେଉଁ ଗୁଣରେ ବା ଜାପାନୀ ନାରୀ କମ୍‌ ! ଅଥଚ ସକାଳୁ ସଞ୍ଜଯାଏଁ ସେମାନଙ୍କ କାମରେ ବିରାମ ନାହିଁ । ସେ ଅବିରତ କାମକରି ଲାଗିଛି । ନାରୀର କର୍ମମୟ ଜୀବନ-ଯାପନରେହିଁ କେବଳ ପ୍ରକୃଷ୍ଟ ଭାବରେ ଦେଖିବାକୁ ମିଳେ ।

 

ଜାପାନର ଚାହା ଦୋକାନ ଓ ହୋଟେଲମାନଙ୍କରେ ନାରୀ ପରଶୁଣୀ (Waitresses) ମାନଙ୍କଠାରୁ ଯେଉଁ ଯତ୍ନ ଓ ଆଦର ମିଳେ, ସେଥିରେ ପଥିକର ପଥଶ୍ରମ ମଧୁର ହୋଇଉଠେ । ଗରିବ ଘରର ଅନେକ ଝିଅ ମଫସଲରୁ ଆସି ସହରରେ ଧନୀଲୋକଙ୍କ ଘରେ ପରିଚାଳିକା କାମ କରନ୍ତି । ଯେଉଁମାନଙ୍କ ଦୋକାନ ଅଛି, ସେମାନଙ୍କ ସ୍ତ୍ରୀ, ଭଉଣୀ ଓ ଝିଅମାନେ ଦୋକାନରେ ବିକାକିଣାରେ ପୁରୁଷମାନଙ୍କୁ ସାହାଯ୍ୟ କରନ୍ତି । ଜାପାନରେ ଦାଣ୍ଡ–ଦୋକାନ ସବୁ ସେଠାକାର ସ୍ତ୍ରୀମାନଙ୍କ ଲକ୍ଷ୍ମୀହାତ ଲାଗି ସବୁବେଳେ ଚକ୍‌ଚକ୍‌ ଓ ପରିଷ୍କାର । ମନେହୁଏ ଯେମିତି ଦୋକାନର ଏକ ସୁନ୍ଦର, ମଧୁର ମୋହନ ଚେହେରା ଆଖିଠାରି ଗରାଖମାନଙ୍କୁ ପାଖକୁ ଟାଣି ଆଣେ । ଜାପାନୀମାନଙ୍କ ଶିଷ୍ଟାଚାର ଓ ସୌଜନ୍ୟ ଏତେ ବେଶି ଯେ ଦାସୀମାନଙ୍କୁ ମଧ୍ୟ ସେମାନେ ନୀଚ ଦୃଷ୍ଟିରେ କେବେହେଲେ ଦେଖନ୍ତି ନାହିଁ । ଘରର ସାଆନ୍ତାଣୀ ଓ ତାଙ୍କ ଝିଅ ବୋହୂମାନେ ମଧ୍ୟ ଘରର ଦାସୀମାନଙ୍କର ମୁଣ୍ଡବାନ୍ଧି ଦେବାକୁ ପଛାନ୍ତି ନାହିଁ । କାମଦାମରେ ଦାସୀକୁ ଯଥାସମ୍ଭବ ସେମାନେ ସାହାଯ୍ୟ କରିବାର ଦେଖାଏ । କୌଣସି ଅପରିଚିତ ବିଦେଶୀ ଜାପାନୀ ଘରକୁ ଯାଇ ସେ ଘରେ ଦାସୀ କିଏ ଓ ଘର ଲୋକ କିଏ, ସହଜେ ଚିହ୍ନିପାରେ ନାହିଁ । ବେଶଭୂଷାରେ ଦାସୀମାନେ ଖୁବ୍‌ ପରିଷ୍କାର ଓ ପରିଚ୍ଛନ୍ନ । ଘରେ ଦାସଦାସୀକୁ ଛୋଟଲୋକ ବୋଲି ଆମ ଦେଶ ପରି ଜାପାନୀ ଗୃହସ୍ଥ ତାକୁ ହୀନଦୃଷ୍ଟିରେ କେବେହେଲେ ଦେଖେ ନାହିଁ । ଚା’ ବଗିଚା ଦେଖ, ଧାନକ୍ଷେତ ଦେଖ, ଯେ କୌଣସି କାର୍ଯ୍ୟକ୍ଷେତ୍ର ଦେଖ, ଖାଲି କାମ, କାମ, କାମ । ନାରୀ ତ ନାରୀ; କେଜାଣି କେବେ ପୁରୁଷଙ୍କ ପାଇଁ ଯେ ଆମ ଦେଶରେ ଶିକ୍ଷାର ଧାରା ବଦଳିବ ?

 

ବବ୍‍ସାନ୍‌ର ଘର ପାଖରେ ଖଣ୍ଡେ ବୋଲି ଧାନକିଆରି; କିନ୍ତୁ ସେଇଥିରୁ ସେ ବର୍ଷକର ଧାନପାଏ । ସେ ଖଣ୍ଡକ ତା’ର ଭାତହାଣ୍ଡି କହିଲେ ଚଳେ । ମିଚିକୋ ଘରକାମ ବାଦ୍‌ ବବ୍‌ସାନ୍‌ ସଙ୍ଗେ କାନ୍ଧକୁ କାନ୍ଧ ମିଶାଇ କାମ କରିବାରେ ଲାଗିଛି । ଏତେ ଶିକ୍ଷା ଓ ପରିଚ୍ଛନ୍ନତା ସତ୍ତ୍ୱେ କ୍ଷେତରେ କାମ କରିବା ତା’ ପକ୍ଷରେ ନୂଆ ବା ଆଶ୍ଚର୍ଯ୍ୟ କଥା ନୁହେଁ । ବିଲରେ ତଳିମାରିବାଠୁ ବଛାବଛିଠୁ କଳେଇ ବୁହା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସେ ଧୁରନ୍ଧର । ମୂଲିଆର ଆବଶ୍ୟକ ନାହିଁ-। କାଦୁଅ ପଙ୍କ ଦୁର୍ଗନ୍ଧରେ ଯେଉଁ ହାତ ଗୋଡ଼ କାମ କରେ, କ୍ଷଣକ ପରେ ସେଇ ହାତ ଗୋଡ଼ ସଫାସୁତୁରା ହୋଇ ସୁନ୍ଦର ସିଲ୍‌କ ବା ସୂତା ଆଭରଣରେ ଢାଙ୍କି ହୋଇ ଶୋଭା ପାଉଥାଏ-

 

ଏହା ଛଡ଼ା ବଗିଚାମାନଙ୍କରେ ନାରୀମାନେହିଁ କାମ କରନ୍ତି । ଜାପାନୀ ଜାତି ଫୁଲକୁ ଯେପରି ଆଦର କରି ଜାଣେ, ଏପରି ଆଦର ସଭ୍ୟତାଭିମାନୀ କୌଣସି ଜାତି ଜାଣେ ନାହିଁ । ଫୁଲ ଯେମିତି ଜାପାନୀମାନେ ପ୍ରାଣକୁ ଢାଳି ଦେଇଛନ୍ତି । ଫୁଲ ଯେପରି ସେମାନଙ୍କ ପ୍ରାଣଠୁଁ ଅଧିକ । ଯେ ଅତି ଦରିଦ୍ର, ଯାହାର ବାସି ହାଣ୍ଡିରେ ଭାତ ମୁଠାଏ ହେଲେ ନାହିଁ, ସେ ମଧ୍ୟ ଫୁଲ ପେନ୍ଥାଟିଏ ଦେଖିଲେ କ୍ଷଣକପାଇଁ ଭୋକ ଶୋଷ, ଦୁଃଖଯନ୍ତ୍ରଣା ପାସୋରି ପକାଏ ।

 

ଘରେ କେଉଁଠି ଟିକେ ଖୋଲାଜାଗା ପାଇଲେ ସେଠି କୁଣ୍ଡରେ ମାଟି ପକାଇ ତହିଁରେ ଯେମିତି ହେଲେ ଦୁଇଟା ଫୁଲଗଛ ପୋତା ହୋଇଥିବ । ଜମି ନ ଥିଲେ ଜାପାନୀ ଟବ୍‌ ବା କୁଣ୍ଡରେ ଦୁଇଟା ହେଲେ ଫୁଲଗଛ ସଜାଇ ଲଗାଇଥାଏ । ଘର ଚାଳ ବତାରେ ମଧ୍ୟ ଫୁଲଗଛମାନ ଝୁଲାଇ ରଖନ୍ତି । ଫୁଲ ସାଙ୍ଗକୁ ଦୁଆରେ ପଥରର ପାଣି କୁଣ୍ଡମାନଙ୍କରେ ନାନା ପ୍ରକାର ରଙ୍ଗବେରଙ୍ଗ ମାଛମାନ ମଧ୍ୟ ଛାଡ଼ିଥାନ୍ତି । ସବୁଠି ଫୁଲ ଓ ପ୍ରକୃତି ମଧ୍ୟରେ ଥାଇ ମଧ୍ୟ ସେମାନଙ୍କର ତୃପ୍ତି ଆସୁନାହିଁ । ଏହି ସବୁ ବଗିଚାଗୁଡ଼ିକୁ ଅତି ଯତ୍ନ ଓ ଆଦରରେ ଜଗିଥାନ୍ତି କେବଳ ନାରୀମାନେ । ଯେ କୌଣସି ବଗିଚା ଭିତରେ ପଶିଲାମାତ୍ରେ ଆଗେ ତାହାର ଶୃଙ୍ଖଳା ଓ ପରିଚ୍ଛନ୍ନତାରେ ଦର୍ଶକମାତ୍ରେହିଁ ମୁଗ୍ଧ ହୁଏ ।

 

ଏଠା ବଗିଚାମାନଙ୍କର ଶ୍ରେଣୀ ବିଭାଗ ଅଛି । ଏକ ଶ୍ରେଣୀର ବଗିଚାର ନାମ ‘ଆଶାକୁଶା’ (Pleasure garden) । ଏହି ବଗିଚାରେ ବୁଲ, ବସ, ଆମୋଦ ପ୍ରମୋଦ କର, ଆପତ୍ତି ନାହିଁ । ଦ୍ୱିତୀୟ ପ୍ରକାର ଉଦ୍ୟାନର ନାମ ‘ଉୟବୋ ବା ଜ୍ଞାନ ଉଦ୍ୟାନ’ । ଏଥିରେ ବୁଲି ଚାଲି ଯେତେ ଶିଖିବାର କଥା ଶିଖ । ତା’ ଛଡ଼ା ଇଉରୋପୀୟ ରୀତିରେ ଆନନ୍ଦ ଉପଭୋଗ ଲାଗି ଆଉ ଏକ ପ୍ରକାର ବଗିଚା ଏବେ ହେଲାଣି । ତା’ର ନାମ ହେଉଛି ‘ହିବିୟା’ । ଚତୁର୍ଥ ପ୍ରକାର ବଗିଚାର ନାମ ‘ଶିବା’ । ଶିବା ଅର୍ଥ ଶାନ୍ତି । ଏହି ବଗିଚାସବୁ ପ୍ରାଚୀନ ଭାରତର ପବିତ୍ର ତପୋବନ ପରି ତିଆରି । ଏହିପରି ପିଲାଠୁଁ ବୁଢ଼ାଯାଏଁ । ଯାହାର ଯେପରି ମନ, ସେ ସେହି ପ୍ରକାର ବଗିଚାରେ ବୁଲି ବୁଲି ଆନନ୍ଦ ପାଏ । ସନ୍ଧ୍ୟାବେଳେ ଟିକିଏ ବୁଲି ପବନ ନ ଖାଇଲେ ଜାପାନୀ ନରନାରୀ ବା ବାଳକବାଳିକା କାହାରି ହେଲେ ଅତୃପ୍ତି ଘୁଞ୍ଚେ ନାହିଁ । ଏହିସବୁ ବଗିଚାମାନଙ୍କରେ ପରିଚର୍ଯ୍ୟା କରନ୍ତି ଜାପାନୀ ମାଳୀଆଣୀ ସ୍ତ୍ରୀମାନେ । ସେମାନଙ୍କ ରୁଚିଜ୍ଞାନ ଓ ଶକ୍ତିର କୀର୍ତ୍ତି-କାହାଣୀ ଦେଶ ବିଦେଶର ସବୁଠି ଶୁଣିବାକୁ ମିଳେ ।
 

 

ଜାପାନୀ ରୋଶମ ଶିଳ୍ପର ବିଶ୍ୱବ୍ୟାପ୍ତ ପ୍ରଶଂସା ସର୍ବଜନ ବିଦିତ । ମିଚିକୋସାନ୍‌ ପରି ହଜାର ହଜାର ନାରୀଙ୍କ ବିଚିତ୍ର ଶିଳ୍ପ ଚାତୁରୀରେ ଆଧୁନିକ ଜାପାନର ରେଶମ ଶିଳ୍ପ ଆଗେଇ ଚାଲିଛି । ବିଭିନ୍ନ ରୁଚି, ନିଷ୍ଠା ଓ ଅଧ୍ୟବସାୟ ଗୁଣରେ ସାରା ପୃଥିବୀରେ ଏତେ ଲୋକପ୍ରିୟ କରିଛି ସେଠାକାର ନୀରଳସ ନାରୀଜାତି ଏବେ ଯନ୍ତ୍ରଶିଳ୍ପ ଜାଗି ଉଠିବାରୁ ହସ୍ତଶିଳ୍ପ ଅନେକ ପରିମାଣରେ କମି ଯାଇଛି ଏବଂ ଜାପାନ ବକ୍ଷରେ ଅସଂଖ୍ୟ କଳକାରଖାନା ମୁଣ୍ଡ ଟେକି ସମସ୍ତ ପୃଥିବୀର କଳକାରଖାନାକୁ ଯେପରି ଅଟ୍ଟହାସ କରୁଛି ! କାରଖାନା ସବୁ ମଧ୍ୟ ଦିନରାତି କାର୍ଯ୍ୟ ବ୍ୟସ୍ତ । ତା’ର କର୍କଶ ଘର୍ଘର ଶବ୍ଦ ପ୍ରତି ଯେପରି କାହାରି ଖାତିର ନାହିଁ । ସେଠାରେ ମଧ୍ୟ ଅଧିକ ସଂଖ୍ୟକ କାମିକା ହେଉଛନ୍ତି ଜାପାନୀ ନାରୀ । ବିଲାତର କାରଖାନାର ନାରୀଶ୍ରମିକା ଓ ଜାପାନ କାରଖାନର ନାରୀଶ୍ରମିକା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ପରିଲକ୍ଷିତ ହୁଏ । ବିଲାତ କାରଖାନାର ନାରୀମାନଙ୍କ ସୌନ୍ଦର୍ଯ୍ୟ ପ୍ରୀତି, ପରିଚ୍ଛନ୍ନତା ଓ କୋମଳତା ଆଦି ଜାପାନର ନାରୀଶ୍ରମିକା ଆଗରେ ଶତ ଗୁଣରେ ନଇଁଯାଏ । ସେମାନେ ପୁରୁଷ ପରି କଠୋର ଓ ନୀରସ ଜୀବନ ଘେନି ପଡ଼ିଛନ୍ତି; ମାତ୍ର ଜାପାନରେ ତାହା ସମ୍ପୂର୍ଣ୍ଣ ବିପରୀତ । ଅଗାଧ ପରିଶ୍ରମରେ ମଧ୍ୟ ସେମାନଙ୍କର ଚିତ୍ତରଂଜନ, ଆମୋଦ–ପ୍ରମୋଦ, ସଚେତନ ଅବକାଶ, ଡାକ୍ତରୀ ସାହାଯ୍ୟ, ସ୍ୱଳ୍ପ ସଞ୍ଚୟ ଯୋଜନା ଆଦିର କମ୍‌ ବ୍ୟବସ୍ଥା ନାହିଁ ।

 

ଆଗରୁ କହିଛି, ଜାପାନୀ ନାରୀ ଅଳସ କ’ଣ ଜାଣେ ନାହିଁ । କଳକାରଖାନା ଆଜିକାଲି ବହୁ ସଂଖ୍ୟାରେ ବସିଲେ ମଧ୍ୟ କ୍ୟୋତୋ, ଓଷାକା ଭଳି ଶିଳ୍ପପ୍ରଧାନ ସହରମାନଙ୍କରେ ମଧ୍ୟ ସ୍ତ୍ରୀମାନେ ସଦାସର୍ବଦା କୁଟୀର ଶିଳ୍ପରେ ଲାଗିଥାନ୍ତି । ତନ୍ମଧ୍ୟରୁ ପଟରି ବା ପାତ୍ରାଶିଳ୍ପ (Pottery) କାମର ରୁଚି ଓ ବୈଚିତ୍ର୍ୟ ବଡ଼ ଆକର୍ଷଣୀୟ । ଏଠାରେ ଲାଖ ତିଆରି କରିବାକୁ ମଧ୍ୟ ସେହିପରି ମଜବୁତ୍‌ । ଆମ ଦେଶରେ ‘ଜାପାନୀ ଜିନିଷ’ ଶସ୍ତା ଓ ହେୟ । ଯେଉଁ ଜାପାନୀ ପେନସିଲ ଖଣ୍ଡ ଏଠାରେ ପଇସାକୁ ମିଳେ, ସେଠାରେ ତାହାର ମୂଲ୍ୟ ଏକଟଙ୍କା; କିନ୍ତୁ ପ୍ରତ୍ୟେକ ଜାପାନୀ କେବଳ ସେହି ଜାପାନ ତିଆରି ଜିନିଷହିଁ ବ୍ୟବହାର କରିବେ । ଜାପାନରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ନାରୀ ନିଯୁକ୍ତ ନୁହନ୍ତି । ରେଳ ଚଳେଇବାଠୁଁ, ବସ୍‌ କଣ୍ଡକ୍‌ଟର, ଦୋକାନ ବଜାର, ସ୍କୁଲ, ହାସପାତାଳ ପ୍ରତ୍ୟେକ କ୍ଷେତ୍ରରେ ନାରୀ । ଏହାଛଡ଼ା ସିଲେଇ ଶିଖେଇବା, ଆଦବକାଇଦା ଶିଖେଇବା, ଗୀତବାଦ୍ୟ ଓ ଛବି ଅଙ୍କନ ଶିଖେଇବା, ଚା’ ମଜଲିସରେ ପରିବେଷଣାଦି କର୍ତ୍ତବ୍ୟ ଶିଖେଇବା, ବଗିଚା କାମ, ଫୁଲସଜ୍ଜା କାମ, କୃତ୍ରିମ ଫୁଲ ତିଆରି କାମ ଆଦି ଯେତେ ଛୋଟ ଛୋଟ ବ୍ୟବସାୟ ଓ କୁଟୀର ଶିଳ୍ପକୁ ନାରୀମାନେହିଁ କେବଳ ଯେପରି ସମ୍ପୂର୍ଣ୍ଣରୂପେ ଅକ୍ତିଆର କରି ନେଇଛନ୍ତି । ଏଥିରେ ସେମାନେ ସୁନ୍ଦର ଦୁଇପଇସା ରୋଜଗାର କରି ଚଳନ୍ତି । ଏପରି ମଧ୍ୟ ଦଳେ ନାରୀ ଅଛନ୍ତି, ଯେଉଁମାନେ ବଡ଼ ବଡ଼ ଲୋକମାନଙ୍କ ଗୋଡ଼ହାତ ଘଷା, ମୋଡ଼ା କରି ମଧ୍ୟ ଜୀବିକା ନିର୍ବାହ କରନ୍ତି । ଜାପାନୀ ପୁରୁଷମାନଙ୍କର ଯେପରି କୌଣସି କାମକୁ ଘୃଣା ନ ଥାଏ, ସ୍ତ୍ରୀମାନଙ୍କର ମଧ୍ୟ ସେଇଆ । ଚାରିଆଡ଼େ କାମ ପଡ଼ିଛି, ବାଛି ନିଅ ନିଜର ରୁଚି ଅନୁସାରେ ।

 

ଦିନକର କଥା ନ କହିଲେ ଜାପାନୀ ନାରୀର ଚରିତ୍ର ଚିତ୍ରଣ ଅସମ୍ପୂର୍ଣ୍ଣ ରହିଯିବ । ଦିନଟି ହେଉଛି ୧୯୪୭ ମସିହା ଜାନୁୟାରୀ ପହିଲା । ଉଭୟ ନୂଆ ଦମ୍ପତିଙ୍କଠାରୁ ଏକ ସ୍ୱରରେ ନିମନ୍ତ୍ରଣ ଥିଲା ଯେ ରଥସାନ୍‌ କାଲି ଆମ ଘରକୁ ଆସିବ । କଠୋର ମିଲିଟାରୀର ଆଇନକାନୁନ । ଏକ ଜାପାନୀ ଘରର ତଥ୍ୟ ସଂଗ୍ରହ କରିବା ଲାଗି ମନ ଏତେ ବ୍ୟାକୁଳ ହୋଇ ଉଠିଲା ଯେ, ନିୟମ କାନୁନ ସବୁ ପଛକୁ ରହିଗଲା ! କିପରି ଜାନୁୟାରୀ ପହିଲା ହେବ । ସକାଳୁ ଯାଇଁ ବବ୍‌ସାନ୍ ଘରେ ଅତିଥି ହେବି । ଭାଗ୍ୟକୁ ନୂଆବର୍ଷ ଯୋଗୁଁ ଡିପୋ ଛୁଟି । ସକାଳ ହେଲା । ନିତ୍ୟକର୍ମ ସାରି କାହାକୁ କିଛି ନ କହି କ୍ୟାମ୍ପ ଛାଡ଼ି ଉଠିଲି ପାହାଡ଼ ଉପରକୁ । କ୍ୟାମ୍ପଠାରୁ ମାଇଲିଏ ଦୂରରେ ବବ୍‌ସାନ୍‌ ଘର-। ସେଦିନ ଯାହା ଦେଖିଲି, ସବୁ ଦିନର ଜାପାନ ଅପେକ୍ଷା ସେ ଦିନର ଜାପାନ ସମ୍ପୂର୍ଣ୍ଣ ପୃଥକ୍‌-। ସେହି ଦିନଟି ଜାପାନର ଏକ ପ୍ରଧାନ ଉତ୍ସବ । ଜାପାନର ରାସ୍ତାଘାଟ, ଗଳିକନ୍ଦି, ଆଦି ଯେପରି ଏକ ପ୍ରମୋଦ ଉତ୍ସବର ଲୀଳାଭୂମି ହୋଇ ପଡ଼ିଛି । ଚାରିଆଡ଼େ ପରିଚ୍ଛନ୍ନତାର ରାଜତ୍ୱ ଘରେ ଘରେ ପତ୍ରପୁଷ୍ପ ଓ ନାନାରଙ୍ଗର ପତାକା ଫରଫର ଉଡ଼ୁଛି । ବବ୍‌ସାନ୍‌ ଘରେ ପାଦଦେବାମାତ୍ରେ ଉଭୟେ ‘ଓହାୟୋ ଖୋଜାଇ ମାସୁ’ ହସ ହସ ବଦନରେ କହି ଆଦର ସମ୍ଭାଷଣ ଜଣାଇଲେ । ପ୍ରତ୍ୟୁତ୍ତରରେ ହୋୟୋ ଜଣାଇ କହିଲି, ମିଚିକୋସାନ୍‌, ଆଜି କ’ଣ ସଫାଇ ଉପରେ ଖୁବ୍‌ ମାତ୍‌ । ମିଚିକୋ କହିଲା ଆଜି ପରା ବର୍ଷର ନୂଆଦିନ । ଆଜି ପରା ନୂଆବର୍ଷର ଭାଗ୍ୟ ବିଧାତା ଘରେ ଘରେ ଆସି ଗୃହସ୍ଥଙ୍କ ଭାଗ୍ୟରେ ଭଲ ମନ୍ଦ ଲେଖି ଦେଇ ଯାଆନ୍ତି । ଶ୍ରୀୟା ଚଣ୍ଡାଳୁଣୀର ଲକ୍ଷ୍ମୀପୂଜା ମନେ ପଡ଼ିଲା । କେଉଁ ଧର୍ମରେ ବା ପରିଚ୍ଛନ୍ନତାର ପୂଜା ନାହିଁ । ନୂତନ ବର୍ଷର ନୂଆଦିନର ପୂର୍ବ ରାତ୍ରିର ବାରଟା ପର୍ଯ୍ୟନ୍ତ ଜାପାନୀ ଘରର ଘରଣୀ, ଝିଅ ବୋହୂମାନଙ୍କୁ ଘେନି ଅଶେଷ ଯତ୍ନରେ ଘରର ଧୂଳି ଜଞ୍ଜାଳ ଆବର୍ଜନା ଅମଙ୍ଗଳ ସବୁ ଫିଙ୍ଗି ଦୂର କରିଦିଏ । ନୂଆବର୍ଷର ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତେ ଝଟପଟ ନିଦରୁ ଉଠି ମୁହଁ ହାତ ଧୋଇ ପରିଷ୍କାର ବେଶଭୂଷାରେ ମଣ୍ଡିତ ହୋଇ ପ୍ରସନ୍ନ ବଦନରେ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରି ପ୍ରଣାମ ଜଣାନ୍ତି । ତା’ପରେ ମନ୍ଦିରେ ମନ୍ଦିରେ ଯାଇ ଦେବତାଙ୍କ ପାଖେ ନୂତନ ସୁଖସମ୍ଭୋଗ ଲାଗି ପୂଜା ନିବେଦନ କରନ୍ତି । ଏଦିନ ସମସ୍ତଙ୍କ ବେଶଭୂଷା ଅର୍ଖନୂଆ । ଯାହା ପୁରାତନ, ତାହା ଭୁଲ୍‍ରେ କେଉଁଠି ଯେପରି ଲୁଚିଛପି ନ ଯାଏଁ । ଗୃହ ପାଳିତ ଗୋରୁ ଘୋଡ଼ାଙ୍କୁ ମଧ୍ୟ ନୂଆ ପୋଷାକରେ ସଜାଇ ଦିଆଯାଏ । ନୂଆ ଦିନର ଉତ୍ସବଟି ଜାପାନୀ ନାରୀର କୋମଳ କରପଲ୍ଲବ ସ୍ପର୍ଶରେ ଯେପରି ଏକ ବିଚିତ୍ର ଅଭିନବ ରୂପ ଧାରଣ କରେ-। ମୁଣ୍ଡରେ ଟୋପି ପିନ୍ଧି ଗେଇସା ରମଣୀ ‘ସାମିସେନ୍‌’ ନାମକ ଯନ୍ତ୍ର ବଜାଇ ଘରେ ଘରେ ମଙ୍ଗଳ-ଗୀତିକା ଓ ବାଜଣା ଶୁଣାଇ ଦେଇଯାଏ । ରୂପରସ ଗନ୍ଧରେ ଏହି ଉତ୍ସବ ଜାପାନ ଶିଳ୍ପ, ରୁଚି ଓ ଜାପାନୀ ମନର ଯେଉଁ କାନ୍ତକୋମଳ ପ୍ରମୋଦପ୍ରୀତିର ସହଜ ସୁଲଭର ପରିଚୟ ଦିଏ, ସାରା ବିଶ୍ୱରେ ତାହାର ତୁଳନା ନଥାଇପାରେ । ତାହା ବର୍ଣ୍ଣନା କରିହେବ ନାହିଁ, କେବଳ ଦେଖି ଉପଭୋଗ କରିବାର କଥା ।

 

ମୁଁ ଯାଇ ପହଞ୍ଚିଲି ଦିନ ଆଠଟାବେଳକୁ । ସେତେବେଳକୁ ନବ-ଦମ୍ପତି ଦେବତା ମନ୍ଦିର ଆଦି ବୁଲି ଆସି ସାରିଥାନ୍ତି । ପହଞ୍ଚିଲାମାତ୍ରେ ବସିବାକୁ ଆସନ ଦେଇ ଉଭୟେ ଟିକେ ପ୍ରସାଦ ସେବନ ଲାଗି ଅନୁରୋଧ ଜଣାଇଲେ । ନାହିଁ କି ହଁ କିଛି କହିବା ଆଗରୁ ଗୋଟିଏ ପାତ୍ରରେ ସାମାନ୍ୟ ସୁରା ଆଣି ମୋ ଆଗରେ ରଖିଦେଲେ । ମୁଁ ସୁରାପାନ କରେ ନାହିଁ କହିବାରୁ ବବ୍‌ସାନ୍ ମୋତେ ବୁଝାଇ କହିଲା–ଏହି ‘ଶାକେ’ ବର୍ତ୍ତମାନ ଆମେ ଆମ ଦିଅଁଙ୍କ ଆଗରେ ପୂଜା ବସିଥିଲୁ ଓ ଏହା ପ୍ରସାଦ ମାତ୍ର । ଅନିଚ୍ଛାସତ୍ତ୍ୱେ ସାମାନ୍ୟ ଗ୍ରହଣ କଲି ଓ ତା’ପରେ ଚାଲିଲା କଥା ଭାଷା ।

 

ସୁରା ଓ ତମାଖୁ ଏ ଦୁଇଟି ବସ୍ତୁ ଜାପାନୀ ଘରେ ସମାନ ଭାବରେ ବ୍ୟବହାର କରାଯାଏ । ଏକମାତ୍ର କାରଣ ମୋର ମନେ ହୁଏ ଥଣ୍ଡା ଜଳବାୟୁ । ସ୍ତ୍ରୀମାନେ ମଧ୍ୟ ପର୍ବପର୍ବାଣୀରେ ଅଳ୍ପ ଅଳ୍ପ ସୁରାପାନ କରନ୍ତି । ବିଡ଼ି ସିଗାରେଟ୍‌ ଟଣା ମଧ୍ୟ ସ୍ତ୍ରୀ ମହଲରେ ଯଥେଷ୍ଟ ପ୍ରଚଳନ ଅଛି; କିନ୍ତୁ ସୁରା ସହିତ ପରିଚିତ ଜାପାନୀ ଜାତି କେବେ ମାତାଲ ହୋଇଛି ବା ତାହା ଯୋଗୁଁ କାର୍ଯ୍ୟରେ ଅବହେଳା କରିଛି–ଏପରି ଅପବାଦ ଜାପାନୀ ଜାତି ନାମରେ କେହି କେବେହେଲେ ଦେଇ ପାରିବେ ନାହିଁ । ସେମାନେ ନିଶାର ଅଧୀନ ନୁହନ୍ତି, ବରଂ ନିଶା ସେମାନଙ୍କର ଅଧୀନ । ଯେତିକି ଖାଇଲେ ଚଳିବ, ସେମାନେ ସେତିକି ଧାରନ୍ତି । ଜାପାନୀ ନାରୀ ମହଲରେ ଗୋଟିଏ ପ୍ରବାଦ ପ୍ରଚଳିତ ଅଛି–ଆମ୍ଭମାନଙ୍କ ଜୀବନ, ପକ୍ଷୀ ପରି ହାଲୁକା; କିନ୍ତୁ ଜୀବନର କର୍ତ୍ତବ୍ୟ ପର୍ବତ ପରି ଭାରି । ଜାପାନୀ ସ୍ତ୍ରୀ ମହଲକୁ ଭଲ ଭାବରେ ଚିହ୍ନିଲେ ଏ କଥାର ପ୍ରକୃତ ଅର୍ଥ ବୁଝିହୁଏ । ସେମାନଙ୍କର ଜୀବନ ଏକାଧାରରେ ଭୀମ ଓ କାନ୍ତ ।

 

ନିକୁଞ୍ଜ କାନନ ପରି କୁଟୀରଟିରେ ଦୁଇ ଘଣ୍ଟାକାଳ ଆଲବମ୍‌ ଦେଖା, ରେଡ଼ିଓ ଶୁଣା ଓ ନାନା ଆଳାପ ଆଲୋଚନା ପରେ ପ୍ରାୟ ଦଶଟାବେଳକୁ ଖାଦ୍ୟ ପେୟର ଯୋଗାଡ଼ ହେଲା । ସମସ୍ତେ ଏକ ସଙ୍ଗେ ବସି ନାନା ସୁସ୍ୱାଦୁ ଚର୍ବ୍ୟ, ଚୋଷ୍ୟ ଓ ଲେହ୍ୟ ଉପଭୋଗ କରି ଟିକେ ଟିକେ ବିଶ୍ରାମ ନେଲୁ । ପ୍ରାୟ ଦୁଇଟା ବେଳକୁ ଉଠି ମୁହଁ ଧୋଇ ବସିଲା ବେଳକୁ ଆରମ୍ଭ ହେଲା (Tea ceremony) । ଜାପାନୀ ଘରେ ଚାହା ପରଷା ଏକ ଅପୂର୍ବ ଓ ଅଭିନବ ଦୃଶ୍ୟ । ଯେଉଁ ଜାତି ସାମାନ୍ୟ ଚା’ ପାନରେ ଏତେ ଆଦବକାଇଦା ଭରି ରଖିଅଛି, ତା’ର ଜାତିର ସଂସ୍କୃତିର ମହତ୍ତ୍ୱ ଅନୁସାରେ ଆଣ୍ଠୁମାଡ଼ି ଗୀତ ବୋଲି କପ୍‌ରେ ଚା’ ତିଆରି କରି ଟେବୁଲ ଉପରେ ଥୋଇବା ଆଦିର କମନୀୟତା ଓ ରୁଚିମୟତା ଲେଖି ବୁଝାଇ ହେବ ନାହିଁ; ଦେଖି ଉପଭୋଗ କରିବା କଥା । ସନ୍ଧ୍ୟାବେଳକୁ ନାନା ପ୍ରକାର ଆମୋଦ ପ୍ରମୋଦର ବିଚିତ୍ର ଅଭିନୟ ନାନା ସ୍ଥାନରେ ଆୟୋଜିତ ହୋଇଥାଏ । ଯୁବକମାନଙ୍କର ଖେଳ କସରତ୍‍ର ଭିଡ଼ ଦେଖିବ କ’ଣ ! ସିନେମା ଘରମାନଙ୍କ ଆଗରେ ଭାରି ଭିଡ଼ । ମୋଟ ଉପରେ ସବୁ ଦୁଃଖ ପାସୋରି ସେ ଦିନଟିକୁ ମଧୁମୟ କରିବାକୁ ହେବ । ଚା’ ପର୍ବ ପରେ ଟିକିଏ ବାହାରେ ବୁଲିବାକୁ ପାହାରିଲୁ । ଏକ ସଙ୍ଗେ କିଛି ଦୂର ଗଲାପରେ ସେମାନଙ୍କଠାରୁ ବିଦାୟ ନେଇ ସନ୍ଧ୍ୟା ପୂର୍ବରୁ କ୍ୟାମ୍ପକୁ ଫେରିଲି । ଫେରିଲାବେଳର ଉଭୟଙ୍କ ତୁଣ୍ଡର ‘ସାୟୋନରା’ ଅର୍ଥାତ୍‌ ବିଦାୟ ଏବେବି କେବେ କେବେ ମନେପଡ଼େ ।

 

ବାଟେଘାଟେ

 

କି ସହର, କି ମଫସଲ, ଜାପାନର ଯେ କୌଣସି ଅଂଶକୁ ଗଲେ ଏକ ନୂତନତ୍ୱ ଉପଲବ୍‌ଧି କରିବାକୁ ପଡ଼େ । ଜାପାନର ଶିକ୍ଷାହିଁ ଯେ ତା’ର ଅଧିବାସୀମାନଙ୍କୁ ନିୟମାନୁବର୍ତ୍ତିତାର ଚରମ ସୀମାକୁ ନେଇ ପାରିଛି, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ । ନିୟମାନୁବର୍ତ୍ତିତାହିଁ ଜାପାନକୁ ଏକ ସୁଶୃଙ୍ଖଳିତ, ସୁଦୃଢ଼ ଓ ସୁଶିକ୍ଷିତ ଜାତି କରି ପାରିଛି । ଜାପାନୀ ପିଲା ଯେ କାନ୍ଦନ୍ତି ନାହିଁ, ତାହା ଏହି ନିୟମାନୁବର୍ତ୍ତିତାର ପରୋକ୍ଷ ଫଳ । ଜାପାନର ବାଟେ ଘାଟେ, ରେଳଷ୍ଟେସନ କି ଷ୍ଟିମର ଷ୍ଟେସନ୍‌, ସିନେମା ଘର ଆଦି ଯେ କୌଣସି ଜାଗାରେ ଏହି ଅସମ୍ଭବ ନିୟମାନୁବର୍ତ୍ତିତାର ଦୃଷ୍ଟାନ୍ତକୁ ପ୍ରଶଂସା ନ କରି ରହି ହୁଏନାହିଁ । କେହି ଜଣେ ରାସ୍ତା ଘାଟରେ ବାଆଁରେ ନ ଯାଇ ଡାହାଣରେ ଯିବା କିମ୍ବା ଡାହାଣରେ ନ ଆସି ବାଁରେ ଆସିବା (Keep to the left) କିମ୍ବା ଷ୍ଟେସନମାନଙ୍କରେ ଫର୍ଲଙ୍କ ଫର୍ଲଙ୍କ ଧରି ଟିକେଟ କାଟିବାକୁ ଲାଇନ୍‌ ଲାଗିଥିବା ସ୍ଥଳେ ଆଗରେ ଯାଇ ଟିକେଟ କାଟି ପକାଇବାକୁ ଠେଲି ଆଗେଇ ଯିବା ଆଦି ବିଶୃଙ୍ଖଳାକୁ ସାଧାରଣ ଜାପାନୀ ଘୋର ଅକ୍ଷମଣୀୟ ନୀତିଗତି ଅବନତି ବା ଦୁଶ୍ଚରିତ୍ରତା ବୋଲି ମନେକରେ । ସେଥିପାଇଁ ସେ ଦେଶରେ ପୋଲିସ ପହରାର କୃତ୍ରିମ ବାତାବରଣ ନାହିଁ । ସେମାନଙ୍କର ଚାରିତ୍ରିକ ନୀତିହିଁ ସେମାନଙ୍କର ବାତାବରଣ । ଟିକେଟ କାଟିବା ଲାଗି ଏଡ଼େ ଏଡ଼େ କିଉ ବା ଲାଇନ୍‌ମ୍ୟାନ୍‌ ଆଖି ପିଛୁଳାକେ କେଉଁଆଡ଼େ ଉଭେଇ ଯାଏଁ । ଜଣକୁ ଖଣ୍ଡକ ବିନା ଦି’ଖଣ୍ଡ ଟିକଟବି ମିଳେ ନାହିଁ । ସମସ୍ତେ ଧାଡ଼ିଧରି ଠିଆ ହେବାକୁ ବାଧ୍ୟ । ପ୍ରତ୍ୟେକ ଯାତ୍ରୀ ନିଜ ନିଜ ଜିନିଷ ଓ ଟିକେଟମାନ ଧରି ପ୍ଲାଟଫର୍ମ ଉପରେ ଅପେକ୍ଷା କରିଥାନ୍ତି । ପ୍ରଧାନ ପ୍ରଧାନ ଷ୍ଟେସନଟିମାନ ମଧ୍ୟ ଦେଖିବାକୁ ବଡ଼ ସରଳ । ଆମର ରାଷ୍ଟ୍ରପତି ତାଙ୍କର ଗତ ଜାପାନଯାତ୍ରା କାଳରେ ଜାପାନରେ ରେଳ ଷ୍ଟେସନମାନଙ୍କର ପ୍ଲାଟଫର୍ମ ବାଡ଼ ନଥିବା କିମ୍ବା କୌଣସି ପ୍ରକାର ଆଡ଼ମ୍ବର ନଥିବା ଇତ୍ୟାଦି ସରଳତାଗୁଡ଼ିକର ଯେଉଁ ଭୂୟସୀ ପ୍ରଶଂସା କରିଥିଲେ, ତାହା ଅକ୍ଷର ଅକ୍ଷରେ ସତ୍ୟ ।

 

ଆମ ଆଡ଼ପରି ଜାପାନର ଷ୍ଟେସନମାନଙ୍କରେ ସେ ହାଉ ହାଉ ନାହିଁ କି କୁଲି କୁଲିର ଚିତ୍କାର ନାହିଁ । ଗାଡ଼ି ଠିକ୍‌ ସମୟରେ ଆସି ପହଞ୍ଚେ । ଘଣ୍ଟି ବଦଳରେ ମାଇଁକ୍ରୋଫୋନ୍‌ ସାହାଯ୍ୟରେ ରେଲ ପହଞ୍ଚିବା ଓ ଛାଡ଼ିବା ଆଦି ଜଣାଇ ଦିଆଯାଏ । ବଡ଼ ବଡ଼ ଷ୍ଟେସନମାନଙ୍କରେ ସାମୟିକ ଚିତ୍ତବିନୋଦନ ଲାଗି ରେକର୍ଡ଼ ସାହାଯ୍ୟରେ ଗୀତମାନ ମଧ୍ୟ ଶୁଣାଇ ଦିଆଯାଏ । ଗାଡ଼ିଗୁଡ଼ିକର ଏ ମୁଣ୍ଡରୁ ସେ ମୁଣ୍ଡଯାଏଁ ଗୋଟିଏ ମାତ୍ର ଗଦିପକା ଶ୍ରେଣୀ । ଦୁଇଜଣ ବସିବା ଭଳି ଗୋଟିଏ ଗୋଟିଏ ସିଟ୍‌ । ୨ ରୁ ୩ କେଉଁ ସିଟ୍‌ରେ ଦେଖିବାକୁ ମିଳେ ନାହିଁ । ଜାଗାର ଅଭାବ ହେଲେ ଠିଆ ହେବେ ବରଂ ଜାପାନୀ ଅନ୍ୟକୁ ଅଯଥା କଷ୍ଟ ଦେବେ ନାହିଁ । ଦୂର ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୋଇବା ବ୍ୟବସ୍ଥା ରହିଛି । ଷ୍ଟେସନ ପ୍ଲାଟଫର୍ମ ଉପରେ ଗାଡ଼ି ଠିଆ ହୋଇଥିବାବେଳେ ଦୂରରୁ କୌଣସି ଓଭର ବ୍ରିଜ ଉପରୁ ଦୃଷ୍ଟି ନିକ୍ଷେପ କଲେ ବଡ଼ ସୁନ୍ଦର ସୁଶୃଙ୍ଖଳା ଦେଖାଯାଏ । ପ୍ରତ୍ୟେକ ଡବା ସାମନାରେ କେତେଗୁଡ଼ିଏ ଲାଇନ୍‌ ଦେଖିବାକୁ ମିଳେ । ଶେଷ ଲୋକଟି ନ ଓହ୍ଲାଇବା ପର୍ଯ୍ୟନ୍ତ ଅନ୍ୟ ଧାଡ଼ିର ପ୍ରଥମ ଲୋକଟି ଗାଡ଼ିରେ ଚଢ଼ିବାକୁ ସାହସ କରେ ନାହିଁ । ଏହିପରି ଯିବା ଲୋକେ ଚଢ଼ିଯାନ୍ତି ଓ ଓହ୍ଲାଇବା ଲୋକେ ଗୋଟି ଗୋଟି ହୋଇ ଟିକେଟଟିମାନ ବଢ଼ାଇ ଷ୍ଟେସନ ବାହାରକୁ ଚାଲି ଯାଆନ୍ତି । ଗାଡ଼ିରେ ଯିବାଲୋକ ଅଧିକ ହେଲେ ଅନ୍ୟ ଗାଡ଼ି ଅପେକ୍ଷାରେ ରହନ୍ତି ସିନା; କିନ୍ତୁ ଅନ୍ୟ ଯାତ୍ରୀମାନଙ୍କର ଅସୁବିଧା ସୃଷ୍ଟି କରନ୍ତି ନାହିଁ । ଜାପାନୀ ପକ୍ଷରେ ବିନା ଟିକେଟରେ ଯାତ୍ରା ଏକ ମହାପାପ । ଜାପାନରେ ଟିକଟ୍‌ର ମୂଲ୍ୟ ମଧ୍ୟ ମାଇଲ ପ୍ରତି ପୃଥିବୀରେ ସବୁଠୁ ଶସ୍ତା । ରେଳଡ଼ବା ଭିତରେ ଯାହାକୁ କହନ୍ତି ପିନ୍‌ଡ୍ରପ୍‌ ସାଇଲେନ୍‌ସ । (ଗଭୀର ନୀରବତା) ବର୍ତ୍ତମାନ । ସୋରିଷଟିଏ ପଡ଼ିଳେବି ଶୁଭିବ । ନିହାତି ଦରକାର ପଡ଼ିଲେ କିଏ କାହା କାନ ପାଖରେ ଫୁସ୍‌ଫୁସ୍‌ କରି ଦି’ ପଦ କହିଦିଏ ସିନା, ପାଟିତୁଣ୍ଡ କରେ ନାହିଁ । କୌଣସି ଷ୍ଟେସନ୍‌ରେ ଚାହା-ପାନ-ବିଡ଼ିର ଅବାନ୍ତର କୋଳାହଳ ନାହିଁ କି କୁଲି କୁଲିର ଆର୍ତ୍ତନାଦ ନାହିଁ । ଯେ ଯାହାର କୁଲି ନିଜ ନିଜର ଖାଦ୍ୟପେୟ ସଙ୍ଗେ ସଙ୍ଗେ । ପ୍ରତି ଡବାରେ ପାଇଖାନା, ଥଣ୍ଡା ଗରମ ପାଣି, ଖରାଦିନେ ପଙ୍ଖା ଓ ଶୀତଦିନେ ଗରମ ବାମ୍ଫର ସୁ-ବ୍ୟବସ୍ଥା ! ଡବାଟିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଲାଗି ଜଣେ ଚାକର ପିଲା (Car boy) ନିଯୁକ୍ତ ଥାଏ । ଗାଡ଼ିର ମଧ୍ୟ ଅଭାବ ନଥାଏ । ହିରୋସୀମାର କୌଣସି କାରଖାନାରେ କାମ କରୁଥିବା କୂରେର କୌଣସି ଶ୍ରମିକ ଦିନକର କାମ ସାରି ତା’ର ରେସନ୍‌ ଟିକ୍‌ (ଖାଇବା ଡବା) ଖଣ୍ଡ ପାର୍ଶଲ ଡବାରୁ ଅକ୍ଳେଶରେ ପାଇପାରେ । ତେଣୁ ଜାପାନରେ ବେଶି ଜିନିଷପତ୍ର ସାଥିରେ ନେବା ଶକତ୍‌ ମନା । ଭାରତୀୟ ରେଲବାଇ ସଂସ୍ଥାରେ କେବେ ଏହା ସବୁ ସମ୍ଭବ ହେବ ?

 

ଖରାଦିନ ଆସିଲା । ବସନ୍ତ ପଡ଼ିଲା । ଜାପାନ ହସିଲା । ଶୀତର ପ୍ରାଦୁର୍ଭାବ ଯାଇଛି । ଚାରିଆଡ଼େ ହୁରି ପଡ଼ିଛି ଚେରି ଚେରି । ଚେରିଫୁଲ ଯେପରି ବସନ୍ତଋତୁର ରାଣୀ ତାକୁ ଦେଖିବାପାଇଁ ପ୍ରତ୍ୟେକ ଜାପାନୀର ଅନ୍ତରରେ ଏକ ନୂଆ ଆନନ୍ଦର ଢେଉ ଖେଳିଯାଏ । ତେଣୁ ଚେରିକୁ (Soul of Yamato) ବା ଜାପାନର ‘ଆତ୍ମା ବୋଲି କହନ୍ତି । ପ୍ରାୟ ଏପ୍ରିଲ ମାସର ଶେଷଭାଗ ଆଡ଼କୁ ଏହା ପୂର୍ଣ୍ଣ ଆକାରରେ ପାହାଡ଼ ଆଦିକୁ ଢାଙ୍କି ପକାଏ । ତାହା ଦେଖିବାପାଇଁ ସ୍କୁଲ କଲେଜ ଆଦି ବନ୍ଦ ହୋଇଯାଏ ଓ ଅଧିକ ରେଳ, ଷ୍ଟିମର, ଟ୍ରାମ ଓ ବସ୍‌ ଆଦିର ବନ୍ଦୋବସ୍ତ ହୁଏ । ଅନ୍ୟାନ୍ୟ ଜାଗାଭଳି ହଂସୁ ଦ୍ୱୀପର ‘ମିୟାଜିମା’ ପାହାଡ଼ ଏହି ସୌନ୍ଦର୍ଯ୍ୟର ଏକ ବିଶିଷ୍ଟ ଆଧାର । ସେହି ପାହାଡ଼ ତଳେ ଓ ସମୁଦ୍ରକୂଳରେ ଏହି ନାମରେ ଏକ ବଡ଼ ଗାଁକୁ ହଜାର ହଜାର ଛାତ୍ରଛାତ୍ରୀ, ଯୁବକ ଯୁବତୀ ଓ ବୁଢ଼ା ବୁଢ଼ୀ ଦଳ ଦଳ ହୋଇ ଏହି ସମୟରେ ପଙ୍ଗପାଳ ପରି ଗମନାଗମନ କରନ୍ତି । ସୌନ୍ଦର୍ଯ୍ୟ ଉପଭୋଗ କରି ସନ୍ଧ୍ୟାକୁ ଯିଏ ଯାହା ଘରକୁ ଫେରି ଯାଆନ୍ତି ସେହି ଚେରି ଆଚ୍ଛାଦିତ ଶୃଙ୍ଗରାଜିର ଅସମ୍ଭବ ସୌନ୍ଦର୍ଯ୍ୟ ଭାବୁକ ମନରେ ଭାବ, ଲେଖକର ଲେଖନୀର ଲେଖା ଓ ସଙ୍ଗୀତଜ୍ଞର ପ୍ରାଣରେ ସଙ୍ଗୀତର ମୂର୍ଛନା ଆଣିଦିଏ । ନ ଖାଇ ନ ପିଇ ସେଇ ଜାଗାରେ ଦିନ ଦିନ ପଡ଼ି ରହିବାକୁ ଇଚ୍ଛା ହୁଏ ।

 

ଜାପାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେପରି ମଧୁମୟ, ଲୋକ ସାଧାରଣଙ୍କ ଆଚାର ବ୍ୟବହାର ମଧ୍ୟ ସେହିପରି ସୁଖଦାୟକ । ତୁମେ ବିପଦରେ ପଡ଼ିଥିଲେ କିମ୍ବା କୌଣସି କଥା ପଚାରି ବସିଲେ ସେମାନେ ନାନା ରାତିରେ ତା’ର ଉତ୍ତର ଦେଇ ଯତ୍‌ପରୋନାସ୍ତି ସାହାଯ୍ୟ ନକରି ଜାପାନୀ ସମ୍ଭାଳି ହୋଇ ରହି ପାରନ୍ତି ନାହିଁ ।

 

ଥରେ ଗୋଟିଏ ମଫସଲର ଜଣକ ଘରକୁ ଆମକୁ ଯିବାକୁ ଥିଲା । ସେ ତା’ର ଠିକଣାଟି ମାତ୍ର ଆମକୁ ଦେଇ ଯାଇଥିଲା । ମୁଁ ଓ ମୋର ବନ୍ଧୁ ଷ୍ଟେସନରୁ ଓହ୍ଲାଇ କିଛିଦୂର ଗଲାପରେ ଦୈବାତ ଗୋଟିଏ ସ୍ତ୍ରୀଲୋକକୁ ସେ ଠିକଣାଟି ଦେଖାଇ ବାଟ ପଚାରି ବସିଲୁ । ସେ ମାମାସାନ୍‌ ତା’ର ସବୁ କାମ ପଛରେ ପକାଇ ଦେଇ ପ୍ରାୟ ମାଇଲିଏ ହେବ ରାସ୍ତା ଆମକୁ ବାଟ କଢ଼େଇ ନେବାକୁ କଷ୍ଟ ମନେକରି ନଥିଲା । ପ୍ରତି ବଦଳରେ ‘‘ସୁମିନାସେଠ ଦେଶିତା’’ ଅର୍ଥାତ୍ ‘ଏଡ଼େ କଷ୍ଟ ଦେଇ ଆମେ ବଡ଼ ଦୁଃଖିତ’ ଏତିକି କହିବାରେ ତା’ର ଆନନ୍ଦ ଓ ଗର୍ବ ଦେଖେ କିଏ ? ସାମାନ୍ୟ ବାଳକଟିକୁ ଫୁଲଟିଏ ଦେଲେ ମଧ୍ୟ ସେ ଆରିଗାତୋ (ଧନ୍ୟବାଦ) କରିବାକୁ ଭୁଲେ ନାହିଁ-। ହଠାତ କୌଣସି ଅଜଣା ଅଶୁଣା ଘରେ ଉଠିଲେ ସେ କେବେହେଲେ ଅସଦ୍‌ବ୍ୟବହାର ଦେଖାଏ ନାହିଁ । ତୁମକୁ ଆସନ ଦେଇ ଯଥାରୀତିରେ ଅର୍ଚ୍ଚନା କରି, ଆସିବାର କାରଣ ପଚାରି ବସେ । ତା’ ସାଙ୍ଗକୁ ପଦେ ଦି’ପଦ ଜାପାନୀ ଭାଷା କହି ପାରିଲେ ଆନନ୍ଦ ଓ ପ୍ରଶଂସା ଦେଖ ! ସେତିକିରେ ଯେପରି ତୁମେ ଖୁବ୍‌ ଆପଣାର ହୋଇ ପଡ଼ିଲ । କିଏ ପଙ୍ଖା ତ କିଏ ଓଚା ଆଣିଦେବ-। କିଏ ରେଡ଼ିଓ ସେଟ୍‌ଟି ଖୋଲି ଦେବ ତ କିଏ ଆଲବମ୍‌ ଗଦାଏ ଆଣି ତମ ଆଗେ ବାଢ଼ି ଦେବ । ଘରଗୁଡ଼ିକ ଅଧିକାଂଶ କାଚ ଓ କାଗଜ ତିଆରି । ଉପରେ ଖପରିଲି ନଚେତ ଏକ ପ୍ରକାର ମୋଟା କାଗଜ–ଯାହା ପାଣି କାକର ସମ୍ଭାଳିବ । ସହର ବଜାର କଥା ଭିନ୍ନ । ଘର ସବୁ ଥିଏଟର ପେଣ୍ଡାଲ ପରି ଉଚ୍ଚ । ଗୋଟିଏ କଣରେ ଟିକେ ନୀଚ ଥାଏ । ଯେଉଁଠି କି ଜୋତା ଖଡ଼ମ ଆଦି ରହେ । ଖାଲି ଗୋଡ଼ରେ ଚାଲିବା ଖୁବ୍‌ କମ୍‌ ଦେଖିବାକୁ ମିଳେ । ଜାପାନୀମାନେ ଚମଡ଼ାର ଜୋତା କିମ୍ବା କାଠର ଖଡ଼ମ ନ ପିନ୍ଧି ପାରିଲେ ସ୍ୱଳ୍ପ ମୂଲ୍ୟରେ ଛଣର ଚୁପୁଲି ପିନ୍ଧନ୍ତି । ଏଇଥିରେହିଁ ଦାମିକା କନା ଛାଉଣୀ କରିଦେଲେ ଖୁବ୍‌ ମୂଲ୍ୟବାନ୍ ଓ ଉପହାର ସାମଗ୍ରୀ ହୋଇଯାଏ । ମୁଁ ଥରେ ଦେଖି ଆଶ୍ଚର୍ଯ୍ୟ ହେଲି ଯେ, ଗୋଟିଏ ଚାରି ବର୍ଷର ଝିଅ ଘରୁ ତଳକୁ ଓହ୍ଲାଇ ତା’ର ଗୋଟିଏ ଖେତା (କଠୋଉ) ବାଁ ଗୋଡ଼ରେ ଦେଇ ଅନ୍ୟଟି କିଛି ଦୂରରେ ପଡ଼ିଥିବାର ଦେଖି ତାହାରି ଡାହାଣ ଗୋଡ଼ଟିକୁ ତଳେ ନ ଲଗାଇ ଡେଇଁ ଡେଇଁକା ଅନ୍ୟଟିକୁ ଗୋଡ଼ରେ ଧରିଲା । ଧନ୍ୟରେ ଜାପାନୀର ଶିକ୍ଷା !

 

ଫଳ ଫୁଲ ହେଲା ଜାପାନରେ ଉପହାରର ବିଶିଷ୍ଟ ବସ୍ତୁ । ତା’ ଛଡ଼ା ଫଟୋ, ଆଲବମ୍‌, ରୁମାଲ ଆଦିତ ଅଛି । ଶୀତଦିନେ ଶୀତ କଷ୍ଟରୁ ରକ୍ଷା ପାଇବାପାଇଁ ଘର ମଝିରେ ନିଆଁ କୁଣ୍ଡଟିଏ ଥାଏ । ତା’ ଉପରେ ବୈଠାରି ପରି ଖଣ୍ଡେ ଛୋଟ ଟେବୁଲ । ସନ୍ଧ୍ୟା ହେଲେ ପରିବାରର ସମସ୍ତେ ସେଇ ଟେବୁଲ ଉପରେ ଖିଆପିଆ କରନ୍ତି । ଖାଦ୍ୟପେୟ ଆମଆଡ଼ ପରି ଏତେ ତେଲ ମସଲା ଦିଆ ରନ୍ଧା ନୁହେଁ କିମ୍ବା ସେତେ ସୁସ୍ୱାଦୁ ନୁହେଁ । ସବୁ କେବଳ ସିଝା । ତା’ ସାଙ୍ଗକୁ ଚୂରା ଲୁଣ ଓ ସାମାନ୍ୟ ରାଗ ଗୁଣ୍ଡ । ଖାଦ୍ୟର ଅଧିକାଂଶ ଭାଗହେଲା ଫଳ ପରିବା ସିଝା ଓ ଅଳ୍ପଭାତ । ଗୋଟିଏ ହାତରେ ଦୁଇଟା କାଠିଧରି ଓ ପାତ୍ରଟିକୁ ଅନ୍ୟ ହାତରେ ମୁହଁ ପାଖେ ଧରି ଚୀନା ଓ ଜାପାନୀ ଖାଆନ୍ତି । ଆମର ହାତରେ ଖାଇବା ଦେଖିଲେ କହନ୍ତି ଯେ ତାଙ୍କ ଦେଶର ପିଲେ କେବଳ ହାତରେ ଖାଆନ୍ତି । ଟେବୁଲ ଚାରିପଟେ ପରିବାରର ସମସ୍ତେ ଏକ ସଙ୍ଗେ ବସି ଖାଆନ୍ତି ଓ ଦିଅଁକୁ ଭୋଗ ଦେଇଥିବା ମଦ (ଶାକେ) ମଧ୍ୟ ପିଲା ଆଦି ପ୍ରାସାଦରୂପେ ସେବନ କରନ୍ତି । ଜାପାନର ଅତ୍ୟଧିକ ଥଣ୍ଡା ଜଳବାୟୁ ଦୃଷ୍ଟିରୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଶୀତଦିନ ରାତିରେ ସେହି ଟେବୁଲ ତଳ ନିଆଁ କୁଣ୍ଡ ଆଡ଼କୁ ଗୋଡ଼ କରି ସମସ୍ତେ ଶୁଅନ୍ତି । ଗୋଡ଼କୁ ଯେ ବେଶି ଶୀତ, ଏ କଥା ଚାରିଆଡ଼େ ସମାନ ନୁହେଁ କି ? ଶୀତଦିନେ ଆମଆଡ଼ ମେଘ କୁଣ୍ଡା ଝାଡ଼ିଲା ପରି ବରଫ ପଡ଼ୁଥିବ; କିନ୍ତୁ ସେମାନେ ସାଧାରଣ ପୋଷାକରେ କାମରେହିଁ ଲାଗିଥିବେ । ପ୍ରତି ଘରେ ବେଞ୍ଜୋ ବା ପାଇଖାନା; କିନ୍ତୁ ମେହେନ୍ତର ପ୍ରଥା ନାହିଁ । ନିଜେ ନିଜେ ମେହେନ୍ତର । ଦିନକର କାମ ପରେ ଯେତେ ବଡ଼ ଉଚ୍ଚପଦସ୍ଥ କର୍ମଚାରୀ ହେଲେ ମଧ୍ୟ ଜାପାନୀ ତା’ର ପାଇଖାନାରୁ ମଇଳା ବୋହି ନେଇ ନିଜ ବଗିଚାରେ ବା କ୍ଷେତରେ ଦେବାକୁ ଟିକିଏ ହେଲେ ଘୃଣାବୋଧ କରେ ନାହିଁ । ଏହି ମନୁଷ୍ୟ ପୁରୀଷ ଛଡ଼ା ଜାପାନରେ ଅନ୍ୟ କୌଣସି ପ୍ରକାର ସାର ବା ଖତର ବିଶେଷ ପ୍ରଚଳନ ନାହିଁ-। ଜାପାନରେ ଜାଗା ହେଲା ଅଳପ । ବଳଦ, ଘୋଡ଼ା ଆଦି ପଶୁ ରହି ପାରିଲା ଭଳି । ଜଲବାୟୁ ଆଦୌ ଉପଯୋଗୀ ନୁହେଁ । ତେଣୁ ଜାପାନୀ କେବଳ ନିଜ ନିଜ ହାତରେହିଁ ହଜାର ହଜାର ଫୁଟ ଉଚ୍ଚ ପାହାଡ଼ମାନ ଚାଷୋପଯୋଗୀ କ୍ଷେତ କରି ପାରିଛନ୍ତି । ବିଲଗୁଡ଼ିକ ଦେଖିବାକୁ ଯେପରି ସୁନ୍ଦର, ସେହିପରି ଫଳବତୀ ମଧ୍ୟ । ଯାହା କହନ୍ତି, ସୁନା ଫଳେ । ସେଇ ପରିଶ୍ରମ ବଳରେ ଆମ ଜମି ଅପେକ୍ଷା ହଜାର ହଜାର ୫।୭ ଗୁଣ ଅଧିକ ଉତ୍ପାଦନ କରୁଥିବା ସ୍ଥଳେ ଆମର ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି, ଅଥଚ ଆମେ ଭୋକିଲା ଜୀବନ କଟାଉଛେ ! ଭାରତର ରେଲଇଲାନର ଦୁଇ କଡ଼ମାନଙ୍କରେ ଯେତେ ଅନାବାଦୀ ଜମି ପଡ଼ିଛି, ହୁଏତ ତାହା ସାରା ଜାପାନର ଚାଷଜମି ସଙ୍ଗେ ସମାନ ହେବ ଏବଂ ସେଇ ଜମିର ଆଦର୍ଶ ଜାପାନୀ–ଚାଷ ଆମେ ପତ୍ରପତ୍ରିକା ଏତେ ପଢ଼ୁଛେ ।

 

କିନ୍ତୁ କହିବାକୁ ଗଲେ ଜାପାନର ସ୍ତ୍ରୀ ସମାଜହିଁ ଜାପାନକୁ ଏଡ଼େ ସୁନ୍ଦର ଓ ସମୃଦ୍ଧି କରି ରଖିଛନ୍ତି । ଘରକରଣାଠାରୁ ଆରମ୍ଭ କରି ଅଫିସ କାମ ଦୋକାନ ବଜାରର ବିକ୍ରେତା କାମ, ପୋଲିସ, ବସ୍, ଟ୍ରାମ କଣ୍ଡକ୍‌ଟର କାମ, କି ରେଳ-ମଟର ଚଳାଇବା କାମ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ତ ସ୍ତ୍ରୀ ଜାତି ସୁଦକ୍ଷା । ସ୍ତ୍ରୀ ପୁରୁଷ ଭିତରେ କୌଣସି ପ୍ରକାର ଦୂରଛଡ଼ା ଭାବ ନାହିଁ । ବିଗତ କେତେବର୍ଷ ଧରି ଯୁଦ୍ଧ ଫଳରେ ଯେତେବେଳେ ଅସଂଖ୍ୟ ଜାପାନୀ ଯୁବକଙ୍କ ଯୁଦ୍ଧ ଡାକରା ଆସିଲା, ତା’ରି ଫଳରେ ଜାପାନର ସ୍ତ୍ରୀ ସମାଜ ସମଗ୍ର ଜାପାନର ଆଭ୍ୟନ୍ତରୀଣ କାରବାରର ସମସ୍ତ ଭାର ଆପେ ଆପେ ମୁଣ୍ଡାଇ ନେଲେ ।

 

ବିଶ୍ୱର ଅଗ୍ରଣୀ ଜାତିମାନଙ୍କ ଭିତରୁ ଜାପାନୀମାନ ଏକମତ ହେଲେହେଁ, ଜାପାନରେ ବାଟରେ ଘାଟରେ ଦେଖିବାକୁ ମିଳେ ଯେ ଗୁରୁଜନମାନଙ୍କୁ ସମ୍ମାନ ଓ ଭକ୍ତିର ସୀମା ନାହିଁ । ଆମର ଦିନକରେ ଥରେ ନମସ୍କାର କରିବାକୁ କେଡ଼େ ମାଡ଼ିପଡେ; କିନ୍ତୁ ଜାପାନୀ ପିଲାମାନେ ଦିନକୁ ତିନିଥର ତିନି ରକମର ନମସ୍କାର ସାଙ୍ଗସାଥୀଠାରୁ ଆରମ୍ଭ କରି ଗୁରୁଜନମାନଙ୍କୁ ଜଣାନ୍ତି । ସକାଳେ ଓହାୟୋ, ଦି’ପହରେ କୋନିଚିଓ୍ୟା ଓ ସନ୍ଧ୍ୟାରେ କୋମ୍ବନୁଆ ଏବଂ ବିଦାୟ ନେଲାବେଳେ ସାୟୋନାରା ହେଲା ଧରାବନ୍ଧା ଗତ । ପିଲାମାନେ ସ୍କୁଲକୁ ପାଠ ପଢ଼ିବାକୁ ଗଲାବେଳେ ପିତାମାତାଙ୍କୁ ‘ସ୍କୁଲକୁ ଯାଉଛି’ ବୋଲି ନତମସ୍ତକରେ କହି ଯାଆନ୍ତି । ଅଭିଭାବକମାନେ ମଧ୍ୟ ‘ସୁଖୁକାଇରି–ନାଶାଇ’ ଅର୍ଥାତ୍‌ ଭଲରେ ଚଞ୍ଚଳ ଫେର ବୋଲି ପ୍ରତ୍ୟୁତ୍ତର ସଙ୍ଗେ ସଙ୍ଗେ ଦେବାକୁ ଭୁଲନ୍ତି ନାହିଁ ।

 

ଜାପାନରେ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ଖବରକାଗଜର ପ୍ରଚଳନ ମଧ୍ୟ ଯେତିକି ବେଶି ସେହି ପରିମାଣରେ ସୁଲଭ ମଧ୍ୟ । ତୋକିଓ ସହରରୁ ବାହାରୁଥିବା ମଇନିଚ (The Daily) ଖବରକାଗଜର କାଟତି ପୃଥିବୀରେ ଯେ କୌଣସି ଖବରକାଗଜରୁ ବେଶି ଏହାର ଦୈନିକ ତିନୋଟି ସଂସ୍କରଣ ବାହାରେ । ଖବରକାଗଜ କିଣାରେବି ଧାଡ଼ି ଲାଗିଥାଏ । ଦୋକାନରେ କେହି ନଥିଲେ ମଧ୍ୟ ଜଣକ ପଛେ ଜଣେ ଜଣେ ନିର୍ଦ୍ଦିଷ୍ଟ ଜାଗାରେ ମୂଲ୍ୟଟି ପକାଇ ଦେଇ କାଗଜରୁ ଖଣ୍ଡେ ଲେଖାଏଁ ଧରି ଚାଲିଯାନ୍ତି । ଆମ ଦେଶର ବୁଢ଼ା ବୁଢ଼ୀମାନଙ୍କୁ ଭାଗବତ ପଢ଼ିବା ଦେଖି ଟୋକାଏ ବିସ୍ମିତ ହୁଅନ୍ତି; କିନ୍ତୁ ଜାପାନର ବୁଢ଼ାବୁଢ଼ୀଙ୍କର ଧର୍ମ ଚର୍ଚ୍ଚା । ସାଧାରଣ କଥା । ତା’ ଛଡ଼ା, ଅବସର ସମୟରେ ବୁଢ଼ାବୁଢ଼ୀଏ ଘରେ ବସି ଛଣର ଛୁପୁଲି, ପିଲାଙ୍କ ପାଇଁ କନାର ନାନା ପ୍ରକାର ଖେଳନା ଆଦି ସୁଲଭ କୁଟୀର ଶିଳ୍ପରେ ଲାଗି ମଧ୍ୟ ଜୀବିକା ନିର୍ବାହ କରିଥାନ୍ତି । ଜାପାନକୁ ଯେ ତା’ର ପାରିପାର୍ଶ୍ୱିକ ଜଳବାୟୁ ଏକ ପରିଶ୍ରମୀ ଓ କଷ୍ଟସହିଷ୍ଣୁ ଜାତି କରିଦେଇ ପାରିଛି, ଏଥିରେ ସନ୍ଦେହ ନାହିଁ । ଆମ ଦେଶରେ ୮ଘଣ୍ଟାରୁ ଅଧିକ କାମ ନକରି ପାରିବାର କାରଣ, ହୁଏତ ଆମର ଗରମ ଜଳବାୟୁ ।

 

ଜାପାନର ଯେ କୌଣସି କାରଖାନା ଭିତରକୁ ପଶିଗଲେ ମଧ୍ୟ ତା’ର ପରିଷ୍କାର ପରିଚ୍ଛନ୍ନତା ଓ ଶୃଙ୍ଖଳାକୁ ପସନ୍ଦ ନ କରି ରହି ହୁଏ ନାହିଁ । ଯୁଦ୍ଧ ମାଡ଼ରେ ଧ୍ୱସ୍ତ-ବିଧ୍ୱସ୍ତ ହୋଇ ଯାଇଥିବା ତେନୋର ଗୋଟିଏ ସେ ସେଲର ଫାଉଣ୍ଟେନ ପେନ କାରଖାନା ଦେଖିବାକୁ ଗଲୁ । ନୂଆ ନୂଆ କାମ ଆରମ୍ଭ ହୋଇଥାଏ । ମ୍ୟାନେଜର ମହୋଦୟ ଆମ ପରିଚୟ ପାଇ ବଡ଼ ଦୟା ପରବଶ ହୋଇଆମ୍ଭମାନଙ୍କୁ ଚାରିଆଡ଼େ ବୁଲାଇ ଦେଖେଇ ଶେଷକୁ କପେ ଲେଖାଏଁ ଦୁଧ ପିଇବାକୁ ଦେଲେ । ପିଇଲାବେଳେ ଗାଈ ରଖିଛନ୍ତି କି ପଚାରିବାରୁ ସେ ତାଙ୍କ ଘୁଷୁରି ପଲକୁ ଆଙ୍ଗୁଠିରେ ଦେଖେଇ ଦେଲେ । ଛୋଟ ଦେଶ ଜାପାନରେ ଗାଈ ବଳଦ ପାଳିବା ସମ୍ଭବ ନୁହେଁ । ମନୁଷ୍ୟପାଇଁ ସ୍ଥାନ ନିଅଣ୍ଟ ଆମ୍ଭମାନଙ୍କ ଗାଁକୁ ହାତୀ ଆସିଲେ ଯେଉଁ କୌତୂହଳ ଉପୁଜେ, ଜାପାନୀ ରାସ୍ତାରେ ଗୋଟିଏ ସୁସ୍ଥ ସବଳ ଗାଈ କିମ୍ବା ବଳଦ ଗଲେ ପିଲାମାନଙ୍କର ମଧ୍ୟରେ ଠିକ୍‌ ସେଇ ଅବସ୍ଥା ଉପୁଜେ । ଘୁଷୁରି, ଘୋଡ଼ା ସେମାନଙ୍କର ଗାଈ ବଳଦ କହିଲେ ଚଳେ । କାରଖାନାଟି ଦେଖି ବଡ଼ ଆନନ୍ଦ ଲାଗିଲା । ଅଧିକାଂଶ ସ୍ତ୍ରୀ–ଶ୍ରମିକ ଏକାଗ୍ର ଚିତ୍ତରେ ନିଜ ନିଜ କାମରେ ଲାଗିଥାନ୍ତି । ସ୍ତର ସ୍ତର ହୋଇ କଲମ ତିଆରି କାରଖାନା ଦେଖିବା ମୋର ଏଇ ପ୍ରଥମ । ଖେଳ ଛୁଟିରେ ଶ୍ରମିକମାନଙ୍କ ପାଇଁ ଚିତ୍ତ–ବିନୋଦନର ସୁ–ବ୍ୟବସ୍ଥା, ଲଞ୍ଚ ରୁମ୍‌, ପିଇବାପାଇଁ ପାଣି, ଟେବୁଲ ଟେନିସ, ବାଡ଼ମିଣ୍ଟନ୍‌ ଆଦି ଖେଳର ବ୍ୟବସ୍ଥା ରହିଛି । ଶ୍ରମିକମାନଙ୍କୁ ଅଧିକ ସୁବିଧା ଦେଇ କାମ ହାସଲ କରିବାର କୌଶଳ ଏ ଦେଶରେ ଶିଳ୍ପପତିମାନେ ସେ ଦେଶରୁ ଶିକ୍ଷା କରିବେ କି ? ସାଥିରେ ପିଲା ଧରି ଆସିଥିବା ସ୍ତ୍ରୀ-ଶ୍ରମିକମାନେ ସେମାନଙ୍କୁ ଜଣେ ମାମାସାନ୍ (ବୁଢ଼ୀ) ତତ୍ତ୍ୱାବଧାନରେ ନିର୍ଦ୍ଦିଷ୍ଟ ଜାଗାରେ ଛାଡ଼ିଦେଇ ନିଜ ନିଜ କାମରେ ଲାଗନ୍ତି ଓ ଗଲାବେଳେ ପିଠିରେ ପକାଇ ନେଇ ଯାଆନ୍ତି । ଜାପାନରେ ପିଲାମାନଙ୍କୁ କାନ୍ଧେଇ କି କାଖ କରିନେବା କେଉଁଠି ଦେଖିଲି ନାହିଁ । ବିଦାୟବେଳେ ମେନେଜର ମହୋଦୟ ଆମ ଦୁଇ ବନ୍ଧୁଙ୍କୁ ସ୍ମୃତି ସ୍ୱରୂପ ସେଇ କାରଖାନା ପ୍ରସ୍ତୁତ ଦୁଇଟି ପୁରୁଣା ସେଲର କଲମ (ଯାହା ନୂଆଠୁଁ ଭଲ ଉପହାର ଦେଇ ବିଦାୟ ନେଲେ । ଆମେ ଆରିଗାଟୋ (ଧନ୍ୟବାଦ) ଛଡ଼ା ଆଉ କ’ଣ ବା ଦେଇଥାନ୍ତୁ ? ଯେଉଁ ଜାପାନୀ କଲମ ଆମେ ଏଠାରେ ଚାରି ଛଅ ଅଣାରେ ପାଉ, ସେଗୁଡ଼ିକର ଦାମ୍ ଜାପାନରେ ଏକ ଟଙ୍କା । ଆମେ ଏତେ ଦୂରରେ ଏତେ ଶସ୍ତାରେ ପାଉଥିବାବେଳେ ସେମାନେ କେତେ ମହଗରେ ସେମାନଙ୍କ ଦେଶ ତିଆରି ଜିନିଷ ବୋଲି କିଣିବାକୁ କୁଣ୍ଠିତ ନୁହଁନ୍ତି । ଏଥିରୁ ସେମାନଙ୍କ ଦେଶାତ୍ମବୋଧ ବେଶ୍‌ ଉପଲବ୍‌ଧି କରିହୁଏ ଏବଂ ଏହି ଶସ୍ତା ମହଗର ରହସ୍ୟ କେବଳ ବ୍ୟବସାୟୀ ଜାତିହିଁ ଜାଣେ ।

 

ଜାପାନରେ ପଦାରେ ନାଳ, ନଈ, ପୋଖରୀ ଆଦିରେ କେହି ଗାଧୋଇବା ଦେଖାଯାଏ ନାହିଁ । ଥଣ୍ଡା ଜଳବାୟୁ ଯୋଗୁଁ ଗରମ ପାଣିରେ ଗାଧୋଇବାକୁ ବେଶି ପସନ୍ଦ । ପ୍ରତ୍ୟେକ ଘରେ ପାଇଖାନା ପାଖେ ପାଖେ ଫୁରୋ ବା ଗାଧୁଆ ଘରଟିଏ । ଗୋଟିଏ କାଠ କୁଣ୍ଡରେ ଗରମ ପାଣି ରଖା ଯାଇଥାଏ । ସମସ୍ତ ଦିନର କାମ ଶେଷକରି ରାତିକି ସ୍ତ୍ରୀ ପୁରୁଷମାନେ ଜଣ ଜଣ କରି ଗାଧୁଆ କାମଟା ବଢ଼ାନ୍ତି । ଏଥିରେ ରାତ୍ରିଟା ଆରାମରେ କଟେ । ଘର ଛଡ଼ା ବସ୍ତିର କେତେକ ନିର୍ଦ୍ଦିଷ୍ଟ ଜାଗାରେ ସାଧାରଣ ଗାଧୁଆ-ଘରମାନ ଥାଏ । ସେଠାରେ ଆଇନା, ତଉଲିଆ, ଥଣ୍ଡା, ଗରମ ପାଣି ଆଦିର ସୁ-ବ୍ୟବସ୍ତା ରହିଥାଏ । ସାମାନ୍ୟ ଅଣାଏ ଦିଅଣା ହେଲେ ଗାଧୁଆ କାମଟା ସହଜରେ ବଢ଼ିଯାଏ ।

 

ଜାପାନରେ ଉଚ୍ଚ ଶିକ୍ଷିତ ପରିବାରଗୁଡ଼ିକ ମଧ୍ୟ ବଡ଼ ଧର୍ମନିଷ୍ଠାରେ ଚଳନ୍ତି । ବୌଦ୍ଧଧର୍ମାବଲମ୍ବୀ ହେତୁ ପ୍ରତ୍ୟେକଙ୍କ ଠାକୁର ଘରେ ବୁଦ୍ଧଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ଥାଏ । ଦୈନିକ ଠାକୁରଙ୍କ ଭୋଗ ମଧ୍ୟରେ ଟିକିଏ ଶାକେ (ଦେଶୀ ମଦ) ପ୍ରଧାନ । ତାହା ପ୍ରସାଦ ସ୍ୱରୂପ ପିଲା ପର୍ଯ୍ୟନ୍ତ ସମସ୍ତେ ଟିକିଏ ସେବନ କରନ୍ତି । ବିବାହ, ନିର୍ବନ୍ଧ, ଶୁଦ୍ଧିକ୍ରିୟାଦି ଅଧିକାଂଶ କାର୍ଯ୍ୟ ଠିକ୍‌ ହିନ୍ଦୁମାନଙ୍କ ପରି ନିଷ୍ଠାରେ ପାଳନ କରାଯାଏ । ବିବାହ ସମ୍ବନ୍ଧ ଲାଗି ପିତା ମାତାଙ୍କ ଅପେକ୍ଷା ପୁତ୍ର କନ୍ୟାଙ୍କର ଦାୟିତ୍ୱ ଖୁବ୍‌ ବେଶି । ସେମାନଙ୍କ ରାଜିରୁଜାରେ ପିତାମାତାଙ୍କର ବାରଣ କରିବାର କିଛି ନାହିଁ, ବରଂ ଆନନ୍ଦ । ବିବାହ ପରେ ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନ; ଯେ କୌଣସି ଜାଗାରେ ଯେ ଯେପରିଭାବେ ରହି ପାରନ୍ତି ।

 

ଜାପାନର କୁଟୀରଶିଳ୍ପ

 

ଏତେ ବଡ଼ ଶିଳ୍ପୋନ୍ନତ ଜାପାନରେ କେହି ଯେପରି ନ ଭାବନ୍ତି ଯେ ଦେଶଟାଯାକ ଖାଲି ବଡ଼ ବଡ଼ ମେସିନ୍‌ ଭରା କାରଖାନା ଭର୍ତ୍ତି ହୋଇଛି । ସେଠି କାରଖାନା କହିଲେ ଯେ କୌଣସି ପଲ୍ଲୀରେ ମଧ୍ୟ ପତଳା କାଠରୁ କାନ୍ଥଦିଆ ଘରେ ଖଣ୍ଡିଏ ମେସିନ୍‌ ମାତ୍ର; ଏବଂ ସେହି ଗୋଟିକ ମେସିନହିଁ ‘ଅଜସ୍ର ଭାବରେ ଘର କାରଖାନା’ ଯୋଗାଇବାରେ ଲାଗିଛି । ଗୋଟିଏ ପେନ୍‌ସିଲ ତିଆରି ମେସିନ୍‌ ପେନସିଲଗୁଡ଼ିକୁ ସମାନ ଭାବରେ କାଟି ଦେଇ ୪୦ଟି ପରିବାରକୁ କେବଳ ବିଡ଼ାବାନ୍ଧି କାଗଜ ଲେବ୍‌ଲ ମରିବାରେ ନିଯୁକ୍ତ କରିପାରେ । ଏଥିରେ ସ୍କୁଲ–କଲେଜ ପିଲାମାନେ ମଧ୍ୟ ଅବସର ସମୟରେ ଖଟି ବେଶ୍‌ ଦୁଇ ପଇସା ରୋଜଗାର କରି ପାରନ୍ତି । କାମବେଳେ ପ୍ରତ୍ୟେକ ଜାପାନୀ ସ୍ୱୟଂ ଚାଳିତ ମେସିନ୍‌ ପରି ଚାଲିଥାଏ । ପ୍ରତ୍ୟେକ ଜାପାନୀର ଘର ରାତିରେ କେବଳ ଘର । ଦିନରେ ତାହା ଏକ କାରଖାନା, କୌଣସି ନା କୌଣସି ଗୃହଶିଳ୍ପ ସେମାନେ କି ଆନନ୍ଦ ଓ ପ୍ରେମରେ କରୁଥାନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏହିପରି ଅଗଣିତ ‘ଘର କାରଖାନା’ ଜାପାନସାରା ଛାଇହୋଇ ରହିଛି । ଜାପାନରେ ଯାହାକୁ ପଚାର ସେ କହିବ, ‘ଗୃହଶିଳ୍ପ ହେଉଛି ଆମର ଜୀବନ ନାଟିକା ।’ ଆମର ଏତେଗୁଡ଼ିଏ ଲୋକଙ୍କ ହାତରୁ କାମ ଓ ପେଟକୁ ଦାନା, କୃଷି କିମ୍ବା ଭାରିଶିଳ୍ପ କେବେହେଲେ ଯୋଗାଇପାରିବ ନାହିଁ । ତା’ର ସମାଧାନ ଆମର ଏଇ କୁଟୀରଶିଳ୍ପ ବା ‘ଘର କାରଖାନା ।’ କଞ୍ଚାମାଲ ଯଥେଷ୍ଟ ନଥିଲେହେଁ ଜାପାନୀ ଠିକ୍‌ ରୂପେ ବୁଝିପାରିଛି ଯେ ପରିଶ୍ରମୀ ଓ କାମ କରିବାକୁ ମନଥିବା ମଜୁରିଆ ଥିଲେ ଅସମ୍ଭବ ସମ୍ଭବ ହୋଇ ପାରିବ । କାମ କରିବାର ଇଚ୍ଛା ଓ ଦକ୍ଷତା ଥିଲେ ଦୁନିଆର ଯେ କୌଣସି କୋଣରୁ ଦୁଆର ମୁହଁରେ କଞ୍ଚାମାଲ ଆସି ପହଞ୍ଚି ପାରିବ । ସେମାନେ ଆହୁରି ବୁଝିଛନ୍ତି ଯେ ବଡ଼ ବଡ଼ କାରଖାନାମାନ ବସାଇ ବଡ଼ ବଡ଼ ସହର ଗଢ଼ିବା ବରଂ କ୍ଷତିକାରକ; ତା’ ବଦଳରେ ବରଂ ବଡ଼ କାରଖାନାଗୁଡ଼ିକୁ ନେଇ ଗାଁ ଭିତରେ ଖେଳେଇ ଦେବାହିଁ ବିଜ୍ଞତାର କାମ । ଲୋକଙ୍କୁ କାମ ଯୋଗାଇ ବେକାର ସମସ୍ୟା ଦୂରକରି ପାରିଲେ ଗଣତନ୍ତ୍ରର ଚେର ଆପେ ଆପେ ମାଡ଼ି ଚାଲିବ । ଜାପାନୀ ଜିନିଷ ଯେ କାହିଁକି ଶସ୍ତା, ତା’ର କାରଣ ଅତ୍ୟଧିକ ଉତ୍ପାଦନ ଓ ତତ ସଙ୍ଗେ ସଙ୍ଗେ ସାରା ଦୁନିଆରେ ତା’ର ବଜାର ଓ କାଟତି । ଜାପାନରେ ରେଶମ ପଙ୍ଖା ହଜାର ହଜାର ଘର କାରଖାନାରେ ତିଆରି ଚାଲିଛି । ଗୋଟିଏ ପଙ୍ଖାର ଭିନ୍ନ ଭିନ୍ନ ଅଂଶଗୁଡ଼ିକ କେତେଗୁଡ଼ିଏ ଘର ଆଦରି ନେଇଥାନ୍ତି । କିଏ ବେଣ୍ଟ କଲେ, କିଏ ବାଉଁଶ ପାତିଆ ତିଆରି କରିବାରେ ଲାଗିଛି ତ କିଏ ତାକୁ ସୁନ୍ଦର ରଙ୍ଗଦେଇ ଶୁଖେଇ ଦେଉଛି । ଆଉ କେଉଁ ପରିବାର ଖାଲି ଶିଲ୍‍କ କନାରେ ପଙ୍ଖାଟିକୁ ଛାଇଦେଇ ସୁନ୍ଦର ଭାବ ଉତୁରିଲା କି ନାହିଁ ପରୀକ୍ଷା କରି ଦେଉଛି । ଏହିପରି ଛଅଟି ଜାଗାରେ ପଙ୍ଖାର ଅଂଶମାନ ତିଆରି ସରିଲେ ପଙ୍ଖାଟିଏମାନ ଉତୁରୁଛି ଓ ହଜାର ହଜାର ପଙ୍ଖା ପ୍ରତ୍ୟହ ଜାପାନରୁ ବାହାରକୁ ରପ୍ତାନି ହେବାରେ ଲାଗିଛି । ଜାପାନୀମାନେ ସାଧୁ ସଚୋଟ ମନୋବୃତ୍ତିରେ ମନପ୍ରାଣ ଦେଇ ନିଜର ଆଦର୍ଶ ବଜାୟ ରଖି କାମ କରି ପାରୁଛନ୍ତି ବୋଲି ସେମାନଙ୍କର ପଙ୍ଖା, ପେନସିଲ କାହିଁକି, ସେମାନଙ୍କର ଯାବତୀୟ କୁଟୀରଶିଳ୍ପ ଦୁନିଆ ବଜାରରେ ଆଦର ପାଉଛି ।

 

ପ୍ରତ୍ୟେକ ଜାପାନୀ ହୃଦୟଙ୍ଗମ କରି ପାରିଛି ଯେ ତାଙ୍କ ଦେଶରେ ଯେ କୌଣସି ଜିନିଷ ସଙ୍ଗେ ବିଜୁଳିଶକ୍ତି ମିଶାଇ ଦେଇ ପାରିଲେ ତାହା ବାହାରେ ବଜାରରୁ ପଇସା ଛାଣି ଆଣି ପାରିବ ।

 

ବାଉଁଶର ଜନ୍ମଭୂମି ଭାରତବର୍ଷ; କିନ୍ତୁ ପରିତାପର ବିଷୟ ଯେ ଆଜି ମୁଷ୍ଟିମେୟ କେତେ ପ୍ରକାର ବାଉଁଶ ଭାରତରେ ଥିବା ସ୍ଥଳେ ଜାପାନରେ ପ୍ରାୟ ଶହେରୁ ଅଧିକ ପ୍ରକାର ବାଉଁଶ ଅଛି ଓ ସେଥିରୁ ଟୋକେଇ, ପରଦାଠାରୁ ଆରମ୍ଭକରି ରେଡ଼ିଓ ପର୍ଯ୍ୟନ୍ତ ପ୍ରାୟ ୧୪୦୦ ପ୍ରକାର ଜିନିଷ କୁଟୀରଶିଳ୍ପ ଜରିଆରେ ଉତ୍ପାଦନ ଓ ରପ୍ତାନି କରି ବିଦେଶରୁ ଅଜସ୍ର ଅର୍ଥ ଟାଣିଆଣି ପାରୁଛନ୍ତି । ଶିଳ୍ପଜ୍ଞାନ ଓ କଳାଜ୍ଞାନ ଯେଉଁ ଜାତିର ରହିଛି, ସେ ମାଟିକୁ ସୁନାରେ ରୂପ ଦେଇପାରେ । ଉଦାହରଣସ୍ୱରୂପ ଧୂଆଁପଚା ବାଉଁଶ ତିଆରି ହାତ ମୁଣିମାନ (Hand bags) ଆମେରିକା ମହିଳାମାନଙ୍କ ମନକୁ ଏତେ ପାଇଛି ଯେ ଜାପାନ ତାହା ଯୋଗାଇବାକୁ ଅକ୍ଷମ ହୋଇ ପଡ଼ିଛି । ଜାପାନର ବାଉଁଶ ଦକ୍ଷିଣ ଆମେରିକାରେ ଖୁବ୍‌ ଆଦର ପାଉଛି । ବିଜ୍ଞାନ ଯେତିକି ଯେତିକି ଆଗଉଛି, ସେହି ପରିମାଣରେ ବାଉଁଶର ନୂଆ ଶିଳ୍ପମାନ ସେହିପରି ଗଢ଼ିଚାଲିଛି । ବାଉଁଶର ପ୍ଲାଇଉଡ଼ଶିଳ୍ପ ଜାପାନର ଏକ ବଡ଼ ଶିଳ୍ପରେ ପରିଣତ ହୋଇ ସାରିଲାଣି । ସେଥିଲାଗି ବାଉଁଶକୁ ସେ ଦେଶରେ ପୂଜା କରନ୍ତି ଓ ପୁଣ୍ୟପୂର୍ବ ଶୁଭଦିନମାନଙ୍କରେ ବାଉଁଶକୁ ଶୁଭଚିହ୍ନ ମଣି ଗାଁ ଘର ଆଦି ସଜାଇ ପକାନ୍ତି ।

 

କାଗଜ ଜାପାନରେ ଇତିହାସରେ ଆଉ ଏକ ଭାରିଶିଳ୍ପ କହିଲେ ଚଳେ । ଦେଶ ବିଦେଶରେ ଯେଉଁ ସୁନ୍ଦର, ଶସ୍ତା ରଙ୍ଗିନ କାଗଜ ସବୁ ମିଳେ, ତାହା ଜାପାନୀ ଘରେ ତିଆରି । କୌଣସି ବଡ଼ ବଡ଼ କାରଖାନାମାନଙ୍କରେ ନୁହେଁ ଏବଂ ସେଥିରୁ ଅଧିକାଂଶ ହାତ ତିଆରି । ହାତତିଆରି କାଗଜ ବାଉଁଶରୁ ତିଆରି ହୁଏ ନାହିଁ । ଏହା ଏକ ପ୍ରକାର କାଠ ଗଛରୁ ତିଆରି କରାଯାଇଥାଏ । ଆମ ଦେଶରେ କତା ଦଉଡ଼ିପାଇଁ ଯେପରି ନଡ଼ିଆକତା ପିଟନ୍ତି, ସେ ଦେଶରେ ସେପରି କାଗଜ ଖଣ୍ଡମାନ ପିଟଣାରେ ଜାପାନୀ ଝିଅବୋହୂମାନେ ଗୀତ ଗାଇ ଗାଇ ପିଟନ୍ତି । ସେହି ତନ୍ତୁ ସମୂହକୁ ଘର କଡ଼ରେ ବୋହି ଯାଉଥିବା ନଈ ନାଳରେ ଧୋଇ ଆଣନ୍ତି । ଏହି କାଗଜ ତିଆରି କୌଶଳ ପ୍ରଥମେ ଏ ଦେଶକୁ ୬୦୦ ଖ୍ରୀଷ୍ଟାବ୍ଦରେ ଆସିଥିଲା । ପ୍ରଥମେ ପ୍ରଥମେ ତାହା ଆଶାନୁରୂପ ଉତୁରିଲା ନାହିଁ । ଅନେକ ଦିନପରେ ଏହି ଜାପାନୀ କାଗଜର ଏତେ ଉନ୍ନତି ସାଧିତ ହେଲା ଯେ ଏହା ଘର ସଜାଇବାଠାରୁ ଝରକା କବାଟରେ ବ୍ୟବହାର କରିବାଠାରୁ କାନ୍ଥବାଡ଼ରେ ଦେବାରେ, ଏପରି କି ଘରର ଛାତ ତିଆରିରେ ମଧ୍ୟ ଲାଗିଲା । ଖାଲି ସ୍ୱଦେଶରେ ନୁହେଁ, ବିଦେଶରେ ମଧ୍ୟ ବହି ବାନ୍ଧିବା, ପୁଡ଼ିଆ ବାନ୍ଧିବା, ଘର ସଜେଇବା ଆଦି କାମରେ ଏହି ଜାପାନୀ କାଗଜର ଚାହିଦା ଖୁବ୍‌ ବଢ଼ିଲାଣି । ଏହି କାଗଜ ଜାପାନୀ ଜଳବାୟୁକୁ ଖୁବ୍‌ ସୁହାଇ ପାରେ । ଆମର ପାଟରା, କଂସାରି ସାଇପରି ଜାପାନରେ ମଧ୍ୟ କାଗଜ ଗାଁମାନ ଅଛି । ସେଠାରେ ସବୁ ଏଇ କାଗଜ ଗଛମାନ ଦେଖିବାକୁ ମିଳେ । କାଗଜ ଗବେଷଣାର ଯାବତୀୟ ଜିନିଷ ଏଠାରେ ଦିଆଯାଏ ଓ ଦେଖିବାକୁ ମିଳେ । ଏହା ପୁଣି ସବୁ ଋତୁରେ ତିଆରି ହୋଇପାରେ ନାହିଁ । କାଗଜକୁ ଶୁଖାଇବାରେ ତା’ର ସୌନ୍ଦର୍ଯ୍ୟ ଓ କାରୀଗରର ବାହାଦୁରି ନିର୍ଭର କରେ । ଆଧୁନିକ କଳ ତିଆରି କାଗଜ ପାଖରେ ମଧ୍ୟ ଜାପାନୀ ହାତତିଆରି କାଗଜ ହାରମାନି ନାହିଁ । କାଗଜ ଯେ ଜାପାନର କେଉଁ କାମରେ ନ ଲାଗୁଛି ଏହା ନୁହେଁ । ରୁମାଲଠାରୁ ଆରମ୍ଭ କରି ଝାଡ଼ୁଦେବା ପର୍ଯ୍ୟନ୍ତ ପ୍ରାୟ ୩୦୦ ପ୍ରକାର ଜିନିଷ ଏହି କାଗଜରୁ ତିଆରି ହେଉଛି ।

 

କାଗଜ ପରି ଦିଆସିଲି ମଧ୍ୟ ଘର କାରଖାନାରେ ତିଆରି ହେଉଛି । ଏଥିରେ କୌଣସି କାରୀଗରର ହାତର ଆବଶ୍ୟକତା ନଥାଏ । ଅକର୍ମଣ୍ୟ ବୁଢ଼ା ବୁଢ଼ୀମାନେ ଓ ଛୋଟ ପିଲାମାନେ ପିଲାଖେଳ ପରି ଘରେ ସନ୍ଧ୍ୟାପରେ ଦିଆସିଲି କାଠି ତିଆରି କରି ବସନ୍ତି । ଦିଆସିଲି କାଠର ପତଳା କାଠମାନ ଘରେ ଘରେ ଦିଆ ହୋଇଯାଏ । ସକାଳେ ସେ କାଠି ସବୁ ଏକାଠି ହୋଇ ଖୋଳରେ ପଶେ । ଏଥିପାଇଁ କୌଣସି କାରଖାନା ଦରକାର ନାହିଁ । କାଠିମାନ ତିଆରି ହେବାପରେ ସେଇ ଘର କି ଜାଗା ସଫା କରି ଓଳେଇ ଦେଲେ ଶୋଇବା ଜାଗା ହୋଇଯାଏ ।

 

ବିଦ୍ୟୁତ୍‌ ଚାଳିତ ମେସିନ୍‌ ସାହାଯ୍ୟରେ ଘରେ ଘରେ ମଧ୍ୟ ସୁନ୍ଦର ସୁନ୍ଦର ରଙ୍ଗିନ ଲୁଗାମାନ ତିଆରି କରାଯାଇ ପାରୁଛି । ଗୋଟିଏ ପରିବାରର ଲୋକେ ଏଇ ମେସିନ୍‌ ଚଳାଇବାକୁ ଯଥେଷ୍ଟ । ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମେସିନ୍ ଚାଲିଛି । ମଝିରେ ମାତ୍ର ୩ ଥରରେ ଘଣ୍ଟାଟିଏ ଲାଗି ବନ୍ଦ ହୁଏ । ସନ୍ଧ୍ୟା ଛଅ ବାଜିଲେ ସ୍ତ୍ରୀ ରୋଷେଇ ଘରକୁ ଯାଏଁ ଓ ପୁରୁଷ ଲେଖାପଢ଼ା ଟିକିଏ କରି ଅନ୍ୟ ଦିନର କାମପାଇଁ ସରଞ୍ଜାମ ଯୋଗାଡ଼ କରିଥାଏ । ଜାପାନୀ ସ୍ତ୍ରୀର ଖଟିବାର ଓ କାରିଗରି ବିଦ୍ୟାର ଯେ ଅଦ୍ଭୁତ ଶକ୍ତି ଅଛି, ତାହା ଅନ୍ୟତ୍ର ଲେଖି ସାରିଛି । ଜାପାନୀ ସ୍ତ୍ରୀର ଆଙ୍ଗୁଠି ଟିପରେ ଅସୀମ କାରିଗରି ବିଦ୍ୟାର ସୌନ୍ଦର୍ଯ୍ୟ ଫୁଟି ଉଠୁଛି । ଏତାଦୃଶ ଘରକାରଖାନାମାନ ଦେଖିଲେ ଆଉ ବୁଝିବାକୁ ବାକି ରହେ ନାହିଁ ଯେ ଜାପାନରେ ତୁଳା ଆମଦାନି ହେଉ ନଥିଲେ ମଧ୍ୟ ଭାରତ, ଇଜିପ୍‌ଟ ପ୍ରଭୃତି ବିଦେଶରୁ ତୁଳା କିଣି ପୁଣି ନେଇ ଦେଶମାନଙ୍କରେ କିପରି ସେଠାକାର ବଜାର ଅପେକ୍ଷା ଶସ୍ତାରେ ଲୁଗାପଟା ଯୋଗାଇ ପାରୁଛି ।

 

ସହରମାନଙ୍କରୁ ବଡ଼ ବଡ଼ ମେସିନ୍‌ମାନ ଗାଁ ଗଣ୍ଡାରେ ପହଞ୍ଚାଇ ନ ପାରିଥିଲେ ଜାପାନରେ ଏ ଚମକ ସୃଷ୍ଟି ହୋଇପାରି ନଥାନ୍ତା । ଆମେ ଯଦି ତାହା କରି ପାରିବା ତେବେ ଯାଇଁ ଏ ଦେଶରୁ ଦାରିଦ୍ର୍ୟ ଅଚିରେ ଦୂରକରି ପାରିବା । ପ୍ରାକୃତିକ ସମ୍ପଦ ଦୃଷ୍ଟିରୁ ଜାପାନ ମଧ୍ୟ ଏକ ଗରିବ ଦେଶ; କିନ୍ତୁ ତା’ର ଅଧିବାସୀ ଜାପାନୀ ଗରିବ ନୁହେଁ; ଯେହେତୁ ସେ କଳାକୁଶଳୀ, କଷ୍ଟସହିଷ୍ଣୁ, ଚତୁର ଓ ଶିକ୍ଷିତ । ଜାପାନୀମାନେ ଅନୁକରଣ ପଟୁ ବୋଲି ଯେଉଁମାନେ ବ୍ୟଙ୍ଗ ଦୃଷ୍ଟିରେ ନକଲରେ ଅକଲର କ’ଣ ଦରକାର ଅଛି (ନକଲମେ ଅକଲ କ୍ୟା ହେ) ବୋଲି କହିଥାନ୍ତି, ସେମାନେ ଭୁଲ୍‌ କହିଥାନ୍ତି । ଅନ୍ୟମାନଙ୍କଠାରୁ ଶିଖି ନିଜର ଜ୍ଞାନ ଓ ଦକ୍ଷତା ବଢ଼ାଇବାରେ ସେମାନେ ଧୁରନ୍ଧର । ଜାପାନ ଯେ ଏତେ ଅଳ୍ପ ସମୟ ମଧ୍ୟରେ ଏଡ଼େ ବଡ଼ ଶିଳ୍ପ ପ୍ରଧାନ ଦେଶ ହୋଇ ପାରିଲା, ତା’ର ପ୍ରଧାନ ରହସ୍ୟ ହେଉଛି ତା’ର ‘ସମଶୀତୋଷ୍ଣ’ ଜଳବାୟୁ । ଯେଉଁ ଗରମ ଜଳବାୟୁ ପାଇଁ ଆମେ ଅଭିଶପ୍ତ । ବର୍ଷକେ ୬ମାସ, କୌଣସି କୌଣସି ସ୍ଥଳରେ ୭ ମାସ ଧରି ମୋଟେ କାମରେ ମନ ଲାଗେ ନାହିଁ; କିନ୍ତୁ ସେଠାକାର ଶ୍ରମିକ ସଚୋଟ ଓ ଦକ୍ଷ । ଶ୍ରମିକମାନଙ୍କ ପ୍ରତି ଯେପରି ସଦୟ ବ୍ୟବହାର ସେପରି କମ୍‌ ଖର୍ଚ୍ଚ । ତଥାପି ଜିଦ୍‌, ଅଧିକ କିପରି ଖଟି ପାରିବା ତା’ର ଗବେଷଣାମାନ ଚାଲିଛି । ଯେଉଁ କାମକୁ ୩୦ ବରଷ ତଳେ ୩୦ ଦିନ ଲାଗୁଥିଲା, ୧୫ ବର୍ଷ ପରେ ଦେଖାଗଲାଣି ଯେ ସେଇ କାମ ଅଧା ଲୋକରେ ମାତ୍ର ୫ ଦିନ ଲାଗୁଛି । ଏଥିରୁ ସେମାନଙ୍କର କର୍ମକୁଶଳତା ସହଜେ ଅନୁମେୟ । ଯାହାକି ରୁଷ, ଆମେରିକା ପ୍ରଭୃତି ବିଦେଶୀ କାରିଗରମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ ଓ ସେମାନଙ୍କର ବଜାର ଯେ ତଳେ ପଡ଼ିଯିବ, ଏଥିଲାଗି ପ୍ରମାଦ ଗଣିଲେଣି । ସେମାନେ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି ଯେ ଜାପାନୀ ଜୀବନ ଧାରଣର ମାନ କମ୍‌ ନ କହି ସରଳ ଜୀବନ ଯାପନରେ ଓ ଅଳ୍ପ ଖର୍ଚ୍ଚରେ ସେ ଭଲରେ ଚଳିପାରେ । ଯେଉଁସବୁ ବିଦେଶୀ କାରିଗର କୋଠାଘର, ଖଟ ପଲଙ୍କ, ସାଣ୍ଡବିଚ୍‌ ଟୋଷ୍ଟ ଓ ମୋଟା ଦରମା ପାଇ ଜୀବନରେ ଆତ୍ମତୃପ୍ତି ଲାଭ କରିପାରୁ ନାହାଁନ୍ତି, ସେଇ ଜାତୀୟ ଜାପାନୀ କାରିଗର ସାଧାରଣ କାଚ କାଠର ଘରେ ମାଛଭାତ ଖାଇ ଓ ସାମାନ୍ୟ ମଜୁରି ପାଇ ଯଥେଷ୍ଟ ଆତ୍ମସନ୍ତୋଷ ଲାଭକରି ପାରୁଛି ।

 

ବାଉଁଶ, କାଗଜ, ଦିଆସିଲି, ଲୁଗା ଛଡ଼ା କାଚ, ଲାଖ, କଲେଇ ବାସନ, ସିଲ୍‌କ, ଖେଳନା, କଲମ ଆଦି ନାନା ଶିଳ୍ପରେ ଜାପାନରେ ଅଭୂତପୂର୍ବ ଉନ୍ନତି ସାଧିତ ହୋଇ ପାରିଛି । ତେବେ ସେସବୁ ଶିଳ୍ପକୁ ଆମ ଦେଶକୁ ଅଣାଯାଇ ପାରିବ ନାହିଁ । ଏପରି କେତେକ ଶିଳ୍ପ ଆମ ଦେଶର ଅବସ୍ଥା ସଙ୍ଗେ ଖାପ ଖାଇଲା ଭଳି ଆଣିବାକୁ ହେବ । ସେଥିଲାଗି ସର୍ବଜନୀନ ଶିକ୍ଷା ପ୍ରସାର ଓ ଜାପାନରେ ପ୍ରଚଳିତ ବେତନହାର ଅନୁସରଣ ହେବା ଆବଶ୍ୟକ । ସର୍ବୋପରି ଜାପାନୀମାନଙ୍କ ସଦୃଶ ଆମ ଦେଶରେ ତିଆରି ଜିନିଷ ପ୍ରତି ସମ୍ମାନ ଓ ଜୀବନ ଧାରଣମାନ ପ୍ରତି ଆମର ସ୍ପୃହା ବଢ଼ିବା ଆବଶ୍ୟକ ।

 

ଜାପାନୀ କୃଷକ

 

ଜାପାନର ପ୍ରାୟ ଏକ ଷଷ୍ଠାଂଶ ଜମି ମାତ୍ର ଚାଷୋପଯୋଗୀ । ଅଧାରୁ କମ୍‌ ଲୋକଙ୍କ ବେଉସା ହେଲା ଚାଷ । ଆମକୁ କୃଷି ଓ ଶିଳ୍ପ ଅଲଗା ଅଲଗା ଜଣାପଡ଼ୁଥିବା ସ୍ଥଳେ ଚାଷ ହେଲା ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ । ଆମେ ଯେଉଁ ‘ଜାପାନୀ ଚାଷ’ର ଏତେ ପ୍ରଶଂସା ଆମ ବ୍ଲକ୍‌ ଜରିଆରେ ଶୁଣୁଛେ, ତାହା କିଛି ନୁହେଁ । ତା’ର ଏକମାତ୍ର କାରଣ ସେମାନେ ଚାଷକୁ ଶିଳ୍ପ ଭଳି ଯତ୍ନ ସହକାରେ କରନ୍ତି ବୋଲି ଜାପାନୀ ଚାଷର ଏତେ ଭୂରି ଭୂରି ପ୍ରଶଂସା ହେଉଛି । ଆମର ପ୍ରଚାରକଗଣ ତା’ର ମର୍ମ ବୁଝିବେ କି ? ଆମର କ’ଣ ‘ରୁଆ ଧାନ ଥୁଆ’ କଥା ପଦକ ନଥିଲା ? ଆଉ ଏ ଧାଡ଼ି ଧାଡ଼ି ରୁଆରେ କି ରହସ୍ୟ ଅଛି ? ଚାଷୀ ସଂଖ୍ୟା ଅନୁପାତରେ ଅନ୍ୟାନ୍ୟ ଦେଶ ତୁଳନାରେ ଚାଷଜମି ଖୁବ୍‌ କମ୍‌ ଲୋକସଂଖ୍ୟା ଅନୁଯାୟୀ ଚାଷଜମି ଜଣକୁ ମାତ୍ର ୧୬ ଡିସିମିଲ । ଏତେ ଅଳ୍ପ ଜମିଥାଇ ମଧ୍ୟ ସେମାନେ ସେମାନଙ୍କର ଖାଦ୍ୟର ଶତକଡ଼ା ୮୦ ରୁ । ୫ ଭାଗ କେବଳ କୃଷିରୁହିଁ ପାଇଥାନ୍ତି । ଆମେରିକା, ଅଷ୍ଟ୍ରେଲିଆ ଭଳି ହଜାର ହଜାର ଏକର ଜମିର ଏକତ୍ର ଚାଷ ଜାପାନରେ ସ୍ୱପ୍ନ । ଜମି ସବୁ ଛୋଟ ଛୋଟ ଥିବାରୁ ଟ୍ରାକ୍‌ଟର ଜରିଆରେ ଚାଷ ପ୍ରବର୍ତ୍ତନ କରାଯାଇ ପାରିନାହିଁ । ଶହେବର୍ଷ ତଳେ ଜାପାନ ଥିଲା ଏକ କୃଷି ପ୍ରଧାନ ଦେଶ । ସେତେବେଳେ ସମ୍ରାଟ ମେଜି ଭଲରୂପେ ଉପଲବ୍‌ଧି କରି ପାରିଥିଲେ ଯେ ଶିଳ୍ପର ପ୍ରସାର ନହେଲେ କେବଳ କୃଷି ଲୋକଙ୍କୁ କେବେହେଲେ ପୋଷି ପାରିବ ନାହିଁ । ସମଗ୍ର ଜାପାନରେ ଶତକଡ଼ା ୧୬ ଭାଗରୁ ଅଧିକ ଜମିରେ ଫସଲ ହୁଏ ନାହିଁ । ଜାତିଟା ହେଲା ମାଛ ଭାତଖିଆ ଜାତି । ମାଛ ଭାତ ମିଳିଗଲେ ଯଥେଷ୍ଟ । ସେଥିପାଇଁ ଅଳ୍ପ ଜମି ବେଶି ଫସଲ ପାଇବାଟା ହେଲା ଜାପାନୀ କୃଷକ ପକ୍ଷରେ ଜୀବନମରଣ ସମସ୍ୟା । ବିରାଟ ଆମେରିକାରେ ୬୮ ଲକ୍ଷ କୃଷିଫାର୍ମ ଥିବା ସ୍ଥଳେ ଏତେ ବଡ଼ ଛୋଟ ଜାପାନରେ ପ୍ରାୟ ୫୭ ଲକ୍ଷ କୃଷି ଫାର୍ମ ଅଛି । ଅବଶ୍ୟ ପ୍ରତ୍ୟେକ ଫାର୍ମ ୨୪ ଏକରରୁ ବେଶି ନୁହେଁ । ସେଠିକା ଚାଷକୁ ଚାଷ କହି ହେବ ନାହିଁ; ତାହାର ବରଂ ବଗିଚା କାମ । ଜାପାନୀ କୃଷକର ଘର ବାଡ଼ିହିଁ ତା’ର ଫାର୍ମ । ସେଥିରେ ଧାନଚାଷ, ଫଳଚାଷ, ପନିପରିବା ସବୁ ଏକତ୍ର କରାଯାଏ । ଆମେ ଧାନ କିଆରିଟିର ଯତ୍ନ ନେଲେ ଯଥେଷ୍ଟ କଲୁ ବୋଲି ଭାବି ଥାଉଁ; କିନ୍ତୁ ଜାପାନୀ କୃଷକ ପ୍ରତି ଧାନଗଛଟିର ଯତ୍ନ ନେଇଥାଏ । ସେଇ ପୁରୁଣା କାଳିଆ ଚାଷ । ଗୋ-ମହିଷାଦି ପଶୁଙ୍କ ଜରିଆରେ ଚାଷ ସ୍ୱପ୍ନ ! ଯାହା କରିବ ତା’ର ଦୁଇଟା ହାତ କେତେ ଖଣ୍ଡି କାଠ ଓ ଲୁହାଯନ୍ତ୍ର ସାହାଯ୍ୟରେ । ସେହି ହାତ ତିଆରି କିଆରିଟି ଏଡ଼େ ସୁନ୍ଦର ଦେଖାଯାଏ ଯେ ଦେଖିଲେ ପେଟ ପୂରିଉଠେ । ମୋର ଜଣେ କୃଷକ ବନ୍ଧୁଙ୍କ ସଙ୍ଗେ ତାଙ୍କ ଫାର୍ମଟି ଦେଖିବାକୁ ଗଲି । କୂରେ ସହରର ଏକ ପାହାଡ଼ ତଳେ ସାମାନ୍ୟ କେତେ ଖଣ୍ଡି କିଆରି । ସେଥିରେ ସବୁ ଜାତିର ଫଳମୂଳ ଲଗା ଯାଇଛି । ସେ ବା ଖାଲି ହାତରେ କାହିଁକି ମୋ ସଙ୍ଗେ ଯିବେ । ତାଙ୍କ ପାଇଖାନାରୁ ଦୁଇ ବାଲ୍‌ଟି ମଇଳା ଭାର ନେଇ ଆଗେ ଆଗେ ଚାଲିଥାନ୍ତି । ମୋତେ ଟିକେ ଟିକେ ଅଡ଼ୁଆ ଲାଗୁଥିଲେହେଁ ଜାପାନୀର ଶ୍ରମମର୍ଯ୍ୟାଦାକୁ ପ୍ରଶଂସା ନ କରି ରହିପାରୁ ନଥାଏ । ସେ ପୁଣି ସେଠିକା ଡାକଘରର ପୋଷ୍ଟ ମାଷ୍ଟର । ପୋଷ୍ଟ ଅଫିସ କାମପରେ ଏଇଟା ହେଲା ତାଙ୍କର ଦୈନନ୍ଦିନ କାମ । ଛୁଟିମାନ ତ ଅଛି । ଦେଖିଲି, ମଇଳାଗୁଡ଼ିକ ସେ ଡଙ୍କା ସାହାଯ୍ୟରେ ଗଛମୂଳେ ଦେଇ ହୁଡ଼ାମାନ ଟେକିଦେଲେ । କାମସାରି ଧୁଆଧୋଇ ହୋଇ ଆମେ କିଛି ମୂଳା, କନ୍ଦମୂଳ ଓ ସାଲାଡ଼ ଜାତୀୟ ଶାଗ ଗଛ ଧରି ତାଙ୍କ ଘରକୁ ଫେରିଲୁ । ଘରେ ତାଙ୍କ ସ୍ତ୍ରୀ ସେଗୁଡ଼ିକ ଭାଜିଭୁଜି ଆମକୁ ଖୁବ୍‌ ଆଦରରେ ଖୁଆଇଲେ । ଫାର୍ମରେ ଥିଲାବେଳେ କୃଷକ ବନ୍ଧୁଙ୍କୁ ପଚାରିଲି, ଏଠାରେ ସାର ମିଳେ ନାହିଁ ? ସେ କହିଲେ, ମନୁଷ୍ୟ ବିଷ୍ଠା ହେଲା ଆମର ପ୍ରଧାନ ସାର । ଆମେ ଏ ସାରକୁ ଅଯଥା ନଷ୍ଟ କରି ଦେଉନା । ଆଉ ଅନ୍ୟ ସାର ସବୁ ବଡ଼ ମହରଗ । ତାକୁ ମଧ୍ୟ ଆମର ଗାଁର କୃଷକ ପ୍ରତିନିଧିଙ୍କ ବିନାଅନୁମତିରେ ପାଇ ପାରିବୁ ନାହିଁ କି ଲଗାଇ ପାରିବୁ ନାହିଁ । ପ୍ରତି ଗାଁରେ ଜଣେ ଲେଖାଏଁ କୃଷକ ପ୍ରତିନିଧି ଥାଆନ୍ତି । ତାଙ୍କରି ଜରିଆରେ ଚାଷୀମାନଙ୍କୁ ଗବେଷଣା କେନ୍ଦ୍ରମାନଙ୍କରୁ ନିର୍ଦ୍ଦେଶମାନ ଜଣାଇ ଦିଆଯାଏ । କୃଷି ଓ ଶିଳ୍ପପାଇଁ ଭିନ୍ନ ଭିନ୍ନ ଗବେଷଣା କେନ୍ଦ୍ର ମାନ ରହିଛି । ଖାଲି କୃଷିପାଇଁ ସାରା ଜାପାନରେ ୪୨୪ଟି ଗବେଷଣାଗାର ରହିଛି । କେଉଁ ଜମିରେ କେତେ ପିଡ଼ିଆ ଦିଆଯିବ, ତାହା ଏଇ ଗବେଷଣାଗାର ଠିକ୍‌ କରି ଦେଇଥାଏ । ଏହାଛଡ଼ା ବିଶ୍ୱବିଦ୍ୟାଳୟ, କୃଷି କଲେଜ, ଘରୋଇ ଅନୁଷ୍ଠାନ ଓ କର୍ପୋରେସନ୍‌ମାନଙ୍କରେ ତ ବରାବର ଗବେଷଣାମାନ ଚାଲିଛି । ବେତାର, ସାହିତ୍ୟ, ପ୍ରଦର୍ଶନୀ ଜରିଆରେ ମଧ୍ୟ ଚାଷୀ ପ୍ରତ୍ୟହ ନୂଆ ନୂଆ କଥା ଜାଣିଛି ଓ ପୁରଷ୍କୃତ ମଧ୍ୟ ହେଉଛି । ବିଜୁଳି ଶକ୍ତିକୁ ମଧ୍ୟ ଚାଷରେ ଉପଯୋଗ କରାଯାଉଛି । ଗାଈଗୋରୁଙ୍କୁ ଖାଇବାକୁ ଦେଇ ପାରିବେ ନାହିଁ ବୋଲି ସେମାନଙ୍କୁ ପୋଷୁ ନାହାଁନ୍ତି-। ସେଇ ବିଜୁଳି ଚାଳିତ ମେସିନ୍‌ ଗାଈଗୋରୁଙ୍କ କାମ କରୁଛନ୍ତି । ଗାଁ ଗଭୀର ମାଟିତଳୁ ଯେଉଁ ପାଣିକଳ ସାହାଯ୍ୟରେ ଉଠାଯାଇ ଖେତରେ ଦିଆଯାଏ, ସେ ପାଣିରେ ଆମୋନିଆ ଅଂଶ ଯଥେଷ୍ଟ ପରିମାଣରେ ଥିବାରୁ ଆମୋନିଆ ସାରର ଅଭାବ ଅନେକ ପରିମାଣରେ ମେଣ୍ଟିଯାଉଛି ।

 

କ୍ୟୋତୋର କିୟତ୍ ଦୂରରେ ଏକ ଜଳବିଦ୍ୟୁତ୍‌ ଯୋଜନା ଦେଖି ଆଶ୍ଚର୍ଯ୍ୟ ହେଲି । ଦୁଇଟି ଅତ୍ୟୁଚ୍ଚ ପାହାଡ଼କୁ ପଥର ବନ୍ଧଦ୍ୱାରା ଯୋଡ଼ି ଦିଆଯାଇ ଉଭୟ ପାର୍ଶ୍ୱରେ କେନାଲମାନଙ୍କ ସାହାଯ୍ୟରେ ଜଳସେଚନ କାର୍ଯ୍ୟ ଆଗେଇଛି । ତା’ ସଙ୍ଗେ ସଙ୍ଗେ ବିଜୁଳିଶକ୍ତି ମଧ୍ୟ ଆହରଣ କରାଯାଉଛି । ପାଣିହିଁ ଶକ୍ତିର ମାଆ । ଏହିପରି ଶହ ଶହ ଜଳବିଦ୍ୟୁତ୍‌ ଯୋଜନା ଜାପାନସାରା ଭରି ରହିଛି, ଯେଉଁଥିରୁ ବିଜୁଳିଶକ୍ତି ଉତ୍ପାଦନ କରାଯାଉଛି ଓ ଜମିରେ ପାଣି ମଡ଼ା ଯାଉଛି । ଏତେ ବଡ଼ ଅନୁଷ୍ଠାନଟି ଜଗି ରଖିବାକୁ ଜଙ୍ଗଲ ଭିତରେ କେହି ହେଲେ ଜଣେ ଲୋକ ନାହିଁ । କିଛି ସମୟ ପରେ ଗୋଟିଏ ବନ୍ଦ କୋଠରିର ଗୋଟିଏ ଜାପାନୀକୁ ଆବିଷ୍କାର କଲୁ । ବୁଝିଲୁ, ସେଇ ଜଣକର ଉପସ୍ଥିତିହିଁ ସେଇ ଜଳବିଦ୍ୟୁତ୍‌ ଷ୍ଟେସନପାଇଁ ଯଥେଷ୍ଟ ।

 

ଜାପାନ ସରକାର ଜଳସେଚନ ନିମନ୍ତେ କୃଷକମାନଙ୍କଠାରୁ କୌଣସି ପ୍ରକାର ଜଳକର ଆଦାୟ କରନ୍ତି ନାହିଁ । ସରକାର ଖାଦ୍ୟଭାବ ଯୋଗୁଁ ବ୍ୟବସାୟୀକ ଶସ୍ୟପାଇଁ ଉତ୍ସାହିତ କରନ୍ତି ନାହିଁ । କେବଳ ଧାନ ଆମଦାନିର ରାଜସ୍ୱ ଧାନ ଆକାରରେ ନିଆଯାଏ । ଅନ୍ୟ ଶସ୍ୟପାଇଁ ଅର୍ଥ ଆକାରରେ ରାଜସ୍ୱ ନିଆଯାଏ । ରାଜସ୍ୱ ଆଦାୟ ପୂର୍ବରୁ ଉତ୍ପାଦନର ସମସ୍ତ ଖର୍ଚ୍ଚ ଓ ପରିବାରର ଭରଣପୋଷଣ ନିମନ୍ତେ ଆବଶ୍ୟକୀୟ ପରିମାଣର ଶସ୍ୟ ବାଦ୍‌ ଦିଆଯାଇ ଥାଏ । ଜାପାନରେ ଜମି ଅଳ୍ପ ବୋଲି ରାସ୍ତାମାନଙ୍କର ଫୁଟପାଥ୍‌ବି ଚାଷରୁ ବାଦ୍‌ ଯାଇନାହିଁ । ସେଠାରେ ମଧ୍ୟ ମୂଳା, ଶାଗ ଆଦି ଲାଗି ସୁନ୍ଦର ଦେଖା ଯାଉଥାଏ । ଗୋରୁଗାଈ ଖାଇ ଯିବାର ଭୟ ନାହିଁ କି ଚୋରି ହୋଇ ଯିବାର ଭୟ ନାହିଁ । ଯିଏ କଲା, ସିଏ ନେଲା ।

 

ଆଗରୁ କହିଛି, ଜାପାନୀମାନେ କୃଷିକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ରୂପରେ ଦେଖନ୍ତି । ତେଣୁ ସେମାନେ ଖାଲି ଧାନ, ଗହମ, ବାର୍ଲି ଓ ପନିପରିବା ଉତ୍ପାଦନ କରି ଶାନ୍ତିରେ ରହି ପାରନ୍ତି ନାହିଁ । ଗୋଟିଏ ଗୋଟିଏ କ୍ଷେତ୍ରରୁ ତିନୋଟି ଲେଖାଏଁ ମଧ୍ୟ ଫସଲ ଆମଦାନି କରିଥାନ୍ତି । ସେମାନେ ଦେଖିଲେ ଜମି ଅଳ୍ପ, ଏତେଗୁଡ଼ିଏ ଲୋକଙ୍କ ପେଟକୁ ଖାଦ୍ୟ ଯୋଗାଇବାକୁ ଉତ୍ପାଦିତ ଖାଦ୍ୟଶସ୍ୟ ଯଥେଷ୍ଟ ନୁହେଁ । ତେଣୁ ବିଦେଶ ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିବ । ବାହାରୁ ବା ମାଗଣରେ ସେମାନଙ୍କୁ କିଏ ଖାଦ୍ୟ ଦେବ ? ତେଣୁ ସେମାନଙ୍କର ଆଖି ପଡ଼ିଲା ଖାଦ୍ୟର ଅସରନ୍ତି ଭଣ୍ଡାର ସମୁଦ୍ର ଉପରେ । ସେଥିଲାଗି ପୃଥିବୀର ସବୁଠାରୁ ବଡ଼ ମାଛ ଧରା ଜାତି ହେଉଛନ୍ତି ଜାପାନୀ । ସମଗ୍ର ପୃଥିବୀରେ ସମୁଦ୍ରରୁ ଯେତେ ମାଛ ଧରାଯାଏ, ତା’ର ଚାରି ଭାଗରୁ ଭାଗେ କେବଳ ଜାପାନରୁହିଁ ମିଳିଥାଏ ।

 

ଏଥିରେ ୧୫ ଲକ୍ଷ ଲୋକ ୩ ଲକ୍ଷ ୫୫ ହଜାର ବୋଟ୍‌ ସାହାଯ୍ୟରେ ସର୍ବଦା ଜୀବନ ନିର୍ବାହ କରିଥାନ୍ତି । ଏହି ବୋଟ୍‌ମାନଙ୍କ ମଧ୍ୟରୁ ଅଧିକାଂଶ ଇଞ୍ଜିନ୍‌ ଲଗା ବୋଟ୍‌ । ପୃଥିବୀର ଚାରିଆଡ଼କୁ ଖେଦିଯାଇ ସେମାନେ ମାଛ ଧରୁଥିଲେ । ଜାପାନର ଆଖପାଖ ସମୁଦ୍ରମାନ ଶୀତଳ ଓ ଉଷ୍ଣ ପ୍ରବାହର ସମ୍ମିଶ୍ରଣ ହୋଇଥିବାରୁ ମାଛ ଧରିବାକୁ ବେଶ୍‌ ଉପଯୋଗୀ । ଏହି ମାଛ ଶୁଖୁଆରୁ ସେମାନେ ଯଥେଷ୍ଟ ପ୍ରୋଟିନ୍ ଆହରଣ କରିଥାନ୍ତି । ଗୋରୁଗାଈ ଅଭାବରୁ ଘିଅ ଦୁଧ ନ ପାଇଲେ କ’ଣ ହେଲା; ତଦ୍ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ । ନିଜର ଚାହିଦା ମେଣ୍ଟାଇ ଯାହା ବଳେ, ତାକୁ ବିଦେଶକୁ ପଠାଇ ବେଶ୍‌ ଦି’ ସଇସା ରୋଜଗାର ମଧ୍ୟ କରନ୍ତି । ଆଖପାଖ ସମୁଦ୍ରଗୁଡ଼ିକୁ ମନ୍ଥି ଜାପାନୀମାନେ ମାଛ ଧରିବାରେ ଏତେ ପାରଙ୍ଗମ ଯେ ଜାପାନର କେତେକ ବନ୍ଦରରୁ ମାଛଧରା ଜାହାଜମାନ କେବେହେଲେ ଛାଡ଼ ନଥାଏ ।

 

ସମୁଦ୍ରରୁ ଯଥେଷ୍ଟ ମାଛ ପାଆନ୍ତି ବୋଲି ମଧୁର ମାଛ ଯେ ଚାଷ କରନ୍ତି ନାହିଁ, ଏଭଳି ନୁହେଁ । ମଧୁର ମାଛ ଚାଷ ଉପରେ ମଧ୍ୟ ଖୁବ୍‌ ଜୋର୍ ଦିଅନ୍ତି । ପ୍ରତ୍ୟେକ କୃଷକର ଦୁଆର କୁଣ୍ଡରେ ନାନା ରକମର ରଙ୍ଗିନ ମାଛ ଖେଳୁଥିବାର ଦେଖିବାକୁ ମିଳେ । ପୋଖରୀମାନଙ୍କରେ ମାଛ ଚାଷତ କରନ୍ତି; ଏହି ମାଛଚାଷ ଶିକ୍ଷା ଦେବାପାଇଁ ଜାପାନରେ ୨ଟା କଲେଜ ଓ ୩୨ଟା ସ୍କୁଲ ଓ ୧୪୩ଟା ରିସର୍ଚ୍ଚ ଷ୍ଟେସନ ରହିଛି ।

 

କୃଷି ସଙ୍ଗେ ସଙ୍ଗେ ଜଙ୍ଗଲକୁ ମଧ୍ୟ ଜାପାନୀମାନେ ଭୁଲି ଯାଇ ନାହାଁନ୍ତି । ଜାପାନୀ ଘର କାଠରେ ତିଆରି, ଜଙ୍ଗଲର କାଠ ହେଲା ତା’ର ପ୍ରାଣ । କେଉଁ କାମରେ ଯେ କାଠ ନ ଲାଗୁଛି; ଏପରି ନୁହେଁ । ତେଣୁ ଜଙ୍ଗଲ ସମ୍ପଦବଢ଼ାଇବାରେ ଜଙ୍ଗଲ ବିଭାଗ ଖୁବ୍‌ ତତ୍ପର । ଜଳସ୍ରୋତକୁ ନିୟନ୍ତ୍ରଣ କରିବା କାମ କାଠର । ଏହା ଯାହାଯ୍ୟରେ ବନ୍ୟା କବଳରୁ ଦେଶକୁ ରକ୍ଷା କରାଯାଏ । ମୃତ୍ତିକା ସଂରକ୍ଷଣ ଦାୟିତ୍ୱ ନେଇଛି ଜାପାନର ଜଙ୍ଗଲ । ପାହାଡ଼ମାନ ମାଟିଆଳ ହୋଇଥିବାରୁ ବର୍ଷାଦିନେ ଭୁଷୁଡ଼ି ପଡ଼େ । ତାହା ରୋକିବାପାଇଁ ପାହାଡ଼ କଡ଼େ ଯେପରି ସମସ୍ତେ ଜଙ୍ଗଲ ବଢ଼ାଇବାରେ ଲାଗିଥାନ୍ତି ।

 

ଯେ କୌଣସି ଚାଷ ଗାଁକୁ ପଶିଲେ ମନେହୁଏ, ସବୁ ଯେପରି କୋଠ ଚାଷରେ ଚାଲିଛି-। ପରସ୍ପର ସହିତ ଏପରି ସହଯୋଗ ମନୋବୃତ୍ତି ଦେଖାଯାଏ ଯେପରି ମନେହୁଏ ଗାଁଟି ଗୋଟିଏ ପରିବାର । ଏହିପରି ସମଗ୍ର ଜାପାନଟି ଆଠକୋଟି ସହଯୋଗୀଙ୍କ ଗୋଟିଏ ପରିବାର । ଏବେବି ଏପରି ଅନେକ ଗାଁ-ଗଣ୍ଡା ଅଛି, ଯେଉଁଠି ସମସ୍ତେ ଏକ ସଙ୍ଗେ ଖଟି ସେମାନଙ୍କର ଅର୍ଜନ ଏକାଠି ରଖନ୍ତି । ଏକ ଭାବରେ ସମସ୍ତେ ଚଳନ୍ତି । ସଭ୍ୟତାର ଯେତେ ଗନ୍ଧ ସେମାନଙ୍କଠି ବାଜିଲେହେଁ ସେମାନେ କହନ୍ତି, ଏଇଟା ଆମକୁ ସୁହାଇଗଲାଣି । ଜାପାନୀ ଚାଷୀର ଜମି ପ୍ରତି ଅସୀମ ଶ୍ରଦ୍ଧା । ସେ ସେଥିରେ ମହୁମାଛି ପରି ସର୍ବଦା ଲାଗିଥାଏ । ଭାଗ୍ୟରେ ଥିଲେ ଫସଲ ହେବ–ଏ ବିଶ୍ୱାସ ତା’ର ନାହିଁ । ସେହି ଅଧ୍ୟବସାୟ ବଳରେ ଆମେ ଏକରକେ ଯାହା ଫଳାଉଛୁ, ଜାପାନୀ ତା’ର ତିନିଗୁଣ ଫଳାଉଛି । ଅଧିକା ଉତ୍ପନ୍ନ ଦ୍ରବ୍ୟର କାଟତିପାଇଁ ଚାଷୀକୁ ମୁଣ୍ଡ ଖେଳେଇବାକୁ ପଡ଼େନାହିଁ । ସେ ଭାର ଗାଁ କୋଅପରେଟିଭ୍‌ ଗୋଦାମର । ଉନ୍ନତ ଧରଣର ବିହନ, ଯନ୍ତ୍ରପାତି, ସାର ଆଦି ଯୋଗାଇବା ଓ ଅଧିକା ଉତ୍ପନ୍ନ ଦ୍ରବ୍ୟର ବାହାର ବଜାରରେ କାଟତିର ଭାର କୋଅପରେଟିଭ୍‌ ଗୋଦାମମାନ ତୁଲାଇ ଥାଏ । ଜାପାନୀ ଶ୍ରମିକ ତା’ର କାରଖାନାଟି ଯେପରି ନିଜର ମନେକରି କାମକରେ, ଚାଷୀମାନେ ମଧ୍ୟ ସେଇପରି ଗାଁର ଚାଷଭୂମିତକ ନିଜର ମନେକରି ଚାଷ କରିଥାନ୍ତି । ଅଳ୍ପ ଜମିରୁ କିପରି ବେଶି ଫସଲ ଆମଦାନି ହେବ, ସେଇ ଚିନ୍ତାରେ ସେ ବ୍ୟସ୍ତ । ବେଶି ଗୁଡ଼ାଏ ଜମି ଚଷି ବେଶି ଗୁଡ଼ାଏ ଫସଲ ପାଇବା ତା’ର ଲକ୍ଷ୍ୟ ନୁହେଁ । ଏଥିରୁ ଆମେ ବୁଝୁଛୁ ଯେ ଆମକୁ ପ୍ରକୃତ ଚାଷୀ ନେତା ତାଲିମ କରି ଗାଁ ଗହଳରେ ବିଛେଇ ଦେବାକୁ ହେବ, ଯେଉଁମାନଙ୍କର ଉପଯୁକ୍ତ ଯୋଗ୍ୟତା ଓ ଗାଁର ସେବା କଲାଭଳି ମନୋବୃତ୍ତି ଥିବ ।

Image